ଇନ୍ଦିରା ଆବାସରେ ଗାଈ ଗୁହାଳ!

ଇନ୍ଦିରା ଆବାସରେ ଗାଈ ଗୁହାଳ!

Share :

କଲମପୁର ଅଂଚଳରେ ସର୍ବଦା ବାସଗୃହ ଯୋଜନା ନେଇ ବିଭିନ୍ନ ସ୍ତରରେ ଚଂଚକତା ଓ ଅନିୟମିତତା ନେଇ ଆଲୋଚନା ହେବାରେ ଲାଗିଛି। ଆର୍ଥିକ ସ୍ୱଚ୍ଛଳ ବର୍ଗ ଲୋକମାନେ ଏହି ସୁବିଧା ସୁଯୋଗ ହାତେଇ ନେଉଥିବା ବେଳେ ଗରିବ ଶ୍ରେଣୀର ଲୋକମାନେ ଏଭଳି ଜନହିତକର ଯୋଜନାରୁ ବାଦ‌୍‍ ପଡ଼ୁଛନ୍ତି। କେତେକ ଲୋକ ପାଇଥିବା ଇନ୍ଦିରା ଆବାସକୁ ଗାଈ ଗୁହାଳ କରିଥିବାବେଳେ ଆଉ କେତେକ ଏହାକୁ ଦୋକାନ ଘରରେ ପରିଣତ କରି ଭଡ଼ା ଦେଇଛନ୍ତି।   କେତେବେଳେ ବାପାର ପକ୍କାଘର ଥିବା ବେଳେ ପୁଅର ନାଁରେ ଘର ଦିଆଯାଉଛି ତ କେତେବେଳେ ପକ୍କାଘର ଥିବା ଲୋକମାନେ ଚୁନ ରଙ୍ଗ ଦେଇ ପୁରୁଣା ଘରକୁ ନୂଆ ଦର୍ଶାଇ ଏହି ଯୋଜନାର ଅର୍ଥ ହାତେଇ ନେଉଛନ୍ତି। ପ୍ରାୟତଃ କଲମପୁର ବ୍ଲକ ଅଂଚଳରେ ସରକାରୀ ଜମି, ବନ୍ଧ ହୁଡା, କେନାଲ ହୁଡାରେ ଘର ନିର୍ମିତ ହେଉଥିବା ବେଳେ ଲୋକେ ଇନ୍ଦିରା ଆବାସ ନେଇ ଗାଈ ଗୁହାଳ କରିଥିବା ଅଭିଯୋଗ ହେଉଛି। କେତେତ ହିତାଧିକାରୀ ଇନ୍ଦିରା ଆବାସ ନେଇ ଦୋକାନ ଘର କରି ଭଡା ଦେବା ଏବଂ ଏ.୦.୦୪ଡି. ଜମି ସହ ଘର ପାଇ ଉକ୍ତ ଘରକୁ ବିକ୍ରି କରି ପୁନର୍ବାର ଇନ୍ଦିରା ଆବାସ ପାଇବା ଭଳି ଘଟଣା ଏ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।   ଏପରିକି ବର୍ତମାନ ପୋଖରୀ ଭିତରେ ଇନ୍ଦିରା ଆବାସ ନିର୍ମାଣ ଜନସାଧାରଣଙ୍କୁ ଚକିତ କରିଛି। ଜିଲ୍ଲାରେ ୧୦-୨୦ ହଜାର ଟଙ୍କା ଲାଂଚ ଦେଲେ ଇନ୍ଦିରା ଆବାସ ମିଳୁଥିବା ଜନସାଧାରଣରେ ଆଲୋଚନ ହେଉଥିବା ବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଗରିବ ଶ୍ରେଣୀର ହେଇଥିବାରୁ ପ୍ରକୃତ ଟଙ୍କା ଦେଇ ନପାରି ଏଭଳି ଯୋଜନାରୁ ବଂଚିତ ହେବାରେ ଲାଗିଛି। ପ୍ରଶାସନିକ ଅଧିକାରୀ ଗରିବ ହିତାଧିକାରୀମାନଙ୍କୁ ନାଲି ଆଖି ଦେଖାଇ ତୁରନ୍ତ ଗୃହ ନିର୍ମାଣ କାର୍ଯ୍ୟ ସମାପନ ନ କଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେବାରେ ଲାଗିଛନ୍ତି। ଯେତେବେଳେ ହିତାଧିକାରୀଙ୍କ ବିରୁଦ୍ଧରେ କଥା ଆସେ ସେତେବେଳେ ଅଧିକାରୀମାନେ କଠୋର ପଦକ୍ଷେପ ପାଇଁ ଅଣ୍ଟା ଭିଡ଼ନ୍ତି। କିନ୍ତୁ ଯେତେବେଳେ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସେ ସେତେବେଳେ ସେମାନଙ୍କର ପାରିଲା ପଣିଆ ଦେଖାଯାଏ ନାହିଁ।   ଏଭଳି ଏକ ଘଟଣା ଘଟିଛି କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟୃ ଗ୍ରାମ ପଂଚାୟତରେ। ପ୍ରାପ୍ତ ସୂଚନା ଅନୁସାରେ ବଡକୁଟୃ ପଂଚାୟତ ଅନ୍ତର୍ଗତ ଖଙ୍ଗାରଗୁଡା ଗ୍ରାମର ବୈକୁଣ୍ଠ ଦିଆରି, ପିତା- ମୁକୁନ୍ଦ ଦିଆରିକୁ କଲମପୁର ବ୍ଲକ କାର୍ଯ୍ୟାଦେଶ ପତ୍ର ସଂଖ୍ୟା ୪୫ ତା.‌ ୨୦.୦୭.୨୦୧୫ ରିଖରେ ୨୦୧୫-୧୬ ଆର୍ଥିକ ବର୍ଷର ୭୫ ହଜାର ଟଙ୍କା ଅଟକଳରେ ଇନ୍ଦିରା ଆବାସ ଗୃହ ମିଳିଥିଲା। ଏଥି ସହ ତାଙ୍କ ପାସ‌୍‍ ବହିରେ ପ୍ରଥମ କିସ୍ତି ଆକାରରେ ୨୦ ହଜାର ଟଙ୍କା ପରିବର୍ତ୍ତେ କର୍ମଚାରୀଙ୍କ ଭୁଲବଶତଃ ୪୦ ହଜାର ଟଙ୍କା ପଡିଯାଇଥିଲା। ଏହା ଜାଣିପାରି ବଡକୁଟୃ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଗୋବିନ୍ଦ ଦଳାଇ ହିତାଧିକାରୀ ବୈକୁଣ୍ଠ ଦିଆରିଙ୍କୁ ୨୦ ହଜାର ଟଙ୍କା ଫେରସ୍ତ ପାଇଁ କହିଥିଲେ। ବୈକୁଣ୍ଠ ଦିଆରି ତାଙ୍କ ପାସ ବହିରେ ଜମାଥିବା ୪୦ ହଜାର ଟଙ୍କାରୁ ୨୦,୦୦୦ଟଙ୍କା ନିଜେ ନେଇଯାଇ ୨୦,୦୦୦ ଟଙ୍କା ପଂଚାୟତ ପିଇଓ ଦଳେଇଙ୍କୁ ଫେରସ୍ତ ଦେଇଥିଲେ।   କିନ୍ତୁ ଉକ୍ତ ଟଙ୍କାକୁ ଶ୍ରୀ ଦଳେଇ ବ୍ଲକରେ ଫେରସ୍ତ ନ କରି ନିଜେ ଆତ୍ମସାତ କରିଥିବା ହିତାଧିକାରୀ ବୈକୁଣ୍ଠ ଦିଆରି ଅଭିଯୋଗ କରିଛନ୍ତି। ଫଳରେ ବୈକୁଣ୍ଠ ଦିଆରିଙ୍କ ପାସ ବହିର ଦ୍ୱିତୀୟ କିସ୍ତି ଟଙ୍କା ପଡିପାରୁ ନାହିଁ। ଏଥିପାଇଁ ବୈକୁଣ୍ଠ ବାରମ୍ୱାର ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ଆଜକୁ ପାଂଚ ମାସ ହେବ ନୟାନ୍ତ ହୋଇଗଲେଣି। ତଥାପି ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରୁ ନାହିଁ। ଏ ସମ୍ୱନ୍ଧେ ପିଇଓ ଶ୍ରୀ ଦଳାଇଙ୍କୁ ପଚାରିବାରୁ ତାଙ୍କ ଉତ୍ତର ହେଉଛି, ମୁଁ କୌଣସି ଟଙ୍କା ନେଇ ନାହିଁ, ଏହା ସଂପୂର୍ଣ୍ଣ ମିଛ ଅଭିଯୋଗ। ବିଡିଓ ଲକ୍ଷ୍ମଣ ଅମାତଙ୍କ ସହ ଫୋନ‌୍‍ ନଂ. ୯୬୬୮୮୮୭୬୫୮ ରେ ଯୋଗାଯୋଗ କରିବାରୁ ସେ ଅଫିସରୁ ପଚାରି ବୁଝି ପ୍ରତିକ୍ରିୟା ଦେବେ ବୋଲି ମତବ୍ୟକ୍ତ କରିଥିଲେ।

Share :