ଶ୍ରୀମନ୍ଦିର ସେବାୟତଙ୍କୁ ଦଣ୍ଡ ଦାବି

ଶ୍ରୀମନ୍ଦିର ସେବାୟତଙ୍କୁ ଦଣ୍ଡ ଦାବି

Share :

  ଜୁଲାଇ ୧୭ ତାରିଖ ରବିବାର ଥିଲା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଭଇଣୀ ମାତା ସୁଭଦ୍ରା,  ସୁଦର୍ଶନ, ମଦନମୋହନ ଓ ରାମକୃଷ୍ଣଙ୍କ ନିଳାଦ୍ରୀ ବିଜେ ଉତ୍ସବ। ନିଳାଦ୍ରୀ ବିଜେ ଉତ୍ସବ ସମୟରେ ସେବାୟତମାନଙ୍କ ଉତ୍ସୃଙ୍ଖଳିତ ଆଚରଣ ଚରମ ସୀମାରେ ପହଞ୍ଚିଥିଲା। ସେବାୟତମାନେ ସମସ୍ତ ନୀତିନିୟମକୁ ଉଲ୍ଲଙ୍ଘନ କରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ସୁଆର-ମହାସୁଆର ନିଯୋଗର ସଭାପତି ଦାମୋଦର ମହାସୁଆର ନିଜ ଝିଅକୁ ଧରି ତିନି ରଥରେ ଚଢି ଶ୍ରୀଜିଉମାନଙ୍କୁ ସ୍ପର୍ଶ କରିଥିଲେ। ଏସଂପର୍କରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଦାମୋଦରଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୁଆର ନିଯୋଗ ଓ ଦଇତାପତି ନିଯୋଗର ସେବାୟତମାନେ ଦାମୋଦରଙ୍କ ସାଥ ଦେଇ ଜିଲ୍ଲାପାଳଙ୍କୁ ଠେଲାପେଲା କରିବା ସହ ଗାଳିଗୁଲଜ କରିଥିଲେ।   ଘଟଣାସ୍ଥଳରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ସେବାୟତ ଓ ପ୍ରଶାସନର ଫଟୋ ଉତ୍ତୋଳନ କରୁଥିବା ସମୟରେ କାହିଁକି ଆମ ଫଟୋ ଉଠାଉଛ କହି ସେବାୟତମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଗଣମାଧ୍ୟମର ପ୍ରତିନିଧିଙ୍କୁ ଠେଲାପେଲା କରିବା ସହ କ୍ୟାମେରା ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ କେତେକ ସାମ୍ୱାଦିକ ଆହତ ହୋଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଛନ୍ତି।   ଏ ସଂପର୍କରେ ପୁରୀର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣା ଦିନ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଅବଗତ କରାଇବା ସହ ସେବାୟତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ସମୟରେ ଆଇନ ମନ୍ତ୍ରୀ ଅରୁଣ ସାହୁ, ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଓ ଏଡିଜି ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ତିତ ଥିଲେ। ସେବାୟତଙ୍କ ଉତ୍ସୃଙ୍ଖଳିତ ଆଚରଣ ପାଇଁ ଶ୍ରୀଜିଉଙ୍କ ଗୋଟିପହଣ୍ଡି ଓ ସେମସ୍ତ ଦେବ ନୀତିରେ ବିଳମ୍ୱ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେବାୟତମାନଙ୍କ ମନମାନୀ ସମସ୍ତଙ୍କୁ ବ୍ୟଥିତ କରିଥିଲା।   ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେବାୟତଙ୍କ ବ୍ୟତିତ କୌଣସି ଅଣସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟ ରଥ ଉପରକୁ ଯାଇପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। ପ୍ରଶାସନର ଏହି କଟକଣାକୁ ଖୋଲା ଚ୍ୟାଲେଞ୍ଜ ମାରି ଦାମୋଦର ଏକ ବିଜ୍ଞାପନରେ ସେବାୟତମାନଙ୍କୁ ଅବଗତ କରାଇଥିଲେ ଯେଉଁ ସେବାୟତମାନଙ୍କ ପରିବାର ସଦସ୍ୟ ରଥ ଉପରକୁ ଯିବା ପାଇଁ ଚାହୁଁଛନ୍ତି ସେମାନେ ମୋ ସହ ଯୋଗାଯୋଗ କରନ୍ତୁ। ତାହା ସେ ନିଳାଦ୍ରୀ ବିଜେ ଦିନ କରି ଦେଖାଇଛନ୍ତି। ଏହା ଆମ ଜନ୍ମଗତ ଅଧିକାର, ଏଥିରୁ ଆମକୁ କେହି ବଞ୍ଚିତ କରିପାରିବେ ନାହିଁ ବୋଲି ଦାମୋଦର କହିଛନ୍ତି। ଏନେଇ ଦାମୋଦର ଶ୍ରୀମନ୍ଦିର ଥାନାରେ ଜିଲ୍ଲାପାଳଙ୍କ ବିରୋଧରେ ଏକ ଲିଖିତ ଏତଲା ଦାୟର କରିଛନ୍ତି।   ସୋମବାର ପୁରୀର ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କୁ ଭେଟି ସେମାନଙ୍କ ଉପରେ ହୋଇଥିବା ଆର୍କମଣ ସଂପର୍କରେ ଅବଗତ କରାଇଛନ୍ତି। ଉତ୍ସୃଙ୍ଖଳିତ ସେବାୟତମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବା ପାଇଁ ଚେଷ୍ଟା କରି ସାମ୍ୱାଦିକମାନଙ୍କ ଉପରେ କରିଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ଅରଗାନାଇଜେସନ ଅଫ ୟୁନାଇଟେଡ ୱାର୍କିଂ ଜର୍ନାଲିଷ୍ଟି (ଓୟୁଡବ୍ଲୁଜେ) କୋଣାର୍କ ଶାଖା ପକ୍ଷରୁ ନିନ୍ଦା କରାଯାଇଛି। ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷପ କରି ଦୋସି ସେବାୟତମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଶ୍ରଦ୍ଧାଳୁମାନେ ନିବେଦନ କରିଛନ୍ତି। ସବୁ ଶ୍ରଦ୍ଧାଳୁଙ୍କ ଇଚ୍ଛାଥାଏ ରଥ ଉପରେ ଛଡି ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ ଓ ସ୍ପର୍ଶ କରିବା ପାଇଁ। ପ୍ରଶାସନର ନୀତିନିୟମ ସଂପର୍କରେ ଅବଗତ ନ ଥିବା ଭକ୍ତଟିଏ ଯଦି ରଥରେ ଚଢିଟାଏ ତେବେ ପ୍ରଶାସନ ତାକୁ ବାନ୍ଧି ନେଇଥାଏ। କିନ୍ତୁ ପ୍ରଶାସନିକ ନୀତିନିୟମ ସଂପର୍କରେ ସେବାୟତମାନେ ଅବଗତ ଥାଇ ମଧ୍ୟ ଭୁଲ କଲେ ସେମାନଙ୍କ ବିରୋଧରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ଗ୍ରହଣ କରି ନ ଥାଏ ବୋଲି ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି।

Share :