ଅନ୍ଧାର ଓଡ଼ିଶାର ନୂଆ ସଳିତା!

ଅନ୍ଧାର ଓଡ଼ିଶାର ନୂଆ ସଳିତା!

Share :

ଉର୍ଦ୍ଧ୍ବେ ଦାନବ ଶାସନ-ଛତ୍ର ତାହାରି ନିମ୍ନେ ଜୀବନ-ପତ୍ର ସବୁଜିମା ଆଉ ଧରିବନି, ରଙ୍ଗୀନ ଆଶା ପୂରିବନି। ସ୍ବେଚ୍ଛାଚାରର ଜାଗ ପ୍ରତିଜ୍ଞା, ପାଳ ନିର୍ଦ୍ଦେଶ ନିଜର ଆଜ୍ଞା। ଝରି ଝରି ପଡ଼ ଶିବ-ତ୍ରିନୟନୁ ସୁନ୍ଦର-ଶିବ ଦାହାନାଗ୍ନିର ଝୁଲରେ, ଅନାଚାର ପଥେ ସଜ୍ଜିତ କର ଫାଶୀ ମଞ୍ଚର ଫୁଲରେ।   ଏହା ହେଉଛି ଓଡ଼ିଶାର ସ୍ବନାମଧନ୍ୟ ବିପ୍ଳବୀ କବି ରବି ସିଂହଙ୍କର ଏକ କବିତାର ଗୋଟିଏ ପଙ୍‌କ୍ତି। ଆଉ ଏହି କବିତାର ବାର୍ତ୍ତା ନେଇ ଗଢ଼ି ଉଠିଛି ଓଡ଼ିଶାର ସାମାଜିକ, ଆର୍ଥନୀତିକ, ସାଂସ୍କୃତିକ ଓ ରାଜନୀତିକ ପରିବର୍ତ୍ତନାଶାୟୀ ଏକ ନୂଆ ସଂଗଠନ। ଏହାର ପରିକଳ୍ପନା ଓ ପଦପାତ ପଛରେ ଅଛନ୍ତି ରେଭେନ୍ସା କଲେଜ ଓ ବିଶ୍ବ ବିଦ୍ୟାଳୟଳ, ଉତ୍କଳ ବିଶ୍ବ ବିଦ୍ୟାଳୟ, ବିଜେବି କଲେଜ, ରାଜଧାନୀ କଲେଜ, କେନ୍ଦୁଝର ଧରଣୀଧର କଲେଜ ଆଦି ଅନେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରନେତା ଓ ନେତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ବଦ୍ରି ମହାନ୍ତି, ସଂଜୀବ ପତ୍ରୀ, ସତ୍ୟବ୍ରତ ପଣ୍ଡା, ରୀନା ରାଉତରାୟ, ଦାମୋଦର ପତି, କୈଳାସ ମିଶ୍ର, ଅଜୟ ମିଶ୍ର, ଅଭିନ୍ନ କୁମାର ହୋତା, ତ୍ରିଲୋଚନ ମହାନ୍ତି, ତପନ ମିଶ୍ର, ମନୋଜ ସାହୁ, ସୁଧୀର ରାଉତ, ସରୋଜ ସାମଲ, ଗୋଲକ ନାୟକ, ବିଭୂତି ରାୟ, ବିଶ୍ବଜିତ ସୂର୍ଯ୍ୟବଂଶୀ, ଆଦିତ୍ୟ ବାଘସିଂହ, ବିଶ୍ବଜିତ ଦାସ, ମହମ୍ମଦ ଶମିମ ଅଖ୍‌ତାର, ନିର୍ମଳ ଦାଶ ଓ ଅମିତ କିରଣ ହୋତା ପ୍ରମୁଖ ବହୁ ପୂର୍ବତନ ଓ ବର୍ତ୍ତମାନର ଛାତ୍ର ନେତା, ନେତ୍ରୀ ଓ ସଂଗଠକ।   ଓଡ଼ିଆଙ୍କ ନିଜ ମାଟିପାଣିପବନ, ଭାଷା, ସାହିତ୍ୟ ଓ ସଂସ୍କୃତିରେ ସମୃଦ୍ଧ ତଥା ଓଡ଼ିଶାର ବରପୁତ୍ରମାନଙ୍କର ସ୍ବପ୍ନର ଓଡ଼ିଶା ଗଠନ କରିବା ଦିଗରେ ଉଦ୍ୟମ ଓ ଆନ୍ଦୋଳନର ଅଗ୍ରଗତି ପାଇଁ ଉଦ୍ଦିଷ୍ଟ ଏହି ସଂଗଠନର ସଦସ୍ୟମାନେ ଓଡ଼ିଶାର ମୂଳବାସିନ୍ଦା ଆଦିବାସୀମାନଙ୍କ ଉପରେ କ୍ରମାଗତ ଭାବେ ହୋଇଚାଲିଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଜୁଲାଇ ୮ ତାରିଖରେ କନ୍ଧମାଳ ଜିଲ୍ଲାର କୁର୍ତ୍ତୁମଗୁଡ଼ା ଜଙ୍ଗଲରେ ମାଓବାଦୀ ଆଳରେ ପୁଲିସ ଯେପରି ଗୁମୁଡ଼ୁମାହା ଗାଁର ଏକ ଦେଢ଼ ବର୍ଷର ଶିଶୁ ସମେତ ୫ ଜଣ ନିରୀହ ଆଦିବାସୀ ଓ ଦଳିତ ଲୋକଙ୍କୁ ହତ୍ୟା କଲା ତାହାର ଘୋର ପ୍ରତିବାଦ କରିଛି ଏହି ମଂଚ। ତଥାକଥିତ ସନ୍ତ୍ରାସ ଦମନର ଯୂପକାଠ ତଳେ ବଳି ପଡ଼ିଥିବା ଏହି ନିରୀହ ଲୋକମାନଙ୍କର ବଳିଦାନର ଦଶାହ ଉପଲକ୍ଷେ ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରର ଆଦିବାସୀ ପଡ଼ିଆରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏଁ ସଂଗଠନ ତରଫରୁ ଏକ ମହମବତୀ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।   ମହବତୀ ଶୋଭାଯାତ୍ରା ଅବସରରେ ରାୟଗଡ଼ାଠାରୁ କଳିଙ୍ଗନଗର, କେନ୍ଦୁଝରଠାରୁ ଭାଲିଆଗୁଡ଼ା, ବାସଙ୍ଗମାଳିଠାରୁ ନିୟମଗିରି ପର୍ଯ୍ୟନ୍ତ ତଥାକଥିତ ମାଓବାଦ ବିରୋଧୀ ଦମନଲୀଳାର ଶହୀଦ ହୋଇଥିବା ୧୪୮ ଜଣ ନିହତ ନିରୀହ ଆତ୍ମାଙ୍କ ଶ୍ରଦ୍ଧାଂଜଳି ଅର୍ପଣ କରାଯିବା ସହିତ ଅତ୍ୟାଚାରୀ ରାଷ୍ଟ୍ରଶକ୍ତିର ସମାଲୋଚନା କରାଯାଇଥିଲା। ଏନଡିଏ ସରକାରର ଜାତୀୟ ତଫସିଲଭୁକ୍ତ ଜନଜାତି କମିଶନର ଯେପରି ଏନେଇ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କଲେ ତାହାର ପ୍ରତିବାଦ କରାଯାଇଥିଲା। ଜଣେ ବିବାଦୀୟ ପୁଲିସ ଅଧିକାରୀଙ୍କ ନେତୃତ୍ବେର ଗଠିତ ଏକ ଏସଆଇଟି ଜରିଆରେ ତଦନ୍ତ କରାଇବା ବାହାନାରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ହେଉଥିବା ଉଦ୍ୟମର ନିନ୍ଦା କରାଯାଇଥିଲା। ସମଗ୍ର ଓଡ଼ିଶାରେ ସୁସ୍ଥ ଜନଜୀବନ ପାଇଁ ଆବଶ୍ୟକ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଓ ସର୍ବୋପରି ନିଯୁକ୍ତି ସୁବିଧା ଅଭାବ ବିରୋଧରେ ସ୍ବର ଉତ୍ତୋଳନ କରାଯାଇଥିଲା।   ଏହି ମହମବତୀ ଶୋଭାଯାତ୍ରାରେ ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ରବି ଦାସ, ଓଡ଼ିଆ ଭାଷା ଆନ୍ଦୋଳନର ସୁଭାଷ ପଟ୍ଟନାୟକ ଓ ପ୍ରଦ୍ୟୁମ୍ନ ଶତପଥୀ, ସମାଜସେବୀ ଜ୍ୟୋତ୍ସ୍ନା ମର୍ଦ୍ଦରାଜ, ମାନବାଧିକାର କର୍ମୀ ମନୋଜ ଯେନା, ବିକ୍ରମ, ଦେବାଶିଷ ମିଶ୍ର ପ୍ରମୁଖ ବହୁ ସଚେତନ ଓଡ଼ିଆପ୍ରାଣ ସଂଗଠକ ଯୋଗଦେଇଥିଲେ। ଏହି ସନ୍ଧ୍ୟାରେ କେନ୍ଦୁଝରରେ ମଧ୍ୟ ଏହିପରି ଶୋଭାଯାତ୍ରାର ଆୟୋଜନ କରାଯାଇ ଆଦିବାସୀ ବିରୋଧୀ ଅତ୍ୟାଚାରର ପ୍ରତିବାଦ କରାଯାଇଥିଲା।

Share :