ବେତନ ବୈଷମ୍ୟ ଦୂର କରିବା

ବେତନ ବୈଷମ୍ୟ ଦୂର କରିବା

Share :

ନିରାକାର ବେଉରା   ବିରୋଧାଭାସ ବିଚାର ଉପରେ ଠିଆ ହୋଇଥିବା ସରକାରମାନେ ଯେ ସମାଜକୁ ଗଢିବା ପରିବର୍ତ୍ତେ ସମାଜ ତଥା ସେଥିରେ ବାସ କରୁଥିବା ଲୋକମାନଙ୍କୁ ଅଧିକରୁ ଅଧିକ ଭାଗ ଭାଗ କରି ଚାଲିଛନ୍ତି, ତାହାର ଆଉ ପ୍ରମାଣର ଆବଶ୍ୟକତା ନାହିଁ। ରାଜକୋଷର ଅଭିବୃଦ୍ଧି ପାଇଁ ମଦ ଦୋକାନ ଖୋଲିବା ପୁଣି ନିଶା ନିବାରଣ ପାଇଁ ପ୍ରଚାର ପ୍ରସାର କରିବା, ସମୃଦ୍ଧିର କଥା କହି ଏକ ଟଙ୍କିଆ ଚାଉଳ, ପାଞ୍ଚ ଟଙ୍କିଆ ଆହାର ଖୁଆଇବା, ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ବେକାର ରଖି ସେମାନଙ୍କ ପାଇଁ ନିଯୁକ୍ତି, ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ନକରି ଅପରପକ୍ଷରେ ସେମାନଙ୍କ ଦକ୍ଷତା ବୃଦ୍ଧି ନାଆଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିବା, କୃଷି ଉତ୍ପାଦନ ଅଭିବୃଦ୍ଧିର ସ୍ଳୋଗାନ ଦେଇ ଚାଷ ଜମିକୁ ଜଳ ସେଚନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ଚାଷୀମାନଙ୍କୁ ନଯୋଗାଇଦେବା ଏବଂ ସେମାନଙ୍କୁ କୁଶଳୀ ଶ୍ରମିକର ମାନ୍ୟତା ନ ଦେବା ତଥା ସମତାର କଥା କହି ସାଧାରଣ ଜନତାଙ୍କ ମଧ୍ୟରେ ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଓ ଧାର୍ମିକ ବିଭେଦତାର ମଞ୍ଜି ବୁଣିବାରେ ଯେ ସବୁ ସରକାର ପ୍ରତିବଦ୍ଧତାର ସହ କାମ କରିଚାଲିଛନ୍ତି, ତାହାର ନିଚ୍ଛକ ଉଦାହରଣ ହେଉଛି ଏଇ ନିକଟରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପାଇଥିବା ସପ୍ତମ ବେତନ କମିଶନ ସୁପାରିଶ।   ସପ୍ତମ ବେତନ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ହେଲେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଜଣେ କର୍ମଚାରୀ ସର୍ବନିମ୍ନ ୧୮ ହଜାର ଓ ସବାର୍ଧିକ ୨ ଲକ୍ଷ ୫୦ ହଜାର ଟଙ୍କା ପାଇ ପାରିବେ। ଏହା ସେମାନଙ୍କ ପାଇଁ ଖୁସିର ଖବର ନିଶ୍ଚୟ। କେନ୍ଦ୍ର ସରକାରଙ୍କର ଏହି ୪୮ ଲକ୍ଷ ପାଖାପାଖି କର୍ମଚାରୀ ଓ ୫୨ ଲକ୍ଷରୁ ଅଧିକ ବେତନଭୋଗୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ବାର୍ଷିକ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ। ପୁନଶ୍ଚ ୧୮ ହଜାର ସର୍ବନିମ୍ନ ବେତନ ପାଇବାକୁ ଥିବା କର୍ମଚାରୀମାନେ ଆନ୍ଦୋଳନର ଧମକ ଦେବାରୁ ଏଥିରେ ନିଶ୍ଚୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ପୂର୍ବ କମିଶନଗୁଡିକର ସୁପାରିଶ ତୁଳନାରେ ଉକ୍ତ କମିଶନର ସୁପାରିଶକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଇ ପାରିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମଧ୍ୟ ବର୍ଦ୍ଧିତ ହାରରେ ଦରମା ପାଇବେ। କାରଣ ଏମାନେ ସମସ୍ତେ ସଂଗଠିତ ଶକ୍ତି। ପୁଣି ଏମାନେ ହେଉଛନ୍ତି ଖୋଦ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର କାନ, ନାକ, ମୁଣ୍ଡ, ହାତ, ହୃଦୟ ସବୁକିଛି। ଏମାନେ ସଂପୂର୍ଣ୍ଣ ଖୁସ୍‌ ନ ରହିଲେ ସରକାରମାନଙ୍କର ବିକାଶ ନାମରେ ଚାଲିଥିବା ବିଭେଦତା ଓ ବର୍ବରତାକୁ ପୃଷ୍ଠପୋଷକତା ମିଳିବ ବା କିପରି?   ଏବେବି ସାରାଦେଶର ୫୦ ଭାଗରୁ ଅଧିକ ପରିବାର ଓ ଆମ ରାଜ୍ୟ ଓଡ଼ିଶାରେ ୭୦ ପ୍ରତିଶତରୁ ଅଧିକ ପରିବାର କେବଳ ବଂଚିଯିବା ପାଇଁ ସଂଗ୍ରାମ ଜାରୀ ରଖିଛନ୍ତି। ଭିନ୍ନ ଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରୀବ ପ୍ରଭୃତି ବହୁଧା ବିଭକ୍ତ ସମାଜରେ ନିଜର ଭାଗ୍ୟକୁ ଆଦରି ବଂଚିଯିବା ପାଇଁ ଆମକୁ ବହୁ ପୂର୍ବରୁ ଶିଖାଇ ଦିଆଯାଇଛି ଓ ଆମେ ତାକୁ ପାଥେୟ କରି କେବଳ ବଂଚି ଚାଲିଛୁ। କାଁ ଭାଁ କେଉଁଠି ଏହି ଚକ୍ରବ୍ୟୁହରୁ ବାହାରି ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉଠାଇଲେ ଓ ଶୋଇପଡିଥିବା ଜନତାଙ୍କୁ ଉଠାଇବାର ଚେଷ୍ଟା କରାଗଲେ ସରକାରଙ୍କ ପୋଲିସ ବାହିନୀ ତାକୁ ଚପାଇ ଦେବାରେ ବେଶ ସକ୍ଷମ। ଗଣତନ୍ତ୍ର ନାଁରେ ଶାସନ ଚାଲିଥିବା ଭାରତ ବର୍ଷର ‘ଗଣ’ ଅପେକ୍ଷା ‘ନେତା ଓ ପ୍ରଶାସକ’ ମାନେ ଅଧିକ ଶକ୍ତିଶାଳୀ। ଗଣଙ୍କ ପାଖରୁ ଭୋଟ ନେଇସାରିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଗଣଙ୍କୁ ଶିକ୍ଷିତ, ସଚେତନ, ସଶକ୍ତ ଓ ସମୃଦ୍ଧ କରିବା ପରିବର୍ତ୍ତେ ସେମାନଙ୍କ ଦକ୍ଷତା ବୃଦ୍ଧି ନାଁରେ ଦୁର୍ବଳ କରି ରଖାଯାଏ। ଅର୍ଥନୈତିକ ବିକାଶ ନାଁରେ ୧ ଟଙ୍କିଆ ଚାଉଳ, ୫ ଟଙ୍କିଆ ଆହାର, ଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ଲାପଟପ, ଚାଷୀଙ୍କୁ ମୋବାଇଲ, ବିବାହଯୋଗ୍ୟା ଝିଅଙ୍କୁ ମଙ୍ଗଳସୂତ୍ର ଯୋଜନା ଭଳି ଅସଂଖ୍ୟ ‘ଦୟାଦାନ’ ର ଯୋଜନା ଭିତରେ ଏକ ରକମ ଫସାଇ ରଖାଯାଏ। ଯେପରିକି ଏହି ଗାତରୁ ମଣିଷରୂପୀ କଙ୍କଡା ସବୁ ବାହାରି ଉପରକୁ ଯାଇ ନପାରିବେ।   ସପ୍ତମ ବେତନ କମିଶନର ସିଧାସଳଖ ପ୍ରଭାବ ସମଗ୍ର ଦେଶରେ ଚାଲି ଆସୁଥିବା ବିଭେଦତା ଓ ଅସମାନତାର ଭି ିଭୂମିକୁ ଆହୁରି ମଜବୁତ କରିବ। ଲୋକଙ୍କ ମଧ୍ୟରେ ଅର୍ଥନୈତିକ ବୈଷମ୍ୟକୁ ଆହୁରି ବଢେଇବ। ରେଳଗାଡି ଭିତରେ ଥିବା ସାଧାରଣ ବଗି, ସାଧାରଣ ସଂରକ୍ଷିତ ବଗି ଓ ଭିନ୍ନ ଭିନ୍ନ ପ୍ରକାରର ଶୀତତାପ ନିୟନ୍ତ୍ରିତ ବଗି ଭଳି ଏ ଦେଶର ଜନତାଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ଏପରି ଭାଗ ଭାଗ କରି ରଖାଯାଇଛି, ଯେପରିକି ଅତି ଗରୀବ ଲୋକଟିକୁ ହଠାତ ଶୀତତାପ ନିୟନ୍ତ୍ରିତ ବଗି ଭିତରେ ବସାଇ ଦେଇ ଆସିଲେ ସେହି ବଗିରେ ଥିବା ବାବୁମାନେ ତ ଏ ମଳିମୁଣ୍ଡିଆ ଲୋକଟିକୁ ନିଶ୍ଚୟ ଘଉଡାଇ ଦେବେ, କିନ୍ତୁ ସେମାନେ ଘଉଡାଇ ଦେବା ପୂର୍ବରୁ ଏହି ଗରିବ ଲୋକଟି ସେଠୁ ଛାଟିପିଟି ହୋଇ ପୁଣି ତା’ର ସେହି ଖୁନ୍ଦାଖୁନ୍ଦି ହୋଇ ଥୁଆ ଯାଇଥିବା ମଣିଷରୂପୀ ବସ୍ତାଗୁଡିକର ବଗିକୁ ପଳାଇ ଆସିବ।   ଏହି ମାନସିକତାକୁ ବଢାଇ ଚାଲିଛନ୍ତି ଏହି ସରକାରମାନେ। ମଣିଷ ମଣିଷ ଭିତରେ ଆକାଶ ପାତାଳ ବ୍ୟବଧାନ ତିଆରି କରିଛନ୍ତି। ଜଣେ ସାଧାରଣ ମଣିଷ ପାଖରେ ଓଳିଏ ଖାଇବା ପାଇଁ ଖାଦ୍ୟ ନଥିବା ବେଳେ ବଜାର ସର୍ବସ୍ୱ ବ୍ୟବସ୍ଥାର ଶିଖର ଉପରେ ବସିଥିବା ଏମିତି ଧନୀବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଖରେ ଅଚଳାଚଳ ସଂପତ୍ତିର ଭଣ୍ଡାର ରହିଛି। ଏହିଭଳି ଅମାନବୀୟ ଧନୀ ଗରିବ ତାରତମ୍ୟକୁ ପ୍ରୋତ୍ସାହନ ଦେଉଥିବା ସରକାରମାନେ ମାନବିକ ଅଧିକାର ଆଇନକୁ କେଉଁଭଳି ରୂପେ କାର୍ଯ୍ୟକାରୀ କରିପାରିବେ, ତାହା ଆମ ସମସ୍ତଙ୍କ ଆଗରେ ଆଜି ପ୍ରଶ୍ନବାଚୀ। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବସ୍ତୁ ବସ୍ତୁ ମଧ୍ୟରେ ପ୍ରକୃତି ଗତ ବ୍ୟବଧାନ ରହିବ ନିଶ୍ଚୟ। ପ୍ରକୃତି ଦ ବ୍ୟବଧାନ ଆମ ପାଞ୍ଚ ଆଙ୍ଗୁଠି ଭଳି। ପାଞ୍ଚ ଆଙ୍ଗୁଠିରେ ଥିବା ଅସମାନତା ମଧ୍ୟରେ ଏକ ପରିପୂରକ ସ୍ଥିତାବସ୍ଥା ନିହିତ। ବିବିଧତା ମଧ୍ୟରେ ସମନ୍ୱୟତା ହେଉଛି ପ୍ରକୃତିର ସୌନ୍ଦର୍ଯ୍ୟତା। କିନ୍ତୁ ଶୋଷଣଯୁକ୍ତ ବ୍ୟବସ୍ଥାକୁ ପୃଷ୍ଠପୋଷକତା ଦେଉଥିବା ବ୍ୟକ୍ତିଟି ମଣିଷ ପରିବର୍ତ୍ତେ ଶୋଷକ ପାଲଟିଯାଏ। ଗଣତନ୍ତ୍ର ଶାସନ ବ୍ୟବସ୍ଥା ଏଠି ଶୋଷଣତନ୍ତ୍ର ଶାସନ ବ୍ୟବସ୍ଥାର ରୂପ ନିଏ। ତେଣୁ ଲୋକଘାତୀ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ଆଜି ଅବଶ୍ୟମ୍ଭାବୀ ହୋଇପଡିଛି। ମଣିଷଟି ଆଜି ଯେଉଁ ଜ୍ଞାନ ଓ ପ୍ରଜ୍ଞାର ଖୋଜରେ ବାହାରିଛି, ତତ୍ତ୍ବ ଓ ତଥ୍ୟ ଆଧାରରେ ବଂଚିବାକୁ ଚେଷ୍ଟା କରୁଛି ତାହା କେବଳ ସମ୍ଭବ ହେବ ଯଦି ସମଗ୍ର ବ୍ୟବସ୍ଥା ସତ୍ୟ ଓ ଶାନ୍ତିର ଭିତ୍ତିଭୂମି ଉପରେ ଠିଆହେବ।   ତେଣୁ ସମତାପୂର୍ଣ୍ଣ ସମାଜ ନିର୍ମାଣ ଦିଗରେ କାର୍ଯ୍ୟରତ ବ୍ୟକ୍ତିମାନେ ସପ୍ତମ ବେତନ କମିଶନର ବୈଷମମୂଳକ ସୁପାରିଶ କଥା ଶୁଣି ବିଚଳିତ ନୁହଁନ୍ତି। କାରଣ ବିଭ୍ରାନ୍ତି, ବୈଷମ୍ୟ ଓ ବିଭେଦର ମୁଳଦୂଆ ଉପରେ ଠିଆ ହୋଇଥିବା ବ୍ୟବସ୍ଥା କଦାପି ସତ୍ୟ, ସାମ୍ୟ, ଶାନ୍ତି ଓ ସମୃଦ୍ଧିର କାମ କରିପାରିବ ନାହିଁ। ତେଣୁ ସାଧାରଣ ଜନତାକୁ ଆଜି ସଚେତନ ହେବାକୁ ହିଁ ପଡିବ। ସଂଗଠିତ ଶ୍ରମିକ ଗୋଷ୍ଠୀ ଅର୍ଥାତ ସମସ୍ତ ସରକାରୀ କର୍ମଚାରୀ ଅଧିକ ବେତନ ପାଆନ୍ତୁ ଓ ସେମାନଙ୍କର ଉନ୍ନତି ହେଉ। କିନ୍ତୁ ସେମାନେ ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବାପାଇଁ ସାଧାରଣ ଜନତାଙ୍କ ଦ୍ୱାରା ପ୍ରଦତ୍ତ ଟିକସ ଲବ୍ଧ ଅର୍ଥକୁ ଯେ ବେତନ ଆକାରରେ ନେଉଛନ୍ତି, ଏକଥା ଭୁଲି ନଯିବା ଦରକାର।   ଉତ୍ତର ଦାୟିତ୍ୱକୁ ଭୁଲି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଓ ବ୍ୟବସ୍ଥାକୁ ଠିକ ରାସ୍ତାରେ ନେଇପାରିବାର କ୍ଷମତା ସାଧାରଣ ଜନତା ହାସଲ କରିବା ଦରକାର। ଚାଷୀ, ଅସଂଗଠିତ ଶ୍ରମିକ, ମହିଳା, ବେକାର ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ସରକାରଙ୍କ ବିଭାଗ ବାହାରେ କାମ କରୁଥିବା କୋଟିକୋଟି ଜନତା ସ୍ୱାଭିମାନ, ସ୍ୱାବଲମ୍ୱନ ଓ ସମୃଦ୍ଧିର ସହ ବଂଚି ଶିଖିବାର ପ୍ରକ୍ରିୟାକୁ ଗତିଶୀଳ କରାଇବାକୁ ପଡିବ। ଏହି କାମ ଗାଁରୁ, ପଂଚାୟତରୁ ଆରମ୍ଭ ହେଉ। ଆଉ ୬ ମାସ ପରେ ଓଡ଼ିଶାରେ ପଂଚାୟତ ନିବାର୍ଚନ ହେବ। ନିର୍ବାଚନରେ ଭଲ ଲୋକଙ୍କୁ ପ୍ରାର୍ଥୀ କରାଇବାକୁ ପଡିବ। ମଦ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଗ୍ରହଣ ନକରି ଭଲ ଲୋକଙ୍କୁ ଭୋଟ ଦେବା ଓ ଗାଁରେ କେହି ଯେପରି ମଦ ଓ ଟଙ୍କା ବାଣ୍ଟି ନପାରିବେ ସେଥିପାଇଁ ସଜାଗ ପ୍ରହରୀର ଭୂମିକା ନେଇ ପାରିଲେ ଆମେ ସମତାପୂର୍ଣ୍ଣ ସମାଜ ନିର୍ମାଣର ପ୍ରଥମ ପାହାଚ ଚଢିପାରିବା। ଆସନ୍ତୁ ସକରାତ୍ମକ ଦୃଷ୍ଟିକୋଣ ନେଇ ଏକ ସମତାପୂର୍ଣ୍ଣ, ଦୁନୀର୍ତିମୁକ୍ତ, ନିଶା ମୁକ୍ତ ତଥା ସମୃଦ୍ଧ ସମାଜ ଗଢିବାର ପ୍ରକ୍ରିୟା ଆରମ୍ଭ କରିବା। ଯେଉଁ ସମାଜରେ ସପ୍ତମ ବେତନ କମିଶନ ସୁପାରିଶ ଭଳି ବୈଷମ୍ୟ ନଥିବ। ଥିବ ସ୍ୱାଭିମାନୀ, ସ୍ୱାବଲମ୍ୱନଶୀଳ, ସ୍ୱାଧୀନଚେତା ଜନ ସାଧାରଣଙ୍କ ଦ୍ୱାରା ଏକ ସମତାପୂର୍ଣ୍ଣ ସମାଜ ବ୍ୟବସ୍ଥା। ଏଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ।   ୩୪, ଲକ୍ଷ୍ମୀବିହାର, ସୈନିକ ସ୍କୁଲ, ଭୁବନେଶ୍ୱର-୫, ମୋ: ୯୪୩୭୬୩୦୧୨୪

Share :