ପର୍ଯ୍ୟଟକ ଗାଡ଼ି ରଖିବେ କେଉଁଠି?

ପର୍ଯ୍ୟଟକ ଗାଡ଼ି ରଖିବେ କେଉଁଠି?

Share :

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିବା ପାଇଁ ପ୍ରତ୍ୟହ ଦେଶ ବିଦେଶର ହଜାର ହଜାର ପର୍ଯ୍ୟଟକ ଛୋଟ ବଡ ଗାଡ଼ିରେ ଏଠାକୁ ଆସିଥାନ୍ତି। ଏଠାରେ ପାର୍କିଂ ସ୍ଥଳ ନ ଥିବାରୁ ପର୍ଯ୍ୟଟକମାନେ ରାଜରାସ୍ତା କଡରେ ଗାଡ଼ି ରଖି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥାନ୍ତି। ରାସ୍ତା କଡରେ ଗାଡ଼ି ପାର୍କିଂ କରାଯାଉ ଥିବାରୁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି।   କୋଣାର୍କକୁ ସଂଯୋଗ କରୁଥିବା ଭୁବନେଶ୍ୱର, ପୁୁରୀ ଓ କାକଟପୁର ରାସ୍ତା ଟ୍ରାଫିକ ସମସ୍ୟକୁ ନେଇ ଏବେ ମରଣ ଯନ୍ତାରେ ପରିଣତ ହୋଇଛି। କୋଣାର୍କରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାର ଥାନା ଛକଠାରୁ ଜୁଣେଇଁ ବଜାର ମଧ୍ୟରେ ରହିଛି ଶୋଭନୀୟ ଶିକ୍ଷାଶ୍ରମ, ଭଗବତୀ ମହାବିଦ୍ୟାଳୟ, ଦାମୋଦର ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ରନ୍ଧନ ଗ୍ୟାସ ବିତରକଙ୍କ କାଉଣ୍ଟର, ଭାରତୀୟ ଷ୍ଟେଟ ବ୍ୟାଙ୍କ, କାନରା ବ୍ୟାଙ୍କ, ଆଶ୍ରମ ସ୍କୁଲ ସମେତ ଏକାଧିକ ସରକାରୀ କାର୍ଯ୍ୟାଳୟ। ରନ୍ଧନ ଗ୍ୟାସ ବିତରକଙ୍କ କାଉଣ୍ଟର, ଭାରତୀୟ ଷ୍ଟେଟ ବ୍ୟାଙ୍କ, କାନରା ବ୍ୟାଙ୍କ ସମ୍ମୁଖରେ ଲୋକେ ମୁଖ୍ୟ ରାସ୍ତା ଉପରେ ଗାଡ଼ି ରଖି ରାସ୍ତାକୁ ଅବରୋଧ କରି ପକାଉଥିବାର ଯାତାୟତରେ ଘୋର ଅନ୍ତରାୟ ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ଥାନାଛକଠାରୁ ମାଧିପୁର ଛକ ପର୍ଯ୍ୟନ୍ତ ରାସ୍ତାର ଏକ ତୃତୀୟାଂଶ ବାଲି ଚରି ଯାଇଥିବାରୁ ଦୁଇଚକିଆ ଯାନ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି କରୁଛି।   ଭାରତୀୟ ପ୍ରତ୍ୱତ୍ତାତିକ ସର୍ବେକ୍ଷଣ ସଂସ୍ତା (ଏଏସଆଇ)ର ନିୟମାନୁଯାୟୀ ସୂର୍ଯ୍ୟମନ୍ଦିରର ନିଷିଦ୍ଧାଞ୍ଚଳରେ କୌଣସି ଗାଡି ପାର୍କିଂ କରିପାରିବ ନାହିଁ। ଏହାକୁ ପୁଲିସ ବେଖାତିର କରି ଗାଡିବାଲାଙ୍କଠାରୁ ହାତଗୁଞ୍ଜା ନେଇ ନିଷିଦ୍ଧାଞ୍ଚଳରେ ଗାଡି ପାର୍କିଂ କରିବାକୁ ଅନୁମତି ଦେଉଛି। ଏତଦ ବ୍ୟତିତ କୋଣାର୍କ ବଜାରର ସବୁ ରାସ୍ତାରେ ମାଳ ମାଳ ବୁଲା ଗୋରୁଗାଈ ରାସ୍ତା ଅବରୋଧ କରି ରଖୁଛନ୍ତି। କୋଣାର୍କ ଏନଏସିର କୌଣସି ପାର୍କିଂସ୍ଥଳ ନ ଥିବା ବେଳେ ପାର୍କିଂ ଫି ଆଦାୟ ପାଇଁ ନିଲାମଧାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ପାର୍କିଂ ଫି ଆଦାୟ କରିବା ନିମନ୍ତେ ଅନୁମତି ଦେଇ ଥାଏ। ଫଳରେ ନିଲାମଧାରୀ ଯୋଉଠି ପାର ସେଠି ପାର୍କିଂ ବୋଡ଼ ଲଗାଇ ଫି ଆଦାୟ କରୁଛନ୍ତି। କୋଣାର୍କ ଏନଏସି ପ୍ରତ୍ୟକ ବର୍ଷ ପାର୍କିଂ ଫି ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆଦୟ କରୁଛି।

Share :