ଡେଙ୍ଗୁ ନିରୋଧ ପାଇଁ ସଫେଇ ଜରୁରୀ

ଡେଙ୍ଗୁ ନିରୋଧ ପାଇଁ ସଫେଇ ଜରୁରୀ

Share :

ରାଜ୍ୟର କେତେକ ଜିଲ୍ଲାରେ ଦେଖା ଦେଇଥିବା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜୁଲାଇ ୧୫ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗୃହ ଓ ନଗରଉନ୍ନୟନ ବିଭାଗର ଏକତ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟର କେତେକ ସ୍ଥାନରେ ଦେଖାଦେଇଥିବା ଡେଙ୍ଗୁ ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।   ଜୁଲାଇ ୧୪ ସୁଦ୍ଧା ମୋଟ ୭୯୭ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ୩୫୩୨ ଜଣଙ୍କ ରକ୍ତ ନମୂନା ପରୀକ୍ଷାରୁ ଏହା ଜଣାପଡିଛି। ତେବେ ଜୁଲାଇ ୧୪ରେ ପରୀକ୍ଷା କରାଯାଇଥିବା ୫୧୬ ଜଣଙ୍କ ରକ୍ତ ପରୀକ୍ଷାରୁ ୧୪୩ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ଏଥିରେ କେନ୍ଦୁଝର ଜିଲ୍ଲାରେ ୧୧୩ ଜଣ, କଟକରେ ୧୯, ଭଦ୍ରଖରେ ୫ ଜଣ ଚିହ୍ନଟ ହୋଇଛନ୍ତି। ଜୁଲାଇ ୧୫ ସୁଦ୍ଧା ୧୩୦ ଜଣ କଟକ ଏସ‌୍‍.ସି.ବି ମେଡିକାଲ କଲେଜ ଓ ହସପିଟାଲ ସମେତ କ୍ୟାପିଟାଲ ହସପିଟାଲ, କେନ୍ଦୁଝର ଓ ବଡବିଲ ଆଦି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।   ସାଧାରଣତଃ ଏହି ବର୍ଷାଦିନରେ ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହିବା, ମଟର ଟାୟାର, ପ୍ଲାଷ୍ଟିକ ଡବା ଓ ଖୋଳ, କଟାଯାଇଥିବା ପଇଡ ଆଦିରେ ପାଣି ଜମିରହି ମଶା ବଂଶ ବୃଦ୍ଧି କରୁଥିବାରୁ ଏବଂ ସେହି ମଶାମାନେ ଦିନରେ କାମୁଡିବା ଯୋଗୁଁ ଡେଙ୍ଗୁ ହେଉଛି। ସେଥିପାଇଁ ଡେଙ୍ଗୁ ପ୍ରଭାବିତ ସହରାଂଚଳ ସମେତ ସବୁ ସହରାଂଚଳରେ ବ୍ୟାପକ ସଫେଇ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି। ଏଥି ପାଇଁ ଏନ‌୍‍.ସି.ସି କ୍ୟାଡେଟ, ଏନ‌୍‍.ଏସ‌୍‍.ଏସ‌୍‍, ନେହରୁ ଯୁବକେନ୍ଦ୍ର ଏବଂ ସ୍ଥାନୀୟ ଯୁବକ ସଂଘ ଆଦିର େସ୍ୱଚ୍ଛାସେବୀଙ୍କୁ ସାମିଲ କରି ଜିଲ୍ଲା ପ୍ରଶାସନ ସହଯୋଗରେ ବ୍ୟାପକ ସଫେଇ ଏବଂ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ନିଷ୍ପତି ହୋଇଛି।   ନଗରଉନ୍ନୟନ ବିଭାଗ ତରଫରୁ ମଶା ନିପାତ ନିମନ୍ତେ ମଶା ଲାର୍ଭା ନଷ୍ଟ କରିବା ପାଇଁ ସବୁ ପୌରାଂଚଳରେ ହସ୍ତଚାଳିତ ସ୍ପ୍ରେ-ମେସିନ ଉପଲବ୍ଧ କରାଯାଇ ନିୟମିତ ଭାବେ ବ୍ୟବହାର କରାଯିବ। ଡେଙ୍ଗୁ ଦେଖାଦେଇଥିବା ସହରାଂଚଳରେ ହସ୍ତଚାଳିତ ଫଗିଂ ମେସିନ ବ୍ୟବହାର କରାଯିବ। ଏନ‌୍‍.ଏ.ସି ଏବଂ ବିଜ୍ଞପିତ ଅଂଚଳ ପରିଷଦ ସେମାନଙ୍କର ଲାର୍ଭାସିଡାଲ ଆବଶ୍ୟକତା ସଂପର୍କରେ ସଂପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଜଣାଇବେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ତୁରନ୍ତ ତାହାର ବ୍ୟବସ୍ଥା କରିବେ। ଡେଙ୍ଗୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ପରିସ୍ଥିତିର ମୁକାବିଲା ଏବଂ ଡେଙ୍ଗୁ ନିୟନ୍ତ୍ରଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।   ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ଗୃହ ଓ ନଗର ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ଜି.ମାଥିଭାତନ‌୍‍ , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦ୍ଦେର୍ଶିକା ଶାଳିନୀ ପଣ୍ଡିତ , ସେଲ୍ଟର  ମିଶନ ( ଗ୍ରାମାଂଚଳ ଓ ସହରାଂଚଳ ) ନିଦ୍ଦେର୍ଶକ ଯାଦବ ସଚିନ‌୍‍ ରାମଚନ୍ଦ୍ର , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ସୁରଜିତ ଦାଶ ଏବଂ ଯୁଗ୍ମ ନିଦ୍ଦେର୍ଶକ (ଏନ‌୍‍.ଭି.ବି.ଡି.ସି.ପି) ଡାଃ ମଗନମୋହନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। (ପ୍ରଭାକର ସାହୁ)

Share :