ଜଣେ ଦାଦନର ଦୁଃଖ କଥା

ଜଣେ ଦାଦନର ଦୁଃଖ କଥା

Share :

ସ୍ନେହଲତା ମିଶ୍ର   କଳାହାଣ୍ଡି ଜିଲାର କଲମପୁର ଅଂଚଳ ଏବେ ଦାଦନ ଶ୍ରମିକର ଅଂଚଳ ଭାବେ ପରିଚିତ ହୋଇଯାଇଛି। ଯଦିଓ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ଏ ଅଂଚଳର ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିର ସ୍ରୋତ ପାଲଟିଥିଲେ ମଧ୍ୟ ଅଧିକ ଉପାର୍ଜନ ଆଶାରେ ଶ୍ରମିକ ଏବେ ଦାଦନ ଯାଉଛି। ରୀତିମତ ଦାଦନ ନିର୍ଯ୍ୟାତନା ବିବରଣୀ ଆସୁଥିଲେ ମଧ୍ୟ ପ୍ରଶାସନର ଅପାରଗତା କାରଣରୁ ସଚେତନା ସୃଷ୍ଟି ହୋଇ ପାରୁ ନାହଁି।   କଲମପୁର ଅଂଚଳରେ ଦାଦନ ଚାଲାଣ କମିବାର ନା ଧରୁନଥିବା ବେଳେ, ଦାଦନ ଖଟିବାକୁ ଯାଇ ଦାଦନ କର୍ମକ୍ଷେତତ୍ରରେ ନିର୍ଯ୍ୟାତନା ଶିକାର ହେବା ସହ ମୃତ୍ୟୁ ମୁଖରେ ପଡିବା ଘଟଣା ନିତି ଦିନିଆ ଖବର ପାଲଟିଛି। କଲମପୁର ବ୍ଲକ ଗୁମାବାହାଲର ଜଣେ ଦାଦନ କର୍ମସ୍ତଳୀରେ ସାପ କାମୁଡାର ଶିକାର ହେଇ ମୃତ୍ୟୁ ବରଣ କରିବା ପରେ ପୋଟେସ ଗ୍ରାମର ଜଣେ ଦାଦନ ନିଖୋଜ ହେବା ଘଟଣା ନେଇ ଚର୍ଚ୍ଚା ଥମିନଥିବା ବେଳେ ପୁଣି ତେନ୍ତୁଳିଖୁଣ୍ଟି ଗ୍ରାମର ଜନୈକ ଶ୍ରମିକ ଦାଦନ ଖଟିବାକୁଯାଇ ଦୁର୍ଘଟଣାର ଶିକାର ହେଇ ଗୁରୁତର ଆହତ ଅବସ୍ଥାରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଦିନ ଘର ବାହୁଡା ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।   ସୂଚନା ଅନୁସାରେ ହାରାମାଲ ପଂଚାୟତ ଅଧୀନସ୍ଥ ତେନ୍ତୁଳିଖୁଣ୍ଟି ଗ୍ରାମର ଛବିଚନ୍ଦ୍ର ପଟେଲଙ୍କ ୩୨ ବର୍ଷିଆ ପୁଅ ସନ୍ତୋଷ ଦାଦନ ଖଟିବାକୁ ଗତ ଜୁନ ୧୦ ତାରିଖରେ ବାଙ୍ଗାଲୋର ଯାଇଥିଲା। ବିଭିନ୍ନ ଠିକା ସଂସ୍ଥାରେ ରଡ (ଛଡ) ବାନ୍ଧିବା କାର୍ଯ୍ୟରେ ନିୟୋଜିତ ହୋଇ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିଲା। ଜୁଲାଇ ୬ ତାରିଖରେ କୌଣସି କାର୍ଯ୍ୟରେ ନାଗାବାରା ରାସ୍ତାରେ ଯାଉଥିବା ବେଳେ ଏକ ବାଇକ ସହ ଧକ୍କା ହେବାରୁ ସନ୍ତୋଷ ଗୁରୁତର ଆହତ ହେଇଥିଲା। ତାକୁ ତୁରନ୍ତ ସ୍ଥାନୀୟ ବୋରିଙ୍ଗ ଏଣ୍ଡ ଲେଡି କର୍ଜନ ହସପିଟାଲ ଭର୍ତି କରାଯାଇ ଚିକିତ୍ସା କରାଯିବା ସହ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।   ମେରୁଦଣ୍ଡ ହାଡ ଭାଙ୍ଗି ଥିବା ହସପିଟାଲ ତରଫରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ତେବେ ତାର ଅସ୍ତ୍ରୋପଚାର ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସନ୍ତୋଷ କିଡନି ଚୋରି ରାକେଟର ଶିକାର ହେଇଥିବା ସାଧାରଣରେ ଆଲୋଚନା ହେଉଛି।   ଏହି ଘଟଣା ପୂର୍ବରୁ ଗତ ୨୦୧୩ ମସିହାରେ ମଧ୍ୟ ଏହି ଗ୍ରାମର ଜନୈକ ଦାଦନ ଲୋକନାଥ ପଟେଲ କିଛି ଦୁର୍ବୁତ୍ତଙ୍କ ଶିକାର ହେଇ କୋମାରେ ଫେରିଥିଲା। ଏବେ ଯଦିଓ ସେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ତଥାପି କାର୍ଯ୍ୟ କରିବାର କ୍ଷମତା ଫେରି ପାଇନାହଁି। ସନ୍ତୋଷର ଅଧିକ ଚିକିତ୍ସା କଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସି ପାରିବ ବୋଲି ସାଧାରଣରେ ଆଶାପ୍ରକାଶ କରାଯାଉଛି।   ସନ୍ତୋଷ ଏକ ବିପିଏଲ ପରିବାରର ମୁଖ୍ୟ। ସ୍ଥାନୀୟ ଅଂଚଳରେ କାମ ଧନ୍ଦାର ଅଭାବ ସହ ଅଧିକ ଉପାର୍ଜନ ଆଶାରେ ଘରେ ନିଜ ବିଧବା ମା’ ସମେତ ସ୍ତ୍ରୀ ଧନମତି ଓ ୪ ବର୍ଷର ନାବାଳିକା ଝିଅ ନିତୁକୁ ଛାଡି ଦାଦନ ଖଟିବା ପାଇଁ ଯାଇଥିଲା। କିନ୍ତୁ ସେ ଗୁରୁତର ଆହତ ହେଇ ଫେରିବା ପରେ ତାଙ୍କର ପରିବାର ଅସହାୟ ହୋଇଯାଇଛି। ରୋଜଗାରିଆ ପୁଅର ଏଭଳି ଦୁରବସ୍ଥା ଦେଖି ବିଧବା ମା’ ବାକଶୂନ୍ୟ ହୋଇପଡିଥିବା ବେଳେ ସ୍ତ୍ରୀ ଧନମତୀ ଉପରେ ସତେ ଯେମିତି ଆକାଶ ଛିଡି ପଡିଛି।   କଲମପୁର ଅଂଚଳରେ ଦିନକୁ ଦିନ ଦାଦନ ଚାଲାଣ ବୃଦ୍ଧି ପାଉଥିବା ବେଳେ ଦାଦନର ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି। ସରକାର ଦାଦନ ଚାଲାଣ ରୋକିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଥିବା ଘୋଷଣା କରୁଥିଲେ ମଧ୍ୟ ଦାଦନ ଚାଲାଣ କମିବା ବଦଳରେ ବୃଦ୍ଧି ପାଉଥିବାରୁ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହ ଗ୍ରାମାଂଚଳ ଲୋକଙ୍କ ମଧ୍ୟରେ ସରକାରୀ ଯୋଜନା ସବୁ ଅପହଂଚ ରହିବା ଦାଦନ ଚାଲାଣର ଅନ୍ୟ ଏକ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଅଂଚଳରେ ତୁରନ୍ତ ଶ୍ରମଭିତ୍ତିକ କାର୍ଯ ଉପରେ ପ୍ରଶାସନ ଗୁରୁତ୍ୱ ଦେଲେ ଦାଦନ ସମସ୍ୟାର ସମାଧାନ ହେଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।   ସନ୍ତୋଷ ପରିବାରର ଏଭଳି ଦୁଃସ୍ତିତି ସମୟରେ ସରକାରୀ ସହାୟତା ଯୋଗାଇ ଦେବା ସହିତ ମାଗଣାରେ ସନ୍ତୋଷର ଉଚ୍ଚସ୍ତରୀୟ ଚିକିତ୍ସା ସୁବିଧା କରିବାକୁ ପାଖପଡ଼ୋଶୀ ଦାବି କରିଛନ୍ତି। ଏନେଇ ଜିଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ସହ ଯୋଗାଯୋଗ କରାଯାଇଥିଲା। ଦାଦନ ଶ୍ରମିକର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ଚିକତ୍ସା ପାଣ୍ଠିରୁ ଅନୁଦାନ ଯୋଗାଇ ଦେବା ପାଇଁ ପରିବାର ତରଫରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଆବେଦନ କଲେ ସହାୟତା ମିଳି ପାରିବ ବୋଲି ସେ ସୂଚନା ଦେଇଥିଲେ।

Share :