କୋଣାର୍କରେ ବାହୁଡ଼ା ଓ ସୁନାବେଶ

କୋଣାର୍କରେ ବାହୁଡ଼ା ଓ ସୁନାବେଶ

Share :

  କୋଣାର୍କରେ ପବିତ୍ର ବାହୁଡ଼ା ଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହିତ  ସମ୍ପନ୍ନ ହୋଇଯାଇଛି। ଦୀର୍ଘ ୯ ଦିନ ଧରି ମାଉସୀମା’ଙ୍କ ହାତପରସା ଖାଇବା ପରେ ଗୁରୁବାର ପବିତ୍ର ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଜନ୍ମବେଦିରେ ଲୀଳାଖେଳା ଶେଷ କରି ଫରିଛନ୍ତି  କୋଟିବ୍ରହ୍ମାଣ୍ଡର ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ମନ୍ଦିରକୁ।   ରାଉଳପାଟଣାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀଜିଉମାନଙ୍କୁ ପାରମ୍ପାରିକ ରୀତି ନୀତିରେ ପୂଜା ଅର୍ଚ୍ଚନା କରାଯିବା ପରେ ରଥାରୂଢ଼ କରାଯାଇ ଥିଲା। ଏହା ପରେ ରାଜାରାମ ମଠର ମଠାଧୀଶ ଅମରେଶ୍ୱର ଦାସ ମାହାରାଜ ଛେରାପହଁରା କରିଥିଲେ। ସମସ୍ତ ରୀତି ନୀତି ଓ ବିଧିବିଧାନ ସମାପନ ପରେ ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରଙ୍କ  ରଥକୁ ଶ୍ରଦ୍ଧାଳୁମାନେ ଘଣ୍ଟ, ଘଣ୍ଟା, ମର୍ଦଳ, ହରିବୋଳ ଓ ହୁଳହୁଳି ମଧ୍ୟରେ  ଟାଣି ଆଣିଥିଲେ କୋଣାର୍କ ରାଜାରମ ମଠସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ।   ହଜାର ହଜାର  ଶ୍ରଦ୍ଧାଳୁ ରାସ୍ତାର ଉଭୟ ପାର୍ଶ୍ବରେ ରହି ଶ୍ରୀଜିଉମାନଙ୍କୁ ଦର୍ଶନକରି କୃତାର୍ଥ ହୋଇଥିଲେ।   ସୁନା ବେଶ   ଶୁକ୍ରବାର ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ  ତିଥିରେ ଶ୍ରୀଜିଉମାନଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ଭଳଭଦ୍ର ଓ ଭଉଣୀ ମାତା ସୁଭଦ୍ରାଙ୍କୁ ବିଭିନ୍ନ ପ୍ରକାର ଅଳଙ୍କାରରେ ସେବକମାନଙ୍କ ଦ୍ୱାରା ସୁସଜ୍ଜିତ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଗୁଳୁଗୁଳିକୁ ଖାତିର ନ କରି ହଜାର ହଜାର ସଂଖ୍ୟାରେ ଏହି ସୁନାବେଶ ଦେଖିବା ପାଇଁ ରାଜାରାମ ମଠ ପରିସରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସମବେତ ହୋଇଥିଲେ। ଏହି ଅବସରରେ ଶ୍ରୀଜିଉଙ୍କ ସମ୍ମୁଖରେ ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା। କୋଣାର୍କ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ସୂର୍ଯ୍ୟନାରାୟଣ ସାହୁ ଓ ପରିଚାଳକ ନିରଞ୍ଜନ ବାରିକ, ନଟବର ମହାରଣା ଓ ବାଦଲ ଦାଶଙ୍କ ସମେତ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଶ୍ରୀଜିୟୁମାନଙ୍କର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

Share :