ପ୍ରକୃତିର କୋପ ବଢ଼ୁଛି

ପ୍ରକୃତିର କୋପ ବଢ଼ୁଛି

Share :

ରାମଚନ୍ଦ୍ର ପଣ୍ଡା ପୂର୍ବତନ ଉପବାଚସ୍ପତି (ଓଡିଶା ବିଧାନସଭା )     ସୃଷ୍ଟି ଇଶ୍ବରଙ୍କ ଅପୂର୍ବ କଳ୍ପନା । ପ୍ରକୃତି ହିଁ ଇଶ୍ବର ଯେ କି ସଜାଡିଛନ୍ତି ଏ ମହିମଣ୍ଡଳକୁ ପ୍ରାଣୀଜଗରତର ମଙ୍ଗଳପାଇଁ। ମଣିଷ ନିଜକୁ ଯେତେ ଅଧିକ ଆଧୁନିକ ଓ ସଭ୍ୟ ଦାବି କରୁନା କାହିଁକି ତାଗ୍ଦର ସମସ୍ତ ଜ୍ଞାନକୌଶଳର ସୃଷ୍ଟିର ବିକାଶ ପାଇଁ ନହୋଇ ବିନାଶ ଦିଗରେ ପ୍ରୟୋଗ କରିଚାଲିଛି। ସେ ଭୁଲିଯାଉଛି ଯେ, ସଭ୍ୟତା ଓ ଜାତି ତା’ ଭିତରେ ଦୈବୀପ୍ରଦତ୍ତ ଏକ ଅନ୍ତର୍ନିହିତ ଶକ୍ତି ମାତ୍ର। ଏଭଳି ଅନ୍ତର୍ନିହିତ ଶକ୍ତି ପ୍ରୟୋଗ କରି ଏକ ଜଳଚର ଜୀବ ଡଲଫିନ ଓ କଇଁଛମାନେ ନିଜ ଶିଶୁର ପରିପ୍ରକାଶ ଓ ସୁରକ୍ଷାପାଇଁ ଜଳରୁ ବାହାରିଆସି ସମୁଦ୍ର ତଟରେ ସାମୟିକ ଭାବେ ନିବାସ କରନ୍ତି। ଏଇସବୁ ସହଜାତ ମୂଲ୍ୟବୋଧକୁ ଦୈବୀ ପରାଭବ ବା ପ୍ରକୃତିରୂପେ ଗ୍ରହଣ କରାଯାଇପାରେ।   ଏବେ କ୍ରମବର୍ଦ୍ଧିଷ୍ଣୁ ମଣିଷକୃତ ପ୍ରକୃତି ବିରୋଧି କାର୍ଯ୍ୟ ପୃଥିବୀକୁ ଧ୍ବଂସ ଆଡକୁ ଦୃତଗତିରେ ଟାଣି ନେଉଛି। ମଣିଷ ତା’ର ସ୍ବାର୍ଥ ସାଧନ ପାଇଁ ଆକାଶ ବକ୍ଷକୁ ଛାଡିଚାଲିଛି ଗୋଟିଏ ପରେ ଗୋଟିଏ ବୋମା। ସେହି ଭଳି ଧରିତ୍ରୀମାତାର ବକ୍ଷକୁ ବିଦୀର୍ଣ୍ଣ କରି ଖାଲି ଖଣିଜ ପଦାର୍ଥ ବାହାର କରୁନି ମଣିଷ ବରଂ ଗୋଟିଏ ପରେ ଗୋଟିଏ ବୋମାର ପରୀକ୍ଷଣ କରୁଛି। ପରିବେଶ, ବାୟୁମଣ୍ଡଳରେ ଘଟୁଥିବା କ୍ଷତି ପୃଥିବୀର ଦୈବୀ ସୁରକ୍ଷିତ ସନ୍ତୁଳନକୁ ବାଧା ଦେଇ ଚାଲିଅଛି। ମଣିଷ ଯେତେ ଜ୍ଞାନୀ ହେଲେ ମଧ୍ୟ ସୃଷ୍ଟିର ପ୍ରତ୍ୟେକ ଦିଗ ଉପରେ ସଂପୂର୍ଣ୍ଣ ଜ୍ଞାନ ହାସଲ କରିବା ସମ୍ଭବ ହୋଇନି ତା ପକ୍ଷେ। ବହୁ ଗ୍ରହ ଉପଗ୍ରହଙ୍କ ସ୍ଥିତି ଓ ଅବସ୍ଥିତିର ପୃଷ୍ଠଭୂମି ନେଇ ଦିନକୁ ଦିନ ନୂଆ ନୂଆ ଅବିଷ୍କାର ସୃଷ୍ଟିର ଅଚଳନ୍ତି ଭଣ୍ଡାର ବିଷୟରେ ତଥ୍ୟ ହାସଲ କରିବା ଯେ ଅତ୍ୟନ୍ତ କଠିନ ଏହା ସୂଚିତ ହେଉଛି।   ମନୁଷ୍ୟ ବିଜ୍ଞାନଦ୍ବାରା ସୃଷ୍ଟିକୁ ଧ୍ବଂସ କରିବାର କ୍ଷମତା ହାସଲ କରିପାରେ କିନ୍ତୁ ପ୍ରକୃତିକୁ ନିୟନ୍ତ୍ରଣ କରିବାରେ ଯେ ସେ ସଂପୂର୍ଣ୍ଣ ବିଫଳ, ଏ ଦିଗରେ ତା’ର ଅସହାୟତା, ଘଟିଯାଉଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ପ୍ରମାଣ ମିଳେ। ଅତି ପ୍ରଗତିଶୀଳ ଆମେରିକାଠାରୁ ଆରମ୍ଭକରି ଯେକୌଣସି ଅନୁନ୍ନତ ରାଷ୍ଟ୍ର ପ୍ରକୃତିର ତାଣ୍ଡବଲୀଳା ଯଥା ଭୂକମ୍ପ, ବତ୍ୟା, ତୋଫାନ, ମରୁଡିରୁ ନିୟନ୍ତ୍ରଣ ପାଇବା ପାଇଁ ଯେ ଅସମର୍ଥ, ଓ ଏ କ୍ଷେତ୍ରରେ ବିଜ୍ଞାନର ଶକ୍ତି ଯେ ଅକାମି ହୋଇପଡୁଛି ଏହା ପ୍ରମାଣିତ ହୋଇସାରିଛି। ପଦାର୍ଥ ବିଜ୍ଞାନୀମାନେ ପୃଥିବୀର ପ୍ରତି ଅଣୁ/ପରମାଣୁର ଯେତେ ଜ୍ଞାନ ଅର୍ଜନ କରନ୍ତୁ ନା କାହିଁକି ପୃଥିବୀର ସ୍ଥିତି ନିୟୁତ ନିୟୁତ ବର୍ଷର ପାରିପାର୍ଶ୍ବିକ ଓ ପ୍ରାକୃତିକ ଆବର୍ତ୍ତମାନ ପରେ ଏକ ସନ୍ତୁଳିତ ସ୍ଥିତିରେ ବିଦ୍ୟମାନ ହେବାରେ ଇଶ୍ବରଙ୍କ ପରାକ୍ରମକୁ ସ୍ବୀକାର କରିବାକୁ ପଡିବ। ପ୍ରକୃତିଜଗତର ଅଧୂନା ସ୍ଥିତାବସ୍ଥା ଓ ଭାରସାମ୍ୟ ପ୍ରାଣୀଜଗତରେ ସୃଷ୍ଟିପାଇଁ ଚମତ୍କାର ଉପାଦାନ।   ପୃଥିବୀର ପ୍ରାକୃତିକ ସନ୍ତୁଳନ - ବିଭିନ୍ନ ଗ୍ରହ ଉପଗ୍ରହ ଭଳି ଦୃଶ୍ୟମାନ ବସ୍ତୁ ଶତକଡା ୪ ଭାଗ ହୋଇଥିବା ବେଳେ ୯୬ ଭାଗ ଅଦୃଶ୍ୟ ବସ୍ତୁ ସୃଷ୍ଟିର ବିଭିନ୍ନ ସ୍ତରରେ ଅବସ୍ଥିତ । ଏଭଳି ଅଦ୍ଭୁତ ସନ୍ତୁଳନ, ଗ୍ରହ-ନକ୍ଷତ୍ର ଓ ଜଳକୁ ଯେ ଯାଗ୍ଦ ସ୍ଥାନରେ ପ୍ରକୃତିଗତ ହେବାପାଇଁ ଆଧାର ଯୋଗାଇଛି। ଏହି ବିଶାଳ ଓ ଅଦୃଶ୍ୟ ସନ୍ତୁଳନକୁ କେନ୍ଦ୍ରକରି, ସୃଷ୍ଟି କେଉଁଠି ପାହାଡ ତ ଆଉ କେଉଁଠି ଜଳ, ଆଉ କେଉଁଠି ବୃକ୍ଷରାଶି ବହନ କରି ମାନବସମାଜର ବିକାଶରେ ନିଜକୁ ସମର୍ପି ଦେଇଅଛି। ସୃଷ୍ଟିର ଉପାଦାନ ଯଥା ପୃଥିବୀ, ଜଳ, ବାୟୁ, ଆକାଶ, ଅଗ୍ନି, ପ୍ରତ୍ୟେକ ପ୍ରାଣୀର ଜୀବନ ଧାରଣ ପାଇଁ ଉଦ୍ଦିଷ୍ଟ। ଏହିସବୁ ଜୈବ ଅବଦାନ, ଏକ ପ୍ରାକୃତିକ ସନ୍ତୁଳନ ଦ୍ବାରା ପରିପୃଷ୍ଟ। ଦୀର୍ଘଦିନର ପ୍ରାକୃତିକ ସନ୍ତୁଳନ, ଜୀବନ ଧାରଣ ପାଇଁ ବ୍ୟବହୃତ। ଲକ୍ଷ ଲକ୍ଷ ବର୍ଷ ଧରି କାଳର ମହା ଆବର୍ତ୍ତନ, ଘର୍ଷଣ, ଆକର୍ଷଣ ପରେ ପୃଥିବୀ, ତାର ବର୍ତ୍ତମାନ ସ୍ଥିତି/ସନ୍ତୁଳନ ଓ ଭାରସାମ୍ୟ ଲାଭ କରିଛି ଯାହାର ସ୍ଥିତାବସ୍ଥା ଏକ ନିକିତିର ସନ୍ତୁଳନ ଭଳି, ଯେପରି ସୋରିଷଟିଏ ଖସିଗଲେ ନିକିତି ସନ୍ତୁଳନ ହରାଇ ଏକପାଖିଆ ହୋଇଯାଏ।   ସୂର୍ଯ୍ୟ ଓ ଚନ୍ଦ୍ରର ବର୍ତ୍ତମାନ ସ୍ଥିତି ପ୍ରାଣୀଜଗତପାଇଁ ମଙ୍ଗଳଦାୟୀ। ଏହି ଦୁଇ ଗ୍ରହ ପୃଥିବୀର ବର୍ତ୍ତମାନ ଦୂରତାଠାରୁ ଆଉ ଟିକିଏ ନିକଟତର ହୋଇଥିଲେ ହୁଏତ ପ୍ରାଣୀଜଗତ ସ୍ଥିତି ଅସମ୍ଭବ ହୋଇଥାନ୍ତା ଓ ଚନ୍ଦ୍ରର ପ୍ରଭାବରେ ବର୍ତ୍ତମାନର ସ୍ଥଳଭାଗ ଜଳପୂର୍ଣ୍ଣ ରହିଥାନ୍ତା। ଲକ୍ଷ ଲକ୍ଷ ବର୍ଷର ଏଭଳି ଆବର୍ତ୍ତନ ଓ ସନ୍ତୁଳନକୁ ଅବଜ୍ଞାକରି ମଣିଷ ତାଗ୍ଦର କର୍ମଦ୍ବାରା ପ୍ରକୃତିପାଇଁ ବିପଦ ସୃଷ୍ଟିକରି, ପାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଚାଲିଅଛି। ଗୋଟାଏ ସୁତାତୁଲ୍ୟ ଅସନ୍ତୁଳନ ସମୁଦ୍ରର ସ୍ଥିତିକୁ ଏପଟ ସେପଟ କରିଦେଇପାରେ ଏହା ବୁଝିବା ଉଚିତ୍। ଏଭଳି ଦୈବୀ/ପ୍ରକୃତି ପ୍ରଦତ୍ତ ସନ୍ତୁଳନକୁ ଅଣଦେଖାକରି, ନିଜର ସାମୟିକ ଜୀବନର ଉପଭୋଗପାଇଁ ପ୍ରକୃତିର ସ୍ଥିତାବସ୍ଥା ଉପରେ ଅମାନୁଷିକ ଆକ୍ରମଣ କରିବାର ସୁଦୂରଗାମୀ କ୍ରିୟା ପ୍ରକୃତି ଓ ପରିବେଶଉପରେ ଉପଲବ୍ଧ। ଉଦାହରଣସ୍ବରୁପ, ସୃଷ୍ଟିର ଏହିସବୁ ଉପାଦାନରେ ଯଦି ସାମାନ୍ୟ ଭାରସାମ୍ୟରେ ବ୍ୟତିକ୍ରମ ଦେଖାଦିଏ ତେବେ ଧ୍ବଂସ ଅନିବାର୍ଯ୍ୟ।   ପ୍ରକୃତିର ଏହି ସନ୍ତୁଳନକୁ ଛାରଖାର କରିବା ଦିଗରେ ମାନବ ସମାଜ ଦିନରାତି ସକ୍ରିୟ। ଝରଣାରୁ ନଦୀ, କିନ୍ତୁ ଝରଣାର ଉତ୍ପତିସ୍ଥଳଗୁଡିକରେ ଅବିଚାରିତ ଖଣି ଖନନଦ୍ବାରା ଝର ଶୁଖିଯାଉଛି ଓ ସୀମିତ ହୋଇଯାଉଛି ଏବଂ ବହୁ ଚୀରସ୍ରୋତା ନଦୀ ଶୁଖି ଜଳସଙ୍କଟ ସୃଷ୍ଟିକରୁଛି। ଏହାଦ୍ବାରା ପ୍ରାକୃତିକ ଓ ସାମାଜିକ ସନ୍ତୁଳନ କ୍ଷୀପ୍ରଗତିରେ ହ୍ରାସହେବାରେ ଲାଗିଛି। ଖଣି ମାଫିଆ ଓ ଜଙ୍ଗଲ ପାଫିଆଙ୍କ ପ୍ରାଦୁର୍ଭାବରେ ଜଙ୍ଗଲ ପାହାଡ ନିଶ୍ଚିହ୍ନ। ଏହାଦ୍ବାରା ଭାରତର ଆଭ୍ୟନ୍ତରିଣ ଅଞ୍ଚଳ ଉତ୍ତପ୍ତ ଲୌହ ପିଣ୍ଡରେ ପରିଣତ ହୋଇ ଜନଜୀବନକୁ ଅସହ୍ୟ କରିପକାଇଛି। ତାପମାତ୍ରା ନାଗପୁର, ଟିଟିଲାଗଡ ଭଳି ଜାଗାରେ ୪୭ ଡିଗ୍ରୀରେ ପହଞ୍ଚିଯାଇଛି। ଆନ୍ଧ୍ରରେ ଗୁଣ୍ଟୁର ଜିଲ୍ଲାର କେତେକ ଗ୍ରାମରେ ତାପମାତ୍ରା ୫୨ ଡିଗ୍ରୀ ରେକର୍ଡ ହୋଇସାରିଲାଣି। ପଶୁପକ୍ଷୀଙ୍କ ଅବସ୍ଥା ତ କହିଲେ ନ ସରେ। ପଶୁ ପକ୍ଷୀ ଜଙ୍ଗଲ ଛାଡି ଜନବସତି ଆଡକୁ ଖାଦ୍ୟ ଓ ଜଳ ଅନ୍ବେଷଣରେ ଆସିଯାଉଛନ୍ତି ଯଦ୍ବାରା ମଣିଷ ଓ ପଶୁମାନଙ୍କମଧ୍ୟରେ ସଂଘର୍ଷ ଦେଖାଦେଇଛି।   ଆଦିମକାଳରେ ମଣିଷମାନେ ପ୍ରକୃତିକୁ ସମ୍ମାନ ଦେଉଥିଲେ। ପୃଥିବୀ, ଆକାଶ, ଜଳ ଓ ବାୟୁକୁ ପୂଜା କରୁଥିଲେ। ବିଭିନ୍ନ ଧର୍ମ ଓ ପନ୍ଥରେ ଏଭଳି ପ୍ରକୃତି ପୂଜା ବିଦ୍ୟମାନ ଥିଲା। ପ୍ରକୃତି ପ୍ରତି ଶ୍ରଦ୍ଧା ଓ ସମ୍ମାନ କମିଯିବା ଫଳରେ ବାୟୁ ଦୂଷିତ ହେଉଛି ଓ ଜଳ ସଙ୍କଟ ସୃଷ୍ଟି ହେଉଛି। ନଦୀର ଜଳ କେବଳ ମୋକ୍ଷ ପାଇଁ ନୁହେଁ, ଜୀବନ ମଧ୍ୟ। ଜଳର ସୁରକ୍ଷା ଓ ସଂରକ୍ଷଣ ଅନିବାର୍ଯ୍ୟ।   ଅଙ୍ଗାରକାମ୍ଳ ଉତ୍ତାପର ଅନ୍ୟତମ ଉପାଦାନ। ଏହାକୁ କମାଇବା ପାଇଁ ପରିବେଶର ଉନ୍ନତି ଅନିବାର୍ଯ୍ୟ। ପରିବେଶର ଉନ୍ନତି ପାଇଁ ବୃକ୍ଷରୋପଣ ଏକମାତ୍ର ପ୍ରତିକାର। ଶିବ ବିଷପାନ କଲାଭଳି, ବୃକ୍ଷ ଅଙ୍ଗାରକାମ୍ଳକୁ ଗ୍ରହଣ କରି ସମାଜକୁ ଅମ୍ଳଜାନ ଦେଇଥାଏ। ପୂର୍ବକାଳରେ ପରିପୂର୍ଣ୍ଣ ଜଙ୍ଗଲ ଓ ଗ୍ରାମ୍ୟତୋଟା ହିଁ ବାୟୁମଣ୍ଡଳକୁ ଶୀତଳ କରି ମେଘକୁ ଆକର୍ଷଣ କରୁଥିଲା। ୪ ଦଶନ୍ଧି ତଳେ ସପ୍ତାହ ସପ୍ତାହ ଧରି ବର୍ଷା ହେଉଥିଲା। ଦୁଇମାସ ସମୟ ବ୍ୟବଧାନରେ ଲଗାତାର ଭାବେ ବର୍ଷା ହୋଇ ନଦୀ ନାଳ ପୋଖରୀ ଜଳପୂର୍ଣ୍ଣ ହେଉଥିଲା। ଆଜି ଦୁଇମାସ କାହିଁକି ୨/୩ ଦିନ ମଧ୍ୟ ଲଗାତାର ବର୍ଷା ହେବା ବିରଳ। ଏହାଫଳରେ ଉତ୍ତାପର ଅଗ୍ନି ପୃଥିବୀପୃଷ୍ଠରେ ଧ୍ବଂସର ମହାତାଣ୍ଡବ ଆରମ୍ଭ କରିଛି।   ସବୁଜିମା ହେଉଛି ପୃଥିବୀ ବକ୍ଷରେ ଘୋଡଣୀ, ଏହି ଘୋଡଣୀକୁ ଧ୍ବସ୍ତବିଧ୍ବସ୍ତ କରିବାଦ୍ବାରା ଧରିତ୍ରୀର କୋପବୃଦ୍ଧି ପାଇବା ସ୍ବାଭାବିକ। ଏଣୁ ଯଥାର୍ଥରେ କୁହାଯାଇଛି ଔଷଧେ ତ୍ରାୟସ୍ବ (ୟଜୁର୍ବେଦ)। ଏହାର ସବୁଜିମାକୁ ପୁନଃସ୍ଥାପନା ନହେଲେ ଉତ୍ତପ୍ତ ପୃଥିବୀକୁ ପ୍ରକୃତିର ଦାଉରୁ ରକ୍ଷା ନାହିଁ। ଏହାର ଏକମାତ୍ର ପ୍ରତିକାର ବୃକ୍ଷରୋପଣ। ବିନା ବୃକ୍ଷରେ ଗୋଟିଏ ଇଞ୍ଚେ ଜମି ମଧ୍ୟ ଶୁନ୍ୟ ରହିବ ନାହିଁ- ଏହା ହିଁ ହେଉ ସଂକଳ୍ପ। ଦେଖିବେ ପୃଥିବୀ ପୁଣୀ ଥରେ ତାର ପୂର୍ବାବସ୍ଥା କୋମଳ, ଶୀତଳ ଓ ସବୁଜିମାଭରା ହୋଇ ପ୍ରାଣୀଜଗତ ପାଇଁ ନିଜର ମାତୃକୋଳରୁ ଶୀତଳତାର ଧାରା ଅଜାଡିଦେବ। ଏହି ଆସନ୍ନ ବିପଦରୁ ଜଗତକୁ ରକ୍ଷା କରିବାପାଇଁ ସରକାର, ସମାଜ ଦଳମତ ନିର୍ବିଶେଷରେ ବୃକ୍ଷରୋପଣ ଓ ଜଳସଞ୍ଚୟ କାର୍ଯ୍ୟରେ ନିୟୋଜିତ ହୋଇ ଜଳସଂରକ୍ଷଣ ଓ ବୃକ୍ଷରୋପଣ କାର୍ଯ୍ୟରେ ଅନ୍ତତଃ ଏକ ବର୍ଷ ଉତ୍ସର୍ଗୀକୃତ ଭାବେ କାମ କରିବା ଉଚିତ୍। ଅନ୍ୟ ସମସ୍ତ କାର୍ଯ୍ୟ ଯଥା-ସ୍ବାସ୍ଥ୍ୟ, ଆଇନ ଶୃଙ୍ଖଳା, ଦେଶରକ୍ଷାକୁ ବାଦ ଦେଇ, ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏକ ବର୍ଷ ପ୍ରତ୍ୟେକ ସରକାରୀ କର୍ମଚାରୀ, ନାଗରିକ ଉତ୍ସର୍ଗୀକୃତ ଭାବେ, ବୃକ୍ଷରୋପଣ, ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ସଫଳ କରିପାରିଲେ, ପ୍ରାଣୀଜଗତ ଆସନ ଧ୍ବଂସରୁ ମୁକ୍ତି ପାଇପାରେ। କିନ୍ତୁ କିଏ ଶୁଣିବ?   ମୋବାଇଲ୍ : ୯୪୩୭୪୧୨୮୭୭

Share :