ପାରାଦୀପ ଗୁଳିକାଣ୍ଡରେ ୩ ଗିରଫ

ପାରାଦୀପ ଗୁଳିକାଣ୍ଡରେ ୩ ଗିରଫ

Share :

  ପାରାଦୀପ ତାରିଣୀଗଡା ୫ନଂ ଜାତୀୟ ରାଜପଥ ଉପରେ ୨୦୧୬ ମେ ୩୦ ତାରିଖରେ ପାରଦୀପର ବିଜୁ ଜନତା ଦଳର ଯୁବନେତା ତଥା ନିରାକାର ଡମ୍ପର ଆସୋସିଏସନର ସଭାପତି ବାପୁ ପରିଡା ଓ ସମ୍ପାଦକ ବାବ ସ୍ୱାଇଁଙ୍କ ଉପରେ ହୋଇଥିବା ଗୁଳିକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏଥିପାଇଁ ପୋଲିସକୁ ପ୍ରାୟ ଦେଢମାସ ସମୟ ଲାଗିଯାଇଛି। ପାରଦୀପ ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀ ଡକାଇ ପୋଲିସ ଏହି ସୂଚନା ଦେଇଛି।   ଏହି ଗୁଳିକାଣ୍ଡ ଭିଆଇଥିବା ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଶରଣକୁଳ ଅଞ୍ଚଳ ଅଶୋକ ମହାପାତ୍ର ଓରଫ ପିଣ୍ଟୁ, କଟକ ବାଦାମବାଡି ପାଲାମଣ୍ଡପ ଅଞ୍ଚଳର ସୌମେନ୍ଦ୍ର ପଲାଇ ଓରଫ ଚୁଚୁ ବା ଚାଚା। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି  ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଏହି ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ୯ ଏମ‌୍‍.ଏମ‌୍‍ ଦେଶୀ ପିସ୍ତଲ ସହ ୩ଟି ଅଫୁଟା ଗୁଳି, ଗୋଟିଏ ଫାଙ୍କା ମାଗାଜିନି ଓ ୧୨ଟି ମୋବାଇଲ ସହ ୨୫ଟି ସିମ‌୍‍ ଜବତ କରାଯାଇଛି।   ଗୁଳିକାଣ୍ଡରେ ଗୁରୁତ୍ୱର ଆହତ ହୋଇଥିବା ବିଜେଡିର ଦୁଇ ଯୁବ ନେତା ବାପୁ ପରିଡା ଓ ବାବ ସ୍ୱାଇଁ ଏବେ ଚିକିତ୍ସା ପରେ ସୁସ୍ଥ ଅଛନ୍ତି। ଏହି ଘଟଣାକୁ ପ୍ରାୟ ୪୫ ଦିନ ବିତିଯାଇଛି। ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଛି। ଏହି ଘଟଣାରେ ପୂର୍ବରୁ ତପନ ସ୍ୱାଇଁ ନାମକ ଜଣେ ଯୁବକକୁ ଗରିଫ କରାଯାଇଥିଲା। ତପନ ସହିତ ବାପୁର ପୂର୍ବ ଶତୃତା ଥିବାରୁ ଏତଲାରେ ବାପୁଙ୍କ ମା’ ତପନ ସ୍ୱାଇଁ ନାମ ଦର୍ଶାଇଛନ୍ତି ଯାହାକୁ ନେଇ ପୋଲିସ ତପନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Share :