କୁଆଡ଼େ ଗଲା ନିଶାନଗୁଡା ତଦନ୍ତ?

କୁଆଡ଼େ ଗଲା ନିଶାନଗୁଡା ତଦନ୍ତ?

Share :

ସ୍ନେହଲତା ମିଶ୍ର   ମାଓବାଦୀ ଦମନ ଆଳରେ କୁମ୍ୱଂି ଓ ଏନକାଉଣ୍ଟର ଚାଲିଥିବା କଥା କହୁଛି ପୁଲିସ। ମାତ୍ର ବାରମ୍ୱାର ମିଥ୍ୟା ଏନକାଉଣ୍ଟରରେ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟୁଛି। ଏହା ଜଣାପଡ଼ିବା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି। ତଦନ୍ତ  କିନ୍ତୁ ସରୁ ନାହିଁ କି ଏନକାଉଉଣ୍ଟର ଆଳରେ ନିରୀହ ଲୋକଙ୍କୁ ହତ୍ୟା କରୁଥିବା ପୁଲିସ ଦଣ୍ଡ ପାଉନାହିଁ। କନ୍ଧମାଳ କୁର୍ତ୍ତମଗଡ଼ରେ ୫ ନିରୀହ ଲୋକଙ୍କୁ ମାଓବାଦୀ ଭାବି ହତ୍ୟା କରାଯିବା ଘଟଣା ଉପରେ ସରକାର ପ୍ରଥମେ ବିଚାର ବିଭାଗୀୟ ଓ ପରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୁହାଯାଉଛି ଦୁଇ ତିନି ମାସ ମଧ୍ୟରେ ତଦନ୍ତ ରିପୋର୍ଟ ମିଳିବ। କିନ୍ତୁ କଳାହାଣ୍ଡି ନିଶାନଗୁଡ଼ା ମିଥ୍ୟା ଏନକାଉଣ୍ଟର ତଦନ୍ତ ପ୍ରକ୍ରିୟା ଦେଖିଲେ ନୂଆ ତଦନ୍ତ କେତେ ତ୍ବରାନ୍ବିତ ତାହା ସନ୍ଦେହଜନକ।   କଳାହାଣ୍ଡିର ନିଶାନଗୁଡାରେ ତିନି ନିରୀହ ଆଦିବାସୀ ଓ ଦଳିତଙ୍କ ମିଥ୍ୟା ଏନକାଉଣ୍ଟର ଘଟଣାକୁ କ୍ରସ୍‌ଫାୟାର ବା ପୁଲିସ-ମାଓବାଦୀଙ୍କ ଗୁଳି ବିନିମୟ ବୋଲି ପ୍ରଥମେ ରାଜ୍ୟ ପୁଲିସ ଦାବି କରିଥିଲା। ମାଓବାଦୀଙ୍କ ସହିତ ଗୁଳି ବିନିମୟ ସମୟରେ ସେମାନଙ୍କର ମୃତ୍ୟୁ ଘଟିଲା ବୋଲି ସ୍ପଷ୍ଟୀକରଣ ଦିଆଯାଇଥିଲା। କିନ୍ତୁ ଏହା ମିଥ୍ୟା ଏନକାଉଣ୍ଟର ଥିଲା ବୋଲି ବାରମ୍ବାର ଅଭିଯୋଗ ହେବା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସରକାର ଓ ପୁଲିସ ସଫେଇ ଦେଇଥିଲେ। କିନ୍ତୁ ସେହି ତଦନ୍ତ ଏଯାଏଁ ସରି ନାହିଁ।   କଳାହାଣ୍ଡି ଜିଲା ନିଶାନଗୁଡାରେ ପୁଲିସର ମିଥ୍ୟା ଏନକାଉଣ୍ଟରରେ ତିନିଜଣଙ୍କ ମୃତ୍ୟୁ ଓ ଦୁଇଜଣ ଆହତ ହୋଇଥିବା ଘଟଣାର ଇତିମଧ୍ୟରେ ଆଠ ମାସ ପୂରିଗଲାଣି। ତଦନ୍ତ ରିପୋର୍ଟ ଆସି ନାହିଁ। ସେତେବେଳେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସଙ୍ଗଠନ ବିରୋଧୀ ଦଳ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ ସୁଦ୍ଧା ସରକାର ତଦନ୍ତ ନେଇ କିଛି ପଦକ୍ଷେପ ନେଇ ନ ଥିଲେ। ଫଳରେ ମାନବାଧିକାର କମିଶନ ହସ୍ତକ୍ଷେପ କରି ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଘଟଣାର ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ତଲବ କରିଥିଲେ। କିନ୍ତୁ ଆଜିଯାଏ ତଦନ୍ତ କ’ଣ ହେଲା ଜଣାପଡି ନାହିଁ। ଘଟଣାରେ ମୃତକଙ୍କ ପରିବାରକୁ ଏଯାଏ ମାତ୍ର ସାଢେ ତିନି ଲକ୍ଷ ଟଙ୍କା ମିଳିଥିବା ସଂପୃକ୍ତ ପରିବାର ଲୋକେ ପ୍ରକାଶ କରିଛନ୍ତି।   ଗୁମୁଡ଼ୁମାହାର ନିହତ ନିରୀହଙ୍କ ପରିବାର ପାଇଁ ସରକାର ୭ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ସେମାନଙ୍କୁ ପକ୍କା ଘର, ସାମାଜିକ ସୁରକ୍ଷା ସହାୟତା ଏବଂ ଏସପିଓ ଚାକିରି ମଧ୍ୟ ଦିଆଯିବ ବୋଲି ଘୋଷଣା କରାଯାଇଛି। କିନ୍ତୁ ନିଶାନଗୁଡ଼ା ମିଥ୍ୟା ଏନକାଉଣ୍ଟର ଘଟଣାରେ ନିହତ ନିରୀହଙ୍କ ଜୀବନର ମୂଲ୍ୟ ସରକାରଙ୍କ ପାଇଁ ଏତେ ନଥିଲା ବୋଧେ। ତେଣୁ କମ୍ ସହାୟତା ଦିଆଯାଇଛି, ତାହା ପୁଣି ବହୁ ଦାବି ପରେ। ଗୁମୁଡ଼ୁମାହା ଘଟଣା ପରେ ନିଶାନଗୁଡ଼ା ପୁଲିସ ହତ୍ୟାକାଣ୍ଡର ଶିକାର ଲୋକଙ୍କ ପରିବାର ମଧ୍ୟ ଅଧିକ ସହାୟତା ଦେବାକୁ ଦାବି ଉଠିଛି। ସେହିପରି ସେହି ଘଟଣାର ମଧ୍ୟ ବିଚାର ବିଭାଗୀୟ ଓ ଏସଆଇଟି ତଦନ୍ତ ଦାବି କରାଯାଇଛି।   ନିଶାନଗୁଡାରେ ପୁଲିସର ମିଥ୍ୟା ଏନକାଉଣ୍ଟରରେ ପ୍ରାଣ ହରାଇଥିବା ତିନି ପରିବାରକୁ ସାମାନ୍ୟ ସହାୟତା ରାଶି ଦେଇ ସରକାର ଓ ପୁଲିସ ପ୍ରଶାସନ ଚୁପ‌୍‍ ଥିବା ବେଳେ ସେମାନଙ୍କ ଅବସ୍ଥା ଏବେ କିପରି ଅଛି ତାକୁ ଦେଖିବାକୁ କାହା ପାଖରେ ସମୟ ନାହିଁ। ଘରର ମୁଖିଆମାନଙ୍କୁ ହରାଇ ଏହି ପରିବାରର ସଦସ୍ୟମାନେ ବେସାହାରା ହୋଇ ପଡିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରଭାବିତ ପରିବାରକୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ମାଓବାଦୀଙ୍କ ଦମନ ନାମରେ ନିରୀହ ଆଦିବାସୀ ଓ ଦଳିତଙ୍କୁ ହତ୍ୟା କରିବା ବନ୍ଦ ନକଲେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ସୃଷ୍ଟି ହେଉଥିବା ଅସନ୍ତୋଷର ମୁକାବିଲା କରିବା କଷ୍ଟସାଧ୍ୟ ହେବ ବୋଲି ଗ୍ରୀନ‌୍‍ କଳାହାଣ୍ଡିର ଅଧ୍ୟକ୍ଷ ସିଦ୍ଧାର୍ଥ ନାୟକ ଏବଂ ନିୟମଗିରି ସୁରକ୍ଷା ସମିତିର ବରିଷ୍ଠ ସଦସ୍ୟ ସତ୍ୟ ମାହାର କହିଛନ୍ତି।   ନିଶାନଗୁଡ଼ା ମିଥ୍ୟା ଏନକାଉଣ୍ଟର ତଦନ୍ତ ପରି ଗୁମୁଡ଼ୁମାହା ଗଣହତ୍ୟାର ତଦନ୍ତ ଧିମେଇଯିବାର ସମସ୍ତ ସମ୍ଭାବନା ରହିଛି। ଜୁଲାଇ ୯ ତାରିଖ କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅଧୀନସ୍ଥ ଜାକିଙ୍ଗିଆ ଓ ଗୁମୁଡୁମାହା ଗ୍ରାମ ମାଲପଙ୍ଗା ଜଙ୍ଗଲରେ ପାଞ୍ଚଜଣ ନିରୀହ ଆଦିବାସୀଙ୍କୁ ମିଥ୍ୟା ଏନକାଉଣ୍ଟର କରାଯାଇଛି। ଏହି ଦିନ ମଜୁରିଆ ଲୋକମାନେ ବାଲିଗୁଡ଼ାରୁ ନିଜର ମନରେଗା ମଜୁରୀ ନେଇ ଫେରୁଥିବାବେଳେ ଛକି ରହିଥିବା ରାଜ୍ୟ ପୁଲିସ ସେମାନଙ୍କୁ ମାଓବାଦୀ ଭାବି ଗୁଳି କଲେ। ଆଖିବୁଜା ଗୁଳି ଚାଳନାରେ ଅଟୋରେ ଥିବା ଦୁଇ ବର୍ଷର ଶିଶୁ ସମେତ ୫ ଜଣ ଲୋକ ପ୍ରାଣ ହରାଇଥିଲେ। ଏହା ଜଣାପଡ଼ିବା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସରିବାକୁ କେତେ ସମୟ ଲାଗିବ ତାହା ନିଶାନଗୁଡ଼ା ଘଟଣାରୁ ଅନୁମାନ କରାଯାଇପାରେ।

Share :