ଆଇନ ତା’ ବାଟରେ ଯିବଟି?

ଆଇନ ତା’ ବାଟରେ ଯିବଟି?

Share :

ମନୋରଞ୍ଜନ ପଟ୍ଟନାୟକ   ସ୍ୱାମୀ ବିବେକାନନ୍ଦ ଚିକାଗୋ ସମ୍ମିଳନୀ ପରେ ଭାରତ ଫେରି ଥରେ ସମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ପ୍ରତ୍ୟେକ ରାଷ୍ଟ୍ରର ଏକ ସ୍ୱତନ୍ତ୍ର ଲକ୍ଷ୍ୟ ରହିଛି, ଯାହାକୁ ହାସଲ କରିବାରେ ସେ ରାଷ୍ଟ୍ର ଉଦ୍ୟମ କରିଥାଏ। ନିକଟରେ ଜଣେ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିଥିଲେ ନିଜ ଭାଷଣ ପ୍ରସଙ୍ଗରେ ସେ ବିଦେଶ ଭ୍ରମଣର ଏକ ଅନୁଭୂତିକୁ ଉପସ୍ଥିତ ବୁଦ୍ଧିଜୀବୀଙ୍କ ନିକଟରେ ଉପସ୍ଥାପନ କରି କହିଲେ ସବୁ ଦେଶର କିଛି କିଛି ସାମାଜିକ ସମସ୍ୟା ରହିଛି। ବିଶାଳ ଯୁବଶକ୍ତିର ଦେଶ ଭାରତରେ ଯେପରି ଆତ୍ମନିଯୁକ୍ତି ସମସ୍ୟା ଆଜି ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଛି ଠିକ ସେହିଭଳି ସମୃଦ୍ଧଶୀଳ ଆମେରିକାରେ ମଧ୍ୟ ଏକ ଭିନ୍ନ ସମସ୍ୟା ଅତି ମାତ୍ରାରେ ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ହୋଇଛି। ସମସ୍ୟାଟି ହେଲା ‘କୁମାରୀ ମାତୃତ୍ୱ’। ଆଜି ଆମେରିକାର ମୋଟ ଶିଶୁ ସଂଖ୍ୟା ମଧ୍ୟରୁ ଅର୍ଦ୍ଧେକ ଶିଶୁ କୁମାରୀ ମାତୃତ୍ୱର କାରଣରୁ ଜନ୍ମ ନେଉଥିବା ଜଣାପଡିଛି।   ଏହି ବିଷୟରେ ଅବତାରଣା କରିବାର ପୃଷ୍ଠଭୂମି ହେଲା କିଛି ଦିନ ତଳେ ମାନ୍ୟବର ସୁପ୍ରିମ କୋର୍ଟ କହିଛନ୍ତି ଯେ ବିବାହ ପୂର୍ବରୁ ଜଣେ ପୁରୁଷ ନାରୀ ଏକତ୍ର ବସବାସ କଲେ ତାହା ଆଇନ ଦୃଷ୍ଟିରେ ଦୋଷ ଯୁକ୍ତ ନୁହେଁ।   ବିଖ୍ୟାତ ଇିଂରାଜୀ ପ୍ରାବନ୍ଧିକ ଏ. ଜି ଗାଡିର୍ନର ତାଙ୍କର ଏକ ଲଳିତ ନିବଦ୍ଧ ‘ଅଲ୍ ଆବାଟଉଟ ଏ ଡଗ’ରେ ଆଇନ‌୍‍ର ଏକ ଉପାଦେୟ ଏବଂ ଶିକ୍ଷଣୀୟ ବିଶ୍ଳେଷଣ କରିଛନ୍ତି। ଏକ ଛୋଟ କାହାଣୀର ଅବତାରଣା ମାଧ୍ୟମରେ ଗାର୍ଡିନର ମତ ଦେଇଛନ୍ତି ଯେ ଆଇନ ମଣିଷ ତିଆରି କରିଛି ନିଜ ପାଇଁ ଏବଂ ସମାଜ ପାଇଁ। ଯଦି ଆଇନ ମାନବ ସମାଜର ଶଣ୍ଠଣା ଏବଂ ନୈତିକତାର ପରିପନ୍ଥୀ ହୁଏ ତେବେ ସେ ଆଇନ ବର୍ଜନୀୟ ଅଥବା ପରିବର୍ତ୍ତନ ଯୋଗ୍ୟ।   ଆଇନ ବା ବିଧି, ନୀତି ଓ ନ୍ୟାୟ ଏ ସମସ୍ତ ଆପ୍ତବାକ୍ୟ ନୁହେଁ କି ଦୈବବାଣୀ ନୁହେଁ। ଏହା ମାନବକୃତ। ଏକ ଉନ୍ନତ ସୁସଂଯତ, ସୁଠାମ ସମାଜ ଗଠନ ପାଇଁ ତଥା ନୀତି ଓ ନ୍ୟାୟର ପ୍ରତିଷ୍ଠା ଏବଂ ଏହି ପ୍ରକିୟାକୁ ଅବ୍ୟାହତ ରଖିବା ଆଇନ‌୍‍ର ଅନ୍ତର୍ନିହିତ ଉଦ୍ଦେଶ୍ୟ। କୌଣସି କ୍ଷେତ୍ରରେ ଆଇନ ଯଦି ଏହାର ଅନ୍ତରାୟ ହୁଏ ବା ଆଇନର ଅର୍ଥ, ଅନର୍ଥ ଓ ଅର୍ଥାନ୍ତର ଏହାର ଉଦ୍ଦେଶ୍ୟ ସାଧନରେ ବିଫଳ ରହେ ତେବେ ଆଇନର ସମୀକ୍ଷା କରି ପରିବର୍ତ୍ତନ କରାଯିବା ଆବଶ୍ୟକ। ଏଥି ନିମିତ୍ତ ପ୍ରତ୍ୟେକ ରାଷ୍ଟ୍ର ବା ଦେଶରେ ଏକ ନ୍ୟାୟାପଳିକା ସଂସ୍ଥା ରହିଛି। ସାମାଜିକ ଚଳଣି, ପ୍ରଥା ଓ ବ୍ୟବସ୍ଥାକୁ ଭିତ୍ତିକରି ବିଭିନ୍ନ ଦେଶର ଆଇନରେ ପ୍ରଭେଦ ଅଛି ଏବଂ ହେବା ସ୍ୱାଭାବିକ ମଧ୍ୟ। ଆଇନରେ ଥିବା ବ୍ୟବସ୍ଥାକୁ ମଧ୍ୟ ସ୍ଥାନ, କାଳ ପାତ୍ର ଭେଦରେ ପୋଷଣ କରିପାରନ୍ତି। କିନ୍ତୁ ବିଚାରପତି ଏ ସମସ୍ତ ତର୍ଜମାର ସମୀକ୍ଷା କରି ଯାହା ନିର୍ଣ୍ଣୟ ନୀତି ଅନୁରୂପ ଏବଂ ନ୍ୟାୟ ସମ୍ମତ ସେହି ରାୟ ବା ସିଦ୍ଧାନ୍ତ ଦିଅନ୍ତି। ଏଣୁ ନ୍ୟାୟପାଳିକା ଆଇନର ତର୍ଜମାକୁ ବିଶ୍ଲେଷଣ କରି ନ୍ୟାୟ ପ୍ରଦାନ କରୁଥିବାରୁ ଏହାକୁ ନ୍ୟାୟପାଳିକା କୁହାଯାଏ-ଆଇନ ପାଳିକା କୁହାଯାଏ ନାହିଁ। ଆଇନ ସର୍ବଦା ଏକ ଶୃଙ୍ଖଳିତ ଜୀବନ ଯାପନ ନିମିତ୍ତ ଦେଶର ସର୍ବସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇଥିବାରୁ ଏହାର ପ୍ରୟୋଗ ନିରପେକ୍ଷ ଓ ନିର୍ବିବାଦୀୟ ହେବା ଉଚିତ।   ଏବେ ଆସିବା ଓଡିଶା ପରିପ୍ରେକ୍ଷୀରେ ଏହି ଆଇନ ବା ଶୃଙ୍ଖଳା କିପରି ପ୍ରୟୋଗ ହୋଇଛି କ୍ଷମାତାସୀନ ଶାସକଙ୍କ ଇଙ୍ଗିତରେ। ଅତୀତରେ କେତେ ସରକାର ଆସିଛି କେତେ ସରକାର ଯାଇଛି, କିନ୍ତୁ ବିଶେଷ ଭାବେ ଲୋକେ ହାତ ଗଣତି ସରକାରଙ୍କୁ ତାଙ୍କର ବିଶେଷ ଅବଦାନ ପାଇଁ ମନେରଖିଥିବା ବେଳେ କେତେକ ସରକାରଙ୍କୁ ତାଙ୍କ ଅଯୋଗ୍ୟ, ଅପାରଗତା, ଅଗଣତାନ୍ତ୍ରିକ ବ୍ୟବହାର ଯୋଗଁୁ ସମୟେ ସମୟେ କେବଳ ବିଶେଷ ପରିସ୍ଥିତିରେ ମନେପକାନ୍ତି। କଥା କଥାରେ ତା’ର ଉଦାହରଣ ଦେବାକୁ ଭୁଲି ନାହାନ୍ତି। ସେହିଭାଳି ନିକଟ ଅତୀତର ୩ ଦଶନ୍ଧି ଧରି ଯଦି ଆମେ ଓଡିଶାର କ୍ଷମତା ରାଜନୀତିକୁ ସମୀକ୍ଷା କରିବା ତେବେ ଏହା ସ୍ପଷ୍ଟ ହୋଇଯିବ।   ଓଡିଶାର ବିଶେଷ ଭାବେ ଦୁଇ ନାୟକଙ୍କୁ ଲୋକେ କେବେ ଭୁଲିନାହାନ୍ତି, ଏହି ଦୁଇ ନାୟକ ଏବେ ଆଉ ନାହାନ୍ତି, ଏବେ ଏହି ଦୁଇ ନାୟକଙ୍କ ସ୍ଥାନ ଯିଏ ନେଇଛନ୍ତି ସେ ମଧ୍ୟ ଜଣେ ନାୟକ ଯାହାଙ୍କ ନିକଟରେ ପ୍ରଥମ ନାୟକଙ୍କ ଚତୁରତା କୌଶଳକାରୀ ବୁଦ୍ଧି, ଦ୍ୱିତୀୟ ନାୟକଙ୍କ ଭଳି ଲୋକପ୍ରିୟତାର ପୁଂଜି ଅଛି, ଏହା କେହିବି ସ୍ୱୀକର କରିବେ, ତାହାର କାରଣ ଯାହା ହେଉନା କାହିଁକି। ଯଦିଓ ସମୟର ବିଡମ୍ୱନା ଯେ ତାଙ୍କୁ ପ୍ରତିହତ କଲା ଭଳି ‘ଯେସାକୁ ତେସା’ ନୀତିର ପ୍ରୟୋଗ କଲାଭଳି ରାଜନେତାଙ୍କ ଅଭାବ ପୂରଣ କରିବାରେ କେହି ସମର୍ଥ ହୋଇ ନାହାନ୍ତି। ଏହାରି ଭିତରେ ସେ ବର୍ତ୍ତମାନ ସୁଦ୍ଧା ଯେନ ତେନ ପ୍ରକାରେଣ ନିଜ ସ୍ଥାନରେ ଅଟଳ ହେବାରେ ସଫଳ ହୋଇଛନ୍ତି। କ୍ଷମତାର ସିଂିହାସନରେ କଣ୍ଟାଟିଏ ଯଦି ନିକଟତ୍ତର ହେବାର ଦେଖିବାକୁ ପାଇଲେ ତାକୁ ନିଜ ହାତରେ କାଢି ପୁଣି ଆଗେଇ ଚାଲିଛନ୍ତି କିଛି କିଛି ବାଟ ନିଷ୍କଣ୍ଟକ ହୋଇ। ରାଜନୀତିର ଦିଶାକୁ ସେ ନିଜ ଇଚ୍ଛାନୁସାରେ ବଦଳାଇ ଅନେକଂାଶରେ ସଫଳତା ଓ ବିଫଳତାର ସ୍ୱାଦକୁ ଚଳିତ ଅବଧିରେ ଚାଖିଛନ୍ତି- ଏହା ନିଃସନ୍ଦେହ। ଯେବେ ଯେବେ ପ୍ରସଙ୍ଗଟିଏ ଘଟେ ତାକୁ ଏଡାଇ ଯିବାକୁ ଯାଇ ଆମ ମୁଖ୍ୟମନ୍ତ୍ରୀ କହନ୍ତି ଆଇନ ତା’ ବାଟରେ ଯିବ।   ସମୟ କହିବ କନ୍ଧମାଳ ନିରୀହ ଆଦିବାସୀଙ୍କୁ ପୋଲିସ ବିଭାଗ ଯେଭଳି ବନ୍ଧୁକ ଗୁଳିରେ ମାରି ଗଡାଇଦେଲେ, ଚିଟ‌୍‍ଫଣ୍ଡ କେଳେଙ୍କାରୀରେ ଥିବା ପ୍ରଚ୍ଛଦପଟ୍ଟ ନାୟକ, ରାଜ୍ୟରେ ବିଶେଷଭାବେ ଦେଖାଦେଇଥିବା ଜରୁରି ପରିସ୍ଥିତି ଭଳି ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗଁୁ ସୃଷ୍ଟି ହୋଇଥିବା ଡେଙ୍ଗୁ ପରିସ୍ଥିତି, ଡାକ୍ତର ମୋତିଲାଲ ଗୌଡ କରିଥିବା ଦୁର୍ନୀତି ଓ ଧୋକାରେ ତାଙ୍କୁ ସମର୍ଥନ ଦେଇଥିବା ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି, ଓକେସିଏଲରେ ହୋଇଥିବା ଦୁର୍ନୀତି ଆଦିରେ ଅଭିଯୁକ୍ତମାନେ ଆଇନ ନିକଟରେ କେତେଦୂର ଉତ୍ତରଦାୟୀ ହେବେ? ବା ଆଇନ ତା ବାଟରେ ଯାଉଛି ବୋଲି କହି ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ପ୍ରସଙ୍ଗ ରହିଯିବ ତା’ ବାଟରେ ଅବା ଆଉ ଏକ ପ୍ରସଙ୍ଗ ଜନ୍ମ ନେବ ତା ସ୍ଥାନ ପୂରଣ କରିବାକୁ। ସମୟର ପ୍ରବାହରେ ଆଗକୁ ଯାଇ ଆଇନ ତା’  ବାଟ ଦେଇ ଯାଉଛି କି ଆଇନର ଆଖି ନଥିବାରୁ ତାକୁ ଆଖିଥିବା ବ୍ୟକ୍ତିଟି ନିଜେ ଦେଖାଉ ଥିବା ରାସ୍ତାରେ ଦେଇ ଯିବାକୁ ପଡୁଛି ଦେଖିବାକୁ ବାକି ରହିଲା।   ଯଶପଡା, କିଶୋରନଗର, କଟକ, ଦୂରଭାଷ- ୯୪୩୮୬୭୦୧୫୭

Share :