ତେଜିବ ମଦ ବିରୋଧୀ ଆନ୍ଦୋଳନ

ତେଜିବ ମଦ ବିରୋଧୀ ଆନ୍ଦୋଳନ

Share :

ମଦ ସମେତ ଅନ୍ୟାନ୍ୟ ନିଶାର ବହୁଳ ପ୍ରସାର ଯୋଗୁଁ ଓଡିଶାର ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ସଂାସ୍କୃତିକ କ୍ଷେତ୍ର ଓ ରାଜନୀତି ବିଶେଷ ଭାବେ ପ୍ରଭାବିତ ହେଉଥିବା ବେଳେ ଏହା ରାଜ୍ୟର ଦାରିଦ୍ର୍ୟ ଓ ଅନଗ୍ରସରତା ପ୍ରମୁଖ କାରଣ ହୋଇଥିବାରୁ ଏହାର ନିରାକରଣ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ ଲାଗି ମଦ ବିରୋଧୀ ଆନ୍ଦୋଳନକୁ ସମଗ୍ର ରାଜ୍ୟରେ ବ୍ୟାପକ କରିବା ଲାଗି ଲୋହିଆ ଏକାଡେମୀ, ଭୁବନେଶ୍ୱର ପରିସରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମାବେଶରେ ନିଷ୍ପତ୍ତି ନିଆଯାଇଛି।   ଓଡିଶା ମଦମୁକ୍ତି ଅଭିଯାନ ଓ ଲୋକଶକ୍ତି ଅଭିଯାନ ପକ୍ଷରୁ ଏହି ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ମଦ ବିରୋଧରେ ଆନ୍ଦୋଳନ କରୁଥିବା ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରି ବିକ୍ଷିପ୍ତ ଭାବେ ଚାଲିଥିବା ମଦମୁକ୍ତି ଅଭିଯାନକୁ ସୁସଂଗଠିତ କରି ସମଗ୍ର ରାଜ୍ୟରେ ଏକ ଦୃଢ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ମତବ୍ୟକ୍ତ କରିଛନ୍ତି। ଦଳମତ ନିର୍ବିଶେଷରେ ଯେଉଁମାନେ ଓଡିଶାକୁ ମଦମୁକ୍ତ କରିବା ପାଇଁ ସଂଗ୍ରାମ କରୁଛନ୍ତି ସେମାନଙ୍କ ସମ୍ମିଳିତ ଶକ୍ତି ଓଡିଶାକୁ ମଦ ମୁକ୍ତ କରିବାରେ ନିଶ୍ଚୟ ସଫଳ ହେବ ବୋଲି ଏହି ସମାବେଶରେ କୁହାଯାଇଛି।   ରାଜ୍ୟର ଯେଉଁସବୁ ଅଞ୍ଚଳରେ ମଦ ବିରୋଧରେ ମହିଳା ଓ ଅନ୍ୟ ବ୍ୟକ୍ତି ବିଶେଷ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ନିଜ ନିଜ ଅଞ୍ଚଳରେ ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ନିଶା ହଟାଇବା ପାଇଁ ବ୍ୟାପକ ଜନଜାଗରଣ ସୃଷ୍ଟି କରିବା ଏବଂ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ମଦ ମୁକ୍ତ ଓଡିଶା ପାଇଁ ଗଣସଂକଳ୍ପ ଗ୍ରହଣ କରିବାକୁ ଏହି ସମାବେଶରେ ସ୍ଥିର ହୋଇଛି। ଏହଛଡା ମହାମିାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଅକ୍ଟୋବର ୨ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ସମସ୍ତ ପଞ୍ଚାୟତର ଗ୍ରାମସଭାରେ ନିଜ ନିଜ ଅଞ୍ଚଳରୁ ମଦ ଦୋକାନ ମାନ ହଟାଇବା, ନୂଆ ମଦ ଦୋକାନ ଖୋଲାଇ ନଦେବା ସମେତ ସଂପୃକ୍ତ ପଞ୍ଚାୟତ ସମ୍ପର୍ଣ୍ଣ ମଦ ମୁକ୍ତ କରିବା ପାଇଁ ପ୍ରସ୍ତାବମାନ ଗ୍ରହଣ କରିବାକୁ ଏହି ସମାବେଶରେ ଆହ୍ୱାନ ଦିଆଯାଇଛି। କେବଳ ଗ୍ରାମପଞ୍ଚାୟତ ନୁହେଁ ପଞ୍ଚାୟତ ସମିତି, ଜିଲ୍ଲାପରିଷଦ ଏବଂ ପୌରସଂସ୍ଥା ଗୁଡିକରେ ମଧ୍ୟ ଅନୁରୁପ ପ୍ରସ୍ତାବ ପାରିତ କରାଇବା ପାଇଁ ଲୋକେ  ଚାପ ପ୍ରୟୋଗ କରିବାକୁ ଏହି ସମାବେଶରେ ନିବେଦନ କରାଯାଇଛି।   କେରଳ, ବିହାର ଓ ତାମିଲନାଡୁ ଭଳି ରାଜ୍ୟରେ ବହୁ ବିଳମ୍ୱରେ ହେଲେ ମଧ୍ୟ ନିଶା ନିବାରଣକୁ ଆପଣେଇ ଥିବାବେଳେ ୬୦ ବର୍ଷ ତଳେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା ଓଡିଶା ନିଶା ନିବାରଣ ଆଇନ- ୧୯୫୬କୁ ଓଡିଶା ସରକାର ଲାଗୁ ନକରିବା ତାଙ୍କ ନିଜ ଆଇନ ବ୍ୟବସ୍ଥା ଓ ବିଧାନସଭା ପ୍ରତି ଅନସ୍ଥା ବୋଲି ସମାବେଶରେ ମତପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଓଡିଶାକୁ ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ତାଙ୍କ ନିଜ ନିଶା ନିବାରଣ ଆଇନକୁ କଡାକଡି ଭାବେ ଲାଗୁ କରିବାକୁ ସମାବେଶରେ ଦାବୀ କରାଯାଇଛି। ଏଠାରେ ଉଲେଖନୀୟ ଯେ ଭାରତୀୟ ସମ୍ୱିଧାନର ୪୭ଧାରା ସମେତ ରାଜ୍ୟରେ ପ୍ରଚଳିତ ବିହାର ଓଡିଶା ଅବକାରୀ ଆଇନ-୧୯୧୫ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶା ନିବାରଣ ବୋଲି କୁହାଯାଇଥିବା ବେଳେ ବର୍ତ୍ତମାନର ସରକାର ଅମଳରେ ପ୍ରସ୍ତୁତ କରାଯାଇଥିବା ଓଡିଶା ଅବକାରୀ ଆଇନ-୨୦୦୮ର ୯୩ ଧାରାରେ ମଧ୍ୟ ସରକାର ନିଶା ନିବାରଣ କରିବାକୁ ବ୍ୟବସ୍ଥା ରହିଛି।   ଗତ ୧୬ ବର୍ଷ ମଧ୍ୟରେ ଓଡିଶାରେ ବିଭିନ୍ନ କିସମର ମଦର ବହୁଳ ପ୍ରସାର ଘଟିଛି ସରକାରୀ ପୃଷ୍ଠପୋଷକତା ଦୃଷ୍ଟିରୁ। ଏଥି ଯୋଗୁଁ ହତ୍ୟା, ବଳାତ୍କାର ସମେତ ଅନ୍ୟାନ୍ୟ ନାରୀ ନିର୍ଯ୍ୟାତନା, ସଡକ ଦୁର୍ଘଟଣା ଓ ତତ‌୍‍ଜନିତ ଧନଜୀବନ ହାନୀ, ରୋଗବ୍ୟାଧି, ସାମାଜିକ ବିଶୃଙ୍ଖଳା ତଥା ଆଇନ ଶୃଙ୍ଖଳା ସମସ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି। ନିଶା ଯୋଗୁଁ ଅପରାଧ ବୃଦ୍ଧି ପାଉଥିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ଏଥି ଯୋଗୁଁ ବ୍ୟକ୍ତି, ପରିବାର, ସମାଜ ଓ ରାଜ୍ୟର ଅପୁରଣୀୟ କ୍ଷତି ଘଟୁଥିବା ବେଳେ ଦାରିଦ୍ର୍ୟ ମଧ୍ୟ ବୃଦ୍ଧି ପାଉଛି ତେଣୁ ଏହି ସମାବେଶରେ ସମୃଦ୍ଧ ଓଡିଶା ଗଠନ ପାଇଁ ରାଜ୍ୟ ସରକାର ସର୍ବପ୍ରଥମେ ନିଶମୁକ୍ତ ଓଡିଶା ଗଢିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ଦୃଢ ଦାବୀ ଉଠାଇଛନ୍ତି।   ମଦମୁକ୍ତି ଅଭିଯାନର ଆବାହିକା ଶ୍ରୀମତି ପ୍ରମିଳା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶର ସଂଯୋଜନା କରିଥିଲେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କ ମଧ୍ୟରୁ ହାରାବତୀ ଗଣ୍ଡ, କବିତା ପରିଡା, ଶୁଭଶ୍ରୀ ରାୟ, ମିନି ମହାପାତ୍ର, ଆରାଧନା ନନ୍ଦ, ମନୋରମ ଖଟୁଆ, ରମେଶ ମହାପାତ୍ର, ସଂଗ୍ରାମ ମହାପାତ୍ର, ସତ୍ୟ ପୁଷିକା, ମାନସ ରଞ୍ଜନ ମିଶ୍ର ପ୍ରମୁଖ ନିଜ ନିଜ ଅଞ୍ଚଳରେ ଚାଲିଥିବା ମଦମୁକ୍ତି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଏହି ସମାବେଶରେ ୨୫ଟି ଜିଲ୍ଲାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସାମାଜିକ କର୍ମି ରବି ଦାସ ଓ ଚିତ୍ତରଞ୍ଜନ ମହାନ୍ତି, ପଶ୍ଚିମ ଓଡିଶା କୃଷକ ସଂଗଠନର ଆବାହକ ଲିଙ୍ଗରାଜ ଏବଂ ଉତ୍କଳ ଗାନ୍ଧୀ ସ୍ମାରକନିଧିର ସଭାପତି ପ୍ରହଲାଦ ସିଂହ ବିଭିନ୍ନ ଦୃଷ୍ଟିକୋଣରୁ ଚାଲିଥିବା ମଦବିରୋଧୀ ଆନ୍ଦୋଳନକୁ କିଭଳି ଅଧିକ ତୀବ୍ର କରି ସରକାର ଉପରେ ପ୍ରବଳ ଚାପ ପ୍ରୟୋଗ ପାଇଁ ଜନମତ ସୃଷ୍ଟି କରାଯିବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ପ୍ରସ୍ତାବମାନ ରଖିଥିଲେ।

Share :