ଦୁର୍ନୀତିର ପୋଲ ବିଜୁ ସେତୁ !

ଦୁର୍ନୀତିର ପୋଲ ବିଜୁ ସେତୁ !

Share :

ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବାରମ୍ୱାର ଅଭିଯୋଗ ହୋଇଥିଲା। କିନ୍ତୁ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ନଥିଲେ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଗ୍ରାମ ଉନ୍ନୟନ ବିଭାଗ ଧର୍ମଗଡ ବିଭାଜନର କେହି ଅଧିକାରୀ। ବର୍ଷା ହେବାରୁ ଜୁଲାଇ ୧୧ ତାରିଖ ସୋମବାର ଅପରାହ୍ନରେ କଲମପୁର ମଣ୍ଡଳ ମୁଖ୍ୟ ରାସ୍ତାରେ ବିଜୁ ସେତୁ ଯୋଜନାରେ ନିର୍ମିତ ହେଇଥିବା ଏକ ପୋଲର ସୁରକ୍ଷା କାନ୍ଥ ଭାଙ୍ଗି ମାଟିରେ ମିଶିଯାଇଛି।   ବିଜୁ ସେତୁ ଯୋଜନାରେ ଗତ ୨୦୧୩/୧୪ ଆର୍ଥିକ ବର୍ଷରେ ୨ ଗୋଟି ପୋଲ ସମେତ ପ୍ରାୟ ୧.୫ କି.ମି ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ହୋଇଥିଲା। ଗତ ଜୁନ ମାସ ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନାରେ ନିର୍ମିତ ରାଜ୍ୟର ଶହେଟି ପୋଲର ଶୁଭ ଉଦ‌୍‍ଘାଟନ କରିଥିଲେ, ଯେଉଁଥିରେ କଲମପୁର ବ୍ଲକର ଏହି ସେତୁ ସାମିଲ ହୋଇଥିଲା। ଉଦ‌୍‍ଘାଟନର ଠିକ‌୍‍ ମାସଟିଏ ପରେ ପୋଲର ସୁରକ୍ଷା କାନ୍ଥ ଭାଙ୍ଗିବା ଘଟଣା ବିଭାଗର କାର୍ଯ୍ୟ ଦକ୍ଷତା ଓ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।   ଗତ ବର୍ଷ ମଧ୍ୟ ଏହି ବିଭାଗ ଅଧୀନରେ କାର୍ଯ୍ୟ ହେଇଥିବା ଜାମଜୋର ନାଳାର ନବ ନିର୍ମିତ ପୋଲର ସୁରକ୍ଷା କାନ୍ଥ ଭାଙ୍ଗିଯାଇଥିଲା। ସେହି ସମୟରେ ବିଭାଗ ତରଫରୁ ପ୍ରଦତ୍ତ ପୋଲ ନିର୍ମାଣର ଡ୍ରଇଂରେ ତ୍ରୁଟି ଓ ବ୍ୟୟ ଅଟକଳରେ ସୁରକ୍ଷା କାନ୍ଥର ଉଚ୍ଚତା ଅନୁସାରେ ଅଧିକ ମଜବୁତ ପାଇଁ ଲୁହା ଛଡର ଆବଶ୍ୟକତା ସମ୍ୱନ୍ଧରେ ଦର୍ଶାଯାଇଥିଲା। ଏହାସହ ନୂଆ ମାଟି ସୁଦୃଢ ହୋଇ ନଥିଲେ ବର୍ଷା ପାଣିରେ ଧସିବାର ସମ୍ଭାବନା ଥିବା ଦର୍ଶା ଯାଇଥିଲା। କିନ୍ତୁ ବିଭାଗୀୟ ଯନ୍ତ୍ରୀ ସେହି ତ୍ରୁଟି ପ୍ରତି  ଗୁରୁତ୍ୱ ଦେଇ ନଥିବାରୁ  କଲମପୁର ମଣ୍ଡଳ ରାସ୍ତାରେ ଏହି ଘଟଣାର ପୁନରାବୃତ୍ତି ଘଟିଲା।   ଏହି କାର୍ଯ୍ୟର ସମ୍ପାଦନା ଦାୟିତ୍ୱରେ ଥିବା ଧର୍ମଗଡ ଗ୍ରାମ ଉନ୍ନୟନ ବିଭାଜନର କାର୍ଯ୍ୟରେ ଅବହେଳା କାରଣରୁ ଠିକାଦାର ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରିବା ସହିତ ସମ୍ପାଦନାରେ ବିଳମ୍ୱ କରୁଥିବାନେଇ ବାରମ୍ୱାର ଅଭିଯୋଗ ହେଇଥିଲା। ଏପରିକି ଜିଲା ବି.ଜେ.ପି ସଭାପତି  କାମରେ ନିମ୍ନମାନର ହେବା ନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଥିଲେ। କିନ୍ତୁ ସମସ୍ତେ ଆଖିବୁଜି ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟକୁ ପରୋକ୍ଷରେ ପ୍ରଶ୍ରୟ ଦେଇଥିଲେ।   ଏହି କାମରେ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦିଆଯାଇନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ ଗ୍ରାମ ଉନ୍ନୟନ ଧର୍ମଗଡ ବିଭାଜନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ଫୋନ ଉଠାଇ ନଥିବାରୁ ତାଙ୍କର କୌଣସି ମତାମତ ହସ୍ତଗତ ହୋଇ ନାହିଁ।

Share :