ମନରେଗା ମଜୁରୀ ମିଳୁନାହିଁ!

ମନରେଗା ମଜୁରୀ ମିଳୁନାହିଁ!

Share :

  କେହି ଶ୍ରମିକ କାମ ଧନ୍ଦା ଅଭାବରୁ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଇ ନିର୍ଯ୍ୟାତିତ ନହୁଅନ୍ତୁ ଅଥବା କାମ ଧନ୍ଦା ଅଭାବରୁ କେହି ଶ୍ରମିକ ଭୋକିଲା ନରହନ୍ତୁ। ଏଭଳି ଏକ ମହାନ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ କେନ୍ଦ୍ରର ଉପା ସରକାର ପ୍ରଣୟନ କରିଥିଲେ ମହାତ୍ମା ଗାନ୍ଧୀ ଜାୟୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଆଇନ। ଏହି ଆଇନ ବଳରେ ଜଣେ ଶ୍ରମିକ ପଂଚାୟତ ମାଧ୍ୟମରେ ନାମ ପଞ୍ଜିକରଣ କରି କାମ ପାଇଁ ଦାବି ଜଣାଇ ପାରିବ। ତା’ର ଦାବି ପ୍ରତି ସମ୍ମାନ ଜଣାଇ ନିଜ ଅଂଚଳରେ ୧୫ ଦିନ ମଧ୍ୟରେ କାର୍ଯ୍ୟ ଯୋଗାଇ ଦିଆଯିବ ଓ ପାରିଶ୍ରମିକ ପ୍ରଦାନ କରାଯିବ। ଏଭଳି ବ୍ୟବସ୍ଥା ରହିଛି ଏହି ଆଇନରେ। କିନ୍ତୁ କଳାହାଣ୍ଡି କଲମପୁର ଅଂଚଳରେ ଏହି ଯୋଜନା ମଧ୍ୟମରେ କାର୍ଯ୍ୟକରି ଅନେକ ଶ୍ରମିକ ମାସମାସ ଧରି ପାରିଶ୍ରମିକ ନପାଇବା ଏହି ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।   ଏହି ବ୍ଲକର ମିନଗୁର ପଂଚାୟତ ଅଧୀନସ୍ଥ ଜାମପଡାର ଚାଷୀ ମଞ୍ଜୁଲତା ସାହୁ, ମାଟିଖାଲର ଚାଷୀ ଅକ୍ଷୟ ବେହେରା ଓ ଗୌତମ ବଚ୍ଛାଙ୍କ ଜମି ଉନ୍ନତି କରଣ ପାଇଁ ଏହି ଯୋଜନାରେ ଅର୍ଥ ମଞ୍ଜୁରୀ କରାଯାଇଥିଲା। ଏହି ତିନିଗୋଟି କାର୍ଯ୍ୟରେ ପ୍ରାୟ ୫୦ ଜଣ ଶ୍ରମିକ ୩ ସପ୍ତାହ ଧରି କାର୍ଯ୍ୟ କରିଥିଲେ। ଏହି ଯୋଜନାର ନିୟମାବଳୀ ମୁତାବକ ସେମାନଙ୍କୁ ଦ୍ୱିତୀୟ ସପ୍ତାହରେ ସେମାନଙ୍କ ପାରିଶ୍ରମିକ ପ୍ରାପ୍ୟ ପ୍ରଦାନ କରାଯିବା କଥା। କିନ୍ତୁ କାର୍ଯ୍ୟ ସରିବାର ଦୀର୍ଘ ୨ ମାସ ପରେ ମଧ୍ୟ ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳା କରାଯାଇଥିବାରୁ ସାହେବ ଦଳପତି, ସୁଧିର ଦଳପତି, ଗଜିନ ନିମୁଲିଆ, ଧନୁର୍ଯ୍ୟ ସିଂ ମାଝି, ମକରନ୍ଦ ନାଏକ ଓ ତହସିଲ ଭୋଇ ସମେତ ବହୁ ଶ୍ରମିକ ନିଜର ପାରିଶ୍ରମିକ ପାଇବା ନେଇ ବି.ଡି.ଓ ଲକ୍ଷ୍ମଣ ଅମାତଙ୍କ ନିକଟରେ ଅଭିଯୋଗ କରିବା ପରେ ବି.ଡି.ଓ ପାରିଶ୍ରମିକ ପ୍ରଦାନରେ ହୋଇଥିବା ବିଳମ୍ବ ପାଇଁ ଡାକ ବିଭାଗକୁ ଦାୟୀ କରିଛନ୍ତି।   ଏହି ଯୋଜନା ଆରମ୍ଭ ହେବା ସମୟରେ ଶ୍ରମିକଙ୍କୁ ମଷ୍ଟର ରୋଲ ମାଧ୍ୟମରେ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଉଥିଲା। କିନ୍ତୁ କିଛି କାର୍ଯ୍ୟରେ ମିଥ୍ୟା ଶ୍ରମିକ ନିୟୋଜିତ ଏପରିକି ଚାକିରିଆ, ଶାରୀରିକ ଅକ୍ଷମ, ମୃତ ଓ ଦେଶାନ୍ତରୀ ଲୋକଙ୍କୁ ଶ୍ରମିକ ଦର୍ଶାଇ ମିଥା ବିଲ କରି ବାଟମାରଣା କରାଯାଇଥିବା ଭଳି ଗୁରୁତର ଅଭିଯୋଗ ହେବାରୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ଶ୍ରମିକଙ୍କୁ ବ୍ୟାଙ୍କ ଅଥବା ପୋଷ୍ଟ ଅଫିସ ଜମାଖାତା ମାଧ୍ୟମରେ ପାରିଶ୍ରମିକ ପୈଠ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଏହାସହ ସମସ୍ତ କାର୍ଯ୍ୟକୁ କମ୍ପ୍ୟୁଟର ମାଧ୍ୟମରେ ତଦାରଖ ସହ ଶ୍ରମିକଙ୍କ ପ୍ରାପ୍ୟରେ ଅନଲାଇନ ବ୍ୟବସ୍ଥା କରାଯାଇଥିବାରୁ ଅନେକ ସମୟରେ ନେଟୱାର୍କ ଅଚଳ ଯୋଗୁଁ ଏହା ସମ୍ପାଦନାରେ ବ୍ୟାଘାତ ସୃଷ୍ଟି ହେଉଥିବା ଓ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ୱ ହେଉଥିବା ଏହି ଯୋଜନାରେ ସଂଶ୍ଳିଷ୍ଟ କିଛି କର୍ମଚାରୀ ମତବ୍ୟକ୍ତ କରୁଛନ୍ତି। ତେଣୁ ତୁରନ୍ତ ଶ୍ରମିକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି।

Share :