ଗରିବ ଭୋଗିବେ ପାଗ ଦୁର୍ଦ୍ଦଶା

ଗରିବ ଭୋଗିବେ ପାଗ ଦୁର୍ଦ୍ଦଶା

Share :

  ପାଗ ପରିବର୍ତ୍ତନ ଯୋଗୁଁ ୨୦୩୦ ସୁଦ୍ଧା ପ୍ରତି ବର୍ଷ ଆହୁରି ଅଧିକ ୧.୫୦ ଲକ୍ଷ ଲୋକଙ୍କର ପ୍ରାଣହାନୀ ଘଟିବ। ଏମାନଙ୍କ ମଧ୍ୟରେ ଗରୀବ, ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ ହେବ। ଏଭଳି ଏକ ଆକଳନ କରିଛି ମିଳିତ ଜାତିସଂଘ ଅଧୀନସ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବା ହୁ। ପୁଷ୍ଟିହୀନତା, ମ୍ୟାଲେରିଆ, ଝାଡ଼ାବାନ୍ତି ଓ ଅତ୍ୟଧିକ ଗରମ ଯୋଗୁଁ ଏହି ଲୋକମାନେ ପ୍ରାଣ ହରାଇବେ ବୋଲି ହୁ କହିଛି।   ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ଯୋଗୁଁ ବିଶ୍ୱରେ ଆହୁରି ଅନେକ ପ୍ରକାର ପରିବର୍ତ୍ତନ ଘଟିଚାଲିଛି। ଏହି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ଭାବରେ ମଣିଷର ସ୍ୱାସ୍ଥ୍ୟ ଉପରେ  ପଡ଼ୁଛି। ପାଗ ପରିବର୍ତ୍ତନ ଯୋଗୁଁ କେତେକ ସଂକ୍ରାମକ ରୋଗର ଋତୁକାଳୀନ ଓ ଭୌଗୋଳିକ ସ୍ଥିତି ବଦଳି ଯାଉଛି। ଅଥାର୍ତ ଗୋଟିଏ ଅଂଚଳରେ ଏକ ନିର୍ଦ୍ଦିଷ୍ଟ ଋତୁରେ ଘଟୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାର ରୋଗ ସଂକ୍ରମଣ ଅନ୍ୟ ଋତୁ ଓ ଅନ୍ୟ ଅଂଚଳରେ ମଧ୍ୟ ଘଟିବାର ଆଶଙ୍କା ବୃଦ୍ଧି ପାଉଛି। ସେହିପରି ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନ ଯୋଗୁଁ ଖାଦ୍ୟ ଉପିାଦନ ଉପଯୋଗୀ ପରିବେଶ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ ହେବା କାରଣରୁ ଅଧିକରୁ ଅଧିକ ଲୋକ ମନ୍ଦପୁଷ୍ଟି ସଂକଟର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହି ସମାନ କାରଣରୁ ମଧ୍ୟ ଉଗ୍ର ଜଳବାୟୁର ପୌନଃପୌନିକତା ବୃଦ୍ଧି ପାଉଛି।   ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଅନୁସାରେ ଏହି ପରିବର୍ତ୍ତନ ମଧ୍ୟରେ ଶିଶୁ, ମହିଳା, ବୟସ୍କ ବ୍ୟକ୍ତି ଓ ଗରୀବ ଲୋକମାନଙ୍କର ରୋଗ ସଂକଟ ବୃଦ୍ଧି ପାଇବ ଅର୍ଥାତ ସେମାନେ ହିଁ ଏହା ଦ୍ୱାରା ଅଧିକ ପ୍ରଭାବିତ ହେବେ। ଏହା ଜନ ସମୁଦାୟ ମଧ୍ୟରେ ସ୍ୱାସ୍ଥ୍ୟଗତ ଅସମାନତା ବୃଦ୍ଧି କରିବ। ଏକବିଂଶ ଶତାବ୍ଦୀ ଶେଷ ବେଳକୁ ପାଗ ପରିବର୍ତ୍ତନ ପ୍ରକ୍ରିୟାରେ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ବୃଦ୍ଧି ପାଇବ। ଏହି ସମୟବେଳକୁ ମଧ୍ୟ ବିଶ୍ୱ ଓ ଆଂଚଳିକ ସ୍ତରରେ ମରୁଡ଼ିର ଭୟାବହତା ବୃଦ୍ଧି ପାଇବ ବା ସେତେବେଳକୁ ବିଶ୍ୱର ଅଧିକ ଅଂଚଳରେ ଅଧିକ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ଖାଦ୍ୟ ସଂକଟ ସୃଷ୍ଟି କରିବ। ଖାଦ୍ୟ ସଂକଟ ଜନିତ ମନ୍ଦପୁଷ୍ଟି କାରଣରୁ ଶିଶୁ, ମହିଳା ଓ ବୟସ୍କ ଲୋକମାନେ ଅଧିକ ରୋଗର ଶିକାର ହେବେ।   ବିଶ୍ୱର ଅନୁନ୍ନତ ଓ ଗରୀବ ରାଷ୍ଟ୍ରଗୁଡ଼ିକରେ ତାପମାତ୍ରା ବୃଦ୍ଧି ଓ ଆର୍ଦ୍ରତା ବିଚଳନ ଯୋଗୁଁ ପ୍ରଧାନ ଖାଦ୍ୟର ଅମଳ ଆଶଙ୍କାଜନକ ଭାବେ ହ୍ରାସ ପାଇବ। ଏଥିଯୋଗୁଁ ପୁଷ୍ଟିହୀନତା ଓ ମନ୍ଦପୁଷ୍ଟି ସମସ୍ୟା ଅଧିକ ଗମ୍ଭୀର ହେବ। ମନ୍ଦପୁଷ୍ଟି ଓ ପୁଷ୍ଟିହୀନତର କାରଣରୁ ଏବେ ବିଶ୍ୱରେ ପ୍ରତି ବର୍ଷ ହାରାହାରି ୩.୧ ନିୟୁତ ଲୋକ ଅସମୟରେ ପ୍ରାଣ ହରାଉଛନ୍ତି। ଆଗକୁ ଏହି ସମସ୍ୟା ଅଧିକ ଉତ୍କଟ ହେବ ଓ ସେଥିରେ ଅଧିକ ଲୋକ ପ୍ରାଣ ହରାଇବେ। ବିଶ୍ୱ ତାପନ ଯୋଗୁଁ ନିର୍ମଳ ପବନ ଓ ବିଶୁଦ୍ଧ ଜଳର ବିଶ୍ୱବ୍ୟାପୀ ଉପଲବ୍ଧି ପରିମାଣ କମିଯିବ। ସେଥିଯୋଗୁଁ ମଧ୍ୟ ଅନ୍ୟାନ୍ୟ ରୋଗ ବୃଦ୍ଧି ପାଇବ।   ଏସବୁ ବିଷୟକୁ ବିଚାରକୁ ନେଇ ବିଶ୍ୱ ଖାଦ୍ୟ ସଂସ୍ଥା କହିଛି ଯେ ଆସନ୍ତା ୧୫ ବର୍ଷ ଭିତରେ ବର୍ଷକୁ ହାରାହାରି ଅଧିକ ୩୮ ହଜାର ବୟସ୍କ ଲୋକ ପ୍ରାଣ ହରାଇବେ। ସେହିପରି ଏହି ସମୟ ମଧ୍ୟରେ ବାର୍ଷିକ ଅଧିକ ୪୮ ହଜାର ଲୋକ ଝାଡ଼ାବାନ୍ତିର ଶିକାର ହେବେ, ୬୦ ହଜାର ଲୋକ ମ୍ୟାଲେରିଆ ଓ ୯୫ ହଜାର ଶିଶୁ ମନ୍ଦପୁଷ୍ଟିରେ ମୃତ୍ୟୁବରଣ କରିବେ। ପାଗ ପରିବର୍ତ୍ତନ ଯୋଗୁଁ ଏବେ ସୁଦ୍ଧା ପ୍ରତି ବର୍ଷ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟୁଛି। ଏହି କାରଣୁ ଉପିନ୍ନ ହୋଇଥିବା ଉତ୍କଟ ବାୟୁ ପ୍ରଦୂଷଣ ଯୋଗୁଁ ମଧ୍ୟ ସଂପ୍ରତି ବିଶ୍ୱରେ ପ୍ରତି ବର୍ଷ ହାରାହାରି ୭ ନିୟୁତ ଲୋକ ପ୍ରାଣ ହରାଉଛନ୍ତି।   ୟୁରୋପ ମହାଦେଶରେ ୨୦୦୩ ମସିହାରେ ଅନୁଭୂତ ହୋଇଥିବା ଭୟଙ୍କର ତାପ ପ୍ରବାହରେ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଗତ ବର୍ଷ ଭାରତ ଓ ପାକିସ୍ଥାନରେ ମଧ୍ୟ ଏହି କାରଣରୁ ସହସ୍ରାଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

Share :