ମନ୍ତ୍ରୀ କହିଲେ ସରକାର ଦୁର୍ନୀତିଗ୍ରସ୍ତ

ମନ୍ତ୍ରୀ କହିଲେ ସରକାର ଦୁର୍ନୀତିଗ୍ରସ୍ତ

Share :

ମୋ ବିଚାରରେ ସମବାୟ ସମିତି ବିଭାଗରେ ବହୁ ଦୁର୍ନୀତି ହେଉଛି। ଦୁର୍ନୀତି କରୁଥିବା ସମବାୟ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ। କାରଣ କାର୍ଯ୍ୟାନୁଷ୍ଠାନ ନେବା ଓ ସମବାୟ ସମିତି ଆଇନକୁ ସଂଶୋଧନ କରିବାରେ ମୋ ପାଖରେ କ୍ଷମତା ନାହିଁ। ଏହା କହିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଓଡ଼ିଶା ରାଜ୍ୟ ସମବାୟ ୟୁନିଅନର ୬୮ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ସେ ନିଜର ଏହି ଅସହାୟତା ପ୍ରକଟ କରିବା ସହିତ ରାଜ୍ୟ ସରକାରରେ ଚାଲିଥିବା ଦୁର୍ନୀତି ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ସଂପତ୍ତି ଆହରଣ କରିବା ହେଉଛି ସାଧାରଣ ଲୋକର ପ୍ରବୃତ୍ତି। ସେହି ପ୍ରବୃତ୍ତିରୁ ନିବୃତ୍ତ ରହିଲେ ଜଣେ ଭଲ ନେତା ହୋଇପାରିବ। କିନ୍ତୁ ବର୍ତ୍ତମାନ ନେତାମାନଙ୍କର ସଂପତ୍ତି ଆହରଣ କରିବା ମୁଖ୍ୟ ପ୍ରବୃତ୍ତି ହୋଇଛି ବୋଲି ସେ କହିଛନ୍ତି। ମୋର ସବୁ କାମ କରିବାର ଇଚ୍ଛା ରହିଛି। କିନ୍ତୁ ସେଥିପାଇଁ ମୋ ପାଖରେ ପାୱାର ନାହିଁ ବୋଲି ରାଜ୍ୟ ସମବାୟ ଓ ଅବାକରୀ ମନ୍ତ୍ରୀ ଡା.ଦାମୋଦର ରାଉତ ପ୍ରକାଶ କରିଛନ୍ତି।   ଏହି ସଭାରେ ରାଜ୍ୟ ସମବାୟ ୟୁନିୟନର ସଭାପତି ହେମନ୍ତ ନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ ଓ ଅବକାରୀ ମନ୍ତ୍ରୀ ଡା. ରାଉତ କହିଥିଲେ ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ। ଏଠି ଚାଷ ହେଉଛି ଲୋକମାନଙ୍କର ମୁଖ୍ୟ ବେଉସା। ଓଡ଼ିଶାରେ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଏ। ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ରାଜ୍ୟ ସମବାୟ ସମିତି କାମ କରୁଛି। କିନ୍ତୁ ରାଜ୍ୟ ସମବାୟ ସମିତିଗୁଡ଼ିକରେ କର୍ମଚାରୀମାନେ ଯେଉଁଭଳି ଦୁର୍ନୀତି କରୁଛନ୍ତି ସେଥିରେ ଚାଷୀ ଉପକୃତ ହୋଇପାରୁ ନାହିଁ। କିନ୍ତୁ ସମବାୟ ସମିତିର କର୍ମଚାରୀମାନେ କୋଟିପତି ହୋଇଯାଉଛନ୍ତି। ଏଭଳି ଏକ ସମ୍ୱେଦନଶୀଳ ପରିସ୍ଥିତି ଦେଇ ସମବାୟ ସମିତି ବିଭାଗ ଗତି କରୁଛି। ବଡ କଥା ହେଉଛି ଦୁର୍ନୀତି କରୁଥିବା କର୍ମଚାରୀଙ୍କ ଉପରେ ମୁଁ ନିଜେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ। କି ମୋ ପାଖରେ ସେ କ୍ଷମତା ନାହିଁ। ଯଦି କ୍ଷମତା ରହିଥାନ୍ତା ତେବେ ସେମାନଙ୍କୁ ଠିକ‌୍‍ କରି ଦିଅନ୍ତି ବୋଲି ସମବାୟ ମନ୍ତ୍ରୀ ଡା. ଶ୍ରୀ ରାଉତ କହିଥିଲେ।   ସେ ଆହୁରୀ ମଧ୍ୟ କହିଥିଲେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରୁ ଗ୍ରାମ ପଂଚାୟତ ହେଉଛି ଗୋଟିଏ  ଟାଉଟରୀ ବ୍ୟବସ୍ଥା। କେନ୍ଦ୍ର ଓ ରାଜ୍ୟ ସରକାର ଟଙ୍କା ଦେଲେ ସରପଂଚମାନେ ଟାଉଟରି କରି ବିକାଶ ନାଁରେ ମନଇଚ୍ଛା ଖର୍ଚ୍ଚ କରୁଛନ୍ତି। ବିକାଶ ପାଇଁ ଯାଉଥିବା ଟଙ୍କା ପ୍ରକୃତରେ ଟଙ୍କାଟିଏ ବି ଗାଁରେ ପହଞ୍ଚି ପାରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଟଙ୍କା ସମ୍ପୂର୍ଣ୍ଣ ଗ୍ରାମାଂଚଳଳର ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ ହୋଇପାରୁ ନାହିଁ। ଯଦି ଟଙ୍କାଟିଏ ସଂପୂର୍ଣ୍ଣ ଖର୍ଚ୍ଚ ହୁଅନ୍ତା ତେବେ ଆମ ରାଜ୍ୟ ସୁନା ହୋଇଯାଆନ୍ତା। ଯେଉଁ ଟଙ୍କାଟିଏ ଦିଲ୍ଲୀରୁ ଓ ଭୁବନେଶ୍ୱରରୁ ଯାଉଛି ସେ ଟଙ୍କାକୁ ରାଜନେତା ଓ ଅମଲାମାନେ ମିଶି ସବୁ ଖାଇ ଯାଉଛନ୍ତି ବୋଲି ଡାକ୍ତର ରାଉତ ସିଧାସଳଖ ଅଭିଯୋଗ କରିଛନ୍ତି।

Share :