ଜୁଆର ଆସିଲେ ଆତଙ୍କ ବଢ଼େ!

ଜୁଆର ଆସିଲେ ଆତଙ୍କ ବଢ଼େ!

Share :

ଅଜିତ କୁମାର ମଲ୍ଲିକ   ବିଭିନ୍ନ ସମୟରେ ସମୁଦ୍ର ଗର୍ଭରେ ସୃଷ୍ଟି ହେଉଥିବା ଲଘୁଚାପ ଅବପାତର ରୂପନେଇ ସାମୁଦ୍ରିକ ଝଡରେ ପରିଣତ ହେବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦାଙ୍କ ମନରେ ଭୟର ବାତାବରଣ ଖେଳିଯାଏ।  ଲଘୁଚାପ ଓ ଭୂମିକମ୍ପ  ହେବାମାତ୍ରେ ଭୟଙ୍କର ବିପତି ଆଶଙ୍କା କରି ଆତଙ୍କିତ ହୋଇପଡୁଛନ୍ତି ସମୁଦ୍ର ଉପକୂଳରେ ବସବାସ କରୁଥିବା ଲୋକମାନେ। ସେମାନଙ୍କେ ଜାଣତରେ କାଳକାଳ ଧରି ପ୍ରକୃତିର ବରଦାନ ସ୍ବରୂପ ରହି ଆସିଥିବା ଉପକୂଳର ସୁରକ୍ଷା ପ୍ରାଚୀର ଆଉ ନାହିଁ। ବାଲିବନ୍ତ, ଝାଉଁ ଓ ହେନ୍ତାଳ ଜଙ୍ଗଲ ଲୋପ ପାଇବା ଫଳରେ ସାମୁଦ୍ରିକ ଝଡ଼ରେ ଉପକୂଳ ପ୍ରତି ବିପଦ ସ୍ବତଃ ବହଗୁଣୀତ ହେଇଯାଉଛି। ତେଣୁ ଲୋକମାନେ ସାମାନ୍ୟ ପବନରେ ବି ବାତ୍ୟା ଓ ବତାସର ଆଶଙ୍କା କରୁଛନ୍ତି।   ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା ମହାବାତ୍ୟା ଯୋଗୁଁ  ଓଡ଼ିଶା ଉପକୂଳକୁ ଉଚ୍ଚ ସମୁଦ୍ରର ଜୁଆର ମାଡିଆସି ଜନବସତିକୁ ନିଶ୍ଚିହ୍ନ କରିବେଇଥିବା ବେଳେ ୨୫୦ରୁ ୩୦୦ କିଲାମିଟର ବେଗରେ ପବନ ପ୍ରବାହିତ ହୋଇ ବ୍ୟାପକ ଧନ ଜୀବନର କ୍ଷୟକ୍ଷତି କରିଥିଲା। ଠିକ‌୍‍ ଏହାର ୧୪ ବର୍ଷ ପରେ ପୁଣି ଥରେ ଅନୁରୂପ  ମହାବାତ୍ୟା ‘ଫାଇଲିନ’ ନାମକ ସାମୁଦ୍ରିକ ଝଡ ୨୦୧୩ ମସିହା ଅକ୍ଟୋବର ୬ ତାରିଖରେ  ବଙ୍ଗୋପସାଗରର ଦକ୍ଷିଣ-ପୂର୍ବଦିଗ ଉତ୍ତର ଆଣ୍ଡାମାନଠାରେ ସୃଷ୍ଟି ହୋଇଥିଲା। ପରବର୍ତ୍ତି ଅବସ୍ଥାରେ ଏହି ଲଘୁଚାପ ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଆଢ଼କୁ ମାଡି ଆସିଥିଲା। ୨୦୧୩ ମସିହା ଅକ୍ଟୋବର ମାସ ୧୨ ତାରିଖରେ ସାମୁଦ୍ରିକ ଝଡ ‘ଫାଇଲିନ’ର ପ୍ରଭାବରେ ଓଡିଶାର ୧୮ଟି ଜିଲ୍ଲାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି।   ଗଣମାଧ୍ୟମ ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆଗୁଆ ସତର୍କ କରାଯାଇଥିଲା। ବାତ୍ୟା ସଂପର୍କିତ ସତର୍କତା ସୂଚନା ପାଇ ଲୋକଙ୍କ ସମେତ ଗୃହପାଳିତ ପଶୁପକ୍ଷୀ ବାତ୍ୟା ଆଶ୍ରୟସ୍ଥଳୀ, ଉଚ୍ଚ କୋଠାଘର ଓ ବିଭିନ୍ନ ପ୍ରକାର ସୁରକ୍ଷିତ ସ୍ଥାନରେ ଧନ ଜୀବନ ଧରି ରହିଯାଇଥିଲେ। ଲୋକଙ୍କ ମଧ୍ୟରେ ସଚେତନତା ଯୋଗୁଁ ଏହି ମାହା ପ୍ରଳୟରୁ ଲୋକେ ରକ୍ଷା ପାଇ ଯାଇଥିବା ବେଳେ ବଡ ବଡ ବୃକ୍ଷ ଓ ଚାଳଘର ଧରାଶାୟୀ ହୋଇଯାଇଥିଲା। ହଜାର ହଜାର ହେକ୍ଟର ଚାଷ ଜମିରେ ଲୁଣାପାଣି ମାଡିଯାଇ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା।   ୨୦୧୪ ମସିହା ଅକ୍ଟୋବର ମାସ ୪ତାରିଖରେ  ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗର ଉତ୍ତର ଆଣ୍ଡାମାନ ସମୁଦ୍ର ମଧ୍ୟରେ  ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଅଧିକ ଘନୀଭୂତ ହୋଇଥିଲା। ଏହି ଘୂର୍ଣ୍ଣିବଳୟ ସାମୁଦ୍ରିକ ଝଡ ‘ହୁଡ‌୍‍ହୁଡ‌୍‍’  ଅବପାତର ରୂପ ନେଇ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଓ ଓଡ଼ିଶା ଉପକୂଳକୁ ମାଡି ଆସି ୧୨ ତାରିଖରେ ଉଭୟ ରାଜ୍ୟରେ ବ୍ୟାପକ କ୍ଷୟ କ୍ଷତି କରିଥିଲା। ସାମୁଦ୍ରିକ ଝଡ ‘ହୁଡ‌୍‍ହୁଡ‌୍‍’ ମାଡି ଆସୁଥିବା ଖବର ଶୁଣି ସମୁଦ୍ର ଉପକୂଳିଆ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ କରିଦିଆଯିବା ସହ ଉଚ୍ଚ ସ୍ଥାନ ଓ ବାତ୍ୟ ଆଶ୍ରୟସ୍ଥଳୀକୁ ଚାଲଯିବା ପାଇଁ କୁହାଯାଇଥିଲା। ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳର ଲୋକମାନେ କେବେ ବାତ୍ୟାର ପ୍ରକୋପ ଦେଖି ନ ଥିବା ବେଳେ ‘ହୁଡ‌୍‍ହୁଡ‌୍‍’ ସେମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲା।   ଚଳିତ ମୌସୁମୀ ଋତୁ ଆରମ୍ଭରୁ ସମୁଦ୍ର ଗର୍ଭରେ ଅମଳ ହେଲାଣି ଲଘୁଚାପର ଫସଲ। ଫଳରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମାଡିଆସି କୂଳ ଲଙ୍ଘୁଥିବା ବେଳେ ଆକାଶ ମେଘାଚ୍ଛନ୍ନ ହୋଇ ତୁହାକୁ ତୁହା ବର୍ଷା ହେବାରେ ଲାଗିଛି। ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଏହି ଲଘୁଚାପକୁ ନେଇ ଏବେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହି ଘଟଣାକୁ ନେଇ  ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସମୁଦ୍ର ସ୍ନାନ ନ କରିବା ପାଇଁ ବାରଣ କରାଯାଇ ଥିବାବେଳେ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ମତ୍ସଜୀବୀମାନଙ୍କୁ ନ ଯିବା ପାଇଁ ସତର୍କ କରି ଦିଆଯାଇଛି।   ସମୁଦ୍ର ଗର୍ଭରେ ସଂଗଠିତ ହେଉଥିବା ସାମୁଦ୍ରିକ ଝଡକୁ ପ୍ରତିହତ କରିବା ପାଇଁ ସମୁଦ୍ର କୂଳରେ ଥିବା ବାଲିବନ୍ତ, ଝାଉଁ ଜଙ୍ଗଲ ଓ ହେନ୍ତାଳବନଗୁଡିକ ପ୍ରାକୃତିକ ଓ ମନୁଷ୍ୟକୃତ ଅବକ୍ଷୟ ଯୋଗୁଁ ସାମୁଦ୍ରିକ ଝଡକୁ ପ୍ରତିହତ କରି ନପାରି ଅଧିକ କ୍ଷୟକ୍ଷତି କରୁଛି ବୋଲି ପରିବେଶବିତମାନେ ମତପୋଷଣ କରିଛନ୍ତି। ପରିବର୍ତ୍ତିତ ପାଣିପାଗ ଏବଂ ଉପକୂଳରେ ଜଙ୍ଗଲ ସମ୍ପଦ ଧ୍ୱଂସ ଏହି ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ଗତ ୧୭ ବର୍ଷ ମଧ୍ୟରେ ଭୟାବହ ଲଘୁଚାପ ଓ ଭୂମିକମ୍ପ ଯୋଗୁଁ ବିଭିନ୍ନ ଦେଶରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଯାଇଛି। ଏହି ସମୟରେ ସାମୁଦ୍ରିକ ଜୁଆର ମାଡିଯାଇ ବିଭିନ୍ନ ଦେଶର ଉପକୂଳରେ ଥିବା ଜନବସତିକୁ ନିଶ୍ଚିହ୍ନ କରିଦେଇଥିବାବେଳେ ଭୂମିକମ୍ପ ଯୋଗୁଁ ବହୁ ଲୋକ ମୃତାହତ ହୋଇଛନ୍ତି।   ଓଡ଼ିଶା ଉପକୂଳରେ ସାମୁଦ୍ରିକଝଡର ନିରାକରଣ ନିମନ୍ତେ ସରକାରଙ୍କ ତରଫରୁ ଯେଜନା ପ୍ରସ୍ତୁତି ଜରୁରୀ ହୋଇପଡ଼ିଛି। ଓଡ଼ିଶାର ଗୋପାଳପୁରଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ପ୍ରାୟ ୪୮୦ କିମି ସୁଦୀର୍ଘ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସୁବିସ୍ତୃତ ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣ ନିହାତି ଦରକାର। ଅଳ୍ପ କେତେକ ସ୍ଥାନରେ ପ୍ରାକୃତିକି ଭାବ ରହିଥିବା ଏହି ସାମୁଦ୍ରିକ ଜଙ୍ଗଲ ପ୍ରାକୃତିକ ବିପର୍ଯ୍ୟୟ ଓ ମନୁଷ୍ୟକୃତ କାରଣରୁ ଦ୍ରୁତଗତିରେ ଲୋପ ପାଉଛି। ସେଥି ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଝଡର ଆତଙ୍କ ବହୁଗଣୀତ ହୋଇଛି। ସମୁଦ୍ରର ଉଚ୍ଚ ଜୁଆର ବାଲିବନ୍ତ, ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣରେ ମାଡ଼ ହୋଇ ସମୁଦ୍ର ଗର୍ଭକୁ ଫେରି ଯାଇଥାଏ। ସମୁଦ୍ର ଉପକୂଳରେ ବସବାସ କରୁଥିବା ଲୋକଙ୍କର ଧନଜୀବନ ଏଥିପାଇଁ ସୁରକ୍ଷିତ ହୋଇଥାଏ।   ସେଥିପାଇଁ ପରିବେଶବିତ‌୍‍ମାନେ ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣକୁ ଉପକୂଳର ସୁରକ୍ଷା କବଚର ଆଖ୍ୟା ଦେଇଛନ୍ତି। ମାତ୍ର ଶିଳ୍ପାୟନ ଓ ସହରାୟନ ଆଳରେ ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣକୁ କାଟି ପଦା କରି ଦିଆଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ, ଗୃହୋପକରଣରେ ବ୍ୟବହୃତ ମୂଲ୍ୟବାନ କାଠ ଓ ଜାଳେଣୀ କାଠ ପାଇଁ ଲୋକମାନେ ସୁରକ୍ଷା କବଚ ସାଜିଥିବା ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣ ଲୁଟ କରିବା ଫଳରେ ବିସୃତ ସମୁଦ୍ର ଉପକୂଳ ଏବେ ଫାଙ୍କା ଦେଖାଗଲାଣି।   ଅନ୍ୟପକ୍ଷରେ ଉପକୂଳ ସୁରକ୍ଷା ଏବଂ ସାମୁଦ୍ରିକଝଡର ଆଶଙ୍କାକୁ ପ୍ରତିହତ କରିବା ପାଇଁ ପରିକଳ୍ପନା କରାଯାଉଥିବା ତଟ ରାଜପଥା ବା କୋଷ୍ଟାଲ ରୋଡ଼ ନିର୍ମାଣ ମଧ୍ୟ ସରକାରୀ ନାଲିଫିତା ତଳେ ପଡ଼ିରହିଛି। ତାହା ହେଲେ କିଛିଟା ସୁରକ୍ଷା ମିଳନ୍ତା।

Share :