ଢାକାରେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ

ଢାକାରେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ

Share :

ବିମଳ ପ୍ରସାଦ   ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ବେଳେ ବାଂଲାଦେଶ ପଟୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଖବର ପଢ଼ିବା ପରେ ବାଂଲାଦେଶ ବିଷୟରେ କିଛି କଥା କହିବାକୁ ଇଚ୍ଛା ହେଲା। ମୁସଲମାନବହୁଳ ଏହି ଦେଶର ଲୋକମାନେ ପ୍ରଥମେ ବଙ୍ଗାଳୀ, ପରେ ନିଜନିଜ ଧର୍ମର। ଆଉ ବଙ୍ଗାଳୀମାନେ ଭାରୀ ସଂସ୍କୃତିପ୍ରେମୀ। ଜଗନ୍ନାଥଙ୍କୁ ଭକ୍ତି କରୁଥିବା ଅସଲି ଭକ୍ତମାନେ ବାଂଲାଦେଶରେ ହଜାର ହଜାର ସଂଖ୍ୟାରେ ଏବେ ବି ଅଛନ୍ତି। ସେଇଥିପାଇଁ ରଥଯାତ୍ରା ଦିନ ରେଡ଼ିଓ ବାଂଲାଦେଶର ବିଭିନ୍ନ ବେତାର କେନ୍ଦ୍ରରୁ ପ୍ରଚାର ହୁଏ ଜଗନ୍ନାଥ ପୁରୀ ରଥଯାତ୍ରା ପ୍ରକରଣର ବିସ୍ତୃତ ବିବରଣୀ। କିନ୍ତୁ ଭାରତରେ ଆକାଶବାଣୀରେ ସେଭଳି କିଛି କାର୍ଯ୍ୟକ୍ରମ ସେଦିନ ପ୍ରଚାର ହୋଇଥାଏ କି? ସମ୍ଭବତଃ ନୁହେଁ। ନିରସ ଧାରାବିବରଣୀ ପ୍ରସାରଣ କଥା କହି ଭ୍ରମରେ ପକାନ୍ତୁନି।   ମହାପ୍ରଭୁଙ୍କ ନାମରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ୭ ଜୁଲାଇ ୧୯୮୧ରେ ପୁରୀରେ। ଏହି ବିଶ୍ୱବିଦ୍ୟାଳୟ ନିଜର ସଂକ୍ଷିପ୍ତ ନାମ ଏସଜେଏସଭି ଲେଖୁଛି। ଏହି ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ମାଧ୍ୟମ ସଂସ୍କୃତ ଏବଂ ବିଭିନ୍ନ ବିଷୟଗୁଡ଼ିକ ଧର୍ମଶାସ୍ତ୍ର ଆଧାରିତ। ତେଣେ ରାଜସ୍ଥାନ ସରକାର ଏକ ରାଜ୍ୟ ଆଇନ ବଳରେ ପ୍ରତିଷ୍ଠା କରିଛନ୍ତି ଜଗନ୍ନାଥ ୟୁନିଭର୍ସିଟି ୨୦୦୮ରେ ଜୟପୁରରେ। ଏହି ବିଶ୍ୱବିଦ୍ୟାଳୟ ନିଜର ସଂକ୍ଷିପ୍ତ ନାମ ଜେଏନୟୁ ଲେଖୁଛି। ଏହାର ଶିକ୍ଷାଦାନ ମାଧ୍ୟମ ଇଂଲିଶ‌୍ ଓ ହିନ୍ଦୀ। ହରିୟାଣା ସରକାର ମଧ୍ୟ ସେହି ଭଳି ଏକ ରାଜ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ୨୦୧୩ରେ, ଯାହାର ନାମ ରଖିଛନ୍ତି ଜଗନ୍ନାଥ ୟୁନିଭର୍ସିଟି ଏବଂ ଏହା ରହିଛି ଦିଲ୍ଲୀ ଏନସିଆର ଭିତରେ ବାହାଦୂରଗଡ଼-ଝାଝର ରୋଡ଼ରେ। ଏହି ବିଶ୍ୱବିଦ୍ୟାଳୟ ନିଜର ସଂକ୍ଷିପ୍ତ ନାମ ଜେୟୁ ଲେଖୁଛି। ଏହାର ଶିକ୍ଷାଦାନ ମାଧ୍ୟମ ଇଂଲିଶ‌୍ ଓ ହିନ୍ଦୀ।   ହେଲେ ଇସଲାମିକ୍ ଦେଶ ବାଂଲାଦେଶ ସମ୍ମାନର ସହ ଇତିହାସକୁ ସମ୍ମାନ ଦେଇ ଏକ ସଂସଦୀୟ ଆଇନ ପ୍ରଣୟନ କରି ୨୦୦୫ରେ ପ୍ରତିଷ୍ଠା କରିଛି ଜଗନ୍ନାଥ ବିଶ୍ୱବିଦ୍ୟାଳୟ ବା ବାଂଲା ଉଚ୍ଚାରଣ ଅନୁସାରେ ଜୋଗୋନ୍ନାଥ ବିଶୋବିଦ୍ଦାଲୋୟ (জগন্নাথ বিশ্ববিদ্যালয়)। ଇତିହାସରୁ ଜଣାପଡେ ଯେ ୧୮୫୮ରେ ପ୍ରଭାତୀଚରଣ ରୟ, ଅନନ୍ତବଂଧୁ ମଲ୍ଲିକ ଓ ବ୍ରଜସୁନ୍ଦର କଇତ୍ରଙ୍କ ପ୍ରତିଷ୍ଠିତ ହେଲା ଢାକା ବ୍ରାହ୍ମ ସ୍କୁଲ୍। ଏହାକୁ ମାଣିକଗଂଜର ଜଣେ ଜମିଦାର କିଶୋରୀଲାଲ ଚୌଧୁରୀ ୧୮୭୨ରେ ଅଧିଗ୍ରହଣ କରିବା ପରେ ଜଗନ୍ନାଥ ସ୍କୁଲ ନାମ ଦେଇଥିଲେ। ସମୟ କ୍ରମେ ଏହା ଇଣ୍ଟରମିଡ଼ିଏଟ‌୍ କଲେଜ - ଡିଗ୍ରୀ କଲେଜର ରୂପ ନେଇଥିଲା।   ୧୯୧୦ରେ ଟାଙ୍ଗାଇଲର ଜଣେ ଜମିଦାର ରାଜା ମନ୍ମଥ ରୟ ଚୌଧୁରୀ, ପ୍ରମଥ-ମନ୍ମଥ କଲେଜ୍ ଅଫ‌୍ ଟାଙ୍ଗାଇଲ ସହ ଜଗନ୍ନାଥ କଲେଜର ଅଧିସ୍ୱୀକୃତି ପାଇଲେ। ୧୯୨୧ରେ ୟୁନିଭର୍ସିଟି ଅଫ୍ ଢାକା ଖୋଲିବାରୁ ଏହାର ଡିଗ୍ରୀ ଶ୍ରେଣୀ ବନ୍ଦ ହୋଇଗଲା ଏବଂ ଏହାର ନାମ ହେଲା ଜଗନ୍ନାଥ ଇଣ୍ଟରମିଡ଼ିଏଟ‌୍ କଲେଜ୍। ତେବେ ୨୮ ବର୍ଷ ପରେ ୧୯୪୯ ମସିହାରେ ଏହା ପୁଣି ଡିଗ୍ରୀ କଲେଜର ରୂପ ନେଲା। ୧୯୬୮ରେ ଏହାକୁ ସରକାର ହାତକୁ ନେଲେ। ୧୯୮୨ରେ ଏହା ଏକ ସ୍ନାତକୋତ୍ତର କଲେଜରେ ପରିଣତ ହେଲା। ଶେଷରେ ବାଂଲାଦେଶ ଜାତୀୟ ସଂସଦରେ ୨୦୦୫ରେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫ ବଳରେ ଗଢ଼ିଉଠିଲା ଜଗନ୍ନାଥ ବିଶ୍ୱବିଦ୍ୟାଳୟ। ଢାକାର ସଦରଘାଟ ଅଞ୍ଚଳରେ ଥିବା ଏହି ବିଶ୍ୱବିଦ୍ୟାଳୟ ଏକ ପରିପୂର୍ଣ ଓ ପୂର୍ଣାଙ୍ଗ ଅନୁଷ୍ଠାନ। ଏବେ ସୁଦ୍ଧା କାର୍ଯ୍ୟ କରିଥିବା ୪ ଜଣ ଯାକ କୁଳପତି ହେଉଛନ୍ତି ମୁସଲମାନ। ଏହି ବିଶ୍ବବିଦ୍ୟାଳୟର ଏକ ବିଶାଳ ହଲ୍ ବା ସଭାଗୃହର ନାମ ମଧ୍ୟ ଜଗନ୍ନାଥ ହଲ୍ ରଖାଯାଇଛି।   ରେଡ଼ିଓ ବାଂଲାଦେଶ ବା ସେହି ଦେଶର ଜାତୀୟ ଟେଲଭିଜନ ଚ୍ୟାନେଲ ବିଟିଭିରେ ଶ୍ରୀ ଜଗନ୍ନାଥ ଚର୍ଚା ଶୁଣିଲେ କେହି ବି ବିଭୋର ହୋଇଉଠିବେ। ଆଶ୍ଚର୍ଯ୍ୟ ବି ହେବେ। ଯଦିଚ ତଥ୍ୟସବୁ ହିନ୍ଦୁ ଭକ୍ତମାନଙ୍କର, ତେବେ କାର୍ଯ୍ୟକ୍ରମ ସବୁକୁ ଭାବମୟ କରିବାରେ ମୁସଲମାନ ଟେକନିସିଆନମାନେ କାମ କରିଥାଆନ୍ତି।   ୨୦୧୫ରେ ପ୍ରସାର ଭାରତୀ ଘୋଷଣା କରିଥିଲା ବିଟିଭିର ତିନିଟି ଚ୍ୟାନେଲକୁ ଯୋଡ଼ିବ ଦୂରଦର୍ଶନ ମାଗଣା ଡିଟିଏଚରେ। କିନ୍ତୁ ସେପରି କିଛି କଲା ନାହିଁ। ଏହା ହେଉଛି ଭାରତ ସରକାରଙ୍କ ବଡ଼ଭାଇ ପଣିଆର ନମୁନା ଏବଂ ପଡ଼ୋଶୀ ରାଷ୍ଟ୍ର ସହ କୂଟନୈତିକ ସଂପର୍କର ରୂପରେଖ। ବାଂଲାଦେଶର ଜନସଂଖ୍ୟା ବିସ୍ଫୋରଣ ଯୋଗୁ ପେଟପାଟଣା ପାଇଁ ଲକ୍ଷ ଲକ୍ଷ ବାଂଲାଦେଶୀ ଆସି ଓଡ଼ିଶାରେ ଓ ସାରା ଦେଶରେ ବସ୍ତି ଓ ଗାଆଁ ବସେଇଛନ୍ତି। ଅନେକ ବସ୍ତିର ନାମ ଦେଇଛନ୍ତି ଆଜାଦ୍ ବସ୍ତି। ଆବେଗ ଓ ଆକ୍ରମଣ ଭିତରେ ତଫାତ୍ ବୁଝିବା ଦରକାର। ଆମଦେଶର ଗୁଇନ୍ଦା ସଂସ୍ଥାମାନେ ବୁଝୁନାହାନ୍ତି ସାମାଜିକ-ମାନବିକ-ମନୋବୈଜ୍ଞାନିକ ମୂଲ୍ୟବୋଧର ମହତ୍ତ୍ୱ। ସେଇଥିପାଇଁ ହଜାର ହଜାର ବର୍ଷ ଧରି ଚୀନ୍ ପାଇଁ ଭାରତୀୟମାନେ ହୋଇ ରହିଛନ୍ତି ଅବୋଧ୍ୟ ପ୍ରାଣୀ। ଆଉ ଭାରତ ସରକାର ଭାବୁଛି, ପଡ଼ୋଶୀ ରାଷ୍ଟ୍ର ନୁହେଁ, ବରଂ ଆମେରିକା ହିଁ ସମଗ୍ର ବିଶ୍ୱ। ସେହି ଭଳି ବାଂଲାଦେଶ ସହ ସଂପର୍କର ପରିଭାଷା କ’ଣ ହେବ, ତାହା ମୋଟେ ସ୍ଥିର ହୋଇପାରୁ ନାହିଁ।

Share :