ରଥଯାତ୍ରା ପାଇଁ ସାମୁଦ୍ରିକ ସୁରକ୍ଷା

ରଥଯାତ୍ରା ପାଇଁ ସାମୁଦ୍ରିକ ସୁରକ୍ଷା

Share :

  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ପୁରୀରେ କିଛିଦିନ ଧରି ଲାଗି ରହିଛି ଲକ୍ଷାଧିକ ଭକ୍ତଙ୍କ ଭିଡ। ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଭିଡକୁ ଲକ୍ଷ୍ୟ କରି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ସିସିଟିଭି କ୍ୟାମେରା ସହ ପୁଲିସ ମୁତୟନର ବ୍ୟବସ୍ଥା କରାଯାଇଛି।   ସମୁଦ୍ର ପଥରେ କୌଣସି ଅପ୍ରିତିକର ପରିସ୍ଥିତି ଏବଂ ସଂଗଦିଗ୍ଧ କାର୍ଯ୍ୟକଳାପକୁ ଏଡାଇବା ପାଇଁ ପୁରୀ ଜିଲ୍ଲାର ଚନ୍ଦ୍ରଭାଗା, ଅସ୍ତରଙ୍ଗ, ଅରକୁଦା ଓ ଫେଣ୍ଟକଟା ସାମୁଦ୍ରିକ ଥାନା ପକ୍ଷରୁ ସମୁଦ୍ର ପଥରେ ଯାତାୟାତ କରୁଥିବା ବୋଟ, ଡଙ୍ଗା, ନୌକା ଆଦି ଉପରେ କଡା ନଜର ରଖାଯାଉଛି। ଏହି ସମୁଦ୍ରିକ ଥାନାମାନଙ୍କ ପକ୍ଷରୁ ସମୁଦ୍ର ପଥରେ ଆସୁଥିବା ସଂଗଦିଗ୍ଧ ଅନୁପ୍ରବଶକାରୀଙ୍କୁ ରୋକିବା ପାଇଁ ୪ ଜଣ ଇନିସ୍ପେକ୍ଟର, ୫ ଜଣ ସବ-ଇନିସ୍ପେକ୍ଟର, ୫ ଜଣ ଏ.ଏସ.ଆଇ, ୬ ଜଣ ହାବିଲଦାର, ୩୦ ଜଣ କନେଷ୍ଟବଳ ମୁତୟନ ହୋଇଛନ୍ତି।   ସମୁଦ୍ର ପଥରେ ପାଟ୍ରୋଲିଙ୍ଗ ନିମନ୍ତେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାକୁ ଦୁଇଟି ଏବଂ ଅସ୍ତରଙ୍ଗ ସାମୁଦ୍ରିକ ଥାନାକୁ ଗୋଟିଏ ଇଣ୍ଟରସେପ୍ଟର ବୋଟ ଯୋଗାଇ ଦିଆଯାଇଛି। ଏହି ୩ଟି ଅତ୍ୟାଧୁନିକ ଇଣ୍ଟରସେପ୍ଟର ବୋଟରେ ୨୦ଜଣ ବୈଷୟିକ ଜ୍ଞାନ ସମ୍ପନ୍ନ ସାମୁଦ୍ରିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୫ ଟନ ବିଶିଷ୍ଟ ଅତ୍ୟାଧୁନିକ ଇଣ୍ଟରସେପ୍ଟର ବୁଲେଟ ପ୍ରୁଫ ବୋଟଗୁଡିକ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏହି ବୋଟି ୧୪ ଜଣ ପୁଲିସ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଘଣ୍ଟାକୁ ୭୦/୮୦ କିଲୋମିଟର ବେଗରେ ଗତି କରିବାର କ୍ଷମତା ରଖୁଥିବା ବେଳେ ବୋଟରେ ଲାଇଫି ଜ୍ୟାକେଟ, ଦୂରବୀକ୍ଷଣ ଯନ୍ତ୍ର, ସର୍ଚଲାଇଟି, ଭିଏଚଏଫ ଓ ଅନ୍ୟାନ୍ୟ ସୁବିଧାମାନ ରହିଛି।   ରଥଯାତ୍ରା ଅବସରରେ ପ୍ରତିଦିନ ଚନ୍ଦ୍ରଭାଗା ଥାନାଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ରାମଚଣ୍ଡୀଠାରୁ ପୁରୀ ଆଡକୁ ଓ ବିପରିତ ଦିଗରେ କେଲୁଣୀ ମୁହାଣ ପର୍ଯ୍ୟ ଏବଂ ସମୁଦ୍ର ଗର୍ଭର ୨୦କିଲୋମିଟର ପର୍ଯ୍ୟନ୍ତ ଜଳ ପଥରେ ପାଟ୍ରୋଲିଂ କରି ଅନୁପ୍ରବେଶ କାରୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଉଛି। ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ସାମୁଦ୍ରିକ ଥାନା ପକ୍ଷରୁ ସ୍ୱତନ୍ତ୍ର ସୂରକ୍ଷା ବେବସ୍ତା କରାଯାଇଛି ବୋଲି ସାମୁଦ୍ରିକ ଥାନା ପୁଲିସ ଆଇ.ଜି. ବିଦ୍ୟୁତ ଲତା ନାୟକ ସୂଚନା ଦେଇଛନ୍ତି।

Share :