୪ ବର୍ଷ ହେଲା ବିଜୁଳି ନାହିଁ

୪ ବର୍ଷ ହେଲା ବିଜୁଳି ନାହିଁ

Share :

            ସରକାର ବିପିଏଲ ପରିବାରଙ୍କୁ ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନାରେ ସାମିଲ କରି ମାଗଣା ବିଦ୍ୟୁତ ସେବା ଦିଆଯାଉଛି ବୋଲି ଟିଣ୍ଡିମ ପିଟୁଥିବା ବେଳେ ଇଲେକ୍ଟ୍ରି ବୋର୍ଡ ଓ ମିଟର ଲାଗି ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଦ୍ୟୁତ ସଂଯୋଗ ନହେବା ଘଟଣା ସରକାରଙ୍କ ନିଷ୍ଠା ଓ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।   କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ଚିଲିଚିଲା ଗ୍ରାମ। ଏଠାରେ ୪ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ଜାତିର ଲୋକ ରହୁଛନ୍ତି ଓ ଏଠାରେ ୫୦୦ରୁ ଉର୍ଦ୍ଧ୍ୱ ବିପିଏଲ ହିତାଧିକାରୀ ରହିଛନ୍ତି। ଏହି ବିପିଏଲ ହିତାଧିକାରୀଙ୍କ ପାଇଁ ଗତ ୪ ବର୍ଷ ହେବ ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନାରେ ଇଲେକ୍ଟ୍ରି ବୋର୍ଡ, ମିଟର ଘରେ ଲାଗିବା ସହିତ ଗାଁରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଲଗାଯାଇଛି। ହେଲେ ପରିତାପର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗାଁକୁ ବିଦ୍ୟୁତ ତାର ଟଣା ନଯିବାରୁ ଏହାକୁ ନେଇ ଗ୍ରାମବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।   ରାଜ୍ୟ ଓ କେନ୍ଦ୍ର ସରକାର ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଯୋଜନା ଉପରେ ଯୋଜନା ଘୋଷଣା କରିଛନ୍ତି। ତେବେ ଏହି ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଜାଣିବା ପାଇଁ ନେତା କିମ୍ୱା ପ୍ରଶାସନ ପାଖରେ ଖବର ନଥାଏ। ଫଳରେ ସରକାରଙ୍କ ଯୋଜନା କାଗଜ କଲମରେ ସୀମିତ ହୋଇ ରହିଯାଏ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଚିଲିଚିଲା ଗ୍ରାମକୁ ବିଦ୍ୟୁତ ସଂଯୋଗ ଉପରେ ଧର୍ମଗଡ ସହକାରୀ ବିଦ୍ୟୁତ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଆଗାମୀ ୩ ମାସ ମଧ୍ୟରେ ଅନ୍ୟ ଯୋଜନାରୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଯଦି ୩ ମାସ ମଧ୍ୟରେ ଏହି ଗ୍ରାମକୁ ବିଦ୍ୟୁତ ସଂଯୋଗ କରା ନଯାଏ ତେବେ ଗ୍ରାମବାସୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହିତ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share :