କେନ୍ଦ୍ରାପଡ଼ା ମେଣ୍ଢା, ବିଞ୍ଝାରପୁରୀ ଗାଈ

କେନ୍ଦ୍ରାପଡ଼ା ମେଣ୍ଢା, ବିଞ୍ଝାରପୁରୀ ଗାଈ

Share :

  ସମଗ୍ର ବିଶ୍ବର ପ୍ରଧାନ ଖାଦ୍ୟଶସ୍ୟ ଧାନର ପ୍ରାଚୀନତମ ଭଣ୍ଡାର ହେଉଛି ଓଡ଼ିଶା। ଓଡ଼ିଶାର କୋରାପୁଟ ଅବବାହିକାରେ ସର୍ବପ୍ରଥମେ ଧାନଚାଷ ଆରମ୍ଭ ହୋଇଥିଲା। ଓଡ଼ିଶାରେ ଏକଦା ୪୦ ହଜାରରୁ ଅଧିକ ପ୍ରକାରର ଧାନ ବିହନ ଥିଲା। ଏ ତଥ୍ୟ ଦେଇଛନ୍ତି ବିଶିଷ୍ଟ କୃଷି ବିଜ୍ଞାନୀ ଏମଏସ ସ୍ବାମୀନାଥନ। ପ୍ରଫେସର ଦେବଳ ଦେବ ଓ ବିଶିଷ୍ଟ କୃଷକ ନଟବର ଷଡ଼ଙ୍ଗୀ ପରି ଅନେକ ଧାନ ଗବେଷକ ମଧ୍ୟ ଅନେକ ବିରଳ ଧାନର ଜନ୍ମପୀଠ ଓଡ଼ିଶା ବୋଲି ପ୍ରମାଣିତ କରିସାରିଛନ୍ତି।   ଏବେ ଓଡ଼ିଶା ପ୍ରକୃତିର ଅନ୍ୟ କେତେକ ଗରିମା ପଦାକୁ ଆସିଛି। ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ କେନ୍ଦ୍ରାପଡ଼ା ଅଂଚଳର ମେଣ୍ଢା ହେଉଛନ୍ତି ବିଶ୍ବର ସର୍ବୋତ୍କୃଷ୍ଟ ୬ ପ୍ରକାର ମେଣ୍ଢାଙ୍କ ମଧ୍ୟରେ ଅନ୍ୟତମ। ଭାରତର ସର୍ବୋତ୍କୃଷ୍ଟ ମେଣ୍ଢାଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ମେଣ୍ଢାଙ୍କ ସ୍ଥାନ ଦ୍ବିତୀୟ ବୋଲି କୁହାଯାଉଛି। ଭାରତ ସରକାର କେନ୍ଦ୍ରାପଡ଼ା ମେଣ୍ଢାଙ୍କୁ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ଭାରତରେ ମୋଟ ୩୯ ପ୍ରଜାତିର ମେଣ୍ଢା ଦେଖାଯାଆନ୍ତି।   କେନ୍ଦ୍ରାପଡ଼ା ମେଣ୍ଢା କେବଳ ସେହି ଜିଲ୍ଲାରେ ଦେଖାଯାଆନ୍ତି ନାହିଁ। ଏମାନେ କୋଣାର୍କରୁ ଆରମ୍ଭ କରି ଚାନ୍ଦାବାଲି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଦେଖାଯଆନ୍ତ। ଏସବୁ ଅଂଚଳର ପାରମ୍ପାରିକ ପଶୁପାଳକମାନେ ଏହି ପ୍ରାକୃତିକ ପ୍ରଜାତିର ମେଣ୍ଢା ଚାଷ କରି ବେଶ୍ ଦୁଇ ପଇସା ଅର୍ଜନ କରିଥାନ୍ତି। ଏ ପ୍ରଜାତିର ମେଣ୍ଢାଙ୍କ ମାଂସ ଉନ୍ନତ କିସମର। ଏମାନେ ୮ ମାସରେ ଥରେ ଛୁଆ ଜନ୍ମ କରିଥାନ୍ତି। ଥରକେ ଦୁଇ ବା ତତୋଧିକ ଛୁଆ ଦେବାର କ୍ଷମତାର ଅଧିକାରୀ ଏସବୁ ମେଣ୍ଢା। ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଅଧିକ। ଏହି ମେଣ୍ଢା ପ୍ରଜାତିର ଲୋକପ୍ରିୟତା ବୃଦ୍ଧି କରିବା ଦିଗରେ ରାଜ୍ୟ ସରକାର ଯୋଜନାବଦ୍ଧ ଉଦ୍ୟମ କଲେ ଓଡ଼ିଶାର ମେଣ୍ଢାଚାଷୀମାନେ ଏହାର ବିପଣନରୁ ବିପୁଳ ଅର୍ଥ ଉପାର୍ଜନ କରିବାର ସମ୍ଭାବନା ରହିଛି।   ସେହିପରି ଓଡ଼ିଶାର ଅନ୍ୟ ଏକ ବିରଳ ପଶୁ ପ୍ରଜାତି ହେଲା ବିଞ୍ଝାରପୁରୀ ଗାଈ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଂଚଳରେ ପ୍ରଥମେ ଏଇ ପ୍ରଜାତିର ଗାଈଙ୍କୁ ଚିହ୍ନଟ କରାଯାଇଥିବାରୁ ଏପରି ନାମରକଣ ହୋଇଛି। ଏହି ପ୍ରଜାତିର ଗାଈ ଯାଜପୁର ଜିଲ୍ଲାର ବରୀ, ସୁଜନପୁର, ଦଶରଥପୁର ଓ ପଡ଼ୋଶୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ପଂଚାୟତରେ ମଧ୍ୟ ଦେଖାଯାଆନ୍ତି। ଏହି ତିନି ଜିଲ୍ଲାର ପାରମ୍ପାରିକ ଗୋପାଳକମାନେ ଜର୍ସି ଓ ହୋଲ୍‌ଷ୍ଟନ୍ ପରି ଅଧିକ ଦୁଧ ଦେଉଥିବା ଗାଈଁ ଅପେକ୍ଷ ବିଞ୍ଝାରପୁରୀ ଗାଈଙ୍କ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି। ଏହି ପ୍ରଜାତିର ଗାଈଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ। ଜର୍ସି ଓ ହୋଲ୍‌ଷ୍ଟେନ୍ ଆଦି ଶଙ୍କର ଜାତୀୟ ଗାଈ ଦେହକରେ ଚାରି ପାଞ୍ଚ ଥର ଛୁଆ ଦେଲାବେଳେ ବିଞ୍ଝାରପୁରୀ ଗାଈ ଦେହକରେ ୮-୧୦ ଥର ଛୁଆ ଦେଇଥାନ୍ତି। ଛୁଆ ଦେବାଠାରୁ ଗର୍ଭ ସଂଚାର ମଧ୍ୟରେ ବ୍ୟବଧାନ ଭିତରେ ଏହି ପ୍ରଜାତିର ଗାଈ କ୍ଷୀର ଦେବା ବନ୍ଦ କରେ ନାହିଁ। ଏଗୁଡ଼ିକ ସୁଧାର ଓ ପୋଷା ମାନନ୍ତି।   ଏହି ଧରଣର ଗାଈଙ୍କ ବଂଶରକ୍ଷା ଓ ବୃଦ୍ଧି ଦିଗରେ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରଙ୍କ ଏ ଉଦ୍ୟମ ଦୁର୍ନୀତି ବାଟରେ ନିଷ୍ଫଳ ହେବାର ସମ୍ଭାବାନ ଯଥେଷ୍ଟ ଅଧିକ। ତଥାପି ବିଞ୍ଝାରପୁରୀ ଗାଈଙ୍କ ବଂଶ ବିସ୍ତାର ପାଇଁ ସରକାର ପାରମ୍ପାରିକ ଗୋପାଳକଙ୍କଠାରୁ ୬ଟି ଷଣ୍ଢ ସଂଗ୍ରହ କରି କଟକର ଏକ ଫାର୍ମରେ ରଖିଛନ୍ତି। ସେହି ଷଣ୍ଢ ଜରିଆରେ ବିଞ୍ଝାରପୁରୀ ପ୍ରଜାତିର ବଂଶ ବିସ୍ତାର କରାଯିବ। ବିଞ୍ଝାରପୁରୀ ଗାଈ ବ୍ୟତିତ ଓଡ଼ିଶା ମୋଟୁ, ଘୁମୁସର ଓ ଖଡ଼ିଆଳ ଅଂଚଳରେ ମଧ୍ୟ ତିନି ପ୍ରକାର ସ୍ବତନ୍ତ୍ର ପ୍ରଜାତିର ପାରମ୍ପାରିକ ଗାଈ ଦେଖାଯାନ୍ତି। ସେହି ତିନି ପ୍ରକାରକୁ ମଧ୍ୟ ଜାତୀୟ ସ୍ତରରେ ମାନ୍ୟତା ମିଳିଛି। ସମଗ୍ର ଦେଶରେ ୩୪ ପ୍ରକାର ଗାଈ ଅଛନ୍ତି। ସେଥିରୁ ଓଡ଼ିଶାରେ ୪ ପ୍ରକାର ସ୍ବତନ୍ତ୍ର ପ୍ରଜାତି ରହିଛନ୍ତି।   ସମଗ୍ର ଦେଶରେ ୧୩ ପ୍ରକାର ମଇଁଷି ଅଛନ୍ତି। ସେଥି ମଧ୍ୟରେ ଓଡ଼ିଶାର ଦୁଇ ପ୍ରକାର ମଇଁଷି ଅନ୍ତର୍ଭକ୍ତ। ଓଡ଼ିଶାର ଦୁଇ ପ୍ରକାର ସ୍ବତନ୍ତ୍ର ପ୍ରଜାତିର ମଇଁଷି ସାଧାରଣତଃ ଚିଲିକା ଓ କଳାହାଣ୍ଡି ଅଂଚଳରେ ଚିହ୍ନଟ ହୋଇ ସେହି ନାମ ବହନ କରୁଛନ୍ତି।

Share :