ସ୍ପିନ୍ ମାଷ୍ଟରଙ୍କ ମୁଣ୍ଡ ଖରାପ୍!

ସ୍ପିନ୍ ମାଷ୍ଟରଙ୍କ ମୁଣ୍ଡ ଖରାପ୍!

Share :

ବରଗଡ଼ରେ ବିଜେଡିର ଗୁଣ୍ଡାଗିରି! କେନ୍ଦ୍ରମନ୍ତ୍ରୀଙ୍କୁ ଢେଲାମାଡ଼। ୩୦୭ ଦଫା ଦାବି। ରାଷ୍ଟ୍ରପତି ଶାସନ ଧମକ୍।   ବଡ଼ ବ୍ୟସ୍ତ ହୋଇପଡ଼ିଲେ ମୁଖିଆ। ସ୍ପିନ୍ ମାଷ୍ଟରଙ୍କୁ ନିର୍ଦ୍ଦେଶ ଦେଲେ, କ’ଣ ହେଲେ କିଛି କର! ନହେଲେ ବରଗଡ଼ ଉପରେ ଯେତେ ଚର୍ଚ୍ଚା ହେବ ଆମ ହାଲତ ସେତିକି ଖରାପ ହେବ। ଲୋକେ ବୁଝିଯିବେ ଏ ସରକାର ନିରପେକ୍ଷ ନୁହେଁ। ଜାନକୀ ଯୁଗ ସହିତ ନବୀନ ଯୁଗ ସମାନ। ଭୋଟ କମିବ। ଗାଦି ପଳେଇବ! ନା, ଏହା ଅସହ୍ୟ।   ସେଇଠୁ ମଗଜରୁ ବାହାରିଲା ଧାନ ଉପରେ ବୋନସ୍ ଓ ବୁଣାକାର ସ୍ବାସ୍ଥ୍ୟବୀମା ନେଇ କେନ୍ଦ୍ର ଅବହେଳା ପ୍ରସଙ୍ଗ। କିନ୍ତୁ ଦାନା ଧରିଲା ନାହିଁ।   ଲୋକେ କହିଲେ, ଧାନର ସର୍ବନିମ୍ନ ସଂଗ୍ରହ ଦର ଧାର୍ଯ୍ୟ ହେଲାବେଳେ ତ କାହିଁ ପ୍ରତିବାଦ କରି ନଥିଲ? ବୋନସ ଦାବି କରୁଥିବା ନବ ନିର୍ମାଣ କୃଷକ ସଂଗଠନର କର୍ମୀଙ୍କୁ ତ କେତେ ଥର ଗିରଫ କଲଣି। ନୂଆପାଟଣା ଅଂଚଳର ଅନେକ ବୁଣାକାର ବୟନିକାରୁ ଦେୟ ନପାଇ ଆତ୍ମହତ୍ୟା କରିବା ଖବର କେତେ ଥର ବାହାରିଲାଣି।   ଆଉ ଥରେ ଚକ୍କର ଖାଇଲେ ମୁଖିଆ। ଆରେ, ଇଏତ ଓଲଟା ଫଳିଲା! ଆଉ କିଛି କର!   ଠିକ ସେଇ ସମୟରେ ଗିରଫ ହେଲ ଓସ୍କାର ମାଲିକ ପ୍ରଭାସ ରାଉତ। ମୌକା ମିଳିଲା, ସ୍ପିନ୍ ମାଷ୍ଟର ଚଲେଇଲେ ଓସ୍କାର-ଓଲିଉଡ଼ ଲିଙ୍କ। ପ୍ରଥମେ ପଦାକୁ ଆସିଲା ଉତ୍ତମ ମହାନ୍ତି, ଲିପି ମହାପାତ୍ର, ଜିନା ସାମଲ ଓ ପପୁ ପମ ପମ ଲିଙ୍କର ପ୍ରମାଣ। ସ୍ପିନ୍ ମାଷ୍ଟର ଖୁସ୍। ପପୁ ତ ହାରି ଯାଇଛି। ସେ ବଦନାମ ହେଲେ କ୍ଷତି ନାହିଁ।   କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ! ଦଳର ଦି’ଟା ଏମପି ବି ଓସ୍କାର ପଙ୍କରେ ବୁଡ଼ିଥିଲେ! ଲୋକସଭାର ସିଦ୍ଧାନ୍ତ ମହାପାତ୍ର ଓ ରାଜ୍ୟସଭାର ଅନୁଭବ ମହାନ୍ତି ବି ଓସ୍କାର ଫିଲ୍ମ କରିବା କଥା ପଦାକୁ ଆସିବାରୁ ତାଙ୍କୁ ବି ଜେରା କରିବାକୁ ଦାବି ହେଲା।   ବିବାଦ ଓ ବିତର୍କର ବିଷୟ ପୁଣି ବଦଳିଲା। ଏଥର ଟିକେ ଯୋଜନାବଦ୍ଧ ଭାବରେ। ଗଣମାଧ୍ୟମରୁ ସମସ୍ତେ ଯୌନ ବିଷୟ ଦେଖିବାକୁ ବା ପଢ଼ିବାକୁ ଭଲ ପାଆନ୍ତି। ସେଇ ବିଷୟକ କିଛି ଘଟଣା ପଦାକୁ ଆସିଲେ, ଆଉ ଯିଏ ବଦନାମ ହେଉ ପଛକେ ଦଳ, ସରକାର ଓ ମୁଖ୍ୟ୍ୟମନ୍ତ୍ରୀ ବଂଚିଯିବେ।   ତେଣୁ ଖୋଜି ଖୋଜି ଗୋଟେ ଦେଢ଼ ବର୍ଷ ତଳର ଘଟଣା ବାହାର କରାଗଲା। ଓସ୍କାର ଚିଟ୍ ଫଣ୍ଡରେ ପପୁ ବଦନାମ ହୋଇଛି, ସେଥିରେ ଗିରଫ କଲେ ଦଳ ବଦନାମ ହେବ। ଏଇ କାଷ୍ଟିଂ କାଉଚ ଗୋଟେ ଭଲ କେସ୍। ପୁଲିସକୁ କୁହାଗଲା, ତଦନ୍ତ କର, ଗିରଫ କର। ତେଣେ ଦଳୀୟ ବିଧାୟକ ଓ ଅନ୍ୟମାନଙ୍କୁ କୁହାଗଲା, ପପୁକୁ ସାହାଯ୍ୟ କର, ଲୁଚାଇ ପକାଅ। ପ୍ରସଙ୍ଗ କିଛି ଦିନ ଗଢ଼ିଯାଉ। ଡାକ୍ତର ମୋତିଲାଲ ନଟବରଲାଲ ଖବର ଲୁଚିଯାଉ।   ପପୁ ତ’ ଦଳର ଲୋକ। ଦଳର କିଛି ଟୋକା ବିଧାୟକ ତା’କୁ ସାହାଯ୍ୟ କରୁ କରୁ ମାମଲା ମୋଡ଼ ବୁଲିଲା, ଆସିଲା ଟୁଇଷ୍ଟ। ନାବାଳିକାର ବାପା କହିଲେ, ପପୁ ଆମର ଭଲ ପିଲା। ଘଟଣା ଦେଃ ବର୍ଷ ତଳର। ରଫାଦଫା ସରିଛି। ଆଉ ଉଠାଇ ଲାଭ ନାହିଁ। ବରଂ କ୍ଷତି। କୋର୍ଟକୁ ଯାଇଥିବା ଝିଅ ମୋର ନୁହେଁ। ଆଉ କେହି।   ପ୍ରଶ୍ନ ଉଠିଲା, ନାବାଳିକାର ବାପାକୁ କିଏ ବାଧ୍ୟ କଲା, ୧୫ ଲକ୍ଷ ଟଙ୍କା ତାଙ୍କୁ କିଏ ଯାଚିଲା, ବିଜେଡି ନେତାଙ୍କ ଭୂମିକା କ’ଣ? ମଲା ମଣିଷ! ଏବେ କ’ଣ କରିବ? ଅଖା ଧୋଉଥିବା ଗୁଣ ଗାଉଥିବ! ପୁଲିସ ସନ୍ଦେହ ଘେରକୁ ଆସିଲା। ଷଡ଼ଯନ୍ତ୍ର ଉନ୍ମୋଚନ ହେବାର ଆଶଙ୍କା।   ଉଠିଲା ଛତିଶଗଡ଼ ମହାନଦୀ ପ୍ରସଙ୍ଗ। ଆଉ ଏକ ଟୁଇଷ୍ଟ। ଅତି ପୁରୁଣା କଥାକୁ ନୂଆ କରିବାକୁ ଚେଷ୍ଟା। ହେଲେ, ତା’ ବି ବୁମେରାଂ। ଓଡ଼ିଆଙ୍କୁ ବିଜେପି ବିରୋଧୀ କରାଇବା ସହିତ ନବୀନଙ୍କ ଭାବମୂର୍ତ୍ତି ବଢ଼ାଇବାକୁ ଯାଇଁ ପୁଣି ଥରେ ପଦାରେ ପଡ଼ିଲା ତାଙ୍କ ଅପାରଗତା ଓ ଶିଖିମନାଇ ରାଜନୀତି। ସେ ଏନଡିଏରେ ଥିଲାବେଳେ ଛତିଶଗଡ଼ର ବିଜେପି ସରକାର ମହାନଦୀ ଉପରମୁଣ୍ଡରେ ବନ୍ଧ ଓ ବ୍ୟାରେଜ ଯୋଜନା କରିଥିଲେ। ନବୀନ ବିରୋଧ କରିନଥିଲେ। ଦଶ ବର୍ଷ ହେଲାଣି ଛତିଶଗଡ଼ କାମ ଚାଲୁ ରଖିଥିଲେ ବି ନବୀନ ସରକାର କିଛି ଜାଣୁ ନଥିଲେ। ନିଜେ ନବୀନ ରାଜ୍ୟର ଜଳସଂପଦ ମନ୍ତ୍ରୀ ଅଛନ୍ତି ପ୍ରାୟ ଦଶନ୍ଧିଏ ହେଲା। ତେଣୁ ଦୋଷ ସବୁ ତାଙ୍କରି ଉପରେ ଅଜାଡ଼ି ହେବା ଥୟ।   ତେଣୁ ସ୍ପିନ୍ ମାଷ୍ଟରଙ୍କ ପେଡ଼ିରୁ ବାହାରିଲା ବୁଦ୍ଧିଆ ସିଂହ ଘଟଣା। ଭାବିଥିଲେ ଓଡ଼ିଶା ଲୋକଙ୍କ ନଜର ବୁଲେଇ ହବ। କିନ୍ତୁ ସେଥିରେ ବି ଫସିଲେ ସରକାର। ଲୋକେ ପଚାରିଲେ ବୁଦ୍ଧିଆ ଭଳି ଜାତୀୟ ସଂପତ୍ତି ମାସାଧିକ କାଳ ହେଲାଣି ନିଖୋଜ ଅଛି! କ’ଣ କରୁଥିଲେ ସରକାର? ବାସ୍, କଥା ସେତିକିରେ ବୁଲିଲା। ଖବର ଦିଆଗଲା, ବୁଦ୍ଧିଆ ମୁମ୍ବାଇ ଯାଇଛି ଫିଲ୍ମ ପ୍ରମୋସନ କାମରେ, ଖୁବ ଶୀଘ୍ର କ୍ରୀଡ଼ା ଛାତ୍ରାବାସକୁ ଫେରିବ!

Share :