ଏ କେମିତିକା ଶାସନତନ୍ତ୍ର?

ଏ କେମିତିକା ଶାସନତନ୍ତ୍ର?

Share :

ପ୍ରଫେସର ଇନ୍ଦୁଲତା ଦାସ ଯେତେବେଳେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସେତେବେଳେ ଚାକିରିରେ ଥିଲେ ତାରା ଦତ୍ତ। ରାଜ୍ୟ ସରକାରରେ ଟେରର ଦତ୍ତ ଭାବେ ପରିଚିତ ତାରା ଦତ୍ତ ଦିଲ୍ଲୀରେ ରହୁଥିବା ଜଣେ ମହିଳା ଆଇଏଏସ ଅଧିକାରୀଙ୍କ ସହିତ ଗୋପନ ସଂପର୍କ ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ ପ୍ରଫେସର ଇନ୍ଦୁଲତା ଦାସ। ଏହି ଗୋପନ ସଂପର୍କ ପାଇଁ ତାଙ୍କର ଦାଂପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ସେ ମାନସିକ ନିର୍ଯାତନା ପାଉଛନ୍ତି। ଏ ବିଷୟରେ ପଚାରିଲେ ସ୍ବାମୀ ଉତ୍ତର ଦେବା ପରିବର୍ତ୍ତେ ଗାଳି କରୁଛନ୍ତି। ତେଣୁ ଏହାର ବିଚାର ହେଉ।   ଏ ଅଭିଯୋଗ ଦାଏର ହୋଇଥିଲା ରାଜ୍ୟ ମହିଳା କମିଶନରେ। ତାରିଖ ଥିଲା ୨୦୧୫ ଜୁଲାଇ ୧୪। ତା’ ଆଗରୁ ସେ ଏ ସଂପର୍କର ରାଜ୍ୟ ପ୍ରଶାସନକୁ ମଧ୍ୟ ଜଣେଇଥିଲେ। ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। କିନ୍ତୁ କେହି କିଛି ପଦକ୍ଷେପ ଗ୍ରହଣ କରି ନଥିଲେ। ମହିଳା କମିଶନରେ ଅଭିଯୋଗ ହେଲା ପରେ ବି କିଛି ହେଲା ନାହିଁ। ଆଜି ନୋଟିସ ଦିଆଯାଉଛି, କାଲି ବୟାନ ରେକର୍ଡ଼ ହବ, ପତିପତ୍ନୀ ମିଳାମିଶା ଉଦ୍ୟମ ଜାରି ପରି ଉଦସୀନ ପ୍ରକ୍ରିୟା ଭିତରେ ୨୦୧୬ ଜୁନ ୩୦ ତାରିଖରେ ଚାକିରିରୁ ଅବସର ନେଇଗଲେ ତାରା ଦତ୍ତ। ତା’ର ଦୁଇ ଦିନ ପରେ ମହିଳା କମିଶନ ଏହି ମାମଲା ବନ୍ଦ କରିଦେଲେ।   ଇନ୍ଦୁଲତା ନ୍ୟାୟ ପାଇଲେ ନାହିଁ କି ତାରା ଦତ୍ତଙ୍କୁ ଦଣ୍ଡ ମିଳିଲା ନାହିଁ। କାଷ୍ଟିଂ କାଉଚ ଅଭିଯୋଗଠାରୁ ଇନ୍ଦୁଲତାଙ୍କ ଅଭିଯୋଗର ଗୁରୁତ୍ବ କ’ଣ କମ୍ ଥିଲା? ସେଠି ଯୌନ ଶୋଷଣ, ଏଠି ଯୌନ ସଂପର୍କ ଓ ଦାଂପତ୍ୟ ଯନ୍ତ୍ରଣା।   ୨୦୧୬ ଜୁନ ୧୪ ତାରିଖରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ତାଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ତାଙ୍କ ବୋହୂ ଲୋପାମୁଦ୍ରା ମିଶ୍ର। ତାଙ୍କ ଅଭିଯୋଗର ଭିତ୍ତି ଥିଲା ଯୌତୁକ ଯାତନା ଓ ଯୌନ ନିର୍ଯାତନା। ଲୋପାମୁଦ୍ରାଙ୍କୁ ପରପୁରୁଷ ସହି ଯୌନ ସଂପର୍କ ରଖିବା ପାଇଁ କାଳେ ବାଧ୍ୟ କରିଥିଲେ ତାଙ୍କ ସ୍ବାମୀ ସବ୍ୟସାଚୀ ମିଶ୍ର। ବୁଲିବା ବାହାନାରେ ତାଙ୍କୁ ଆଣ୍ଡାମାନ ନିକୋବର ଦ୍ବୀପ ନେଇ ସେଠାରେ ବିଦେଶୀଙ୍କ ସହିତ ଶୋଇବାକୁ ଜୋରଜବରଦସ୍ତି କରିଥିଲେ। କହିଥିଲେ ୱାଇଫ୍ ସ୍ବାପିଂ ବା ପତ୍ନୀ ବଦଳ ଏକ ନୂଆ ସଉକ। ସମ୍ଭ୍ରାନ୍ତ ପରିବାରର ସ୍ବତନ୍ତ୍ର ଚଳଣି। ଏସବୁକୁ ବିରୋଧ କରିବାରୁ ତାଙ୍କୁ ମାଡ଼ଗାଳି ପରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଘରେ ବନ୍ଦ କରି ରଖାଯାଉଥିଲା।   ଲୋପାମୁଦ୍ରାଙ୍କ ଅଭିଯୋଗ ପପୁ ପମ ପମ ବିରୋଧରେ ଦାଏର ହୋଇଥିବା କାଷ୍ଟିଂ କାଉଚ ଅଭିଯୋଗଠାରୁ କାହିଁ କେତେ ଗୁଣ ଗମ୍ଭୀର ଓ ଭୟଙ୍କର। ପୁଲିସରେ ଏହି ଅଭିଯୋଗ ଦାଏର ହୋଇଥିଲା। କିନ୍ତୁ କିଛି ହେଲା ନାହିଁ। ମାସାଧିକ କାଳ ପୁଲିସ ହାତବାନ୍ଧି ବସିବାରୁ ହାଇକୋର୍ଟରୁ ସୁରକ୍ଷା ପାଇବାରେ ସମର୍ଥ ହେଲେ ତ୍ରୈଲୋକ୍ୟ ମିଶ୍ର ଓ ତାଙ୍କ ପରିବାର।   କିନ୍ତୁ ୨୦୧୬ ଜୁନ ୨୭ ତାରିଖରେ ଭୁବନେଶ୍ବର ମହିଳା ଥାନାରେ ଦାଏର ହୋଇଥିବା ଏକ ମାମଲାକୁ ପୁଲିସ ଓ ଗଣମାଧ୍ୟମ ରାଜ୍ୟର ସବୁଠୁ ବଡ଼ ଅପରାଧ ଭାବେ ଉପସ୍ଥାପନ କଲେ। ସବୁ ଗଣମାଧ୍ୟମ ସଂସ୍ଥା, ବିଶେଷକରି ଟିଭି ଚାନେଲଗୁଡ଼ିକ ଜଣେ ନାବାଳିକାର ଅଭିଯୋଗ ଉପରେ ଘଣ୍ଟାଘଣ୍ଟା ଚର୍ଚ୍ଚା ଚଳେଇଲେ। ପୁଲିସ ବି ଏହାକୁ ଓଡ଼ିଶାର ସବୁଠୁ ବଡ଼ ଅପରାଧ ବୋଲି ଧରିନେଇ ତନ୍ନତନ୍ନ ତଦନ୍ତ ଆରମ୍ଭ କଲା। ଏ ନେଇ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ବିବାଦ ଭିତରକୁ ଟଣାଗଲା। ପୂରା ଓଲିଉଡ଼କୁ ହୁଲସ୍ତୁଲ କରାଗଲା। ଆଉ ତା’ ସହିତ ହୁଲସ୍ତୁଲ ହେଲେ ଓଡ଼ିଶାର ସିନେପ୍ରେମୀ ସାଧାରଣ ଜନତା।   ଶେଷରେ ନାବାଳିକାର ଅଭିଯୋଗ ଆଧାରରେ ପପୁ ପମ ପମକୁ ଗିରଫ କରାଗଲା। ଅଥଚ ତା’ର ଦୁଇ ଦିନ ପରେ ନାବାଳିକାର ଅଭିଯୋଗୁ ମିଥ୍ୟା ଦର୍ଶାଇବାକୁ ମଧ୍ୟ ଜୋରଦାର ଉଦ୍ୟମ ହେଲା। ନାବାଳିକାର ବାପା ଓ ମା’ଙ୍କୁ ପର୍ଯ୍ୟାୟକ୍ରମେ ଗଣମାଧ୍ୟମକୁ ଟଣାଗଲା। ବାପା ବି ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଆବେଦନ କଲେ। ପପୁ ଭଲ ପିଲା, ତା’କୁ ଜାମିନ ଦେବାକୁ ଅନୁରୋଧ କଲେ। ତା’ ଉପରେ ବି ଚାଲିଲା ଚର୍ଚ୍ଚା।   ଭିନ୍ନ ଭିନ୍ନ ସମୟରେ ଦାଖଲ ହୋଇଥିଲା ଇନ୍ଦୁଲତା ଦାସ, ଲୋପାମୁଦ୍ରା ମିଶ୍ର ଓ ଅଭିନୟ ଆଶାୟୀ ନାବାଳିକାଙ୍କର ଅଭିଯୋଗ। ତିନି ଜଣ ଯାକଙ୍କର ଅଭିଯୋଗର ଆଧାର ଥିଲା ଅନୈତିକ ଯୌନ ସଂପର୍କ। ଇନ୍ଦୁଲତାଙ୍କ କ୍ଷେତ୍ରରେ ପତିଙ୍କ ବିବାହ ବହିର୍ଭୂତ ଯୌନ ସଂପର୍କ ସହିତ ମାନସିକ ନିର୍ଯାତନା ଓ ଲୋପାମୁଦ୍ରାଙ୍କ କ୍ଷେତ୍ରରେ ଇସ୍‌ଲାମିକ ଷ୍ଟେଟ୍ ଆତଙ୍କବାଦୀଙ୍କ ସେକ୍ସ ସ୍ଲେଭ ବା ଯୌନ ଦାସୀ ସୁଲଭ ବ୍ୟବହାର ସହିତ ହିଂସା ଓ ଶାରୀରିକ ନିର୍ଯାତନା ଅଭିଯୋଗ ତୁଳନାରେ ନାବାଳିକାର ଯୌନ ନିର୍ଯାତନା ଅଭିଯୋଗର ଗୁରୁତ୍ବ ନିଶ୍ଚୟ ଅନେକ କମ୍। ତଥାପି କାର୍ଯ୍ୟାନୁଷ୍ଠାନ ହେଲା କେବଳ ନାବାଳିକା ମାମଲାରେ।   କାରଣ ବୋଧହୁଏ ଏଠି ଅଭିଯୋଗ ହୋଇଥିଲା ଜଣେ ଅଭିନେତା ବିରୋଧରେ, ଯିଏ ହେଉଛନ୍ତି ଶାସକ ବିଜୁ ଜନତା ଦଳର ଜଣେ ନେତା।   ତେବେ, ଏହି କାର୍ଯ୍ୟାନୁଷ୍ଠାନ ଭିତରେ ଲୁଚି ଗଲା ସେହି ପପୁ ପମ ପମ ଓ ଅନ୍ୟମାନଙ୍କର ଓସ୍କାର ଚିଟ ଫଣ୍ଡ ଲିଙ୍କ। ଚିଟ ଫଣ୍ଡ ଦୁର୍ନୀତିର ଶିକାର ହୋଇଛନ୍ତି ରାଜ୍ୟର ପ୍ରାୟ ୨୦ ଲକ୍ଷ ଲୋକ। ପପୁ ପମ ପମ ବା ତତ୍ତ୍ବ ପ୍ରକାଶ ଶତପଥୀଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଜଣେ ନାବାଳିକା। ଚିଟ୍ ଫଣ୍ଡ ଦୁର୍ନୀତିରେ ଓଲିଉଡ଼ ତାରକା ତଥା ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତିଙ୍କଠାରୁ ଆରମ୍ଭ କରି ଅନ୍ୟ ବହୁ ନେତା, ଅଭିନେତା ଓ ସାମ୍ବାଦିକଙ୍କ ନାମ ଅଭିଯୋଗ ଓ ସନ୍ଦେହ ପରିସରକୁ ଆସିଛି। ଗଣମାଧ୍ୟମ ହେଉ ବା ପୁଲିସ ଯଦି ଏହି ଦୁର୍ନୀତି ଉପରେ ଅଧିକ ତଦନ୍ତ କରିବେ, ଅଧିକ ଗହୀରକୁ ଯିବେ ତେବେ ସେଥିରେ ବିଜୁ ଜନତା ଦଳର ବହୁ ପ୍ରଭାବଶାଳୀ ନେତାଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଫିସର, ପୁଲିସ, ଅଭିନେତା ଓ ସାମ୍ବାଦିକ ଏବଂ ଗଣମାଧ୍ୟମ ସଂସ୍ଥାର ମାଲିକଙ୍କ ଅସଲ ଚରିତ୍ର ପଦାରେ ପଡ଼ିବାର ସମ୍ଭାବନା ସର୍ବାଧିକ। ସେଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିର ପ୍ରଶ୍ନ ମଧ୍ୟ ଅଙ୍ଗାଙ୍ଗି ଭାବେ ଜଡ଼ିତ। ଚିଟ୍ ଫଣ୍ଡ ଦୁର୍ନୀତିରେ ତାଙ୍କ ସରକାରର ବିଫଳତା ଓ ତାଙ୍କ ଦଳର ପ୍ରୋତ୍ସାହନ କଥା ଉପରେ ଯେତେ ଆଲୋଚନା ହେବ ତାଙ୍କ ଦୁର୍ନୀତି ଓ ଅପାରଗତା କଥା ସେତେ ବୁଝାପଡ଼ିବ।   ତେଣୁ ସେ ଏପିସୋଡ଼ ବନ୍ଦ, କାଷ୍ଟିଂ କାଉଚ ଏପିସୋଡ଼ ସୁରୁ।

Share :