ନୀତି ନିରପେକ୍ଷତାର ଅଭାବ

ନୀତି ନିରପେକ୍ଷତାର ଅଭାବ

Share :

  ଶାସନ ସମସ୍ତଙ୍କ ପାଇଁ ସମାନ, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ। କେଉଁ ପ୍ରାଚୀନ କାଳରୁ ଏହା ଏକ ରାଜନୀତିକ ଆପ୍ତବାକ୍ୟ ହୋଇରହିଛି। ରାଜତନ୍ତ୍ରରେ ମଧ୍ୟ ରାଜାମାନେ ପ୍ରତ୍ୟେକ ପ୍ରଜାଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। କେହି କିଛି ଦୋଷ କଲେ ସେମାନେ ନିରପେକ୍ଷ ବିଚାର କରୁଥିଲେ। ପ୍ରଜାଙ୍କ କ୍ଷେତ୍ରରେ ଯେପରି ରାଜକାର୍ଯ୍ୟରେ ନିୟୋଜିତ ଥିବା ଅମାତ୍ୟ ଓ ପାରିଷଦଙ୍କ ପ୍ରତି ମଧ୍ୟ ସେପରି ସମାନ ଆଭିମୁଖ୍ୟ ଗ୍ରହଣ କରୁଥିଲେ ରାଜା ଓ ସମ୍ରାଟ। ଯେଉଁ ରାଜାମାନେ ଅତ୍ୟାଚାରୀ, ମିଥ୍ୟାଚାରୀ, ଭ୍ରଷ୍ଟାଚାରୀ ଓ ବିଳାସପ୍ରିୟ କେବଳ ସେହିପରି କେତେକ ରାଜା ଶାସନରେ ନିରପେକ୍ଷତା ଅବଲମ୍ବନ କରନ୍ତି ନାହିଁ ସେମାନେ ଶାସନ ପରିଚାଳନା କ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣ ନୀତି ଅବଲମ୍ବନ କରନ୍ତି। ନିଜ ଲୋକମାନଙ୍କ ପ୍ରତି ରାଜକୀୟ ଅନୁକମ୍ପା ପ୍ରଦର୍ଶନ କରନ୍ତି କିମ୍ବା ସେମାନଙ୍କର ସମସ୍ତ ପ୍ରକାର ଅନ୍ୟାୟ କାର୍ଯ୍ୟକୁ ସୁରକ୍ଷା ଯୋଗାଇ ଦିଅନ୍ତି। ଯେଉଁମାନେ ନିଜର ନୁହନ୍ତି ଅର୍ଥାତ ରାଜାଙ୍କ କାର୍ଯ୍ୟର ଆଲୋଚନା କରନ୍ତି ସେମାନଙ୍କ ପ୍ରତି ଏହିପରି ରାଜାମାନେ ଅତ୍ୟନ୍ତ ବିମୁଖ। ସେମାନଙ୍କୁ ରାଜା ଆଡ଼ ଆଖିରେ ବି ଅନାନ୍ତି ନାହିଁ। ବରଂ ବେଳ ପଡ଼ିଲେ ସେମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଦଣ୍ଡ ଦେଇଥାନ୍ତି। ଏପରି ରାଜାମାନଙ୍କୁ ସଦ୍ ବାଟରେ ନେବା ପାଇଁ ଭାରତର ଅନେକ ପ୍ରାଚୀନ ଗ୍ରନ୍ଥରେ ରାଜ ଶାସନ ନେଇ ଅନେକ ପରାମର୍ଶ ଓ ନୀତି ନିର୍ଦ୍ଦେଶାବଳୀ ରହିଛି।   ରାମାୟଣରେ ରାବଣ ରାମଚନ୍ଦ୍ରଙ୍କୁ ଓ ମହାଭାରତରେ ଭୀଷ୍ମ ଯୁଧିଷ୍ଠିରଙ୍କୁ ରାଜ୍ୟ ଶାସନ ନେଇ ଅନେକ ନୀତି ଓ ପରାମର୍ଶ ପ୍ରଦାନ କରିଛନ୍ତି। ତନ୍ମଧ୍ୟରେ ସବୁଠୁ ବଡ଼ ଉପଦେଶ ହେଉଛି ନିରପେକ୍ଷ ଓ ନିରାସକ୍ତ ହେବା। ରାଜାମାନେ ଯଦି ପକ୍ଷଭୁକ୍ତ ହେବେ ଏବଂ କୌଣସି ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଅତ୍ୟଧିକ ଆସକ୍ତ ହେବେ ତେବେ ରାଜ୍ୟ ଶାସନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପ୍ତିଲାଭ କରିବ। ଏହି ଦୁଇ ମହାପୁରାଣରେ ଏଭଳି ଅନେକ ଉଦାହରଣ ରହିଛି। ସେହିପରି ଆଧୁନିକ ଗଣତନ୍ତ୍ରରେ ରାଷ୍ଟ୍ର ଶାସନକୁ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଲିଖିତ ସମ୍ବିଧାନ ଓ ଆଇନ ବ୍ୟବସ୍ଥା ପ୍ରଚଳିତ ହୋଇଛି। ଶାସନ ମୁଖ୍ୟମାନେ ଏହି ସମ୍ବିଧାନ ଓ ଆଇନ ଅନୁସାରେ ରାଜ୍ୟ ଶାସନ କରିବା କଥା। ଯେଉଁ କ୍ଷେତ୍ରରେ ଯେକେହି ବ୍ୟକ୍ତି ଆଇନର ଶାସନ ଉଲ୍ଲଙ୍ଘନ କରନ୍ତି ବା ବେଆଇନ କାର୍ଯ୍ୟ କରନ୍ତି ସେମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଦଣ୍ଡର ବ୍ୟବସ୍ଥା ରହିଛି। ସେହି ଅନୁସାରେ ରାଜ୍ୟ ଶାସନ ଚାଲିବା କଥା। କିନ୍ତୁ ରାଜତନ୍ତ୍ରରେ ଯେପରି କେତେକ ରାଜା ନିଜର ତଥା ନିଜ ପ୍ରିୟ ପରିଜନଙ୍କର ସୁଖସ୍ବାଚ୍ଛନ୍ଦ୍ୟ ଏବଂ କ୍ଷମତା ପାଇଁ ଅନେକ ସମୟରେ ପକ୍ଷପାତ ଓ ପ୍ରିୟାପ୍ରୀତି ତୋଷଣ କରନ୍ତି ଆଧୁନିକ ଗଣତନ୍ତ୍ରରେ ମଧ୍ୟ ସେପରି ଉଦାହରଣ ବିରଳ ନୁହେଁ।   ଆଇନର ଶାସନ ଠିକ୍ ଥିଲେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଉପା ସରକାର ଯେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏନଡିଏ ସରକାର ମଧ୍ୟ ସେହି ରାସ୍ତାରେ ଯିବାକୁ ବାଧ୍ୟ। କିନ୍ତୁ ଆଧୁନିକ ରାଜନୀତିରେ ସବୁବେଳେ ଏପରି ଘଟେ ନାହିଁ। ଉପା ସରକାର ଅମଳରେ ଯେଉଁମାନେ ସରକାରଙ୍କର ଅତି ପ୍ରିୟ ଏନଡିଏ ସରକାର ସମୟରେ ସେମାନେ ଦଣ୍ଡଭୋଗ କରିପାରନ୍ତି। କିନ୍ତୁ ଅନେକ ସମୟରେ ଏମିତି ବି ହୁଏ ଯେ ଯେଉଁମାନେ ଦୋଷୀ ସେମାନେ ଆପଣାର ସ୍ବାର୍ଥ ପାଇଁ ସବୁ ପ୍ରକାର ଓ ସବୁ ଦଳର ସରକାରଙ୍କୁ ଆୟତ୍ତ କରିନିଅନ୍ତି। ସେଥିପାଇଁ ଉପା ସରକାରଙ୍କର ପ୍ରିୟ ଶିଳ୍ପପତି ଓ ବ୍ୟବସାୟୀମାନେ ଏନଡିଏ ସରକାରର ମଧ୍ୟ ପ୍ରିୟ ହୋଇପାରନ୍ତି। କଳାଧନ ଓ ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ଉଭୟ ଉପା ଓ ଏନଡିଏର ଆଭିମୁଖ୍ୟ ସମାନ ହୋଇପାରେ।   ଏହା ଆଇନର କଥା ନୁହେଁ, ରାଜନୀତି ଓ ଦୁର୍ନୀତିର କଥା। କଳାଧନ ଓ ଦୁର୍ନୀତି ପ୍ରସଙ୍ଗରେ ନରେନ୍ଦ୍ର ମୋଦିଙ୍କ ସରକାର ଏବେ ଏହିପରି ସମାଲୋଚନାର ସମ୍ମୁଖୀନ ହୋଇଛି। ମନମୋହନ ସିଂହଙ୍କ ଉପା-2 ସରକାର ପରି ନରେନ୍ଦ୍ର ମୋଦିଙ୍କ ଏନଡିଏ ସରକାର ଦୁର୍ନୀତି ଓ କଳାଧନ ପ୍ରସଙ୍ଗରେ ମୌନ ହୋଇଯାଇଛି। ଏ ପ୍ରସଙ୍ଗରେ ମହନମୋହନ ସିଂହ ଯେପରି ମୌନ ଥିଲେ ବୋଲି ସେତେବେଳେ ଭାରତୀୟ ଜନତା ପାର୍ଟି ସମାଲୋଚନା କରୁଥିଲା ଏବେ ଠିକ୍ ସେହିପରି ଲୋକପାଳ ଆଦି ବିଭିନ୍ନ ପ୍ରସଙ୍ଗରେ ନରେନ୍ଦ୍ର ମୋଦିଙ୍କ ପାଟିରୁ ବଚନ ବାହାରୁ ନାହିଁ। ତାଙ୍କ ଦଳର ଜଣେ ସାଂସଦଙ୍କ ଘରୁ ନଗଦ ଏକ କୋଟି ଟଙ୍କା ଚୋରି ହେବା ପରେ ତାହା ଧରାପଡ଼ିବା ସତ୍ତ୍ବେ ସେ କେଉଁଠୁ ଏ ଟଙ୍କା ଆଣିଲେ ଏବଂ ଆୟକର ବିଭାଗକୁ କାହିଁକି ଏ ବିଷୟରେ ଜଣେଇ ନଥିଲେ ଏସବୁ ବିଷୟରେ ମୋଦି ସରକାର କୌଣସି କୈଫିୟତ ତଲବ କରି ନାହାନ୍ତି। ସେହିପରି କ୍ଷମତାକୁ ଆସିବାର ମାସକ ମଧ୍ୟରେ ବିଦେଶରେ ଗଚ୍ଛିତ ଥିବା କଳାଧନ ଫେରାଇ ଅଣାଯିବ ବୋଲି ମୋଦି ଓ ତାଙ୍କ ପ୍ରଚାରକମାନେ ଯେଉଁ ଦାବି କରୁଥିଲେ ଏବେ ତାହା ପାଣି ଫୋଟକା ପରି ମିଳାଇଯିବା ପରି ବୋଧ ହେଲାଣି। ସେ ବାବଦରେ ମୋଦି ସରକାର ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଓଲଟି ବିଜେପିର ଜଣେ ସାଂସଦ କହିଛନ୍ତି ଯେ ବିଦେଶରୁ କଳାଧନ ଫେରାଇ ଆଣିବା ଆଦୌ ସମ୍ଭବ ନୁହେଁ। ସରକାର ଏହା ଜାଣିଛନ୍ତି କୌଣସି ପ୍ରସଙ୍ଗରେ କୌଣସି ଦଳ ବା ନେତାଙ୍କର ଏପରି ଅଲଗା ଅଲଗା କଥା ମଧ୍ୟ ନିରପେକ୍ଷ ଓ ନିରାସକ୍ତ ରାଜନୀତି ନୁହେଁ।   ସଂପ୍ରତି ଓଡ଼ିଶା ସରକାରରେ ମଧ୍ୟ ଏଭଳି କିଛି ପକ୍ଷପାତୀ ଆଭିମୁଖ୍ୟ ଦେଖିବାକୁ ମିଳିଛି। ଗତ ପ୍ରାୟ ଦେଢ଼ ଦଶନ୍ଧି ଧରି ଓଡ଼ିଶାରେ ଗୋଟିଏ ସମାନ ଦଳର ଶାସନ ଚାଲିଥିଲେ ମଧ୍ୟ କେତେକ କ୍ଷେତ୍ରରେ ସମାନ ପ୍ରକାର ଦୋଷ କରିଥିଲେ ମଧ୍ୟ ଭିନ୍ନଭିନ୍ନ ବ୍ୟକ୍ତିଙ୍କ ପ୍ରତି ଭିନ୍ନ ଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସରକାର। ଦୁର୍ନୀତିର ଛାଇ ଦେଖି ଯେଉଁଠି ନଳିନୀ ମହାନ୍ତି, କମଳା ଦାସ, ପ୍ରଶାନ୍ତ ନନ୍ଦଙ୍କ ପରି ମନ୍ତ୍ରୀମାନଙ୍କୁ ବହିଷ୍କାର କରାଯାଉଥିଲା ସେଠି ସ୍ପଷ୍ଟ ଦୁର୍ନୀତି ଓ ବେଆଇନ କାର୍ଯ୍ୟର ପ୍ରମାଣ ମିଳିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଇଚ୍ଛାଧୀନ କୋଟାରେ ଦୁଇଟି ପ୍ଲଟ୍ ନେଇଥିବା ଜଣେ ମନ୍ତ୍ରୀଙ୍କୁ ଗୋଟିଏ ପ୍ଲଟ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦିଆଗଲା, କିନ୍ତୁ ସମାନ ଦୋଷ କରିଥିବା ଅନ୍ୟ ଜଣେ ମନ୍ତ୍ରୀଙ୍କୁ ପୁରସ୍କାର ସ୍ବରୂପ ଆଉ ଅନେକ କିଛି ଦିଆଗଲା। ଯେଉଁ ଦୋଷରେ ଅନେକ ଶିଳ୍ପପତିଙ୍କଠାରୁ ଇଡ଼କୋ ଜମି ଫେରାଇ ନିଆଗଲା ସେହି ସମାନ ଦୋଷ କରିଥିବା ନେତାଙ୍କ ପ୍ରତି ସରକାର କୋହଳ ଆଭିମୁଖ୍ୟ ଗ୍ରହଣ କଲେ। ସରକାରଙ୍କର ଏଭଳି ପକ୍ଷପାତୀ ବିଚାର ଶାସନର କୌଣସି ନୀତି ଅନୁସରଣ କରୁନାହିଁ। ଏଥିପ୍ରତି ଶାସନ ମୁଖ୍ୟ ସତର୍କ ହେବା ଉଚିତ। ନହେଲେ ଅନେକ କଷ୍ଟରେ ଅଜିର୍ଥିବା ଖ୍ୟାତି ନଷ୍ଟ ହୋଇପାରେ।

Share :