କାଉ ଖାଇଲା ପଣସ...

କାଉ ଖାଇଲା ପଣସ...

Share :

ସଂପ୍ରତି ଚିଟ୍ ଫଣ୍ଡ ଦୁର୍ନୀତିର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ତଦନ୍ତ ଅବସରରେ ରାଜ୍ୟର କେତେକ ଗଣମାଧ୍ୟମରେ ଏହି ଦୁର୍ନୀତି ପାଇଁ ମୁଖ୍ୟତଃ ରାଜେନତାମାନଙ୍କୁ ଏକପାଖିଆ ଭାବେ ଦାୟୀ କରାଯାଉଛି। ଗଣମାଧ୍ୟମରେ ଏହି ଦୁର୍ନୀତି ସଂପର୍କରେ ଏମିତି ସବୁ ଖବର ପ୍ରକାଶ ପାଉଛି ଯେମିତି ଚିଟ୍ ଫଣ୍ଡ ଦୁର୍ନୀତି ପାଇଁ କେବଳ ରାଜନେତାମାନେ ହିଁ ଦାୟୀ! (ଏଇ ନିକଟରେ ଓସ୍କାର ଚିଟ ଫଣ୍ଡ ସଂସ୍ଥା ପାଇଁ କେତେ ଜଣ ଚିତ୍ରାଭିନେତା କାମ କରିଥିବା ଜଣାପଡ଼ିବା ପରେ ଗଣମାଧ୍ୟମ ଏମିତି ରିପୋର୍ଟ କଲା ଯେମିତି ଓସ୍କାରର ଦୁର୍ନୀତି ପାଇଁ କେବଳ ଏହି ଅଭିନେତା ଓ ଅଭିନେତ୍ରୀମାନେ ର୍ହି ଦାୟୀ!   ନେତାମାନେ ଯେମିତି ପ୍ରତି 5 ବର୍ଷରେ ଥରେ ଭୋଟ୍ ମାଗିବା ଭଳି ଘରଘର ବୁଲି ଲୋକମାନଙ୍କୁ ବୁଝେଇଥିଲେ ଯେ ଅମୁକ କମ୍ପାନୀରେ ଟଙ୍କା ଜମା କର, ଅଧିକ ସୁଧ ପାଇବ! ସେହିପରି ଅଭିନେତାମାନେ ବି ଯେମିତି ଏସବୁ ସଂସ୍ଥାଙ୍କ ପାଇଁ ଘରଘର ବୁଲି ପ୍ରଚାର କରିଥିଲେ! କେବଳ ସେମାନେ ଯେମିତି ଚିଟ୍ ଫଣ୍ଡ କର୍ମକର୍ତ୍ତାଙ୍କ ସହିତ ଫଟୋ ଉଠାଇଥିଲେ! ଆଉ କେହି ଏ ପାପ କରି ନାହାନ୍ତି! ଗଣମାଧ୍ୟମ ଓ ଜନଗଣ ଯେମିତି ସଂପୂର୍ଣ୍ଣ ସାଧୁ! ଲୋକମାନଙ୍କର ଲାଭ ଓ ଲୋଭର ଅସାଧୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଭିତ୍ତିକରି ଘଟିଥିବା ଏହି ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ବା ଠକେଇରେ ନେତାଙ୍କର ଯେ ବିଲ୍କୁଲ୍ କିଛି ଭୂମିକା ନାହିଁ ତାହା କୁହାଯାଇ ପାରିବ ନାହିଁ। ମାତ୍ର, ଏଥିରେ ସେମାନଙ୍କ ପରି ଅନ୍ୟମାନଙ୍କର ମଧ୍ୟ ବେଶ୍ ନିବିଡ଼ ସଂପୃକ୍ତି ରହିଛି। ଅଭିନେତାମାନଙ୍କର ଭୁଲ ହେଲା ସେମାନେ ଟଙ୍କା ନେଇ ଖୁବ ଅଳ୍ପ କେତେ ଥର ଏମାନଙ୍କ ପାଇଁ ସଭାରେ ଠିଆ ହୋଇଛନ୍ତି ଓ ସପକ୍ଷରେ ଦି’ ଚାରି ପଦ କହିଛନ୍ତି।   ଏବେ କିନ୍ତୁ ରାଜ୍ୟର କେତେକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏଭଳି ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକ ସହିତ ବର୍ଷବର୍ଷ ଧରି ଜଡ଼ିତ ରହି କୋଟିକୋଟି ଟଙ୍କାର ମୁନାଫା ଅର୍ଜନ କରିବା ପରେ ଏବେ ସବୁଯାକ ଦୋଷ ଅନ୍ୟ ମୁଣ୍ଡରେ ଅଜାଡ଼ି ଦେବାକୁ ମିଳିତ ଭାବେ ଜୋରଦାର ପ୍ରୟାସ ଚଳାଇଛନ୍ତି। ଏହା ଠିକ ‘କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା’ ଭଳି କଥା।   ଯଦି ନିରପେକ୍ଷ ଭାବେ ତର୍ଜମା କରାଯାଏ ତେବେ ସାଧାରଣ ଜ୍ଞାନ ଥିବା ଯେକୌଣସି ଲୋକ ଜାଣିପାରିବ ଯେ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଆସାମ ପରି ରାଜ୍ୟରେ ଖୋଲିଥିବା ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକର ପଞ୍ଜୀକରଣ ରାଜନେତାମାନେ କରି ନାହାନ୍ତି, କରିଛନ୍ତି ପ୍ରଶାସକମାନେ। ଏସବୁ ସଂସ୍ଥା ଯେଉଁସବୁ ଘରେ ଅଫିସ ଖୋଲିଛନ୍ତି ସେସବୁରୁ କେତେ ଘରର ମାଲିକ ରାଜନେତା? କେତେ ଘରର ମାଲିକ ଓକିଲ, ପୁଲିସ ଓ ଅନ୍ୟ ବୃତ୍ତିର ଲୋକେ? ଏହି ସଂସ୍ଥାଗୁଡ଼ିକର ପ୍ରଚାର ଓ ପ୍ରସାର ପାଇଁ ନେତା ଓ ଅଭିନେତାମାନେ କେତେ ବକ୍ତୃତା ଦେଇଛନ୍ତି? ଏମାନେ ଯେଉଁ ଛାପା କାଗଜ ମାଧ୍ୟମରେ ଜମା ସଂଗ୍ରହ କରିଛନ୍ତି ତାହାକୁ କେଉଁ ରାଜନେତା ନିଜ ପ୍ରେସରେ ଛପେଇଛନ୍ତି? କେଉଁ ରାଜନେତା ଏମାନଙ୍କର ମଡେଲ୍ ହୋଇ ଟିଭି ଓ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି? କେଉଁ ରାଜନେତା ଅଧିକରୁ ଅଧିକ ଲୋକଙ୍କ ନିକଟରେ ଏମାନଙ୍କୁ ବିଶ୍ବାସଯୋଗ୍ୟ କରାଇବାକୁ ଖବର ପ୍ରସାରଣ କରିଛନ୍ତି?   ଏବେ ଚିଟ୍ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଚାଲିଥିବାବେଳେ ଲୋକମାନେ ଏସବୁ ପ୍ରଶ୍ନ ଉପରେ ମଧ୍ୟ ନିରପେକ୍ଷ ଭାବେ ବିଚାର ଆଲୋଚନା କରିବା ଉଚିତ। ବିଭିନ୍ନ ଚିଟ ଫଣ୍ଡ ସଂସ୍ଥା ସହିତ ଜଡ଼ିତ ରାଜନେତାମାଙ୍କୁ ଲୋକମାନେ ଆଗାମୀ ସମସ୍ତ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବା ଉଚିତ। ପପୁ ପମ ପମ ପରି ଯେଁ ଅଭିନେତାମାନ ଏଭଳି ଚିଟ୍ ଫଣ୍ଡ ସଂସ୍ଥାଙ୍କ ପ୍ରଚାର କରିଛନ୍ତି ସେମାନଙ୍କ ଫିଲ୍ମକୁ ବର୍ଜନ କରାଯିବା ସହିତ ସେମାନଙ୍କୁ କୌଣସି ଷ୍ଟେଜ ଶୋ’କୁ ନଡାକିବା ଉଚିତ। ସେମାନେ ଯେଉଁ ଜିନିଷର ବିଜ୍ଞାପନ ଦେଉଛନ୍ତି ସେଗୁଡ଼ିକୁ ମଧ୍ୟ ବର୍ଜନ କରାଯିବା ଉଚିତ।   କିନ୍ତୁ ଲୋକମାନେ ଏହା ବୁଝିବା ଉଚିତ ଯେ ରାଜନେତାମାନେ ପ୍ରାୟ 36 ବର୍ଷ ତଳେ ୧୯୭୮ ମସିହାରେ ଚିଟ ଫଣ୍ଡ କାରବାରକୁ ଭାରତବର୍ଷରେ ନିଷିଦ୍ଧ ଘୋଷଣା କରିଛନ୍ତି ଓ ଏଭଳି କାରବାରରେ ବିଭିନ୍ନ ଭାବରେ ଜଡ଼ିତଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ ଆଇନ ପ୍ରଣୟନ କରିଛନ୍ତି। ଭାରତୀୟ ସଂସଦରେ ଗୃହୀତ ପ୍ରାଇଜ୍ ଚିଟ୍ ଆଣ୍ଡ ମନି ସର୍କୁଲେସନ୍ ସ୍କିମ୍ ନିଷିଦ୍ଧ ଆଇନ 1978 ମସିହାରୁ କାର୍ଯ୍ୟକାରୀ ହେଲାଣି। ସଂସଦରେ ଏହାର ପ୍ରଣୟନ କରିବା ସପକ୍ଷରେ କେଉଁ ଗଣମାଧ୍ୟମର ସଂପାଦକ ବା ସାମ୍ବାଦିକ ଯୁକ୍ତି ଉପସ୍ଥାପନ କରିଥିଲେ? ଏହି ଆଇନକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ କ’ଣ କେବଳ ନିର୍ବାଚିତ ଜନ ପ୍ରତିନିଧିଙ୍କ ଉପରେ ନ୍ୟସ୍ତ ହୋଇଛି କି? ଯେଉଁମାନେ ଏହି ଆଇନ କାର୍ଯ୍ୟକାରୀ କରିବାର ଦାୟିତ୍ବ ବହନ କରୁଛନ୍ତି ସେମାନେ ଚିଟ୍ ଫଣ୍ଡ କାରବାର ପ୍ରସାରଣ ପାଇଁ କେତେ ପରିମାଣରେ ଦାୟୀ? ଯେଉଁମାନେ ଏହି ଆଇନ ସଂପର୍କରେ ଜନ ସଚେତନତା ବୃଦ୍ଧି କରିବାର ନୈତିକ ଉତ୍ତରଦାୟିତ୍ବ ବହନ କରୁଛନ୍ତି ସେମାନେ ସେହି ଦାୟିତ୍ବ ନିର୍ବାହ କରିବାରେ କେତେ ଦୂର ସଫଳ ହୋଇଛନ୍ତି? ଏବେ ଏସବୁ ପ୍ରଶ୍ନ ଓ ପ୍ରସଙ୍ଗ ଉପରେ ନିରପେକ୍ଷ ଭାବେ ତର୍ଜମା ନକରି କେବଳ ନେତା ଓ ଅଭିନେତାମାନଙ୍କୁ ଦୋଷ ଦିଆଗଲେ ସେଥିରେ କାହାର କେମିତି ରାଜନୀତିକ ଓ ଆର୍ଥନୀତିକ ଉଦ୍ଦେଶ୍ୟ ଚରିତାର୍ଥ ହେବ ସିନା ଏଭଳି ଠକେଇ ବନ୍ଦ ହେବ ନାହିଁ। ସେଥିପାଇଁ ଗଣମାଧ୍ୟମ ଓ ପ୍ରଶାସନିକ କଳର ଅଧିକ ଦାୟିତ୍ବ ରହିଛି।   1978 ମସିହାରୁ ଏହି ଆଇନ କାର୍ଯ୍ୟକାରୀ ହେବା ସତ୍ତ୍ବେ ଏ ଦେଶରେ ଆଜି ବି ଆମ୍‌ୱେ ପରି ନେଟ୍‌ୱାର୍କ କାର୍ଯ୍ୟ କରୁଛି। କେଉଁ ଦେଳର କେଉଁ ନେତା ଆମ୍‌ୱେର ପ୍ରଚାର ଓ ପ୍ରସାର ଦାୟିତ୍ବ ବହନ କରିଛନ୍ତି? ଗଣମାଧ୍ୟମ କେତେ କୋଟି ଟଙ୍କା ନେଇ ଆମ୍‌ୱେର ପ୍ରଚାର ପ୍ରସାର କରିଛି? କେତେ ଶିକ୍ଷିତ ବେକାର ଓ ସରକାରୀ କର୍ମଚାରୀଙ୍କ ପତି ବା ପତ୍ନୀମାନେ ଏହି ସଂସ୍ଥା ସହିତ ଜଡ଼ିତ ରହି ଲୋକମାନଙ୍କୁ ଭୂଆଁ ବୁଲାଇ କୋଟିକୋଟି ଟଙ୍କା ଠକିବାରେ ଲାଗିଛନ୍ତି? କେବଳ ଆମେ ନୁହେଁ, ଅନେକ ଏହିଭଳି ମାର୍କେଟିଂ ନେଟୱାର୍କ ସଂସ୍ଥା ମଧ୍ୟ ଆଇନ ଅନୁସାରେ ନିଷିଦ୍ଧ। ତଥାପି ତାହା ଚାଲିଛି ଓ ଆଇନକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ବହନ କରୁଥିବା ପୁଲିସ ଓ ପ୍ରଶାସନ ତାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।   ସେହିପରି ଶରଧା, ରୋଜ୍ ଭ୍ୟାଲି, ସି ଶୋର୍, ଅର୍ଥତତ୍ତ୍ବ, ଗ୍ରୀନ ରେ, କୋଲକାତା ୱେଆର ହାଉସ୍, ଆସ୍ଥା ଭଳି ଶତାଧିକ ସମବାୟ ଭିତ୍ତିକ ଚିଟ୍ ଫଣ୍ଡ ସଂସ୍ଥାର ଆଇନ ଅନୁସାରେ ପଂଜୀକରଣ ଓ କାରବାର ସଂପୂର୍ଣ୍ଣ ବେଆଇନ। ତଥାପି ଏହା ଏତେ ଦିନ ଧରି ଚାଲିଲା କେମିତି? ଆଇନ ଅନୁସାରେ ଏଗୁଡ଼ିକର ମନି ରସିଦ୍‌ରୁ ଆରମ୍ଭ କରି ସମସ୍ତ କାଗଜପତ୍ର ମୁଦ୍ରଣ କରିଥିବା ଛପାକଳ ମାଲିକଙ୍କଠାରୁ ଆରମ୍ଭ କରି ଏଭଳି ସଂସ୍ଥାଙ୍କର ବିଜ୍ଞାପନ ଓ ଖବର ପ୍ରସାରଣ ମଧ୍ୟ ବେଆଇନ। ଏହାସବୁ ଧର୍ତ୍ତବ୍ୟ ଅପରାଧ। କିନ୍ତୁ ସେଥିପାଇଁ ଓଡ଼ିଶାର କେଉଁ ଗଣମାଧ୍ୟମକୁ ଦୋଷ ଦିଆଯାଉଛି? ସି ଶୋର୍, ଅର୍ଥତତ୍ତ୍ବ, ରୋଜ୍ ଭ୍ୟାଲି, କୋଲକାତା ୱେଆର ହାଉସ୍, ଆସ୍ଥା, ସାଇ ଇନ୍‌ଫ୍ରା ପରି ଶତାଧିକ ଚିଟ୍ ଫଣ୍ଡ ସଂସ୍ଥାଠାରୁ ରାଜ୍ୟର କେଉଁ କେଉଁ ଗଣମାଧ୍ୟମ କେତେ କେତେ ଟଙ୍କାର ବିଜ୍ଞାପନ ରାଜସ୍ବ ପାଇଛନ୍ତି ଓ ସେମାନଙ୍କର କେତେ ଫଟୋ ଓ ଖବର ପ୍ରକାଶନ କରିଛନ୍ତି? କେବଳ ସୂର୍ଯ୍ୟପ୍ରଭାର ମାଲିକ ବିକାଶ ସ୍ବାଇଁ ଓ ଓଡ଼ିଶା ଭାସ୍କରର ମାଲିକ ମଧୁ ମହାନ୍ତି କ’ଣ ଏହି ଦୋଷରେ ଅଭିଯୁକ୍ତ? ଏ ଦୁଇଟ ଛୋଟ ଗଣମାଧ୍ୟମ ସଂସ୍ଥା ଯସି ଦୋଷ କରିଛନ୍ତି ତେବେ ଟିଭି ଓ ଖବରକାଗଜ ଜଗତର ଅନ୍ୟ ବଡ଼ପଣ୍ଡାମାନେ କେମିତି ନିର୍ଦୋଷ? ଏଭଳି ଅପରାଧରେ ସେମାନଙ୍କୁ ମଧ୍ୟ ଦଣ୍ଡ ମିଳିବା ଉଚିତ ନୁହେଁ କି? ସେମାନଙ୍କ ଉପରେ ମଧ୍ୟ ସିବିଆଇ ଚଢ଼ାଉ ହେବା ଠିକ୍ ନୁହେଁ କି?   ମୁଖ୍ୟତଃ ଗଣମାଧ୍ୟମ ଓ ପରିଶ୍ରମ ନକରି ରାତାରାତ ବଡ଼ଲୋକ ହେବାକୁ ଚାହୁଁଥିବା ହଜାର ହଜାର ଅସାଧୁ ପ୍ରକୃତିର ଅଳସୁଆ ଅର୍ଦ୍ଧଶିକ୍ଷିତ ବେକାରଙ୍କ ମାଧ୍ୟମରେ ଏପରି ଅନେକ ସଂସ୍ଥା ଗ୍ରାମାଞ୍ଚଳରେ ପହଞ୍ଚି କୋଟିକୋଟି ଟଙ୍କାର ବେଆଇନ ଜମା ସଂଗ୍ରହ କରିଛନ୍ତି। ଜାତୀୟକରଣ ବ୍ୟାଙ୍କଗୁଡ଼ିକ ଜମା ଉପରେ ବାର୍ଷିକ ସର୍ବାଧିକ 9 ପ୍ରତିଶତ ସୁଧ ଦେଉଥିବାବେଳେ ଏଭଳି ସଂସ୍ଥାସବୁ ସ୍ଥଳ ବିଶେଷରେ 24-36 ପ୍ରତିଶତ ସୁଧ ଦେବେ ବୋଲି ଯେଉଁ ପ୍ରଚାର ଓ ପ୍ରତିଶ୍ରୁତି ଦେଲେ ତାହା ବିଶ୍ବାସଯୋଗ୍ୟ ହେଲା କେମିତି? ଏହି ବିଶ୍ବାସ ଜନ୍ମାଇଥିବା ଏଜେଣ୍ଟମାନେ ଜମାରାଶି ଉପରେ ସ୍ଥଳ ବିଶେଷରେ 20-40 ପ୍ରତିଶତ କମିଶନ ନେବାବେଳେ ଭାବିଲେ ନାହିଁ କେମିତି ବାକି 60-80 ପ୍ରତିଶତ ଟଙ୍କା ଦୁଇ ତିନି ବର୍ଷରେ ଶତକଡ଼ା 200-300 ପ୍ରତିଶତ ବୃଦ୍ଧି ପାଇବ କିପରି? ଏହି ଏଜେଣ୍ଟମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସିବିଆଇ?   ବାସ୍ତବରେ ଚିଟ ଫଣ୍ଡ ଦୁର୍ନୀତିର ଅଧିକ ମହୁ ଖାଇଥିବା ଅଧିକାଂଶ ଏଜେଣ୍ଟ ଏବେ ଜମାକାରୀ ସ୍ବାର୍ଥ ସୁରକ୍ଷା ସଂଘ ନାମରେ ଏକଜୁଟ ହୋଇ ନିଜ ଚାରି ପଟେ ସୁରକ୍ଷା ବଳୟ ତିଆରି କରିଛନ୍ତି। କୋଟିକୋଟି ଟଙ୍କାର ବିଜ୍ଞାପନ ନେଇ ପାପ କରିଥିବା କେତେକ ଗଣମାଧ୍ୟମ ବ୍ୟକ୍ତିତ୍ବ ଏଭଳ ସଂସ୍ଥାକୁ ସହାୟତା ଦେଇ ପ୍ରାୟଶ୍ଚିତ କରୁଛନ୍ତି। କିନ୍ତୁ ଏହି ପଣସଖିଆ ଲୋକମାନେ ଅନ୍ୟମାନଙ୍କ ମୁଣ୍ଡରେ ଅଠାବୋଳିବାର ପ୍ରୟାସ ଜାରି ରଖିଥିବାବେଳେ ଓଡ଼ିଶାର ବୋକା ଲୋକମାନେ ଏବେ ବି ସେମାନଙ୍କ ଖବର ଓ ବିଜ୍ଞାପନକୁ ସତ ବୋଲି ଭାବୁଛନ୍ତି!

Share :