ଅର୍କକ୍ଷେତ୍ରରେ ରଥଯାତ୍ରା

ଅର୍କକ୍ଷେତ୍ରରେ ରଥଯାତ୍ରା

Share :

  ଚଳିତ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥି ବୁଧବାର ଦିନ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅର୍କକ୍ଷେତ୍ର କୋଣାର୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋଣାର୍କ ରାଜାରାମ ମଠ ପରିସରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ରାଉଳପାଟଣାସ୍ଥିତ ଗୁଣ୍ଡିଚାମନ୍ଦିରକୁ ଯାଇଛନ୍ତି ଦୁଇଭାଇ ଓ ଭଉଣୀ।   ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଦିନ ୨ଟା ସୁ‌୍‍ଦ୍ଧା ଶ୍ରୀଜୀଉମାନଙ୍କର ସମସ୍ତ ରୀତିନୀତି ସମାପନ ହୋଇ ପହଣ୍ଡି  ହୋଇଥିଲା। ଶ୍ରୀ ଜୀଉମାନଙ୍କୁ ରଥାରୁଢ଼ କରାଇବା ପରେ ଅମରେଶ୍ୱର ଦାସମହାରାଜ ଛେରାପହରାଁ କରିଥିଲେ। ଅପରାହ୍ନ ୪ଟାରେ ରଥ ଟଣାଯାୟୀ ସୂର୍ଯ୍ୟାସ୍ତ ପୂର୍ବରୁ ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଯାଇଥିଲା। ଅର୍କକ୍ଷେତ୍ରରେ ଖରା ଓ ମେଘୁଆ ପାଗ ଲୁଚକାଳି ଖେଳୁଥିଲେ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ତିନିରଥକୁ ଟାଣି ନେଇଥିଲେ। ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଶାନ୍ତି ଓ ଶୃଙ୍ଖଳାର ସହ ରଥାରୂଢ଼ ଶ୍ରୀଜୀଉମାନଙ୍କୁ ଦର୍ଶନ କରି କୃତାର୍ଥ ହୋଇଥିଲେ।   ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥକୁ ଟାଣି ନେବା ପାଇଁ ରାଜାରମ ମଠଠାରୁ ରାଉଳପାଟଣା ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାୟ ୩ କିଲୋମିଟର ରାସ୍ତା ଲୋକାରଣ୍ୟ ହୋଇଥିଲା। ଏହି ସମୟରେ ଭକ୍ତଙ୍କ ଘଣ୍ଟ, ଘଣ୍ଟା, ଶଂଖ ନାଦ ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠୁଥିଲା। ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନେ ରଥାରୂଡ ଶ୍ରୀଜିୟୁଙ୍କୁ ଦର୍ଶନ କରି ରଥ ଟାଣୁଥିବା ଦେଖିବାକୁ ମିଳିଥିଲା। ଗତ ବର୍ଷ ମହାପ୍ରଭୁଙ୍କର ନବକଳେବର ଅବସରରେ ଏଠାରେ ଶ୍ରୀଜିୟୁମାନଙ୍କର ଶ୍ରୀମନ୍ଦିରର ନୀତିକାନ୍ତି ଅନୁଯାୟୀ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ୧୯୮୨ ମସିହାରୁ  ୧୯୮୫ ମସିହା ପର୍ଯ୍ୟନ୍ତ ଏଠାରେ ଶ୍ରୀଜିୟୁମାନଙ୍କୁ ଶଗଡ଼ରେ ନିଆଯାଉଥିଲା। ୧୯୮୬ ମସିହା ଠାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଗୋଟିଏ ରଥ ନିର୍ମାଣ କରାଯାଇ ଭାଇଭଉଣୀଙ୍କ ରଥକୁ ଟାଣି ନେଉଥିଲେ ଭକ୍ତମାନେ ଗୁଣ୍ଡିଚା ମନ୍ଦିରକୁ। ୧୯୯୬ ମସିହାରୁ  କୋଣାର୍କ ଶ୍ରୀଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ସୂର୍ଯ୍ୟନାରାୟଣ ସାହୁଙ୍କ ଉଦ୍ୟମରେ ଏଠାରେ ତିନି ରଥ ନିର୍ମାଣ କରାଯାଇ  ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ରଥଯାତ୍ର ଅନୁଷ୍ଠିତ ହେଉଛି।   ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରଥଟଣା ସମୟରେ ପୁରୀରୁ ଫେରୁଥିବା ଓ ପୁରୀକୁ ଯାଉଥିବା  ଯାନ ବାହାନଗୁଡ଼ିକ ବହୁସମୟ ଧରି ରାସ୍ତା ଉପରେ ଠିଆହୋଇ ରହିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଗତ ୩୪ ବର୍ଷ  ଧରି ନିରବଛନ୍ନ ଭାବରେ ଏଠାରେ ପାଳିତ ହୋଇଆସୁଛି ରଥ ଯାତ୍ରା।  ଚଳିତ ବର୍ଷର ରଥଯାତ୍ରାକୁ ଟ୍ରଷ୍ଟି ଶ୍ରୀ ସାହୁ ଓ ମନ୍ଦିର ପରିଚାଳକ ନିରଞ୍ଜନ ବାରିକଙ୍କ ସମେତ ଟ୍ରଷ୍ଟ ବୋର୍ଡର ସଭ୍ୟ ରଜକିଶୋର ନାୟକ, ଗୋପାଳ ଦାଶ, ଦିବାକର ନାୟକ, ନଟବର ମହାରଣା, ସୁମନ୍ତ ବେହେରା ଓ ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Share :