ଦେବଯାନୀ ତ୍ରିପାଠୀ ହାତ ଧରାଧରି ହୋଇ ଚାଲୁଥିବା ଛାଇମାନେ ଆମର ନୁହେଁ, ନୁହେଁ ସେଇ ଡେଙ୍ଗା ତାଳ ଗଛରେ ଦୋଳି ଖେଳୁଥିବା ବାୟା ବସା, ଆମେ ଆମର ବି ନୁହେଁ, ଆମେ ଯାହା ଆମର ପୂରି ଆସୁଥିବା ଆୟୁଷର ଚିହ୍ନା ଚିତ୍ରପଟ କେତୋଟି। ଆମକୁ ଚିହ୍ନୁଥିବା ଆଖି ଓ ଆଙ୍ଗୁଳି ସବୁ ଝଡ଼ି ପଡ଼ିଲେଣି, ରାତିର ଅନ୍ଧାରରେ ବିଳ ଖୋଜୁଥିବା ସରୀସୃପମାନଙ୍କ ପରି ଆମେ ବି ଖୋଜୁ ନିରାପଦ, ଉଷୁମ, ଅନ୍ଧାରୁଆ କୋଣ। ଚେର ତଳେ ଯେତେ ଉପରେ ସେତେ ଆମର, ତଥାପି କିଛିଟା ଦୂରତ୍ବ ଥାଏ ଆକାଶଠାର। ନିଆଁ ପୋଉଁଥିବା ଆମର ହାତ ନିଆଁରେ ପୋଡ଼ିଗଲେ ବି ନିଆଁକୁ ଭଲ ପାଏ, ନିଆଁର ଡାଳରେ ଫୁଲ ଫୁଟାଇବା କୌଶଳ ଆମେ ଭୁଲିଗଲୁଣି, ଆମ ଭିତରେ କୋଉଠି ଗୋଟାଏ ତଥାପି ଜଳୁଥାଏ ନିଆଁ। ୨୬୩୦, ହାଲନ୍ ଷ୍ଟ୍ରିଟ୍, ଆଇଡାହୋ, ଯୁକ୍ତରାଷ୍ଟ୍ର ଆମେରିକା, debajani70@gmail.com