ନିଦ ଭାଙ୍ଗିଲା କି?

ନିଦ ଭାଙ୍ଗିଲା କି?

Share :

  ମହାନଦୀ ଓଡ଼ିଶାର ଜୀବନରେଖା। ରାଜ୍ୟର ୬୫ ପ୍ରତିଶତ ଚାଷ ନିଜର ଜୀବନଜୀବିକା ପାଇଁ ମହାନଦୀ ଉପରେ ନିର୍ଭରଶୀଳ। ସଂପ୍ରତି ଛତିଶଗଡ଼ ସରକାର ସଂଘୀୟ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ କରି ଯେଉଁ ଦୁଇଟି ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି ତାହା ଦ୍ୱାରା ଓଡ଼ିଶା ପ୍ରଭାବିତ ହେବ।  କେନ୍ଦ୍ରୀୟ ଜଳ କମିଶନ ମଧ୍ୟ ଏନେଇ ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତୁରନ୍ତ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ସହ ଓଡ଼ିଶା ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ୨୦୧୬ ଜୁଲାଇ ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ପତ୍ରରେ ଉଲ୍ଳେଖ କରିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଭଳି ୧୫ ଜିଲ୍ଲାର ଚାଷୀଙ୍କ ଜୀବନଜୀବିକା ମହାନଦୀ ଉପରେ ନିର୍ଭରଶୀଳ। ମହାନଦୀ ଓ ଏହାର ଶାଖା ନଦୀ ଓଡ଼ିଶାବାସୀଙ୍କ ସଂସ୍କୃତି ଓ ଭାବାବେଗ ସହ ଜଡ଼ିତ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।   କିନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ଏଭଳି ଚିଠି ଓ ତାଙ୍କ ବିଜୁ ଜନତା ଦଳର ଏ ସଂପର୍କୀତ ସାମ୍ବାଦିକ ସମ୍ମିଳନୀ ଓଡ଼ିଶାର ଦାବିକୁ ମଜବୁତ କରିବା ପରିବର୍ତ୍ତେ ଏହା ପଛର ରାଜନୀତିକ ଅଭିସନ୍ଧିକୁ ପଦାରେ ପକାଇଛି। ନିଜର ରାଜନୀତିକ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ବିଜୁ ଜନତା ଦଳ କିପରି ରାଜ୍ୟସ୍ବାର୍ଥକୁ ଅଣଦେଖା କରିପାରନ୍ତି ତାହାର ଅନ୍ୟ ଏକ ନମୂନା ହେଉଛି ମହାନଦୀ ଉପରେ ଛତିଶଗଡ଼ର ବନ୍ଧ ଓ ବ୍ୟାରଜ୍ ନିର୍ମାଣ।   ଛତିଶଗଡ଼ ସରକାର ଏବେ ଏହି ନିର୍ମାଣ କରୁ ନାହାନ୍ତି। ଦୀର୍ଘ ୧୫ ବର୍ଷ ତଳୁ ଛତିଶଗଡ଼ ସରକାର ଏପରି ଯୋଜନା ଗ୍ରହଣ କରିଛନ୍ତି। ଏସବୁ ପ୍ରକଳ୍ପ ଯୋଜନା ପ୍ରସ୍ତୁତି, ଅନୁମୋଦନ ଓ ନିର୍ମାଣ ସମୟରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ଉପା ଓ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଥିଲେ। ଛତିଶଗଡ଼ରେ ମଧ୍ୟ ଏହି ସମୟରେ ନବୀନଙ୍କ ପରମବନ୍ଧୁ ଡକ୍ଟର ରମଣ ସିଂହ କ୍ଷମତାରେ ଅଛନ୍ତି। ସେତେବେଳେ ଉଭୟ ଜାତୀୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ସହିତ ନବୀନଙ୍କ ବିଜୁ ଜନତା ଦଳର ଘନିଷ୍ଠ ସଂପର୍କ ଥିଲା। ତେଣୁ ବୋଧହୁଏ ଛତିଶଗଡ଼ର ମହାନଦୀ ଜଳ ଲୁଟ୍ ଘଟଣା ନବୀନଙ୍କ ଆଖିକୁ ଦେଖାଗଲା ନାହିଁ। ଏବେ ଉଭୟ କଂଗ୍ରେସ ଓ ବିଜେପି ନବୀନ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜୋରଦାର ଆକ୍ରମଣ କରୁଥିବାରୁ ହଠାତ ସେ ଦୁଇ ଦଳ ବିରୋଧରେ ଏହାକୁ ଅସ୍ତ୍ର କରିବାକୁ ଯାଇଁ ଏକ ପୁରୁଣା ପ୍ରସଙ୍ଗକୁ ଘସିମାଜି ଧାରୁଆ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।   ଛତିଶଗଡ଼ରେ ଏବେ ପ୍ରାୟ ୧୮ ବୃହତ୍ତ ପ୍ରକଳ୍ପ, ୮ ମଧ୍ୟମ ପ୍ରକଳ୍ପ ଓ ୭ ଆଡିବନ୍ଧ ବା ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଅଛି। ଏସବୁ ପ୍ରକଳ୍ପ ଯୋଗୁଁ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ମୌସୁମୀ ଓ ଅଣ ମୌସୁମୀ ଜଳ ପ୍ରବାହ କମିବା ନିଶ୍ଚିତ। ମହାନଦୀ ଉପରେ ତଣ୍ଡୁଲା ଜଳଭଣ୍ଡାର ଯୋଜନା ଓ ମହାନଦୀ-ପିଆରି ନଦୀ ସଂଯୋଗକରଣ ଯୋଜନା ମଧ୍ୟ ମଂଜୁର ହୋଇଛି। ଏସବୁ ବୃହତ୍ ନଦୀ ପ୍ରକଳ୍ପ। ସାବେରୀ ନଦୀରୁ ଏକତରଫା ଭାବରେ ଜଳ ଉତ୍ତୋଳନ ମଧ୍ୟ ଓଡ଼ିଶା ପାଇଁ କ୍ଷତିକାରକ ହେବ। କୋରାପୁଟ ଜିଲ୍ଲାର କୋଟଗଡ ବ୍ଲକରେ ସାବେରୀ ନଦୀରୁ ଇନ‍୍‌ଟେକ୍ େୱଲ ମାଧ୍ୟମରେ ଜଳ ଉତ୍ତୋଳନ କରି ଛତିଶଗଡର ଏନ‍୍‌ଏମ‍୍‌ଡିସି ଷ୍ଟିଲ‍୍‌ ପ୍ଲାଣ୍ଟକୁ ଜଳଯୋଗାଣ କରାଯାଉଛି। ହୀରାକୁଦର ଉପର ମୁଣ୍ଡରେ ସାରଦି ଓ କଲାମ ବ୍ୟାରେଜ୍‌ ନିର୍ମାଣ ହୋଇଥିବାବେଳେ ମହାନଦୀର ଶାଖା ନଦୀ ଅର୍ପାରେ ଖୋଙ୍ଗସାରା ପ୍ରକଳ୍ପ, ସାଲ‍୍‌କା ପ୍ରକଳ୍ପ ଓ ବିଳାସପୁର ପ୍ରକଳ୍ପ ଭଳି ୭ଟି ପ୍ରକଳ୍ପ କରାଯାଇଛି। ଖାଲି ସେତିକିନୁହେଁ ଅମ୍ୱାଗୁଡ଼ା ଡାଇଭରସେନ‍୍‌ ପ୍ରକଳ୍ପ, ସାଲ‍୍‌କା ଡାଇଭରେସନ‍୍‌ ପ୍ରକଳ୍ପ, ଲଚ୍ଛାପୁର ଡାଇଭରସେନ‍୍‌ ପ୍ରକଳ୍ପ, ଆର୍ପା-ଭାଇସାଝହର ବ୍ୟାରେଜ୍‌ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଜାରି ରହିଛି। ଛତିଶଗଡ଼ ସରକାର ଓଡ଼ିଶା ସୀମାନ୍ତରେ ଥିବା କେଲୋ ନଦୀରେ ମଧ୍ୟ ଏକ ବ୍ୟାରେଜ୍‌ ନିର୍ମାଣ କରିଛନ୍ତି।   ଏସବୁ ପ୍ରକଳ୍ପ ରାତିକ ଭିତରେ ତିଆରି ହୋଇନାହିଁ। ଏସବୁ ପ୍ରକଳ୍ପର ଯୋଜନା ଓ ନକ୍ସା ପ୍ରସ୍ତୁତ କରିବାକୁ ବର୍ଷବର୍ଷ ସମୟ ଲାଗିଛି। ସେଥିପାଇଁ ଅର୍ଥ ମଂଜୁର କରିବାକୁ ମଧ୍ୟ ବର୍ଷ ବିତିଥିବ। ଏହା ପାଇଁ ପରିବେଶ ମଂଜୁରି ସାଙ୍ଗେସାଙ୍ଗେ ମିଳି ନଥିବା। ଏବେ ସିନା କେନ୍ଦ୍ରରେ ବିଜେପିର ମୋଦି ସରକାର ଅଛି। ତା’ ପୂର୍ବରୁ ୧୦ ବର୍ଷ ଧରି ମନେମାହନ ସିଂହଙ୍କ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଥିଲା। ସେହି ସରକାର ଯେ ଛତିଶଗଡ଼ର ବିଜେପି ସରକାରଙ୍କ ପ୍ରକଳ୍ପଗୁଡ଼ିକୁ ସାଙ୍ଗେସାଙ୍ଗେ ଜଙ୍ଗଲ ଓ ପରିବେଶ ମଂଜୁରୀ ପ୍ରଦାନ କରିଥିବେ ତାହା ବିଶ୍ବାସଯୋଗ୍ୟ ନୁହେଁ।   ବାସ୍ତବ କଥା ହେଉଛି, ଛତିଶଗଡ଼ର ଏସବୁ ଯୋଜନା ୨୦୦୦ ମସିହାରୁ ଆରମ୍ଭ ହୋଇଛି। ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଥିଲା। ତା’ପରେ ୨୦୦୪-୧୪ ଯାଏଁ କଂଗ୍ରେସ ପରିଚାଳିତ ମନମୋହନ ସିଂହଙ୍କ ଉପା ସରକାର ରହିଲା। ଏହି ସମୟ ମଧ୍ୟରେ ଛତିଶଗଡ଼ ସରକାର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଜଳ କମିଶନରୁ ସମସ୍ତ ପ୍ରକାର ଆବଶ୍ୟକ ଅନୁମୋଦନ ହାସଲ କରିଛନ୍ତି। ସେତେବେଳେ ଓଡ଼ିଶା ସରକାର ଏସବୁ କଥା କେମିତି ଜାଣିପାରିଲେ ନାହିଁ? ନବୀନଙ୍କ ଚାନେଲ ଓ ନେଟୱାର୍କ କଟି ଯାଇଥିଲା କି? ନା ତାଙ୍କର ଦୃଷ୍ଟିଦୋଷ ଥିଲା?   ସେତେବେଳେ ତ’ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଡର ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଥିଲେ। ନିଜେ ନବୀନଙ୍କ ବିଜେଡି ୧୯୯୮-୨୦୦୯ ଯାଏଁ ବାଜପେୟୀଙ୍କ ନେତୃତ୍ବାଧୀନ ଏନଡିଏର ଆଜ୍ଞାଧୀନ ସଦସ୍ୟ ଥିଲେ। ୨୦୦୪-୧୪ ଯାଏଁ ମଧ୍ୟ ସେ ଥିଲେ ଉପା ସରକାରର ଗେହ୍ଲା ପୁଅ। ସେହି ସମୟରେ କେନ୍ଦ୍ରର କଂଗ୍ରେସ ମନ୍ତ୍ରୀମାନେ ଆସି ନବୀନଙ୍କର କମ୍ ପ୍ରଶଂସା କରି ନାହାନ୍ତି। ଏମିତିକି ୨୦୧୪-୧୬ ଦୁଇ ବର୍ଷ ଭିତରେ ମଧ୍ୟ ନବୀନବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳର ଅନ୍ୟ ଗୁରୁତ୍ବପୂର୍ଣ୍ଣ ନେତାଙ୍କ ପାଖରେ ପ୍ରିୟ ଥିଲେ। ନବୀନ ନିଜେ ତାଙ୍କର ସାଂସଦ ଗୋଠ ନେଇ ମୋଦିଙ୍କୁ ଭେଟି ଦେଇଥିଲେ। ମୋଦି ମଧ୍ୟ ଓଡ଼ିଶା ଆସି ‘ମେରେ ମିତ୍ର ନବୀନ’ଙ୍କୁ ବନ୍ଧୁତାର ବାର୍ତ୍ତା ଦେଇଥିଲେ। ବିଜେପି ସଭାପତି ଅମିତ ଶାହା ଆସି ନବୀନଙ୍କୁ ପ୍ରଶଂସା କରିଥିଲେ।   ନବୀନଙ୍କର ଏସବୁ ରାଜନୀତିକ ସଂପର୍କ ଭିତରେ ତେଣେ ଛତିଶଗଡ଼ ସରକାର ମହାନଦୀ ଉପରେ ନାନାଦି ନିର୍ମାଣ ଚଳାଇଥିଲେ। ନବୀନ ଯଦି ଦକ୍ଷ ଓ ଦୁର୍ନୀତିମୁକ୍ତ ହୋଇଥାନ୍ତେ ଏବଂ କ୍ଷମତା ଅପେକ୍ଷ ଓଡ଼ିଶାର ସ୍ବାର୍ଥ ତାଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତା ତେବେ ସେ ନିଶ୍ଚୟ ଏ ବିଷୟରେ ଯଥେଷ୍ଟ ଆଗରୁ ଖବର ରଖିଥାନ୍ତେ। ତାଙ୍କର ଦଳର ସମ୍ବଲପୁର ସାଂସଦ ଏ ବିଷୟରେ ଦୁଇ ବର୍ଷ ତଳେ ସାଂସଦରେ ପ୍ରଶ୍ନ ପଚାରିଥିଲେ। ବିଜେପିର ବ୍ରଜରାଜନଗର ବିଧାୟକ ରାଧାରାଣୀ ପଣ୍ଡା ମଧ୍ୟ ଏ ନେଇ ଓଡ଼ିଶା ବିଧାନସଭାର ପ୍ରଶ୍ନ ଉଠାଇଥିଲେ। ସେତେବେଳେ ତାଙ୍କ ଆଖି ଫିଟିଲା ନାହିଁ କାହିଁକି?   ଏବେ ପଂଚାୟତ ନିର୍ବାଚନ ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପିର ରାଜ୍ୟ ସ୍ତରୀୟ ନେତାମାନେ ସେମାନଙ୍କର କେନ୍ଦ୍ରୀୟ ନେତାମାନଙ୍କର ସଲାସୁତୁରା ରାଜନୀତି ଓ ଏଠାରେ ନବୀନଙ୍କ ରାଜନୀତିକ ଦୌରାତ୍ମ୍ୟ ଅସହ୍ୟ ହେଲାଣି ବୋଧକରି ଉଗ୍ର ଆଭିମୁଖ୍ୟ ଗ୍ରହଣ କରିବାରୁ ନବୀନଙ୍କର ନିଦ ଭାଙ୍ଗିଗଲା ବୋଧହୁଏ!

Share :