କେତେ ସ୍ବଚ୍ଛ ନବୀନଙ୍କ ପୁଲିସ?

କେତେ ସ୍ବଚ୍ଛ ନବୀନଙ୍କ ପୁଲିସ?

Share :

ତ୍ରିପୁରା କ୍ୟାଡରର ଓଡ଼ିଆ ଆଇପିଏସ ଅଫିସର ଜୟଦୀପ ନାୟକ ଓଡ଼ିଶାକୁ ଡେପୁଟେସନରେ ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳାନାଧୀନ ଗୃହ ବିଭାଗରେ ସେ ଉଚ୍ଚ ପୁଲିସ ଅଧିକାରୀ ପଦବୀ ପାଇଥିଲେ। ତାଙ୍କୁ ଆଇଜି ପାହ୍ୟା ଦିଆଯାଇ ପୁଲିସ ମାନବାଧିକାର ପ୍ରକୋଷ୍ଠର ଦାୟିତ୍ବରେ ରଖାଯାଇଥିଲା। ଏହା ଭିତରେ ସେ ପୁଣି ନିଜ କ୍ୟାଡରକୁ ଫେରିଗଲେଣି। କିନ୍ତୁ ଏବେ ତାଙ୍କ ବିରୋଧରେ ଉଠିଛି ୮୮ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ। ଏହି ଅଭିଯୋଗରେ ତାଙ୍କର ଅନ୍ୟ ୫ ଜଣ ସହଯୋଗୀ ଗିରଫ ହୋଇସାରିଲେଣି। ଜୟଦୀପଙ୍କୁ ଓଡ଼ିଶା ପୁଲିସ ଖୋଜି ପାଉନାହିଁ!   ଯେଉଁ ଦୁର୍ନୀତି ଅଭିଯୋଗ ଉଠିଛି ତାହା ପୁଣି ଚମତ୍କାର। ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତିର ଛାତ୍ରଛାତ୍ରୀ ଓ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କଂପ୍ୟୁଟର ଶିକ୍ଷା ଓ ତାଲିମ ଦେବା ପାଇଁ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା। ପୁଲିସ ବିଭାଗର ମାନବାଧିକାର ପ୍ରକୋଷ୍ଠ କାହିଁକି ଏ ଦାୟିତ୍ବ ପାଇଥିଲା ତାହାର ଜବାବ ଅବଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବା କଥା। ସାଧାରଣତଃ ଏଭଳି ଦାୟିତ୍ବ ଶିକ୍ଷା ବିଭାଗ ନହେଲେ ବୈଷୟିକ ଶିକ୍ଷା ବିଭାଗକୁ ମିଳିବା କଥା। ସେଥିପାଇଁ ଓକାକ ଭଳି ଏକ ସଂସ୍ଥା ମଧ୍ୟ ରହିଛି। କିନ୍ତୁ କେବଳ ନବୀନ ପଟ୍ଟନାୟକଙ୍କ ଶାସନରେ ର୍ହି ପୁଲିସ ବିଭାଗ ପାଠ ପଢ଼ାଇବା ଦାୟିତ୍ବ ଗ୍ରହଣ କରିପାରେ।   ସେ ଯାହା ହେଉ, ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତିର ଛାତ୍ରଛାତ୍ରୀ ଓ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟଙ୍କୁ କଂପ୍ୟୁଟର ତାଲିମ ଦେବା ଆଳରେ ହଡ଼ପ ହୋଇଥିଲା ଏହ ୮୮ ଲକ୍ଷ ଟଙ୍କା। ବିନା ଟେଣ୍ଡର ଓ ଯାଞ୍ଚରେ ଆକ୍ସିସ କଂପ୍ୟୁଟର ନାମକ ଏକ ଘରୋଇ ସଂସ୍ଥାକୁ ଏହି ଅର୍ଥ ପ୍ରଦାନ କରାଯାଇଥିଲା। ବେଶି ଦିନ ତଳର କଥା ନୁହେଁ। ହାଲକୁ ଘଟିଛି ଏହି ଦୁର୍ନୀତି, ୨୦୧୪-୧୫ ବର୍ଷର କଥା।   ନବୀନଙ୍କ ନିଜ ବିଭାଗରେ ଘଟିଥିବା ଅନ୍ୟ ଏକ ଦୁର୍ନୀତି ନେଇ ଏବେ ପୁଲିସ ଓ ଗୃହ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ଏବେକାର ଅଗ୍ନିଶମ ସେବା ଡିଜି ବିନୟ ବେହେରା କହିଛନ୍ତି ଯେ ତାଙ୍କ ପୂର୍ବରୂ ଏହି ଦାୟିତ୍ବରେ ଥିବା ଆଇପିଏସ ଅଧିକାରୀ ଏମ. ନାଗେଶ୍ବର ରାଓ ୟୁନିଫର୍ମ କିଣା ବାବଦରେ ପ୍ରାୟ ୩ କୋଟି ଟଙ୍କାର ଅନିୟମିତତାରେ ଜଡ଼ିତ ଅଛନ୍ତି। ସେଥିପାଇଁ ଏହା ଉପରେ ସେ ଆଭ୍ୟନ୍ତରୀଣ ଅଡିଟ ସୁପାରିଶ କରିବା ସହିତ ସରକାର ମଧ୍ୟ ତାହାକୁ ଗ୍ରହଣ କରିଛନ୍ତି। ଗୃହ ବିଭାଗ ସଚିବ ଅସିତ ତ୍ରିପାଠୀ ମଧ୍ୟ ଏପରି ଅଭିଯୋଗକୁ ସମର୍ଥନ କରିଛନ୍ତି। ପଦାକୁ ଆସିଥିବା ସୂଚନା ହେଲା ସରକାରଙ୍କ ଆଦେଶ ନନେଇ ଏବଂ ବିନା ଟେଣ୍ଡରରେ ନାଗେଶ୍ବର ରାଓ ଅଗ୍ନିଶମ ସେବା ଅଧିକାରୀ ଓ କର୍ମଚାରୀମାନଙ୍କର ୟୁନିଫର୍ମ ବଦଳାଇଥିଲେ। ନୂଆ ୟୁନିଫର୍ମ ନାଲି ଟ୍ରାକ୍ ସ୍ୟୁଟ୍ ଓ ହଳଦିଆ ଡୁଙ୍ଗାରି କିଣା ବାବଦରେ ତାଙ୍କ ସମୟରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ଦୁର୍ନୀତି ବୋଲି ସନ୍ଦେହ କରାଯାଉଛି।   ନାଗେଶ୍ବର ରାଓ ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ପଦରେ ଅଛନ୍ତି। ଗଲା ଏପ୍ରିଲ ମାସରେ ତାଙ୍କୁ ସିବିଆଇରେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷ ଓ ଦୁର୍ନୀତିମୁକ୍ତ ଅଫିସରଙ୍କୁ ପସନ୍ଦ କରୁଥିବାରୁ ଏମ. ନାଗେଶ୍ବର ରାଓଙ୍କୁ ସିବିଆଇକୁ ନିଆଯାଇଛି ବୋଲି କୁହାଯାଉଛି। ସିବିଆଇ ଏବେ ଓଡ଼ିଶାର ଚିଟ୍ ଫଣ୍ଡ ଦୁର୍ନୀତିର ତଦନ୍ତ ଦାୟିତ୍ବରେ ଅଛି। ଏହି ଦୁର୍ନୀତି ତଦନ୍ତକୁ ଓଡ଼ିଶାର ଶାସକ ବିଜୁ ଜନତା ଦଳ ଅନେକ ସମୟରେ ବିରୋଧ କରିଛି। ଏପରିକି ଏହାର ପ୍ରତିବାଦରେ ବିଜେଡି କର୍ମୀମାନେ ଭୁବନେଶ୍ବର ସିବିଆଇ ଅଫିସ ମଧ୍ୟ ଘେରାଉ କରିଛନ୍ତି। ତେବେ ନାଗେଶ୍ବର ରାଓ ଓଡ଼ିଶା ଦାୟିତ୍ବରେ ନାହାନ୍ତି। ତାଙ୍କୁ ଚେନ୍ନାଇରେ ଅବସ୍ଥାପିତ କରାଯାଇଛି।   ଏବ ନାଗେଶ୍ବରଙ୍କୁ ଦୁର୍ନୀତି ସନ୍ଦେହରେ ରଖିଥିବା ନବୀନ ଶାସନ କିନ୍ତୁ କେଇ ମାସ ତଳେ ତାଙ୍କୁ ଗେହ୍ଲାପୁଅ କରିଥିଲେ। ସେ ସିବିଆଇରେ ଯୋଗଦେବାର ସମ୍ଭାବନା ଥିବା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କୁ ପୁଲିସ ମହାନିର୍ଦ୍ଦେଶକ ବା ଡିଜି ପାହ୍ୟା ପ୍ରଦାନ କରିଥିଲେ। ନବୀନ ସରକାର ବୋଧହୁଏ ଭାବିଥିଲେ ନାଗେଶ୍ବରଙ୍କୁ ଆଗୁଆ ଖୁସି କରିଥିଲେ ସେ ସିବିଆଇକୁ ଯାଇଁ ଚିଟ୍ ଫଣ୍ଡ ଦୁର୍ନୀତି ତଦନ୍ତକୁ ଶୀଥିଳ କରିବେ କିମ୍ବା ବିଜେଡି ନେତାମାନଙ୍କୁ ଖସାଇବା ଦିଗରେ ସହାୟତା କରିବେ। ତେବେ ଓଡ଼ିଶା ସରକାରଙ୍କର ଏହି ଅଶା ଫଳବତୀ ହେଲା ନାହିଁ।   ଏବେ ନାଗେଶ୍ବରଙ୍କ ପ୍ରକୃତ ଚରିତ୍ର ଫିଟୁଛି। ସେ ଜଣେ ଦୁର୍ନୀତି ପ୍ରବଣ ଅଫିସର ବୋଲି ସରକାର ଏବେ ଜାଣୁଛନ୍ତି, ତାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲା ପରେ!   ଇଏ ହେଉଛି ନବୀନ ସରକାରଙ୍କ ପୁଲିସ ବିଭାଗର ସ୍ବଚ୍ଛତାର ହାଲଚାଲ। ଏବେ ପଦାକୁ ଆସିଛି ଏହିପରି ଅନ୍ୟ ଏକ ଖବର। ନୟାଗଡ଼ ପୁଲିସ ଛାତ୍ରାବାସର ଅଧ୍ୟକ୍ଷ ବିନୋଦ ଦାସ ଏବେ ସେହି ଛାତ୍ରାବାସର ମ୍ୟାନେଜନରଙ୍କଠାରୁ ୭୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ବିରୋଧରେ ପୁରୀ ଓ ଭୁବନେଶ୍ବରରେ ଏକାଧିକ ଦୁର୍ନୀତି, ପ୍ରିୟାପ୍ରୀତି ଓ ଅପାଗରଗତା ଅଭିଯୋଗ ଆସିବା ସତ୍ତ୍ବେ ତାଙ୍କ ଚାକିରି ଯାଇନାହିଁ। ପୂର୍ବତନ ପୁଲିସ ଡିଜି ତଥା ଗଡ଼ଫାଦର ସଂଜୀବ ମାରିକଙ୍କ ଯୋଗୁଁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା ବୋଲି ଚର୍ଚ୍ଚା ଚାଲିଛି। ସଂଜୀବ ମାରିକଙ୍କ ବିରୋଧରେ ମଧ୍ୟ କମ୍ ଅଭିଯୋଗ ନଥିଲା। ଏଇ ନବୀନ ସରକାର ତାଙ୍କୁ ଏକଦା ସସ୍‌ପେଣ୍ଡ କରିଥିଲେ। ସେ ଭଦ୍ରକ ଜେଲ୍‌ରୁ ବିହାରୀ ଡକାୟତଙ୍କୁ ଖସାଇ ଦେଇଥିବା ଅଭିଯୋଗ ଥିଲା।   ଏବେ ସେ ନୟାଗଡ଼ ପୁଲିସ ଛାତ୍ରାବାସ ପରିଚାଳକଙ୍କଠାରୁ ମାସିକ ୧.୨୪ ଲକ୍ଷ ଟଙ୍କାର ଲାଞ୍ଚ ମାଗିବା ଓ ୭୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଛନ୍ତି। କିନ୍ତୁ ଏହି ଘଟଣା ପଛରେ ରହିଯାଇଛି ନବୀନ ଶାସନର ଆଉ କିଚି ଅସ୍ବଚ୍ଛ ଦିଗ। ନୟାଗଡ଼ ପୁଲିସ ଛାତ୍ରାବାସରେ ଏମିତି କେତେ ଛାତ୍ରଛାତ୍ରୀ ରହନ୍ତି କି ଯେଉଁମାନଙ୍କ ମେସ୍ ଖର୍ଚ୍ଚରୁ ଅଧ୍ୟକ୍ଷଙ୍କ ପାଇଁ ୧.୨୪ ଲକ୍ଷ ଟଙ୍କାର ଲାଞ୍ଚ ବାହାରିପାରିବ? ଯିଏ ଅଧ୍ୟକ୍ଷଙ୍କୁ ମାସିକ ୧.୨୪ ଲକ୍ଷ ଟଙ୍କା ଲାଞ୍ଚ ଦେଇପାରିବ ସେ ତାଙ୍କ ପାଇଁ କେତେ ଟଙ୍କା ହଡ଼ପ କରିବେ? ଏମିତି ହଷ୍ଟେଲ କେବଳ ନୟାଗଡ଼ରେ ଅଛି ନା ଅନ୍ୟ ସବୁ ଜିଲ୍ଲାରେ ବି ଅଛି? ସେସବୁ ହଷ୍ଟେଲ ପାଇଁ କ’ଡ଼ଣ ଏମିତି ଖର୍ଚ୍ଚ ହେଉଛି?   ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହେଉଛନ୍ତି ଗୃହ ବିଭାଗର ମୁଖିଆ। ତାଙ୍କରି ବିଭାଗର ଇଏ ହେଉଛି କେତୋଟି ଛୋଟ ଦୁର୍ନୀତି ଓ କୁପରିଚାଳନାର ହିସାବ। ତାଙ୍କ କ୍ରାଇମ ବ୍ରାଞ୍ଚ, ତାଙ୍କ ଭିଜିଲାନ୍ସ ଓ ତାଙ୍କ କମିଶନରେଟ ପୁଲିସର ଇନିସପେକ୍ଟରଙ୍କଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ ଅନେକଙ୍କ ବିରୋଧରେ ଏପରି ଅଭିଯୋଗ ସବୁ ନିହାତି ପୁରୁଣା। ଜଣେ ଦି’ ଜଣଙ୍କ ବିରୋଧରେ ଲୋକ ଦେଖାଣିଆ କାର୍ଯନୁଷ୍ଠାନ, ବାକି ସମସ୍ତଙ୍କୁ ଚାରି ଖୁଣ୍ ମାଫ! ଅଥଚ ଜଣେ ସଚ୍ଚୋଟ ଅଫିସର ଭାବ ସର୍ବଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରକାଶ ମିଶ୍ରଙ୍କୁ ଡିଜି ପଦରୁ ହଟାଗଲା ଓ ତାଙ୍କ ବିରୋଧରେ ମିଛ ଭିଜିଲାନ୍ସ ମାମଲା ଦାଏର ହେଲା। ସେଥିରେ ବି କୋଉ ଯଶ ମିଳିଲା? ଓଲଟି ନବୀନ ସରକାର ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଭାଣ୍ଡିଆ ହେଲେ। କିନ୍ତୁ ସରକାରଙ୍କ ବୋଲ ମାନି ଜଣେ ଦକ୍ଷ ଓ ଦୁର୍ନୀତିମୁକ୍ତ ଅଫିସରଙ୍କୁ ବଦନାମ କରିବା ଉଦ୍ୟମ କରିଥିବାରୁ ନବୀନବାବୁ ଅଣଓଡ଼ିଆ ଅଧିକାରୀ ସଂଜୀବ ମାରିକ ଓ କେବି ସିଂହଙ୍କୁ ଓଡ଼ିଶାର ପୁଲିସ ଡିଜି ପଦ ପୁରସ୍କାର ଦେଲେ।

Share :