ବିକିଲେ ୫, କିଣିଲେ ୫୦!

ବିକିଲେ ୫, କିଣିଲେ ୫୦!

ସ୍ନେହଲତା ମିଶ୍ର   କଳାହାଣ୍ଡି ଓ ରାୟଗଡା ସୀମାନ୍ତ ନିୟମଗିରି ପର୍ବତର ସପୁରୀ ଏବେ ଛତିଶଗଡ ଓ ଆନ୍ଧ୍ର ବେପାରୀଙ୍କ କବ‌୍‍ଜାରେ। ଏହି ବେପାରୀଙ୍କ ଯୋଗୁଁ ଦିନରାତି ଖଟି ସପୁରୀ ଉତ୍ପାଦନ କରୁଥିବା ନିୟମଗିରି ଡଙ୍ଗରିଆ ଏବଂ ଝରଣିଆ କନ୍ଧ ପରିଶ୍ରମ ମୁତାବକ ପାଉଣା ପାଉ ନ ଥିବା ଅଭିଯୋଗ ହୋଇଛି।   ନିୟମଗିରି ପର୍ବତର ଜଙ୍ଗଲ ମଧ୍ୟରେ ଉଭୟ କଳାହାଣ୍ଡି ଓ ରାୟାଗଡା ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଛୋଟ ଛୋଟ ଗାଁ ରହିଛି। ବିକାଶଠାରୁ ଅନେକ ଦୂର ଅନ୍ଧାରୀ ମୁଲକରେ ରହୁଥିବା ସରଳ ନିରୀହ ଆଦିବାସୀମାନେ ପ୍ରକୃତି ଉପରେ ନିର୍ଭର କରି ଋତୁ ମୁତାବକ ଶସ୍ୟ ଓ ଫଳ ପାହାଡ ଉପରେ ଉତ୍ପାଦନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ବିଭିନ୍ନ ସମୟରେ ଆଦିବାସୀମାନେ କାନ୍ଦୁଲ, ମାଣ୍ଡିଆ, କୁଶଳା, ଆମ୍ୱ, କଦଳୀ, କମଳା, ଲେମ୍ୱୁ, ଡାଲଚିନି, ଗୋଲ ମରିଚ, ହଳଦୀ, ଅଦା, ତେନ୍ତୁଳି ଓ ପଣସ ଆଦି ଚାଷ କରୁଥିଲେ ହେଁ ମେ ଓ ଜୁନ ୨ ମାସ ସେମାନେ ପ୍ରମୁଖ ଅର୍ଥକରୀ ଫସଲ ଭାବେ ସପୁରୀ ପଣସ ଚାଷ କରିଥାନ୍ତି।   ନିୟମଗିରି ପର୍ବତର ଶୀତଳ ଜଳ ଓ ପବନ ଯୋଗୁଁ ପାହାଡ ଉପରେ ଚାଷ ହେଉଥିବା ସପୁରୀ ପଣସ ସବୁ ୧ରୁ ୩ କେଜି ପର୍ଯ୍ୟନ୍ତ ଓଜନ ହୋଇଥାଏ। ଫଳରେ ନିୟମଗିରିର ସପୁରୀ ପଣସର ସ୍ୱତନ୍ତ୍ର ଚାହିଦା ରହିଛି। ବିଶେଷ କରି ନିୟମଗିରି ପର୍ବତର କୁର୍ଲି, ଖମ୍ୱେସି, ଖଜୁରୀ, ଗଡତଲି, କାତ୍ରାଗୁମା, ଉପରଗୁମା, ଗଡଝଲି, ଆମଦୁଣି, ଗରଟା, କୁଚେଲି, ହଟେସି, ମୁଣ୍ଡବାଲି, ଦୁଣ୍ଡିଜାଲି, ଲଡାଙ୍ଗ ଆଦି ଗାଁରେ ପ୍ରଚୁର ପରିମାଣରେ ସପୁରୀ ପଣସ ଚାଷ ହୋଇଥାଏ ଏବଂ ଆଦିବାସୀମାନେ ଏହି ସପୁରୀ ପଣସକୁ ବିକ୍ରି କରିବା ପାଇଁ ରାୟଗଡା ଜିଲ୍ଲାର ଚାଟିକଣା, ବିଶମକଟକ, ମୁନିଗୁଡା, ଆମ୍ୱାଦୋଲା ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ, ଲାଞ୍ଜିଗଡ ରୋଡ ଓ ଭବାନୀପାଟଣାକୁ ନେଇଥାନ୍ତି। ହେଲେ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶର ବେପାରୀମାନେ ଆଦିବାସୀ ଡଙ୍ଗରିଆଙ୍କ ସରଳତାର ସୁଯୋଗ ନେଇ ଗୋଟାକୁ ୨ରୁ ୫ ଟଙ୍କାରେ ସପୁରୀ ପଣସ କିଣି ନେଇ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ସେହି ସପୁରୀ ପଣସକୁ ଗୋଟା ୪୦ରୁ ୫୦ ଟଙ୍କାରେ ବିକ୍ରି କରି ମାଲେମାଲ ହୋଇଥାନ୍ତି।   ଅନ୍ୟପଟେ ଆଦିବାସୀମାନେ ପାହାଡ ଉପରେ ମୁଣ୍ଡାଝାଳ ତୁଣ୍ଡେ ମାରି ୩ରୁ ୪ ମାସ ଦିନରାତି ପରିଶ୍ରମ କରି ସପୁରୀ ପଣସ ଚାଷ କରିଥାନ୍ତି। କିନ୍ତୁ ଯେତେ ପରିଶ୍ରମ କରିଥାନ୍ତି ତାର ୧୦ ଭାଗ ମଧ୍ୟ ଲାଭ ପାଇ ନ ଥାନ୍ତି। ଗୋଟିଏ ପଟେ ପାହାଡ ଉପରେ ରାସ୍ତା ନଥିବାରୁ ଆଦିବାସୀମାନେ ୧୫ରୁ ୨୦ କି.ମି ଦୂର ବିଭିନ୍ନ ବଜାରକୁ ମୁଣ୍ଡରେ ବୋହି ବାହର ରାଜ୍ୟ ବେପାରୀଙ୍କୁ ଅତି ଶସ୍ତାରେ ସପୁରୀ ଟେକି ଦେଇଥାନ୍ତି। ଆଦିବାସୀ ଅଞ୍ଚଳରେ ସପୁରୀ ପଣସର ଅଭାବୀ ବିକ୍ରି ସାଙ୍ଗକୁ ପ୍ରୋତ୍ସାହନର ଅଭାବ ସତ୍ତ୍ବେ ନିଜ ଜୀବନ ଜୀବିକା ପାଇଁ ଏବେ ମଧ୍ୟ ଲଢେଇ ଜାରି ରଖଛନ୍ତି। ରାଜ୍ୟ ସରକାର ସପୁରୀ ପଣସକୁ ବ୍ୟବସାୟ ଭିତ୍ତିରେ ସଠିକ‌୍‍ ମାର୍କେଟିଙ୍ଗ‌୍‍ ବ୍ୟବସ୍ଥା କରିପାରିଲେ କେବଳ ନିୟମଗିରିର ମିଠା ଏବଂ ତାଜା ସପୁରୀ ପଣସ ସାରା ରାଜ୍ୟ ପାଇଁ ବଳକା ହୋଇପଡନ୍ତା ଏବଂ ଓଡିଶା ଅନ୍ୟ ରାଜ୍ୟର ଖଟା ଏବଂ ପାଣିଚିଆ ସପୁରୀ ପଣସ ଆମଦାନୀ ବନ୍ଦ କରିପାରନ୍ତା।

Share :