କଂଗ୍ରେସର କେବିକେ ବନ୍ଦ ସଫଳ

କଂଗ୍ରେସର କେବିକେ ବନ୍ଦ ସଫଳ

Share :

ସ୍ନେହଲତା ମିଶ୍ର   ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଗିରଫ ପ୍ରତିବାଦରେ ଜୁଲାଇ ୨ ତାରିଖ କେବିକେ ଅଞ୍ଚଳରେ ଚକା ବନ୍ଦ ସହ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ  ରାଜନୈତିକ ଆକ୍ରୋଶର ଶିକାର ହେଉଥିବା ଆଦିବାସୀ ନେତା ଓ ଜଙ୍ଗଲ ଜମି ପଟ୍ଟା ପାଇ ନିଜ ହକ‌୍‍ ମାଗୁଥିବା ଲୋକଙ୍କୁ ଚୋରି ଓ ଡକାୟତି ଭଳି ସଙ୍ଗୀନ ଅଭିଯୋଗରେ ମାମଲା ରୁଜୁ କରିବାର ଜବାବ ଦିଆଯାଇଛି। ଏହାଛଡା କେନ୍ଦ୍ର ସରକାର ଆଦିବାସୀଙ୍କ ଗ୍ରାମସଭା କ୍ଷମତାକୁ ଛଡେଇ ନେବାକୁ ଯୋଜନା କରୁଛି ବୋଲି ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା ଏଆଇସିସି ସମ୍ପାଦକ ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି।   ଉମରକୋଟ ବନ ବିଭାଗ ରେଞ୍ଜ ପକ୍ଷରୁ ଜଙ୍ଗଲ ଜମି ନାଁରେ ପ୍ରାୟ ୩ କୋଟି ୩୬ ଲକ୍ଷ ଟଙ୍କା ଲାଞ୍ଚ ନିଆଯାଇଥିବା ଏବଂ ଜଙ୍ଗଲ ଜମି ପଟ୍ଟା ପ୍ରସ୍ତୁତି ବଣ୍ଟନ ନ ହେବା ନେଇ ରେଞ୍ଜ ଅଫିସକୁ ଅନୁରୋଧ କରିବା ନିମନ୍ତେ ଆଦିବାସୀମାନେ ଯାଇଥିଲେ। ସେମାନଙ୍କ ସହ ନବରଙ୍ଗପୁରର ପୂର୍ବ ସାଂସଦ ପ୍ରଦୀପ ମାଝୀ ଯାଇଥିବା ବେଳେ ତାଙ୍କ ନାମରେ ବିଭିନ୍ନ ଦଫା ରୁଜୁ କରି ପୁଲିସ ଜେଲ‌୍‍ ପଠାଇ ଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଦିବାସୀ ସମୂହଙ୍କ କେବିକେ ଅଞ୍ଚଳରେ ପଟ୍ଟା ପାଇଁ ହକ‌୍‍ ଥିବା ବେଳେ କେନ୍ଦ୍ର ସରକାର ବର୍ତ୍ତମାନ ଗ୍ରାମସଭା ଅଧିକାର ମଧ୍ୟ ସେମାନଙ୍କଠାରୁ ଛଡାଇ ନେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ରାସନ‌୍‍ କାର୍ଡ ଦୁର୍ନୀତି, ଫସଲବୀମା ଟଙ୍କା ପୈଠ ନ ହୋଇ ପଡି ରହିବା ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି।   ଏନେଇ ଶନିବାର କେବିକେ ଅଂଚଳର ୮ଟି ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଭବାନୀପାଟଣା ସମେତ କଳାହାଣ୍ଡିର ୧୩ ବ୍ଲକରେ ବନ୍ଦ ପାଳିତ ହୋଇଛି। ଏସବୁ ଅଂଚଳରେ ସମସ୍ତ ଦୋକାନ ବଜାର ଗାଡି ମୋଟର ବନ୍ଦ ରହିଥିଲା। କଂଗ୍ରେସ କର୍ମୀମାନେ କାଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଲୟରେ ଧସେଇ ପଶୁଥିବା ବେଳେ ଭବାନୀପାଟଣାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଆଇସିସି ସମ୍ପାଦକ ଭକ୍ତ ଚରଣ ଦାସଙ୍କ ସମେତ ପ୍ରାୟ ୨୦୦ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିବା ବେଳେ ଧର୍ମଗଡରୁ ୫୦ ଏବଂ ଅନ୍ୟାନ୍ୟ ବ୍ଲକରୁ ପ୍ରାୟ ୮୫୦  ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡିଛି।   କେବିକେର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ କଂଗ୍ରେସ ବନ୍ଦ ସଫଳ ହୋଇଥିବା ସୂଚନା ମିଳିଛି। ରାୟଗଡ଼ାରେ ଦୋକାନବଜାର, ସ୍କୁଲକଲେଜ ବନ୍ଦ ଥିଲା। ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା। କଂଗ୍ରେସ କର୍ମୀମାନେ ଜିଲ୍ଲାପାଳ ଅଫିସରେ ଧସେଇ ପଶିଥିଲେ। ସେଥିପାଇଁ ଶତାଧିକ କର୍ମୀଙ୍କୁ ଗିରଫ କରାଯାଇଥିଲା। ସେହିପରି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ମଧ୍ୟ ବନ୍ଦ ସଫଳ ହୋଇଛି। ବନ୍ଦ ସମୟରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ତାଙ୍କର ୧୮ ସହଯୋଗୀ ଜେଲ୍‌ରୁ ଖଲାସ ହୋଇଛନ୍ତି। ସେମାନଙ୍କୁ ପୂର୍ବଦିନ ଜାମିନ ମିଳିଥିଲା। ଜେଲ୍‌ରୁ ବାହାରିବା ପରେ ପ୍ରଦୀପ କହିଛନ୍ତି ଯେ ଆଦିବାସୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ତାଙ୍କ ଆନ୍ଦୋଳନ ଅବ୍ୟାହତ ରହିବ।   ଅନ୍ୟପକ୍ଷରେ ବିଜେଡି ନେତା ତଥା ପୂର୍ବତନ ରାଜ୍ୟମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି ଯେ କଂଗ୍ରେସ ନିଜର ସ୍ଥିତିରକ୍ଷା ପାଇଁ ଏଭଳି ବନ୍ଦ ଡାକରା ଦେଇଥିଲା। ତାହାର କୌଣସି ପ୍ରଭାବ ଜନ ସାଧାରଣଙ୍କ ଉପରେ ପଡ଼ିନାହିଁ। ନବୀନ ସରକାର ଆଦିବାସୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରୁଛନ୍ତି। ଓଡ଼ିଶାରେ ଏହି ଯୋଜନା ସମଗ୍ର ଦେଶରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

Share :