ସ୍ୱର୍ଣ୍ଣଗର୍ଭା ସୁକିନ୍ଦାର ଦୁସ୍ଥ ଏକ ଗାଁ

ସ୍ୱର୍ଣ୍ଣଗର୍ଭା ସୁକିନ୍ଦାର ଦୁସ୍ଥ ଏକ ଗାଁ

Share :

ଶରତ ପଥାଳ   ଖଣିଜ ଏବଂ ଶିଳ୍ପାୟନ ପାଇଁ ଯାଜପୁର ଜିଲା ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଆଧୁନିକ ଶିଳ୍ପାୟନ ପୂର୍ବରୁ ପ୍ରଚୁର ପରିମାଣରେ ରହିଥିବା କ୍ରୋମ ଭଣ୍ଡାର ଯୋଗୁଁ ଏହି ଅଂଚଳକୁ କୁହାଯାଏ ସ୍ୱର୍ଣ୍ଣଭର୍ଗା ସୁକିନ୍ଦା। ସୁକିନ୍ଦାର କ୍ରୋମ ଯୋଗୁଁ ଶହଶହ କମ୍ପାନୀ, ହଜାର ହଜାର ଲୋକ କୋଟିପତି। ଅନେକ ଶିଳ୍ପ ସାମ୍ରାଜ୍ୟ ଗଢ଼ି ଉଠିଛି ସୁକିନ୍ଦାର କ୍ରୋମ ଉପରେ। କିନ୍ତୁ ଏଠି ଏମିତି ବି ଗାଁ ଅଛି ଯାହାର ଚିତ୍ର ଦେଖିଲେ ଏହି ପ୍ରାକୃତିକ ପ୍ରାଚୁର୍ଯ୍ୟରୁ ସ୍ଥାନୀୟ ଲୋକମାନେ ଅଦୌ ଭାଗ ପାଇ ନଥିବା ପ୍ରମାଣିତ ହୋଇଯାଏ।   ରତ୍ନଗର୍ଭା ସୁକିନ୍ଦାରେ ଏମିତି କେତେକ ଗାଁ ଅଛି ଯାହାର ଚିତ୍ର କେବିକେ ଅଂଚଳର କୌଣସି ଦୁର୍ଗମ ଗ୍ରାମର ଚିତ୍ରଠାରୁ ଆହୁରି ଦୟନୀୟ ଓ ଶୋଚନୀୟ। ଶିଳ୍ପ, ବ୍ୟବସାୟ ଓ କୃଷି କ୍ଷେତ୍ରରେ ଯଥେଷ୍ଟ ବିକାଶ ଲାଭ କରିଥିବା ଯାଜପୁର ଜିଲ୍ଲା ଅନ୍ତର୍ଗତ ସ୍ୱର୍ଣ୍ଣଗର୍ଭା ସୁକିନ୍ଦାର ଏହି ଦୁର୍ଗମ ଗ୍ରାମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗମନାଗମନର କୌଣସି ସୁବିଧା ନାହିଁ। ପାହାଡିଆ ପାଦଚଲା ରାସ୍ତା ଏହି ଗାଁର ଲୋକଙ୍କ ପାଇଁ ଏକମାତ୍ର ବିକଳ୍ପ। ଗାଁରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିକାଶର ଚିତ୍ର ଖ୍ଜିଲେ ମିଳେ ନାହିଁ।   ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିପାଳ ପଂଚାୟତର ନଗଡା ଓ ନାଲିଆଡ଼ାବ ଗ୍ରାମ ପାଲଟିଛି ଜିଲ୍ଳାର ସବୁଠୁ ଅନୁନ୍ନତ ଆଦିବାସୀ ଗ୍ରାମ। ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ଅପହଂଚ ଦୁର୍ଗମ ଗ୍ରାମକୁ ପଂହଚିବାକୁ ହେଲେ ଦରକାର ଭଗବାନଙ୍କ ସାହାରା ସାଙ୍ଗକୁ ସୁସ୍ଥ ଓ ଶକ୍ତିଶାଳୀ ଶରୀର। ଚାଲି ଚାଲି ୧୦ କିଲୋମିଟର ପାହାଡ ଅତିକ୍ରମ କଲାପରେ ପଡେ ଏହି ଦୁର୍ଗମ ଗାଁ। ଏହି ଗ୍ରାମରେ ଜୁଆଙ୍ଗ ଆଦିବାସୀ ଶ୍ରେଣୀର ୩୫ଟି ପରିବାର ବସବାସ କରୁଥିବାବେଳେ ଏଠାରେ ମୁଖ୍ୟ ସମସ୍ୟା ହେଉଛି ଖାଦ୍ୟ ଏବଂ ପାନୀୟ। ବାହ୍ୟ ଜଗତରୁ ଏମାନେ ସମ୍ପୁର୍ଣ ବିଛିନ୍ନ ହୋଇ ରହୁଥିବାବେଳେ ଜଙ୍ଗଲରୁ ମିଳୁଥିବା ଦ୍ରବ୍ୟ ଏମାନଙ୍କର ଦୈନିକ ଖାଦ୍ୟ ଏବଂ ଝରଣାର ଦୂଷିତ ପାଣି ହିଁ ପାନୀୟ। ଦୂଷିତ ପାଣି  ଏବଂ ଜଙ୍ଗଲୀ ଖାଦ୍ୟ ଖାଇ ଏଠାକାର ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଗୁଣି ଗାରେଡି ଏମାନଙ୍କ ଚିକିତ୍ସାର ଏକ ମାତ୍ର ବିକଳ୍ପ।   ସ୍ୱାସ୍ଥ୍ୟ ସେବାରୁ ଏମାନେ ବଂଚିତ ହୋଇ ଏହି ଗୁଣିଗାରେଡିକୁ ଭରସା କରି ଜୀବନ ହାରୁଥିବାବେଳେ ଏବେ ଏହି ଗ୍ରାମରେ କୋମଳମତି ଶିଶୁମାନଙ୍କର ମୃତ୍ୟୁ ପ୍ରଶାସନର ଚିନ୍ତାର କାରଣ ପାଲଟିଛି। ଶିଶୁ ମୃତ୍ୟୁର ଅଭିଯୋଗ ପରେ ଆଜି ଜିଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ‌୍‍ ସାଙ୍ଗକୁ ଜିଲା ଶିଶୁ ସୁରକ୍ଷା ୟୁନିଟ‌୍‍ ଏବଂ ଜୈନକ ଏନ‌୍‍ଜିଓ ସଂସ୍ଥା ଗ୍ରାମ ପରିଦର୍ଶନରେ ଆସି ଏଠାରେ ବସବାସ କରୁଥିବା ସମସ୍ତ ପରିବାରଙ୍କ ରକ୍ତ ନମୁନା  ପରୀକ୍ଷଣ କରିବା ସହ ଓୗଷଧ ବଣ୍ଟନ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ପରିଦର୍ଶନରେ ଏ.ଡି.ଏମ‌୍‍.ଓ ଡ.କାହ୍ନୁ ଚରଣ ନାୟକ, ସଂକ୍ରାମକ ରୋଗ ବିଜ୍ଞାନୀ ଡ. ପାର୍ଥସାରଥି ମିଶ୍ର, ସୁକିନ୍ଦା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଆର.ଏନ‌୍‍ ମିଶ୍ର, ରମଣ ରଂଜନ ମହାପାତ୍ର, କୈଳାସ ସ୍ୱାଇଁ, ଉମେଶ ଚନ୍ଦ୍ର ବେହେରା, ନରହରୀ ପୂର୍ତ୍ତୀ, ଭାସ୍କର ହାଇବ୍ରୁ, ଆଶାକର୍ମୀ ଜୟନ୍ତୀ ମହାନ୍ତଙ୍କ ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଏବଂ କର୍ମୀ ମିହିର ଜେନା, ଏନଜିଓ ଆସ୍ପେୟାର ପକ୍ଷରୁ ବ୍ଲକ‌୍‍ କୋର୍ଡିନେଟର ଜି. ନରେଶ, କର୍ମୀ ଶରତ ମହାକୁଡ, ରାହୁଲ ଦେହୁରୀ ପ୍ରମୁଖ ଉକ୍ତ ନଗଡା ଗ୍ରାମରେ ପଂହଛି ସେଠାରେ ବସବାସ କରୁଥିବା ଆଦିବାସୀ ପରିବାରମାନଙ୍କ ସମେତ ସମସ୍ତ ଶିଶୁଙ୍କ ରକ୍ତ ନମୁନା ପରୀକ୍ଷଣ କରିବା ସହ ମ୍ୟାଲେରିଆ, ନିମୋନିଆ ପରୀକ୍ଷା କରି ଓୗଷଧ ବଂଣ୍ଟନ କରିଛନ୍ତି।   ଦୀର୍ଘବର୍ଷ ଧରି ବସବାସ କରୁଥିବା ଏହି ଆଦିବାସୀ ପରିବାରଙ୍କ ପାଖରେ ସରକାରଙ୍କର ଜନ କଲ୍ୟାଣ ଯୋଜନା ସବୁ ବାଟ ହୁଡିଥିବାବେଳେ ଏହି ଦୁର୍ଗମ ଗ୍ରାମର ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଦିଗରେ ପ୍ରଶାସନ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Share :