କୋଣାର୍କରେ ଖୋଲିଲା ଆହାର କେନ୍ଦ୍ର

କୋଣାର୍କରେ ଖୋଲିଲା ଆହାର କେନ୍ଦ୍ର

Share :

  ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଜୁନ ୩୦ ତାରିଖରେ ଖୋଲିଲା ୫ ଟଙ୍କିଆ ଆହାର କେନ୍ଦ୍ର। ଗୁରୁବାର ପୂର୍ବାହ୍ନରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସଚିବାଳୟ ପରିସରରେ ଓଡିଶାର ୮ଟି ସ୍ଥାନରେ ଆହାର କେନ୍ଦ୍ର ଓ ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କୋଣାର୍କର ଆହାର କେନ୍ଦ୍ର ସ୍ଥାନ ପାଇଥିଲା।   ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସଚିବାଳୟରେ ଏହି ପ୍ରକଳ୍ପଗୁଡିକର ଉଦଘାଟନ କରିବା ପରେ ପରେ କୋଣାର୍କଠାରେ ନବନିର୍ମିତ ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ମଙ୍ଗଳ ଡାକ୍ତରଖାନା ପରିସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଆହାର କେନ୍ଦ୍ରରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଓ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବାକର ପରିଡା ଏହାକୁ ଉଦଘାଟନ କରିଥିଲେ।   ଏହି ଅବସରରେ ଆହାର କେନ୍ଦ୍ର ନିକଟରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା। ଏହି ସଭାରେ ମନ୍ତ୍ରୀ ଶ୍ରୀ ମହାରଥୀ, କାକଟପୁର ବିଧାୟକ ଶ୍ରୀ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପରିଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂଯୋଜକ ପ୍ରଦୀପ୍ତ କିଶୋର ଶତପଥୀ, କୋଣାର୍କ ଏନଏସିର ଅଧ୍ୟକ୍ଷା ଭାନୁମତୀ ରାଉତରାୟଙ୍କ ସମେତ ଏନଏସିର ସମସ୍ତ କାଉନସିଲର ଓ କାକଟପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗୋପ ବ୍ଲକର ୧୩ଟି ପଞ୍ଚାୟତର ସରପଞ୍ଚମାନେ ମଞ୍ଚାସୀନ ହୋଇଥିଲେ। ମନ୍ତ୍ରୀ ମହାରଥୀ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସଂପର୍କରେ ଅବଗତ କରାଇବା ସହ କୋଣାର୍କରେ ନୂତନ ଭାବେ ନିର୍ମିତ ହୋଇଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ମଙ୍ଗଳ ଡାକ୍ତରଖାନାକୁ ଅତିଶୀଘ୍ର ଡାକ୍ତର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ସ୍ଥାନୀୟ ବିଧାୟକ ଶ୍ରୀ ସେଠୀ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଆହାର ଯୋଜନାର  ଆବ୍ୟଶ୍ୟକତା ସଂପର୍କରେ ଅବଗତ କରାଇବା ସହ କୋଣାର୍କକୁ ସରସସୁନ୍ଦର କରି ଗଢି ତୋଳିବା ପାଇଁ ବଦ୍ଧ ପରିକର ବୋଲି ସୂଚନା ଦେଇଥିଲେ।   ଏହି କାର୍ଯ୍ୟକ୍ରମରେ ଗୋପ ବ୍ଲକର ମହିଳା ଶକ୍ତି ସଂଗଠନର ସଭାନେତ୍ରୀ ମିନାକ୍ଷୀ ପୃଷ୍ଟିଙ୍କ ନେତୃତ୍ୱରେ ୫୦୦ ମହିଳା ଯୋଗ ଦେଇଥିବା ବେଳେ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ। ଏହି ଆହାର କେନ୍ଦ୍ରରେ ପ୍ରତ୍ୟହ ଆକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ୫୦୦ ଜଣ ଦୀନହୀନ, ଦୁଃଖୀ, ରଙ୍କି ଓ ଭିନ୍ନକ୍ଷମ ଗରୀବ ବ୍ୟକ୍ତିଙ୍କୁ ୫ ଟଙ୍କା ମୂଲ୍ୟରେ ଭାତଡାଲମା ଯୋଗାଇ ଦେବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ କୋଣାର୍କ ଏନଏସିକୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି। ଏଠାରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।   ପାଞ୍ଚ ଟଙ୍କିଆ ଭାତଡାଲମା ଖାଇବା ପାଇଁ ପ୍ରଥମ ଦିନ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିଲା। ପ୍ରଥମ ଦିବସରେ ସବୁ ଟିକଟ ବିକ୍ରୟ ହୋଇ ଯାଇଥିବା ବେଳେ ଅନେକ ଲୋକ ଭାତଡାଲମ ନ ପାଇ ମନଦୁଃଖରେ ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା। ଆହାର କେନ୍ଦ୍ରର ଉଦଘାଟନୀ ଉତ୍ସବକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ କୋଣାର୍କ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

Share :