କଳିଙ୍ଗନଗରରୁ ଲାଲ‌୍‍ ବାହିନୀ ସଫା

କଳିଙ୍ଗନଗରରୁ ଲାଲ‌୍‍ ବାହିନୀ ସଫା

Share :

ଶରତ ପଥାଳ   ୨୦୦୬ ଗୁଳିକାଣ୍ଡ ପରେ କଳିଙ୍ଗନଗର ଶିଳ୍ପନଗରୀରେ ବିସ୍ତାର କରିଥିଲା ମାଓବାଦୀ ନେଟୱାର୍କ। ଏହି ନେଟୱାର୍କରେ ସାମିଲ ହୋଇଥିଲେ କେତେକ ସ୍ଥାନୀୟ ଆଦିବାସୀ। କେନ୍ଦୁଝର, ଢେଙ୍କାନାଳ ଓ ଯାଜପୁର ସୀମାନ୍ତକୁ ନେଇ ସୃଷ୍ଟି ଲାଲ କରିଡ଼ରରେ ଲାଲବାହୀନ ଆସ୍ଥାନ ଜମାଇବାରେ ସମର୍ଥ ହୋଇଥିଲା। କିନ୍ତୁ ପୁଲିସର ଲଗାତାର ବ୍ୟାପକ କୁମ୍ବିଂ ଅପରେସନ ସହ ଏନ‌୍‍କାଉଣ୍ଟର ଲାଲ ବାହୀନକୁ କ୍ରମଶଃ ଦୁର୍ବଳ କରିଦେଇଥିଲା। ଏହା ସହିତ ସଂଗଠନରେ ସାମିଲ କଳିଙ୍ଗନଗର ଓ କାଳିଆପାଣି ଥାନା ଇଲାକାର ୨୫ ମାଓବାଦୀଙ୍କ ଆତ୍ମସମର୍ପଣ ଲାଲ‌୍‍ କରିଡ଼ରରେ ଲାଲ ବାହୀନକୁ ଏକ ପ୍ରକାର ସଫା କରିଦେଇଛି।   ୨୦୧୧ ଜାନୁଆରୀ ୧୫ ତାରିଖରୁ ୨୦୧୬ ଜୁନ ୩୦ ତାରିଖ ମଧ୍ୟରେ ୨୫ ଜଣ ମାଓବାଦୀ ଯାପୁର ପୁଲିସ ନିକଟରେ ଆତ୍ମସପର୍ମଣ କରିଛନ୍ତି। ୨୦୦୬ ଜାନୁଆରୀ ଗଣହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଏହି ଅଂଚଳର ଅନେକ ଆଦିବାସୀ ମାଓବାଦୀଙ୍କ ସହିତ ସାମିଲ ହୋଇଥିଲେ। କିନ୍ତୁ ରାଷ୍ଟ୍ରଶକ୍ତିର ମୁକାବିଲା କରିବାରେ ବିଫଳ ହେବା ସହିତ ଆଦର୍ଶର ଅପଚୟ ହେଉଥିବା ବୁଝିବା ପରେ ଅନେକ ଆଦିବାସୀ ମାଓବାଦୀ ସଂଗଠନ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିଚାଲିଛନ୍ତି। ଏହା ଫଳରେ ଗୁଳିକାଣ୍ଡ  ପରେ ଜନ୍ମ ନେଇଥିବା କଳିଙ୍ଗନଗର ଡ଼ିଭିଜନ ଲାଲବାହିନୀ ଏକରକମ କ୍ୟାଡରଶୂନ୍ୟ ହୋଇଯାଇଛି। ୨୦୧୬ ଜୁନ ୩୦ ତାରିଖରେ ଘଟିଛି ସର୍ବଶେଷ ଆତ୍ମସମର୍ପଣ ଘଟଣା। କଳିଙ୍ଗନଗର ମାଓବାଦୀ ଡ଼ିଭିଜନରେ ସାମିଲ ହୋଇ ବିଭିନ୍ନ ଅପରାଧିକ ଘଟଣା ଘଟାଇଥିବା ୩ ଜଣ ମାଓବାଦୀ ଏସପି ଅନୁପ ସାହୁଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କାଳିଆପାଣି ଥାନା ଅନ୍ତର୍ଗତ ଡ଼ୁଙ୍ଗୁରୀ ସାହିର ବାସନ୍ତି ଚମ୍ପିଆ ଓରଫ ରଶ୍ମି (୧୯), କଳିଙ୍ଗନଗର ଥାନା ଅନ୍ତର୍ଗତ ବାଲିଗୋଠ ଗ୍ରାମର ଶାନ୍ତି ବଦ୍ରା ଓରଫ ଜ୍ୟୋତି (୨୦) ଓ ସୁତୁରି ପାଲିଆ ଓରଫ ଜୟନ୍ତୀ (୧୮)।   ଏଥିପୂର୍ବରୁ ୨୨ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରି ମାଓବାଦୀ ସଂଗଠନକୁ ଦୁର୍ବଳ କରି ଦେଇଥିଲେ। ପୁଲିସ ନିକଟରେ ୨୦୧୧ରୁ ୨୦୧୬ ଜୁନ‌୍‍ ମଧ୍ୟରେ ଯେଉଁ ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କ ମଧ୍ୟରୁ ୧୬ ଜଣ କଳିଙ୍ଗନଗର ଥାନା ଅନ୍ତର୍ଗତ ବାଲିଗୋଠ, ମିରିଗିଚରା ଅଞ୍ଚଳର ହୋଇଥିବା ବେଳେ ୫ ଜଣ କାଳିଆପାଣି ଥାନା ଇଲାକାର ବାସିନ୍ଦା ଥିଲେ। ଅନ୍ୟ ୪ ଜଣଙ୍କ ମଧ୍ୟରୁ ୨ ଜଣ ଘଷିପୁରା ଥାନା ଇଲାକାର ହୋଇଥିବା ବେଳେ ୨ ଜଣ ଦୈତାରୀ ଥାନା ଅଞ୍ଚଳରେ ରହିଥିଲେ। ଏମାନେ କଳିଙ୍ଗନଗର ଡ଼ିଭିଜନ ମାଓବାଦୀ ସଂଗଠନର ସଶସ୍ତ୍ର ସଦସ୍ୟ ଭାବେ କାର୍ଯ୍ୟ କରିବା ଭିତରେ ବିଭିନ୍ନ ପ୍ରକାର ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିଥିଲେ। କଳିଙ୍ଗନଗର ଡ଼ିଭିଜନର ସମସ୍ତ ମାଓବାଦୀ କେନ୍ଦୁଝର ଜିଲାର ନୟାକୋଟ‌୍‍ ଥାନା ବଂଶପାଲ ଫାଣ୍ଡି ଉପରେ ହମଲା, ଘଟଣା, ଚା’ ବଗିଚା ଆକ୍ରମଣ, ମଦ ଦୋକାନ ଉପରେ ହମଲା, ନଗଡ଼ାଠାରେ ପୁଲିସ ଉପରକୁ ହମଲାରେ ସାମିଲ ଥିଲେ। ଏମାନଙ୍କ ନାମରେ କାଳିଅପାଣି ଥାନା, ପାଲହଡ଼ା ଥାନା, ବରକୋଟ ପ୍ରଭୂତି ଥାନାରେ ମାମଲା ରୁଜୁ ହୋଇଥିଲା।   ମାଓବାଦୀ ଶିବିର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଥିବାରୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ପ୍ରକାର ସହଯୋଗ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ସୂଚନା ଦିଆଯାଇପାରେ ୨୦୦୫ ମସିହାରୁ ମାଓବାଦୀଙ୍କ  ଆଖି କଳିଙ୍ଗନଗର ଉପରେ ପଡ଼ିଥିଲା। ଟାଟା କାରଖାନା ପ୍ରତିଷ୍ଠାକୁ ବିରୋଧ କରୁଥିବା ବିସ୍ଥାପନ ବିରୋଧୀ ଜନମଞ୍ଚର ଘୋର ବିରୋଧର ସୁଯୋଗ ନେଇ ପ୍ରଥମାବସ୍ଥାରେ ଜନଶକ୍ତି ନାମରେ ଗଢି ଉଠିଥିବା ମାଓବାଦୀ ସଂଗଠନ ତା’ର କାୟା ବିସ୍ତାର କରିଥିଲା। ଅଣଓଡିଆ କ୍ୟାଡର ନେତା ଆନନ୍ଦ ଚନ୍ଦ୍ର ବି ନରସିଂହା ଓରଫ ଆନ୍ନାରେଡ୍ଡୀ ପରିଚାଳନାରେ ଶକ୍ତିଶାଳୀ ହୋଇଥିଲା ମାଓବାଦୀ ସଂଗଠନ। କିନ୍ତୁ ଆନ୍ନା ଗିରଫ ହେବା ପରେ ଏହି ନକ୍ସଲ ସଂଗଠନ ସାମାନ୍ୟ ଦୋହଲି ଯାଇଥିଲା। ତଥାପି ଅନ୍ୟତମ ଅଣଓଡିଆ କ୍ୟାଡର ନେତା ସୁଶୀଲର ନେତୃତ୍ୱରେ ଲାଲ କରିଡ଼ରରେ ପରିଚାଳିତମାଓବାଦୀ ସଂଗଠନ ସିପିଆଇ (ମାଓବାଦୀ) ଦଳରେ ଲୀନ ହୋଇଥିଲା।   ଏହି ସଂଗଠନ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଭୟଙ୍କର କାଣ୍ଡ ଘଟାଇ ଚାଲିଥିବା ବେଳେ ୨୦୦୬  ଜାନୁଆରୀ ୨ କଳିଙ୍ଗନଗର ଗୁଳିକାଣ୍ଡ ପରେ ସଂଗଠନ କଳିଙ୍ଗନଗର ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରିଥିଲା। ପୁଲିସ ଏନକାଉଣ୍ଟରେ ମାଓବାଦୀ ସଂଗଠନର ୧୦ ଜଣଙ୍କ ମୃତ୍ୟୁ ଘଟିବା ପରେ ଜଣେ ଜଣେ କରି ୨୫ ଜଣ ଆତ୍ମସମର୍ପଣ କରିବାରୁ ଲାଲ ବାହୀନ କବଳରୁ କଳିଙ୍ଗନଗର ମୁକ୍ତ ହୋଇପାରିଛି।

Share :