୭୩୦ କୋଟି ଟଙ୍କା ଲୁଟିଲା ବିଜେଡି!

୭୩୦ କୋଟି ଟଙ୍କା ଲୁଟିଲା ବିଜେଡି!

Share :

ସ୍ବତନ୍ତ୍ର ପ୍ରତିନିଧି   ଯାଜପୁର ଜିଲ୍ଲାର ଡଙ୍କାରୀ ପାହାଡ଼ରୁ ବାହାରୁଛି ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ। ଏ ଗନ୍ଧ ଧର୍ମଶାଳାରୁ ଆରମ୍ଭ କରି ଯାଜପୁର ଦେଇ ଭୁବନେଶ୍ବରରେ ପହଂଚିଲାଣି। ଅଥଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ତାଙ୍କ ପ୍ରାଶାସନିକ ସରକାର ଏଯାଏଁ ନାକରେ ରୁମାଲ ଦେଇନାହାନ୍ତି। ବୋଧ ହେଉଛି ଯେପରି ସେମାନଙ୍କୁ ସର୍ଦ୍ଦି କି ସନ୍ନିପାତ ହେଇଛି। ସର୍ଦ୍ଦି/ସନ୍ନିପାତ ହେଲ ନାକକୁ ବିଶେଷ ଗନ୍ଧାଏ ନାହିଁ।   ଅନ୍ୟୁନ ୭୩୦ କୋଟି ଟଙ୍କାର ଦୁର୍ନୀତି। ପୂରା ପାହାଡ଼ ଖୋଳ। ସରକାର ଧରିଛନ୍ତି ୭୩ କୋଟି ଟଙ୍କା। ତାହା ବି ପଇଠ କରୁ ନାହାନ୍ତି ପାହାଡ଼ ଲୁଟେରା। କାହିଁକି ନା ସେ ହେଉଛନ୍ତି ବ୍ଲକ ବିଜେଡିର ପୂର୍ବତନ ସଭାପତି, ମନ୍ତ୍ରୀ ଓ ବିଧାୟକଙ୍କର ଖାସ୍ ଲୋକ। ଆଉ ମନ୍ତ୍ରୀ ଓ ବିଧାୟକ ହେଲେ ମୁଖ୍ୟମନ୍ତ୍ରୀଙ୍କର ଖାସ୍ ଲୋକ। ଏଇ ଖାସ୍ ଲୋକମାନଙ୍କର ଅସାଧୁ ମେଣ୍ଟ ହିଁ ଲୁଟ୍ କରିଛି ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ଼।   ଅନୁସନ୍ଧାନରୁ ଜଣାଯାଇଛି ଯେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନକୁ ଶ୍ରୀବାସ ଯେନା ନାମକ ଜଣେ ବ୍ୟକ୍ତିଙ୍କୁ ଲିଜ୍ ଦିଆଯାଇଥିଲା। ଲିଜ ଅବଧି ଥିଲା ୨୦୦୨-୦୩ ବର୍ଷରୁ ୨୦୧୫-୧୬ ବର୍ଷ। ରାଜସ୍ବ ବିଭାଗ ଜରିଆରେ ଏହି ଲିଜ୍ ମିଳିଥିଲା। କଳା ପଥର ହେଉଛି ଏକ ଲଘୁ ଖଣିଜ ପଦାର୍ଥ। ଏହି ପଥରକୁ ଫଟେଇ ଚିପ୍ସ, ବଜୁରୀ ଓ ବୋଲ୍ଡର ଆଦି ପ୍ରସ୍ତୁତ କରାଯାଏ। ସେସବୁ ରାସ୍ତା ଓ ଘର ତିଆରିରେ ଲାଗେ।   ଲିଜ୍ ଦିଆଯିବା ସମୟରେ କେତେ ଫୁଟ ମାଟି ତଳୁ ପଥର ଖୋଳିବ, କେତେ ବର୍ଗ ଫୁଟ ଅଂଚଳରେ ଖୋଳିବ ଆଦି ତଥ୍ୟ ସହିତ ମାଇନିଂ ପ୍ଲାନ ଦିଆଯାଇ ନଥିଲା କି ରାଜସ୍ବ ପ୍ରଶାସନ ତାହା ଧାର୍ଯ୍ୟ କରି ନଥିଲା। ଖାସ୍ ଦୁର୍ନୀତି ପାଇଁ ଏପରି ଏକ କୋହଳ ବ୍ୟବସ୍ଥା କରାଯାଇଥିଲା। ଏଇ ସୁଯୋଗରେ ଲିଜ୍‌ଧାରୀ ବିରାଟ ଅଂଚଳରେ ଗଭୀର ଗର୍ତ୍ତ କରି କଳାପଥର ଲୁଟିବାରେ ଲାଗିଲେ। ଏହିପରି ଭାବେ ସେ ଅନ୍ୟୁନ ୭୩ ଲକ୍ଷ ୩୮ ହଜାର ଘନ ମିଟରର କଳାପଥର ତାଡ଼ି ନେଇଛନ୍ତି ବୋଲି ଯାଜପୁର ଖଣି ଉପନିର୍ଦ୍ଦେଶକ ସରଜମିନ ତଦନ୍ତ କରି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି।   ଏହି ରିପୋର୍ଟ ଅନୁସାରେ ଲିଜ୍‌ଧାରୀ ସରକାରଙ୍କୁ ଘନ ମିଟର ପିଛା ୯୯ ଟଙ୍କା ହିସାବରେ ମୋଟ ୭୨ କୋଟି ୬୪ ଲକ୍ଷ ଟଙ୍କା ଦେବା କଥା। ମାତ୍ର, ଶାସକ ଦଳର ନେତା ହିସାବରେ ସଂଂପୃକ୍ତ ତହସିଲଦାରଙ୍କୁ ବିଭିନ୍ନ ବାଟରେ ପ୍ରଭାବିତ କରିବା ସହିତ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ହାତ କରି ଲିଜ୍‌ଧାରୀ ଏହି ଲୁଟ୍ ଚପେଇ ଦେଇଥିଲେ। ଏତେ ପରିମାଣର ପଥର ଲୁଟ୍ କରିଥିଲେ ବି ସେ ସରକାରଙ୍କୁ ଦେଇଛନ୍ତି ମାତ୍ର ୧୪ ଲକ୍ଷ ୧୫ ହଜାର ୯୯୬ ଟଙ୍କା।   ଏ ସଂପର୍କରେ ସ୍ଥାନୀୟ ଅଂଚଳର ଜଣେ ସାମାଜିକ କର୍ମୀ ସର୍ବେଶ୍ବର ବେହେରା ଅଭିଯୋଗ କରିବା ସହିତ ସୂଚନା ଅଧିକାର ଆଇନ ବଳରେ ଅନେକ ତଥ୍ୟ ପଦାକୁ ଆଣିବା ପରେ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ପ୍ରଥମେ ଏହାକୁ ଗୁରୁତର ଭାବେ ଗ୍ରହଣ କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଯାଜପୁର ଖଣି ଉପନିର୍ଦ୍ଦେଶକ ସରଜମିନ ତଦନ୍ତ କରିବା ସହିତ ଉତ୍ତୋଳିତ ହୋଇଥିବା ଖଣିଜ ପଦାର୍ଥର ବିଜ୍ଞାନସମ୍ମତ ଆକଳନ କରିଥିଲେ। ତାଙ୍କ ରିପୋର୍ଟ ଅନୁସାରେ ଡଙ୍କାରୀ ପାହାଡ଼ ଖାଦାନରୁ ଅନ୍ୟୁନ ୭୩ ଲକ୍ଷ ଘନ ମିଟରର କଳା ପଥର ଖୋଳି ନିଆଯାଇଛି।   ଖଣି ଉପନିର୍ଦ୍ଦେଶକଙ୍କ ରିପୋର୍ଟ ଆଧାରରେ ବକେୟା ରାଜସ୍ବ ଭରଣା କରିବାକୁ ତହସିଲଦାର ଲିଜ୍‌ଧାରୀ ଶ୍ରୀବସ ଯେନାଙ୍କ ଉପରେ ନୋଟିସ ଜାରି କରିଥିଲେ। ଏହା ୨୦୧୬ ମେ ୨୮ ତାରିଖର ଘଟଣା। କିନ୍ତୁ ଏହା ପରେ କ’ଣ ହେଲା କେଜାଣି ତହସିଲଦାର ଚୁପ। ଖଣି ଉପନିର୍ଦ୍ଦେଶକ ଚୁପ। ଜିଲ୍ଲାପାଳ ବି ଚୁପ୍।   ଶୁଣାଯାଉଛି ଡଙ୍କାରୀ କଳା ପଥର ଖାଦାନ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ପାଖରୁ ଜିଲ୍ଲାପାଳଙ୍କ ଅଫିସକୁ ଜରୁରୀ ଫୋନ୍ ଯିବା ପରେ ପ୍ରଶାସନର ଲୁଟ୍ ବିରୋଧୀ ଆଭିମୁଖ୍ୟ ବଦଳିଯାଇଛି। ଏବେ ତହସିଲ ଅଫିସ ପୁଣି ଥରେ ଡଙ୍କାରୀ ଲୁଟେରାଙ୍କ ଅଫିସରେ ପରିଣତ ହୋଇଛି। ଜିଲ୍ଲାପାଳଙ୍କ ଜିଭ କଟିଗଲା ପରି ସେ ମଧ୍ୟ ବାକ୍‌ଶୂନ୍ୟ। ଲୁଟ୍ ପୂର୍ବ ପରି ଚାଲିଛି।   ଧର୍ମଶାଳାର ବିଧାୟକ ଅଛନ୍ତି ପ୍ରଣବ ବଳବନ୍ତରାୟ। ତାଙ୍କ ପୂର୍ବରୁ ଏହି ଅଂଚଳକୁ ଲଗାତାର ଚାରି ଥର ପ୍ରତିନିଧିତ୍ବ କରିଥିଲେ ତାଙ୍କ ବାପା ସ୍ବର୍ଗତ କଳ୍ପତରୁ ଦାସ। ୨୦୧୪ ନିର୍ବାଚନରେ ସେ ପୁଅ ପ୍ରଣବଙ୍କୁ ଥଇଥାନ କରି ନିଜେ ରାଜ୍ୟସଭା ଟିକେଟ ନେବାରେ ସଫଳ ହୋଇଥିଲେ। ସେତେବେଳେ ସେ ଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଅତି ଖାସ୍ ଲୋକ। ଦଳ ଓ ସରକାରରେ ସେତେବେଳେ ସେ ଅନ୍ୟତମ ପ୍ୟାରୀମୋହନ ମହାପାତ୍ର ହୋଇଯାଇଥିଲେ ବୋଲି ଆଲୋଚନା ହେଉଥିଲା। ତାଙ୍କରି ଖାସ୍ ଲୋକ ହେଲ ଶ୍ରୀବସ ଯେନା। ତାଙ୍କ ଯୋଗୁଁ ଯେନା ଧର୍ମଶାଳା ବ୍ଲକ ବିଜୁ ଜନତା ଦଳର ସଭାପତି ପଦ ମଧ୍ୟ ପାଇଥିଲେ।   ଯାଜପୁରର ପ୍ରଭାବଶାଳୀ ଯୁବମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହିତ ମଧ୍ୟ ଏହି ସୂତ୍ରେ ଶ୍ରୀବାସଙ୍କ ସଂପର୍କ ଅତ୍ୟନ୍ତ ଘନିଷ୍ଟ। ପ୍ରଣବ ପ୍ରକାଶଙ୍କ ବାପା ତଥା ବିଜୁବାବୁଙ୍କ ସମୟରେ ଜନତା ଦଳର ରାଜ୍ୟ ସଭାପତି ଥିବା ବ୍ୟକ୍ତି ସ୍ବାଭିମାନର ପ୍ରଚଣ୍ଡ ଧରୋହର ଅଶୋକ ଦାସ ଥିଲେ କଳ୍ପତରୁଙ୍କ ରାଜନୀତିକ ଗୁରୁ। ତାଙ୍କ ଯୋଗୁଁ କଳ୍ପତରୁ ରାଜନୀତି କ୍ଷେତ୍ରରେ ପ୍ରଗତିର ଅନେକ ମାଇଲ୍ ଖୁଣ୍ଟ ଅତିକ୍ରମ କରିଥିଲେ। ତେଣୁ ଅଶୋକ ଦାସଙ୍କ ପରିବାର ପ୍ରତି ତାଙ୍କର ପ୍ରବଳ ମମତା ଥିଲା ବୋଲି ସେ ଜୀବୀତାବସ୍ଥାରେ ଅନେକ ବାର କହିଛନ୍ତି। ଏହି ଦୃଷ୍ଟେ ପ୍ରଣବ ପ୍ରକାଶ ଦାସ ଓ ପ୍ରଣବ ବଳବନ୍ତରାୟଙ୍କ ମଧ୍ୟରେ ସଂପର୍କ ଆହୁରି ନିବିଡ଼।   ଏହି ନିବିଡ଼ ସଂପର୍କ ଭିତରେ ଡଙ୍କାରୀ ଲୁଟ୍ ଘଟଣା ମାମୁଲିରେ ପରିଣତ ହୋଇଛି ବୋଲି ଧର୍ମଶାଳାରୁ ଆରମ୍ଭ କରି ଯାଜପୁର ଯାଏଁ ଡିବ୍‌ଡିବ୍ ନାଗରା ବାଜୁଛି।   ସୂଚନାଯୋଗ୍ୟ ଯେ ଭୁବନେଶ୍ବର ବଜାରରେ ଏବେ ଚିପ୍ସ ଓ ବଜୁରୀ ଦର ଘନ ମିଟର ୧୮୦୦  ଟଙ୍କା। ରାଜ୍ୟର ଅନ୍ୟତ୍ର ଏହି ଦର ୧୨୦୦-୧୫୦୦ ଟଙ୍କା ଭିତରେ। ଏହା ପରେ ପରିବହନ ଖର୍ଚ୍ଚ ଅଲଗା। ଡଙ୍କାରୀ ପାହାଡ଼ ପାଖାପାଖି ଓ ଜିଲ୍ଲାର ଅନ୍ୟ କେତେକ କଳାପଥର ଖାଦାନ ଲିଜ୍ ଦିଆଯାଇଛି ଘନ ମିଟର ୨୧୦ ଟଙ୍କା ରାଜସ୍ବ ଚୁକ୍ତିରେ। କିନ୍ତୁ ଡଙ୍କାରୀ ଲିଜ୍ ଦିଆଯାଇଥିଲା ଘନ ମିଟର ୯୯ ଟଙ୍କା ରାଜସ୍ବ ଚୁକ୍ତିରେ। ଡଙ୍କାରୀରୁ ଉଠିଛି ୭୩ ଲକ୍ଷ ଘନ ମିଟରର କଳା ପଥର। ତେବେ ଲିଜ୍‌ଧାରୀ କେତେ କୋଟି ଟଙ୍କା ପାଇଛନ୍ତି ଓ ସେଥିରୁ ସ୍ଥାନୀୟ ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଯାଏଁ କିଏ କେତେ ଭାଗ ପାଇଥିବା ତାହା ଏବେ କେବଳ ଅନୁମାନ ଓ ଅଭିଯୋଗର କଥା ହୋଇ ରହିଛି।   ଏହି ଲୁଟ୍ ସଂକ୍ରାନ୍ତରେ ସବୁଠୁ ଆଶ୍ଚର୍ଯ୍ୟ କଥାଟି ହେଲା ଏହାକୁ ସ୍ଥାନୀୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟ ଏକ ପ୍ରସଙ୍ଗ ଭାବେ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି।

Share :