ଓଡ଼ିଶା ଲଜ୍ଜିତ, ଓଡ଼ିଆ ନିନ୍ଦିତ

ଓଡ଼ିଶା ଲଜ୍ଜିତ, ଓଡ଼ିଆ ନିନ୍ଦିତ

Share :

ଗୋଲଖ ଚନ୍ଦ୍ର ଦାସ   ବିଜୁ ଜନତା ଦଳର ନେତାମାନେ ସଦାସର୍ବଦା କହି ବୁଲୁଛନ୍ତି କଥାରେ ନୁହେଁ ସେମାନେ କାମରେ କରି ଦେଖାଇଥାନ୍ତି। ସେୟା ମଧ୍ୟ କରିଛନ୍ତି। ବରଗଡରେ ଯାହା କହିଥିଲେ ସେୟା କରିଛନ୍ତି। ବରଗଡ ଜିଲ୍ଲାରେ ବିଜେପିର ବିକାଶ ଉତ୍ସବରେ ଯୋଗ ଦେବାକୁ ଆସୁଥିବା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବରଗଡ ଜିଲ୍ଲାରେ ପୂରାଇ ଦିଆ ଯିବ ନାହିଁ ବୋଲି ବିଜେଡି କହିଥିଲା। ଯେତେବେଳେ ବରଗଡକୁ ଦୁଇଜଣ ଦଳିତ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏବଂ ସାଧ୍ୱୀ ନିରଂଜନ ଜ୍ୟୋତି ଆସିଲେ ସେମାନଙ୍କୁ ଟେକା ମାଡ କରାଗଲା। ସେମାନଙ୍କ ଗାଡି କାଚ ଭଙ୍ଗି ଦିଆଗଲା। ଏହାଠାରୁ ଆଉ ବା ଅଧିକ କ’ଣ କରିଥାନ୍ତେ ସେମାନେ? ଯାହା କହିଥିଲେ ସେୟା କରି ଦେଖାଇଲେ। ହାତିକା ଦାନ୍ତ ମର୍ଦକା ବାତ ଭଳି କାମ କଲେ। ପୁଣି କ’ଣ ହେଲା ? ଗଣମାଧ୍ୟକୁ ବିଜେଡିର ବରିଷ୍ଠ ନେତା କହିଲେ ବରଗଡ଼ରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଯାହା ଘଟିଛି ତାହା ବିଜେଡ଼ିର ପ୍ରାୟୋଜିତ ପ୍ରତିବାଦ ନୁହେଁ। ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଜନସାଧାରଣଙ୍କ ଅସନ୍ତୋଷର ଝଲକ ସୋହେଲା ଠାରୁ ବରଗଡ଼ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ସ୍ୱତଃସ୍ଫୂର୍ତ୍ତ ପ୍ରତିବାଦରୁ ଦେଖିବାକୁ ମିଳିଛି। ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ହେଉଛି ଯେଉଁ ମୁହଁ ତୁମର ଇସ୍ପାତ ଭଳି ଲାଗୁଥିଲା ଏବେ ସନ୍ନିପାତ ହେଲା କେମିତି?   ବରଗଡ଼ରେ ଯାହା ଘଟିଲା ତାହା ଆଦୌ ଠିକ ନୁହେଁ। ଓଡ଼ିଆ ସାଧାରଣତଃ ଶାନ୍ତିପ୍ରିୟ। ବିଜେଡିର ଏପରି ହିଂସାକାଣ୍ଡ ପାଇଁ ଭାରତରେ ଆଜି ଓଡ଼ିଶା ଲଜ୍ଜିତ ଓ ଓଡିଆ କଳଙ୍କିତ ହୋଇଛନ୍ତି। ଓଡିଶା ବାସୀଙ୍କୁ କଳଙ୍କିତ କରିଛନ୍ତି ବିଜୁ ଜନତା ଦଳ। ନିଜର ଅପାରଗତା ଓ କଳଙ୍କକୁ ଲୁଚାଇବାକୁ ସରକାରୀ ଦଳ ଆରମ୍ଭ କରିଛନ୍ତି ଗୁଣ୍ଡାଗିରି। ୨୦୧୯ ନିର୍ବାଚନ ଆହୁରି ଅନେକ ଦିନ ଥିବା ବେଳେ ଏବେ ବାରି ହୋଇ ପଡୁଛି ବିଜୁ ଜନତା ଦଳର ହତାଶର ପ୍ରମାଣ। ହତାଶ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ। କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କ ଅତିଥି। ସେମାନଙ୍କ ଯିବାଆସିବାଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଦାୟିତ୍ୱ ରାଜ୍ୟ ସରକାରଙ୍କର। ଆମ ସଂସ୍କୃତିରେ କହୁଛି- ଅତିଥି ଦେବଃ ଭବୋ, ଜଗନ୍ନାଥ ସଂସ୍କୃତିରେ ଅତିଥି ସଂସ୍କାର ପରମ୍ପରା ବିଶ୍ୱ ବିଖ୍ୟାତ। ମାତ୍ର ସବୁକଥା ଭୁଲି ଯାଇ ବିଜେଡିର ମନ୍ତ୍ରୀ, ନେତା, ସାଂସଦ, ବିଧାୟକ ଓ ଗୁଣ୍ଡାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଢେଙ୍ଗା, ପଥର ମାଡ କରି ଅତିଥି ସତ୍କାର କଲେ।   ମନ୍ତ୍ରୀଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିବା ପାଇଁ ଏକ ବିଧିବଦ୍ଧ ଯୋଜନା ହୋଇଥିଲା। ପୋଲିସ ତଥା ଜିଲ୍ଲା ପ୍ରଶାସନକୁ ଏହି ପୂର୍ବ ନିର୍ଦ୍ଧାରିତ ଯୋଜନା ବଦ୍ଧ ଷଡଯନ୍ତ୍ର ଜଣାଥିଲା ପିର ମନେ ହୁଏ। ଭାରତୀୟ ଜନତା ପାର୍ଟି କହିଛି ଯେ ପୂର୍ବ ନିର୍ଦ୍ଧାରିତ ରାସ୍ତାରେ ମନ୍ତ୍ରୀମାନଙ୍କୁ ନନେଇ ଅନ୍ୟ ରାସ୍ତାରେ ନେଇ ଥିଲା ପୋଲିସ। ଯେଉଁଠି ବିଜେଡିର ଲୋକମାନେ ଜଗି ରହିଥିଲେ। ସେମାନେ ଆକ୍ରମଣ କରିବା ସମୟରେ ପୋଲିସ ଏସ‌୍‍କଟ ସେ ଜାଗା ଛାଡି ପଳାଇ ଯାଇଥିଲା। ଏହି ଆକ୍ରମଣ ଥିଲା ଭୟଙ୍କର। ଯାହା ଆଖିରେ ନଦେଖିଲେ ବିଶ୍ୱାସ କରିବା କଷ୍ଟକର। ଯେନେ ତେନେ ଉପାୟରେ ଗାଡିର ଚାଳକ ମନ୍ତ୍ରୀଙ୍କୁ ସଭାସ୍ଥଳରେ ପହଞ୍ଚାଇଥିଲା। ନକସଲମାନଙ୍କ ଟାର୍ଗେଟରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ବରଗଡ ଭଳି ଏକ ମାଓ ପ୍ରବଣ ଅଞ୍ଚଳରେ କଡା ସୁରକ୍ଷାର ରଖିବାର ନିୟମ ଥିବା ସତ୍ତ୍ୱେ ତାହା କରିନାହାନ୍ତି ଓଡିଶା ସରକାର।   ଯେଉଁ ଓଡିଶାବାସୀ ଶାନ୍ତିର ମନ୍ତ୍ର ସାରା ବିଶ୍ୱକୁ ଶୁଣାଉଥିଲେ ଆଜି ସେହି ଓଡିଶାବାସୀ ହିଂସାର ଆଶ୍ରୟ ନେଇଛନ୍ତି ବୋଲି ବିଜେଡି ପ୍ରଚାର କଲା। ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ଏହି ଦଳ ଓ ଏହାର ନେତୃତ୍ୱ ନେଉଥିବା ନବୀନ ବାବୁ ଓଡିଶାବାସୀଙ୍କ ମୁହଁରେ କାଳି ବୋଳି ଦେଇଛନ୍ତି। ବିଜୁ ଜନତା ଦଳ ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଲୋକେ ପ୍ରତିକ୍ରିୟାଶୀଳ ଏପରି କରିଛନ୍ତି। କୌଣସି ରାଜ୍ୟରେ ଏଭଳି ଘଟଣା ଦେଖିବାକୁ ମିଳେନି। କୌଣସି ଜାଗାରେ କାହାକୁ ଏଭଳି ଅଭଦ୍ରୋଚିତ ବ୍ୟବହାର କରାଯାଏ ନାହିଁ। ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ବିନା ପତ୍ର ହଲେ ନାହିଁ, ସେହି ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦ ମିଶି ପୁଲିସ ସହିତ ଚକ୍ରାନ୍ତ କରି ସେଠାରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ କରିବା ସହ ଦୁଇ କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ଅତି ଦୁର୍ଭାଗ୍ୟଜନକ।   ବିଜେପିର ଜଣେ ବରିଷ୍ଠନେତା କହିଛନ୍ତି ଯେ ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ ହେଲେ ଦୋଷୀ ପ୍ରତି ୩୦୭ ଦଫା ଲାଗି ଥାଏ, ସେ ରାଜ୍ୟରେ ଦଳିତ ମହିଳା କେନ୍ଦ୍ର ମନ୍ତ୍ରୀମାନଙ୍କୁ ଟେକା ମାଡରେ ଜୀବନରୁ ମାରିଦେବା ଷଡଯନ୍ତ୍ର କରିଥିବା ଲୋକଙ୍କ ଉପରେ ଦଫାଲାଗୁଛି ୧୪୭, ୧୪୮, ୨୯୪, ୩୩୬, ୩୪୧, ୫୦୬, ୫୦୬। ଶେଷରେ ଗଣମାଧ୍ୟମର ଚାପରେ ଓଭର ରାଇଟିଂ କରାଯାଇ ୩୦୭କୁ ଯୋଡି ଦିଆଯାଇଛି। ୩୦୭ ଲାଗୁ କରାଯିବ କି ନାହିଁ ବିଚାର ଚାଲିଛି। କୋର୍ଟ ଚାଲାଣ ବେଳେ ବଦଳାଇ ଦିଆଯାଇଛି ଦଫାକୁ। ଘଟଣା ଦିନ ୧ଟାରେ ଘଟିଥିଲେ ମଧ୍ୟ ପୋଲିସ ଏତଲା ଦାୟର କରି ନଥିଲା କି କାହାରିକୁ ଗିରଫ କରିନଥିଲା। ସଂଧ୍ୟାରେ ବିଜେପି ତରଫରୁ ଏତଲା ଦିଆଯିବା ପରେ ରଖିବେ କି ନାହିଁ ବୁଝିବାକୁ ୨ ଘଣ୍ଟା ସମୟ ନେଇଥିଲେ। ଅପରାଧିମାନଙ୍କୁ ଗିରଫ କରାଯିବ ନାହିଁ ବୋଲି ଦ୍ୱନ୍ଦ୍ବରେ ଥିଲା ପୋଲିସ। ଗଣମାଧ୍ୟମର ଚାପ ଏବଂ ବିଜେପି କର୍ମୀଙ୍କ ଆନ୍ଦୋଳନ ଯୋଗୁ ଏତଲା ରଖିଥିଲେ। ସେଦିନ ପୋଲିସ ଯେଉଁମାନଙ୍କୁ ଗିରଫ କରିଥିଲା ସେମାନଙ୍କ ମଧ୍ୟରେ ଥିବା ମୁଖ୍ୟ ଅପରାଧିମାନଙ୍କୁ ଛାଡିଦେଇଛି ଏବଂ ଯେଉଁମାନେ କିଛି ଜାଣି ନାହାଁନ୍ତି ରାସ୍ତାକଡରେ ବୁଲୁଥିଲେ ସେହି ଭଳି ଲୋକମାନଙ୍କୁ ଗିରଫ କରି ରଖିଛି।   ସ୍ୱାଧୀନତା ପରେ ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶାକୁ ସବୁଠାରୁ ଅଧିକ ସାହାଯ୍ୟ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କର ୯୪ ହଜାର କୋଟି ଟଙ୍କା ବଜେଟରୁ ରାଜ୍ୟ ସରକାରଙ୍କ ମୋଟ ରୋଜଗାର ହେଉଛି ୩୩ ହଜାର କୋଟି ଟଙ୍କା। ଦରମା- ପେନସନ, ସୁଧ ପରିଶୋଧରେ ଓ କ୍ୟାପିଟାଲ ମେଂଟେନାନ୍ସ ବାବଦରେ ଆବଶ୍ୟକତା ହେଉଛି ୩୮ ହଜାର କୋଟି ଟଙ୍କା। ରାଜ୍ୟ ସରକାରଙ୍କ ପାଖରେ ଦରମା- ପେନସନ ଦେବାକ ୁଋଣ କରିବାକୁ ପଡୁଛି। ରାଜ୍ୟର ସବୁ ବିକାଶ କାମ କେନ୍ଦ୍ରୀୟ ଅର୍ଥ ଉପରେ ସମ୍ପୂର୍ଣ ନିର୍ଭରଶୀଳ।   ଓଡ଼ିଶା ଲୋକ ମଧ୍ୟ ବୋକା ନୁହଁନ୍ତି । ସେମାନେ ଭଲ ଭାବେ ବୁଝିସାରିଲେଣି ବିଜେଡି କ’ଣ ପାଇଁ ଏସବୁ କରୁଛି। ଦୁଇବର୍ଷ ମଧ୍ୟରେ ମୋଦି ସରକାର ଯେଉଁଭଳି ବିକାଶମୂଳକ କାର୍ଯ୍ୟ କରୁଛି, ତାକୁ ଦେଖି ବିଜୁ ଜନତା ଦଳର ସରକାର ଛାନିଆ ହୋଇପଡିଲାଣି। ୪୧ ବର୍ଷ ପୂର୍ବେ ତତ୍କାଳୀନ କଂଗ୍ରେସ ସରକାର ଦେଶରେ ଇମରଜେନ୍ସି ଲାଗୁ କରିଥିଲେ। ମନୋମୁଖୀ, େସ୍ୱଚ୍ଚାଚାରୀ, ହିଟଲରୀ ଶାସନ ଚଲାଉଥିବା ଅହଂକାରୀ ଶାସକ ବିଜେଡି ଦଳ ସେହିଭଳି ସ୍ଥିତିକୁ ଓଡିଶାରେ ଦୋହରାଉଛି। ବରଗଡଠାରେ ଘଟିଯାଇଥିବା କେନ୍ଦ୍ରମନ୍ତ୍ରୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ଏହାର ଜ୍ୱଳନ୍ତ ଉଦାହରଣ।   ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଣ ଏହି ଉପାୟ? ଓଡିଶା କ’ଣ ଭାରତଠୁଁ ଅଲଗା? ଓଡିଶା କ’ଣ ବିଜୁ ଜନତା ଦଳର ବୋପା ସଂପତ୍ତି? କ’ଣ ପାଇଁ ଜଣେ ଭାରତୀୟଙ୍କୁ ଓଡିଶାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ? ଯେଉଁ ରାଜ୍ୟର ଲୋକଙ୍କୁ ତୁମେ ଆଜି ଓଡିଶାରେ ପୂରାଇ ନଦେବାକୁ ଚକ୍ରାନ୍ତ କରୁଛ, ସେମାନଙ୍କୁ ଠେଙ୍ଗା ମାଡରେ ସ୍ୱାଗତ କରୁଛ ସେହି ରାଜ୍ୟର ଲୋକମାନେ ଯଦି ତାଙ୍କ ରାଜ୍ୟରେ ଥିବା ଓଡିଆ ଭାଇଙ୍କ ପ୍ରତି ସେହି ଭଳି ବ୍ୟବହାର କରିବେ ତେବେ ସେଥିପାଇଁ କ’ଣ ବିଜୁ ଜନତା ଦଳ ଦାୟୀ ରହିବ?   ଘିଗିଡିଆ, ବାରୁଅ, କେନ୍ଦ୍ରାପଡା, ମୋ-୯୮୬୧୦୨୮୫୫୩

Share :