ଆଶ୍ରମ ସ୍କୁଲରେ ବଳାତ୍କାର!

ଆଶ୍ରମ ସ୍କୁଲରେ ବଳାତ୍କାର!

Share :

ଗଜପତି ଜିଲ୍ଲା ହରିଶ୍ଚନ୍ଦ୍ରପୁର ଆଶ୍ରମ ସ୍କୁଲ ଏଏନ‌୍‍ଏମ‌୍‍ କ୍ଲୋରୋକୁଇନ‌୍‍ ବଟିକା ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେହି ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ପ୍ରତି ବଳାତ୍କାର ଉଦ୍ୟମ କରିବାରୁ ଲୋକଲଜ୍ଜା ଭୟରେ ସେ କ୍ଲୋରୋକୁଇନ୍ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି। ଏବେ ସେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ଚେତା ଫେରି ନାହିଁ। ତାଙ୍କର ଚେତା ଫେରିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ।   ସୂଚନାନୁଯାୟୀ, ହରିଶ୍ଚନ୍ଦ୍ରପୁର ଆଶ୍ରମ ସ୍କୁଲରେ ଏଏନ‌୍‍ଏମ‌୍‍ ଭାବେ କାର୍ଯ୍ୟରତ ରେଣୁବାଳା ଭୂୟାଁ(୨୬) ବିଦ୍ୟାଳୟ ହଷ୍ଟେଲ‌୍‍ରେ ଛାତ୍ରୀମାନଙ୍କ ସହ ରହୁଥିଲେ। ଜୁନ ୨୭ ତାରିଖ ସୋମବାର ରାତିରେ ରେଣୁବାଳା ଛାତ୍ରୀମାନଙ୍କ ସହ ହଷ୍ଟେଲ‌୍‍ରେ ଶୋଇଥିବା ସମୟରେ ହଠାତ ରାତ୍ରୀ ପ୍ରାୟ ସାଢ଼େ ୧୦ ଘଣ୍ଟା ସମୟରେ ଉକ୍ତ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଟକୃଷ୍ଣ ଭୂୟାଁ ପହଞ୍ଚି ଛାତ୍ରୀମାନଙ୍କୁ ବାହାରକୁ ଯିବା ପାଇଁ କହି ରେଣୁବାଳାଙ୍କୁ ସେ ପସନ୍ଦ କରୁଥିବା କହିଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ରେଣୁବାଳା ଏହାର ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରଧାନ ଶିକ୍ଷକ ମହିଳାଙ୍କୁ ଲୁହାରଡ଼‌୍‍ରେ ପିଟିଥିଲେ। ମହିଳାଙ୍କ ଗୋଡ଼ରେ ମାଡ଼ ବାଜିଥିବା ତାଙ୍କ ସ୍ୱାମୀ ପ୍ରକାଶ କରିଛନ୍ତି। ମହିଳାଙ୍କ ମାଡ଼ରେ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି।   ଉକ୍ତ ରାତିରେ ମହିଳା ଜଣକ କାହାକୁ କିଛି କହିପାରି ନଥିଲେ। ପରଦିନ ଜୁନ ୨୮ ତାରିଖ ମଙ୍ଗଳବାର ସକାଳେ ପାରଳାଖେମୁଣ୍ଡିରେ ରହୁଥିବା ତାଙ୍କ ଭଉଣୀ ଘରକୁ ଯାଇ ରେଣୁବାଳା ସମସ୍ତ ବିଷୟ ଜଣାଇଥିଲେ। ମହିଳାଙ୍କ ସ୍ୱାମୀ ରଂଜିତ କୁମାର ଭୂୟାଁଙ୍କ ଘର ବ୍ରହ୍ମପୁର। କିନ୍ତୁ ସେ ଚିକିଟିରେ ଶିକ୍ଷକ ଭାବେ କାମ କରନ୍ତି। ବୁଧବାର ସକାଳେ ସ୍ତ୍ରୀଙ୍କ ମେଡ଼ିକାଲ‌୍‍ ଚେକ‌୍‍ଅପ‌୍‍ ପାଇଁ ରଂଜିତ ପାରଳାଖେମୁଣ୍ଡି ଯିବା ସମୟରେ ଏସଂପର୍କରେ ଜାଣିବାକୁ ପାଇଥିଲେ। ସମସ୍ତ ଘଟଣା ସଂପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିବା ପାଇଁ କହିଥିଲେ। କିନ୍ତୁ ପ୍ରଧାନ ଶିକ୍ଷକ ଜଣକ କାହାକୁ କହିଲେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ସେ ଭୟରେ ଥାନାରେ ଏତଲା ଦେବାକୁ ମନା କରିଥିଲେ। କଥୋପକଥନ ଚାଲିଥିବାବେଳେ ମହିଳା ଜଣକ ହଠାତ‌୍‍ ମୁଣ୍ଡବୁଲାଇ ତଳେ ପଡ଼ିଯାଇଥିଲେ ଏବଂ ସେ କ୍ଲୋରୋକୁଇନ‌୍‍ ବଟିକା ଖାଇଥିବା ସ୍ୱାମୀଙ୍କୁ କହିଥିଲେ।   ପରିବାର ଲୋକେ ଅସୁସ୍ଥ ରେଣୁବାଳାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଏବଂ ପରବର୍ତ୍ତି ସମୟରେ ବ୍ରହ୍ମପୁର ଏମ‌୍‍କେସିଜି ମେଡ଼ିକାଲ‌୍‍ରେ ଭର୍ତ୍ତି କରିଛନ୍ତି। ମହିଳାଙ୍କ ଚେତା ଫେରିବା ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି। ରେଣୁବାଳା ଅଢ଼େଇ ବର୍ଷ ହେଲା ଉକ୍ତ ବିଦ୍ୟାଳୟରେ କାମ କରି ଆସୁଛନ୍ତି। ଦୁଇ ମାସ ତଳେ ରଂଜିତଙ୍କ ସହ ତାଙ୍କର ବିବାହ ହୋଇଥିଲା। ପୂର୍ବରୁ ଯଦି ପ୍ରଧାନ ଶିକ୍ଷକ ଏବଂ ରେଣୁବାଳାଙ୍କ ମଧ୍ୟରେ କିଛି ସେଭଳି ଘଟଣା ଘଟିନଥିଲା, ତେବେ ହଠାତ‌୍‍ ଶିକ୍ଷକ ଜଣକ ମହିଳାଙ୍କ ବିବାହର ୨ ମାସ ପରେ ଏଭଳି ପଦକ୍ଷେପ ଗ୍ରହଣ କରିବା ଘଟଣା ରହସ୍ୟ ମଧ୍ୟକୁ ଟାଣି ହେଉଛି। ସେହିଭଳି ଘଟଣାର ୨ ଦିନ ପରେ ମଧ୍ୟ ସ୍ୱାମୀଙ୍କୁ ଖବର ନଦେବା ଘଟଣା ଭିନ୍ନ ପ୍ରକାର ସନ୍ଦେହକୁ ଜନ୍ମ ଦେଉଛି।   ଉକ୍ତ ବିଦ୍ୟାଳୟର ହତାରେ ଏଭଳି ଘଟଣା ଘଙ୍କିବା ସତ୍ତ୍ବେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ ଏହାର ପ୍ରତିବାଦରେ ସ୍ୱର ଉତ୍ତୋଳନ କରି ନାହାନ୍ତି। ଗଣମାଧ୍ୟମ ପକ୍ଷରୁ ଗଜପତି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ  ଏସଂପର୍କରେ କୌଣସି ଅଭିଯୋଗ ହୋଇନାହିଁ।

Share :