ମହିଳା ଚାଷୀଙ୍କୁ ମାନ୍ୟତା ମିଳୁ

ମହିଳା ଚାଷୀଙ୍କୁ ମାନ୍ୟତା ମିଳୁ

  ୨୦୧୩ ମସିହାର ରାଜ୍ୟ କୃଷି ନୀତିରେ ମହିଳା କୃଷକଙ୍କ ଦକ୍ଷତା ବୃଦ୍ଧି, ସେମାନଙ୍କୁ ଋଣ ପ୍ରଦାନ ଇତ୍ୟାଦି ସମ୍ପର୍କରେ ବହୁ ଆଲୋଚନା ହୋଇସାରିଛି। ୨୦୧୫-୧୬ ଆର୍ଥିକ ବର୍ଷରେ କୃଷିକ୍ଷେତ୍ରରେ ମହିଳାଙ୍କ ବିକାଶ ଲାଗି ମାତ୍ର ୨୪ ପ୍ରତିଶତ ବ୍ୟୟବରାଦ ହୋଇଛି। ୨୦୦୭ରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କୃଷିରେ ବିନିଯୋଗ ପରିମାଣ ବଢ଼ିଥିବାବେଳେ  ଏଥିରେ ଘରୋଇ ପୁଞ୍ଜିନିବେଶ ପ୍ରାୟ ୮୦ ପ୍ରତିଶତ ହୋଇଛି।  ସରକାରୀ ପୁଞ୍ଜି ନିବେଶରେ ସୀମିତତା ଯୋଗୁଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅତ୍ୟଧିକ ଚାପଗ୍ରସ୍ତ ହେଉଛନ୍ତି ଏବଂ ଏବେ ମହିଳାଙ୍କୁ ଚାଷୀର ମାନ୍ୟତା ମିଳିବା ଉଚିତ ବୋଲି ଜୁନ ୨୮ ତାରିଖରେ ସିୱାଇଏସ‌୍‍ଡ଼ିରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳା ଚାଷୀ ସମ୍ମିଳନୀ ଅବସରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି।   କାର୍ଯ୍ୟକ୍ରମ ନିଦ୍ଦେର୍ଶକ ଜୟଦେବ ଡାକୁଆଙ୍କ ସ୍ୱାଗତ ଭାଷଣ ପରେ ସିୱାଇଏସ‌୍‍ଡ଼ିର ସମ୍ପାଦକ ଜଗଦାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ ଉଦ‌୍‍ଘାଟନ କରି ମହିଳାଙ୍କୁ ଜମି ମାଲିକାନାର ଅଧିକାର ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ସଫାମ‌୍‍ର ଆଂଚଳିକ ନିଦ୍ଦେର୍ଶକ ଅକ୍ଷୟ ବିଶ୍ୱାଳ ଭାଗଚାଷୀ ଆଇନ ପ୍ରଣୟନ ହେବା ଉପରେ ମତ ରଖିଥିଲେ। ନକ୍ଷତ୍ର ମିଡ଼ିଆର ନ୍ୟୁଜ‌୍‍ ପ୍ରଡ୍ୟୁସର ସୁପ୍ରିୟା ଦାଶ ପାରମ୍ପରିକ କୃଷିକୁ ଫେରିବାର ସମୟ ଉପନୀତ ହୋଇଛି ବୋଲି କହି ମହିଳାଙ୍କ ଅଂଶଗ୍ରହଣକୁ ଏକ ସକାରାତ୍ମକ ଦୃଷ୍ଟିରେ ରଖିବାକୁ ଆହ୍ୱାନ ଦେଇଥିଲେ।   ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହେଲେ ସୁଦ୍ଧା ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ କୃଷିରେ କ୍ରମାଗତ ଅଭିବୃଦ୍ଧି ହ୍ରାସ ହୋଇଚାଲିଛି। ୧୯୫୦ ବେଳକୁ ମୋଟ ଜାତୀୟ ଉପିାଦରେ କୃଷିକ୍ଷେତ୍ରର ୭୦ପ୍ରତିଶତ ଯୋଗଦାନ ରହୁଥିବା ବେଳେ ୨୦୧୫-୧୬ ମସିହାବେଳକୁ ଏହା ୧୪ ପ୍ରତିଶତକୁ ଖସି ଆସିଛି। ତଥାପି  ଆଜି ପର୍ଯ୍ୟନ୍ତ ରାଜ୍ୟର ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସଂଖ୍ୟା  ସେମାନଙ୍କ ଜୀବିକା ସକାଶେ କୃଷି ଉପରେ ହିଁ ନିର୍ଭରଶୀଳ ଅଛନ୍ତି ଏବଂ ଓଡ଼ିଶାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ କୃଷିକ୍ଷେତ୍ରରେ ଅଧିକ ମାତ୍ରାରେ ସଂଶ୍ଲିଷ୍ଟ ହୋଇରହିଛନ୍ତି।  ଓଡ଼ିଶାରେ ମୋଟ ଚାଷୀଙ୍କ ମଧ୍ୟରୁ ୯୨ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ମାତ୍ର ୦.୮ ହେକ୍ଟର ଚାଷ ଜମି ରହିଛି। ଏକ ତୃତୀୟାଂଶ ଚାଷୀଙ୍କର ୦.୪ ହେକ୍ଟରରୁ କମ‌୍‍ ଚାଷଜମି ରହିଛି। ରାଜ୍ୟର ୫୨ ପ୍ରତିଶତ ଚାଷୀ ଯେଉଁମାନଙ୍କର ନିଜସ୍ୱ ଚାଷଜମି ଆଦୌ ନାହିଁ, ସେମାନେ ବାଧ୍ୟବାଧକତାରେ ଅନ୍ୟର ଜମିକୁ ଭାଗରେ ନେଇ ଅଥବା କୃଷିଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି।   ଓଡ଼ିଶା ଚାଷୀଙ୍କ ହାରାହାରି ବାର୍ଷିକ ଆୟ ହେଉଛି ମାତ୍ର ୪୯୩୬ ଟଙ୍କା ଯାହାକି ଜାତୀୟ ହାରରଠାରୁ ୧୪୯୦ଟଙ୍କା ଆହୁରି କମ‌୍‍। ଦୈନନ୍ଦିନ  ଖର୍ଚ୍ଚ ତୁଲାଇବାରେ ଓଡ଼ିଶା ଚାଷୀ ସମର୍ଥ ନୁହଁନ୍ତି ବୋଲି  ଦ୍ୱିତୀୟ ଅଧିବେଶନର ବିଷୟବସ୍ତୁ ଚିରନ୍ତନ କୃଷି ପଦ୍ଧତିକୁ ନିରନ୍ତର ଅଭ୍ୟାସ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତା ସର୍ବଶ୍ରୀ ନଟବର ଖୁଂଟିଆ, ବରିଷ୍ଠ ସାମ୍ୱାଦିକ ବାସୁଦେବ ମହାପାତ୍ର, ଶିଶିର ପରିଜା, ପ୍ରଫେସର ଅନୁପ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।  କୃଷି ଋଣ ପ୍ରଦାନରେ ସମବାୟ ସମିତିର ଭୂମିକା ଶୀର୍ଷକ ଆଲୋଚନାରେ ପ୍ରଫେସର ଦିବାକର ନାୟକ ଏବଂ ନଟବର ଖୁଂଟିଆ ପ୍ରମୁଖ ଆଲୋଚନା କରିବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ମହିଳା ଚାଷୀ ସେମାନଙ୍କ କାର୍ଯ୍ୟପନ୍ଥା ସମ୍ୱନ୍ଧରେ ନିଜ ନିଜ ମତାମତ ରଖିଥିଲେ।   କାର୍ଯ୍ୟକ୍ରମ ଅଧିକାରୀ ତନ୍ମୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Share :