ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ ନା ଲୋକଙ୍କର?

ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ ନା ଲୋକଙ୍କର?

Share :

    ଦେବେନ୍ଦ୍ର ପୃଷ୍ଟି   ଜୁନ ୨୪ ତାରିଖରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସନ୍ତୋଷ ଗଙ୍ଗବାର ବରଗଡ଼ ଆସିଥିଲେ ବିଜେପିର ବିକାଶ ସମାବେଶରେ ଯୋଗଦେବା ପାଇଁ। ତାଙ୍କ ସହିତ ଥିଲେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଂଜନା। ବରଗଡ଼ ପୂର୍ବରୁ ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭୁବନେଶ୍ବରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ରାଉରକେଲାରେ ଖଣ ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ସ୍ଥାନରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ବିକାଶ ସମାବେଶରେ ଯୋଗଦେଇ ସାରିଥିଲେ। କୋଉଠି ବିଜେଡି କର୍ମୀମାନେ କଳାପତାକା ଦେଖାଇ ନଥିଲେ କି କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ କରି ନଥିଲେ।   କିନ୍ତୁ ବରଗଡ଼ରେ ସେମାନେ ସେହି ଅପରାଧ କଲେ। ଖାଲି ଅପରାଧ ନୁହେଁ, ବଡ଼ ଧରଣର ଅପରାଧ। ବିଜୁ ଜନତା ଦଳର ଏଭଳି ଅପରାଧ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ କିପରି ଗୁଣ୍ଡାଙ୍କ ହାତରେ ଟେକି ଦିଆଯଇଛି ତାହା ସାବିତ କଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ରାଜ୍ୟର ଗୃହମନ୍ତ୍ରୀ। ତାଙ୍କରି ହାତରେ ଅଛି ଆଇନଶୃଙ୍ଖଳା ନିୟନ୍ତ୍ରଣ କରୁଥିବା ପୁଲିସ ବିଭାଗ। ସେ ମଧ୍ୟ ହେଲେ ଶାସକ ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା ଦଇବ ବିଧାତା। ତାଙ୍କ ବିନା ନିର୍ଦ୍ଦେଶ ଓ ନିଷ୍ପତ୍ତିରେ ସରକାର ଓ ଶାସକ ଦଳରେ ପତ୍ରଟିଏ ମଧ୍ୟ ହଲେନା।   ତେବେ ଶାସକ ଦଳର ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ତାଙ୍କର ସମର୍ଥକମାନେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ କିପରି? କରିବାର ନିର୍ଦ୍ଦେଶ ପାଇଲେ କେଉଁଠୁ? ସେମାନେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରେ ଢେଲାପଥର ମାଡ଼ କରୁଥିବାବେଳେ କେତେ ପୁଲିସ ଥିଲେ? ନିଜେ ନବୀନ ପଟ୍ଟନାୟକ କୁଆଡ଼େ ଗଲେ ତାଙ୍କ ଆଗରେ ପଛରେ ଦି’ ତିନି ଡଜନ ପୁଲିସ ଯିବାଆସିବା କରନ୍ତି, ସର୍ବସାଧାରଣଙ୍କ ପାଇଁ ରାସ୍ତା ବନ୍ଦ ହୋଇଯାଏ, ସମସ୍ତଙ୍କୁ କଡ଼ାକଡ଼ି ଯାଞ୍ଚ। କିନ୍ତୁ କେନ୍ଦ୍ର ମନ୍ତ୍ରୀ ଆସିଲେ। ଟିଭି କ୍ୟାମେରାରେ ଦେଖାଗଲା ଦି’ ଚାରି ଜଣ ପୁଲିସ କର୍ମଚାରୀ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିରୁ ଦୂରେଇ ଦୂରେଇ ଯାଉଥିଲେ। ଆକ୍ରମଣକାରୀଙ୍କ ପାଇଁ ଏହା ହିଁ ଥିଲା ପ୍ରକୃଷ୍ଟ ସମୟ ଓ ସୁବିଧା। ସେମାନେ ଆକ୍ରମଣ କଲେ। ପୁଲିସ ଦେଖେଇ ହେବା ପାଇଁ କେଇ ଜଣଙ୍କୁ ଠେଲାପେଲା କଲା, ଆଉ କିଛି ନୁହେଁ।   ସ୍ବାଭାବିକ ଭାବେ ଏହି ଘଟଣାର ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା। ଏପରିକି ନିଜ ଦାୟିତ୍ବ ତୁଲାଇବାକୁ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ। କାରଣ ରାଜ୍ୟ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ହେଉଛି ରାଜ୍ୟର। ରାଜ୍ୟର ଗୃହମନ୍ତ୍ରୀ ଭାବେ ଏହି ଦାୟିତ୍ବ ବହନ କରୁଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ସେ ଚରମ ଭାବେ ବିଫଳ ହେଲେ। ଯଦି ସେ ଏହି ବିଫଳତାକୁ ଅସ୍ବୀକାର କରିବେ ତେବେ ବୁଝିବାକୁ ହେବ ଯେ ସେ ନିଜେ ହେଲେ ଏହି ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ।   ଚାରି ଆଡ଼ୁ ପ୍ରତିକ୍ରିୟା ହେବାରୁ ଜିଲ୍ଲା ପୁଲିସ ଅଣ୍ଡାଳି ଅଣ୍ଡାଳି ୧୧ ଜଣଙ୍କୁ ଅଟକ ରଖିଲା। ପରେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଛାଡ଼ି ଦେଲା। କିନ୍ତୁ ମୁଖ୍ୟ ଆକ୍ରମଣକାରୀ ବିଧାୟକ ଦେବେଶ ଆଚାର୍ଯ୍ୟ ଏବେ ବି ମୁକ୍ତ। ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲାଗିଛି, ଯେମିତି ସମସ୍ତେ ଖସିଯିବେ।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ଫେବୃଆରୀ ୧୯ ତାରିଖେର ଉତ୍କଳ ବିଶ୍ବବିଦ୍ୟାଳୟର ଏକ ଉତ୍ସବରେ ଯୋଗଦେବାକୁ ଯାଉଥିବାବେଳେ ସେ କାହିଁକି ଓଡ଼ିଆ କହୁନାହାନ୍ତି ବୋଲି ତାହାର ପ୍ରତିବାଦ କରି ଯୁବ/ଛାତ୍ର କଂଗ୍ରେସର କେତେକ ପିଲା ଭୁବନେଶ୍ବର କେଶରୀ ଟକିଜ ନିକଟରେ ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ପୁଲିସ ସେଇଠି ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା। ତା’ପରେ ଡଜନେ ଖଣ୍ଡେ କର୍ମୀଙ୍କ ସମେତ ସଭାପତିଙ୍କୁ ଗିରଫ କରିଥିଲା। ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ବା ୩୦୭ ଦଫା ଲାଗିଥିଲା।   ଭୁବନେଶ୍ବରରୁ ବରଗଡ଼ ବହୁତ ଦୂର। ସେଥିପାଇଁ ଆଇନ ତା’ ବାଟରେ ଯାଇପାରିଲା ନାହିଁ। ବାଟବଣା ହୋଇ ନବୀନ ନିବାସରେ ପଶିଗଲା!   ଏବେ ଜଣେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୁବକଂଗ୍ରେସର ପୂର୍ବତନ ସଭାପତି ପ୍ରଦୀପ ମାଝୀଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଛି। ତାଙ୍କ ଦୋଷ କ’ଣ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କଠାରୁ ଅଧିକ ଗୁରୁତର, ଅଧିକ ସଙ୍ଗୀନ?   ସେ ଯାହା ହେଉ, ବରଗଡ଼ ଘଟଣା ଭାରତୀୟ ଜନତା ପାର୍ଟିର ରାଜ୍ୟ ନେତାମାନଙ୍କୁ ଏକଜୁଟ କରିବାରେ ସହାୟକ ହେଲା। ସେମାନ ଜୁନ ୨୯ ତାରିଖ ସାରା ଓଡ଼ିଶାରେ ଏହାର ପ୍ରତିବାଦ କରିବାକୁ ଘୋଷଣା କଲେ। ବିଜେପିର ଏହି ପ୍ରତିବାଦକୁ ଲୋକଙ୍କ ଆଗରେ ଅଯୌକ୍ତିକ ଦର୍ଶାଇବା ପାଇଁ ବିଜେଡି ସୁପ୍ରିମୋ ଜୁନ ୨୮ ତାରିଖରେ ବରଗଡ଼ ଘଟଣାର ପ୍ରାଶାସନିକ ତଦନ୍ତ ନିର୍ଦ୍ଦେଶ ଦେଲେ। କହିଲେ, ଆରଡିସି ଏହାର ତଦନ୍ତ କରି ୬୦ ଦିନ ଭିତରେ ରିପୋର୍ଟ ଦେବେ।   କିନ୍ତୁ ଗୋଟେ ଫୌଜଦାରୀ ଅପରାଧର ତଦନ୍ତ କରିବାକୁ ଆରଡିସି କିଏ? ଆରଡିସି କ’ଣ ପୁଲିସ? ତା’ ହେଲେ ପୁଲିସ ବିଭାଗ ରହିଛି କାହିଁକି? ନବୀନ ପଟ୍ଟନାୟକଙ୍କୁ ଅଣ୍ଡାମାଡ଼ବେଳେ ଆରଡିସି ବଦଳରେ ପୁଲିସ କାହିଁକି ତଦନ୍ତ କଲା? ଆରଡିସି କ’ଣ କାହାକୁ ଗିରଫ କରିପାରିବେ? ଜେରା କରିପାରିବେ? ଦଫା ଲଗାଇ ପାରିବେ?   ବରଗଡ଼ ଘଟଣାର ପୁଲିସ ତଦନ୍ତକୁ ଶୀଥିଳ କରାଯାଇଥିଲା। ଏହା ପଛରେ ତୃତୀୟ ମହଲାର ହାତ ଅଛି ବୋଲି ଧରାପଡ଼ିଗଲା ପରେ ବିଜେଡି ମୁଖପାତ୍ର କହିଲେ ଜିଲ୍ଲା ବିଜେଡିରୁ ରିପୋର୍ଟ ମଗା ଯାଇଛି, ମିଳିଲେ ଦଳୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ। ଏବେ ଉଠିଲାଣି ଆରଡିସି ତଦନ୍ତ। ତା’ ମାନେ ପୁଲିସ ତଦନ୍ତରେ ଡୋରି ବନ୍ଧା ହେଲା। କାର୍ଯ୍ୟାନୁଷ୍ଠାନ ଠପ୍।   ନିଜର ମତିଭ୍ରମ ହୋଇ ନଥିଲେ ବା ଲୋକଙ୍କ ମତିକୁ ଭ୍ରମ କରିବାକୁ ଚାହୁଁ ନଥିଲେ କେହି କ’ଣ ଏମିତି ଫୌଜଦାରୀ ମାମଲାର ପ୍ରାଶାସନିକ ତଦନ୍ତ ନିର୍ଦ୍ଦେଶ ଦିଅନ୍ତି?   ନବୀନ ପଟ୍ଟନାୟକଙ୍କ ଶାସନରେ ଅବଶ୍ୟ ଆରଡିସି ତଦନ୍ତର କିଛି ଗୁରୁତ୍ବ ନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରମାଣିତ କରିଛନ୍ତି। ତାଙ୍କ ଶାସନରେ ଟିକେ କିଛି ବଡ଼ ଧରଣର ଗଣ୍ଡଗୋଳ ହେଲେ, ବିଶେଷକରି ଯେଉଁ ଗଣ୍ଡଗୋଳରେ ତାଙ୍କ ଦଳର ନେତା ବା କର୍ମୀମାନେ ସଂପୃକ୍ତି ଥିବା ଜଣାଥିବ, ସେ ସାଙ୍ଗେସାଙ୍ଗେ ତାହାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦିଅନ୍ତି। ଆରଡିସି ହେଲେ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତ ଅଧିକାରୀ। ମୁଖ୍ୟମନ୍ତ୍ରୀ ତାଙ୍କୁ ଯେକୌଣସି ସମୟରେ ବଦଳି କରିପାରିବେ। ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ନିଳମ୍ବିତ ବି କରିପାରିବେ। ସେମାନେ ଏକଥା ଜାଣନ୍ତି। ତେଣୁ ସେହି ତଦନ୍ତ ରିପୋର୍ଟ ଅନେକ ସମୟରେ ଦାଖଲ ହୁଏ ନାହିଁ। ସମୟ ଗଡ଼ିଯାଏ। ଉପର ନିର୍ଦ୍ଦେଶ ଅନୁସାରେ ବି ରିପୋର୍ଟ ଲେଖାଯାଇଥାଏ। ସରକାରଙ୍କୁ ରିପୋର୍ଟ ଦିଆଗଲେ ବି ଅନେକ ସମୟରେ ତାହା ସର୍ବସାଧାରଣରେ ପ୍ରକାଶ ପାଏ ନାହିଁ କି ତା’ ଉପରେ କିଛି କାର୍ଯନୁଷ୍ଠାନ ଗ୍ରହଣ କରାଯାଏ ନାହିଁ।   ଏମିତି କେତେ ଆରଡିସି ରିପୋର୍ଟ ସଚିବାଳୟର ଥାକ ଭିତରେ ହଜିଗଲେଣି।

Share :