ବର୍ଷାରେ ବୁଡ଼ିବ ବ୍ରହ୍ମପୁର!

ବର୍ଷାରେ ବୁଡ଼ିବ ବ୍ରହ୍ମପୁର!

Share :

  ବ୍ରହ୍ମପୁର ନାଳ ଓ ଜଳ ନିଷ୍କାସନ ସମସ୍ୟା ଦୀର୍ଘବର୍ଷ ଧରି ଏକ ଅସମାଧିତ ହୋଇ ରହିଛି। ଭୂତଳ ଡ୍ରେନ‌୍‍ କରା ନଯିବା ଏବଂ ଠିକ ସମୟ ବ୍ୟବଧାନରେ ଡ୍ରେନ‌୍‍ ଏବଂ ନାଳଗୁଡ଼ିକୁ ସଫା ନକରିବା କାରଣରୁ ଏଠାରେ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଠି ହେଉଛି। କିନ୍ତୁ ବର୍ଷାଦିନ ପାଖେଇ ଆସିଲେ ମହାନଗର ନିଗମ ପକ୍ଷରୁ ଡ୍ରେନଗୁଡ଼ିକୁ ବର୍ଷାରେ ତରବରିଆ ଭାବେ କାମଚଳା ନୀତିରେ ମରାମତି ଏବଂ ତିଆରି କରାଯାଉଛି।   ଗତ ଫାଇଲିନ‌୍‍ ବାତ୍ୟା ପୂର୍ବରୁ ଘୋଷଣା ସତ୍ତ୍ବେ ଡ୍ରେନ‌୍‍ ଏବଂ ନାଳଗୁଡ଼ିକର ସଫେଇ ହୋଇନଥିବାରୁ ବ୍ରହ୍ମପୁର ସହର ପାଣି ଘେରରେ ରହିଥିଲା। ଚଳିତବର୍ଷ ଭଲ ମୌସୁମୀ ବର୍ଷା ହେବ ବୋଲି ବହୁ ପୂର୍ବରୁ ପାଣିପାଗ ବିଭାଗ ସୂତ୍ରରୁ ଘୋଷଣା କରାଯାଇଥିଲେ ମଧ୍ୟ ମୌସୁମୀ ଆସିବା ଆଗରୁ ସେ କାର୍ଯ୍ୟ ହେଲା ନାହିଁ। ବର୍ତ୍ତମାନ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରକାର ଆବର୍ଜନା ଭର୍ତ୍ତି ହୋଇ ରହିଥିବା ବିଭିନ୍ନ ଡ୍ରେନ ସଫା କରାଯାଇ ନଥିବାରୁ ବର୍ଷାରେ ମଇଳା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଏହି ମଇଳା ଯୋଗୁଁ ମଧ୍ୟ ବର୍ଷା ଜଳ ନିଷ୍କାସିତ ହୋଇନପାରି ରାସ୍ତାରେ ଜମି ରହୁଛି। ତେଣୁ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣିରେ ଲୋକେ ଯାତାୟତ କରୁଛନ୍ତି।   ବାହାନା ନାଳ ସଂଯୋଗ କରୁଥିବା ଗଜପତି ନଗର ସ୍ଥିତ ନାଳ ବିଭିନ୍ନ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ବର୍ଷା ହେଲେ ବାହାନା ନାଳ ଭର୍ତ୍ତି ହୋଇ ରାସ୍ତାରେ ନର୍ଦ୍ଦମା ବହେ। ସେହି ସମୟରେ ଏହି ଅଞ୍ଚଳରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡେ଼। ଫାଇଲିନ‌୍‍ ସମୟରେ ଏହି ଅଞ୍ଚଳବାସୀ ବୋଟ‌୍‍ ଯୋଗେ ଯାତାୟତ କରୁଥିବା ଦେଖିବାକୁ ମିଳିଥିଲା। ବାହାନା ନାଳର ପୁନରୁଦ୍ଧାର ପାଇଁ ୨୨,୧୫,୫୩,୦୬୮ ଟଙ୍କା ଆସିଥିବା ସ୍ଥଳେ ରାଜ୍ୟ ସରକାରଙ୍କ ଜଳ ବିଭାଜିକା ଏବଂ ଡ୍ରେନେଜ‌୍‍ ବିଭାଗ ପକ୍ଷରୁ ଏହି ନାଳ ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ସୁପରକ୍ଲାସ କଣ୍ଟ୍ରାକ୍ଟର ଲାଇସେନ୍ସ ରଖିଥିବା ଉତ୍କଳ ମାନୁଫାକ‌୍‍ଚରିଂ ଏଣ୍ଡ‌୍‍ ସର୍ଭିସେସ‌୍‍ ଲିମିଟେଡ଼‌୍‍ ଦ୍ୱାରା ୨୦୧୫ ମସିହା ସେପ୍ଟେମ୍ୱର‌୍‍ ମାସ ୨୩ ତାରିଖରୁ କାମ ଆରମ୍ଭ ହୋଇଥିବା ବେଳେ ଦୀର୍ଘଦିନ ଧରି ଏହି କାମର ଫଳକ ଲାଗି ନଥିଲା। ପରବର୍ତ୍ତୀ ସମୟରେ ଫଳକ ଲାଗିଥିବା ସ୍ଥଳେ କାମ ଶେଷ ପାଇଁ ୨୦୧୮ ମସିହା ସେପ୍ଟେମ୍ୱର ମାସ ୨୨ ତାରିଖ ଧାର୍ଯ୍ୟ ହୋଇଛି। କିନ୍ତୁ ଉକ୍ତ ନାଳ ପୁନରୁଦ୍ଧାର କାମ ଅତି ନିମ୍ନାମାନର ବୋଲି ଅଭିଯୋଗ ହେଉଛି।   ଏ ନେଇ ଅଭିଯୋଗ କରିବା ନିମନ୍ତେ କାର୍ଯ୍ୟାଳୟକୁ ଗଲେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଏବଂ କାମରେ ଫିଲ‌୍‍ଡ଼‌୍‍କୁ ଯାଇଥିବା କୁହାଯାଉଛି। ସେହିଭଳି ଫୋନ‌୍‍ରେ ଯୋଗାଯୋଗ କରାଗଲେ କୌଣସି ଉତ୍ତର ମିଳୁନାହିଁ। ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ହୋଇଯାଇଥିବା ସୂଚନା ମିଳୁଛି। ବର୍ଷାଦିନେ କାମ ଚାଲିଥିବାରୁ ବାହାନା ନାଳର କୁଢ଼କୁଢ଼ ମାଟି ନାଳ କଡ଼ରେ ଗଦା କରାଯାଇଛି। ଏହି ନାଳ ଦେଇ ସହରର ସମସ୍ତ ଅଳିଆ ଆବର୍ଜନା ଯାଉଥିବା ବେଳେ ବର୍ଷାରେ ମାଟି ଧୋଇ ପୁଣି ନାଳକୁ ପୋତି ପକାଉଛି। ଯାହାଫଳରେ ନାଳରେ ପାଣି ନିଷ୍କାସନ ହୋଇପାରୁ ନାହିଁ।   ବ୍ରହ୍ମପୁର ସହର ପାଇଁ ବାହାନା ନାଳ ଏକ ଅଭିଶାପରେ ପରିଣତ ହୋଇଥିବା ବେଳେ ବନ୍ୟା ସମୟରେ ଯେଭଳି ନାଳପାଣି ବାହାରକୁ ଯାଇ ସାହି ମଧ୍ୟରେ ପ୍ରବେଶ ନକରେ ସେଥିନିମନ୍ତେ ଏହି କାମ ଆରମ୍ଭ ହୋଇଛି। କିନ୍ତୁ ବର୍ତ୍ତମାନ ବର୍ଷାରେ ନାଳ କାମ ଚାଲିଥିବାରୁ ଏହାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡ୍ରେନ ବିଭାଗ ଉକ୍ତ କାମ ବୁଝୁଥିବା ସ୍ଥଳେ ଭାଗମାପରେ ସରକାରୀ ଟଙ୍କାକୁ ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି। ଠିକାଦାରଙ୍କ ତତ୍ତ୍ବାବଧାନରେ ଏତେବଡ କାମ ଚାଲିଛି। କାମର ମାନ ଯାଞ୍ଚ କରିବାକୁ ଅଧିକାରୀଙ୍କ ଦେଖାନାହିଁ।   ସହରର ଡ୍ରେନେଜ‌୍‍ ବ୍ୟବସ୍ଥା ଠିକ ନଥିବାରୁ ସହରର ସମସ୍ତ ପାଣି ଏହି ନାଳରେ ପ୍ରବେଶ କରିବ। ତେଣୁ କାମ ଯଦି ନିମ୍ନାମନର ହୁଏ ତେବେ ଉକ୍ତ ବ୍ରିଜ‌୍‍ ଏବଂ ନାଳ ପାର୍ଶ୍ୱରେ ହେଉଥିବା ସାଇଡ ୱାଲ‌୍‍ଗୁଡ଼ିକ ବେଶି ଦିନ ତିଷ୍ଠିବା ନେଇ ଜନସାଧାରଣଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଦୀର୍ଘଦିନ ପରେ ଏହି ନାଳ ପାଇଁ ଟଙ୍କା ଆସିଥିବା ବେଳେ ଏହା ସହରବାସୀଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ଜନସାଧାରଣ ଆଶା କରିଥିଲେ। କିନ୍ତୁ ବର୍ତ୍ତମାନ‌୍‍ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଉଛି।   ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟ କିଭଳି ଉତ୍ତମ ମାନର ହୋଇପାରିବ ସେ ସଂପର୍କରେ ଧ୍ୟାନ ଦେବାପାଇଁ ଦାବୀ ହେଉଛି। ନଚେତ‌୍‍ ବ୍ରହ୍ମପୁରରେ ଡ୍ରେନେଜ‌୍‍ ବ୍ୟବସ୍ଥା ଅତି ଖରାପ‌୍‍ ଥିବାରୁ ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି ହେଲେ ସହରବାସୀଙ୍କ ଅବସ୍ଥା ବେହାଲ‌୍‍ ହୋଇପଡ଼ିବ।

Share :