ତିଳକ ଏବେ କଳଙ୍କ!

ତିଳକ ଏବେ କଳଙ୍କ!

Share :

  ମୋତିଲାଲ ନଟବରଲାଲ କଥା ଉଠିଲାରୁ ଅବ୍ଦୁର ରହମାନର ଜେରାକୁ ଜୋର ଦିଆଗଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ’ପୁଲିସ ସୂତ୍ର’ କହିଲା ଯେ ୧୯୯୯ ଡିସେମ୍ବର ମାସରେ ହୋଇଥିବା ଭାରତୀୟ ବିମାନ ଅପହରଣ ଘଟଣା ସହିତ ଜଡ଼ିତ ଜଣେ ଆତଙ୍କବାଦୀକୁ ସେ କଟକରେ ଆଶ୍ରୟ ଦେଇଥିଲା। ଏ କଥା ଦି’ ଦିନ ଧରି ଖବରକାଗଜରେ ବଡ଼ବଡ଼ ଅକ୍ଷରେର ବାହାରିଲା ଓ ଟିଭିରେ ବି ଘଣ୍ଟାଘଣ୍ଟା ଚାଲିଲା। ଆଶ୍ଚର୍ଯ୍ୟର କଥା, ଅନ୍ୟ ଛୋଟଛୋଟ କଥାରେ ଫଟ୍ କରି କ୍ୟାମରା ଆଗକୁ ଚାଲି ଆସୁଥିବା ଡିଜି କେବି ସିଂହ ଏ ବାଇଟ୍ ଦେବାକୁ ମନା କଲେ। ସେଇଠୁ ସନ୍ଦେହ ବଢ଼ିଲା।   କେହି ଚତୁର ସାମ୍ବାଦିକ ଏ କଥା ବି ଉଠେଇଲେ- ୧୯୯୯ ଡିସେମ୍ବର ପରେ ଏଯାଏଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କ ହାତରେ ଗୃହ ବିଭାଗ। ତେବେ ଜଣେ ଅନ୍ତର୍ଜାତୀୟ ଆତଙ୍କବାଦୀ ଆସି କଟକରେ କେମିତି ରହିଲା ଓ ଟ୍ରକ ଚଲାଇଲା଼? ପୁଲିସ ବିଭାଗ କ’ଣ କରୁଥିଲା? ପୁଲିସ ଗୁଇନ୍ଦା ଶୋଇଥିଲେ କି? କଟକ ପୁଣି ହେଉଛି ରାଜ୍ୟ ପୁଲିସର ମୁଖ୍ୟାଳୟ।   ଏକଥା ଉଠିବା ପରେ ସତେ ଯେମିତି ଅବ୍ଦୁର ରହମାନର ଜେରା ଶେଷ ହୋଇଗଲା! ଆଉ କୌଣସି ‘ପୁଲିସ ସୂତ୍ର’ ବାହାରିଲେ ନାହିଁ। ସେ ଖବରରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଲା।   ହେଲେ କ’ଣ ହେବ? ଏପଟେ ଓସ୍କାର ବିରୁଡ଼ି ବିନ୍ଧିଲାଣି। କ’ଣ କରିବା? ନିଜେ ଡାକି ଆଣି ଟିକେଟ ଦେଇଥିବା ଅଭିନେତାଙ୍କ ଚିଟ୍ ଫଣ୍ଡ ଲିଙ୍କ ପଦାରେ ପଡ଼ିବା ଅର୍ଥ ବଦନାମ ଯାକ ତାଙ୍କ ମୁଣ୍ଡରେ ଯିବ। ସେ ବାଛିବାଛି ଏମିତି ଲୋକଙ୍କୁ ବିଜେଡିରେ ମିଶେଇଛନ୍ତି କ’ଣ ପାଇଁ? କ’ଣ ପାଇଁ ସେମାନଙ୍କୁ ଏମପି ଏମଏଲଏ କରିଛନ୍ତି? ବାଳୁଙ୍ଗା ଟୋକା ଅନୁଭବ ମହାନ୍ତି ତାଙ୍କର ଖାସ୍ ପସନ୍ଦ ଭାବେ ରାଜ୍ୟସଭା ସଦସ୍ୟ। ଓଲିଉଡ଼ ପ୍ଲେବୟ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ତାଙ୍କର ଅନ୍ୟତମ ଖାସ୍। ତେଣୁ ସେ ତାଙ୍କ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁରର ଲୋକସଭା ସଦସ୍ୟ। ରଙ୍ଗିଲା ଟୋକା ପପୁ ପମ ପମ ତ ଖାସ୍ ତାଙ୍କ ପରି! ନାଁ ବି ଏକା। ତେଣୁ କେହି କିଛି ଜାଣିବା ଆଗରୁ ୨୦୧୪ ମସିହାରେ ସେ ତାଙ୍କୁ ଚମ୍ପୁଆ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ କରିଥିଲେ। ଏମାନେ ସବୁ ଓସ୍କାର ଚିଟ୍ ଫଣ୍ଡ କମ୍ପାନୀର ଖାସ୍ ଲୋକ। ଏଣୁ କଥାଟା ବୁଲିବୁଲି ତାଙ୍କରି ଆଡ଼େ ଆସିବ। ବିଜେଡି ବଦନାମ ହେବ। ତାଙ୍କ ମୁହଁରୁ ମଧ୍ୟ ଚିରି ଯାଇଥିବା ବୁର୍ଖା ଖଣ୍ଡକ ଖସି ପଡ଼ିବ।   ତେଣୁ ଉତ୍ତମ ମହାନ୍ତି, କାଜଲ, ଲିପି, ଜିନା ପ୍ରମୁଖଙ୍କୁ ଗଣମାଧ୍ୟମରେ ଜେରା କରାଗଲା। ପପୁଙ୍କୁ କେହି ଖୋଜିଲେ ନାହିଁ। ଅନୁଭବ ଓ ସିଦ୍ଧାନ୍ତ ବି ଲୁଚିଗଲେ।   ଠିକ ଏହି ସମୟରେ ଉଠିଲା କାଷ୍ଟିଂ କାଉଚ୍ ବିବାଦ। ଏମିତି ଅଭିଯୋଗ ଆଗରୁ ଥିଲା। ମଝିରେ ମଝିରେ ଗଣମାଧ୍ୟମକୁ ଆସୁଥିଲା। ପୁଲିସ ସ୍ବାଭାବିକ ତଦନ୍ତ କରୁଥିଲା। କିନ୍ତୁ ଏଥରର ହୋହାଲ୍ଲା ଟିକେ ଜୋରଦାର। ଏଥିରେ ବି ସେଇ ପପୁ।  ଆଉ ଦି’ ଚାରି ଜଣଙ୍କ ନାଁ ଉଠିଲା। ମଉକା ବି ମିଳିଲା। ପପୁ ବିରୋଧରେ ଅଭିଯୋଗ ହେଲା। ଏବେ ତାଙ୍କ ମୁଣ୍ଡରେ କାଷ୍ଟିଂ କାଉଚ ନଡ଼ିଆ ପିଟି ଓସ୍କାର ବଦନାମ ଆଡ଼େଇ ହେବ। ସରକାରୀ ସଂସ୍ଥା ସହିତ ପୁଲିସ ତତ୍ପର ହେଲା। ହେଲେ ପପୁ ଫେରାର୍। ୟା ଭିତରେ ଫେରାର ହେବା ପାଇଁ ଯଥେଷ୍ଟ ସମୟ ଥିଲା।   ଏ ମାସକର ଏପରି ତୁମ୍ଭିତୋଫାନ ଭିତରେ ଡାକ୍ତର ମୋତିଲାଲ ଗୌଡ଼ ବି ଅନ୍ତର୍ହିତ। ତାଙ୍କ ପତ୍ତା ବି ମିଳୁ ନାହିଁ। ତାଙ୍କର ନଟବରଲାଲ କାରବାରରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଅରୁଣ ସାହୁ ଓ ବିଧାୟକ ବାପି ରାୟ  ଓ ଅନୁଭବ ପଟ୍ଟନାୟକ ପ୍ରମୁଖ ଅଂଶୀଦାର ଥିଲେ। ଏପରିକି ସ୍ବାସ୍ଥ୍ୟ ବିଭାଗର ଫେରାର ଡାକ୍ତର ମୋତିଲାଲଙ୍କୁ ଶ୍ରମ ବିଭାଗର ସହକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବା ଫାଇଲକୁ ଅନୁମୋଦନ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୦୧୨ ଏପ୍ରିଲ ୧୧ ତାରିଖରେ। ତେଣୁ ସେ ବି ଫେରାର।   ଏତେ ଭିତରେ ସ୍ନାନଯାତ୍ରା ବିବାଦ ଲୁଚିଲା ନାହିଁ। ସୁରେଶ ଓ ମହେଶ୍ବର ଯେତେ ଯତ୍ନ କଲେ ବି ଦଇତାଙ୍କ ଲୋଭ ଓ ବିଜେଡିର ଲାଭ ଆଗରେ ଲୋକଙ୍କ ସରଳତା ଓ ଭକ୍ତିର ମହତ୍ବ ମଳିନ ପଡ଼ିଲା ନାହିଁ। ଶ୍ରୀଜଗନ୍ନାଥଙ୍କୁ ଛୁଏଁଇବାର ପାପ ଗୋଡ଼େଇଲା। ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ କଟାକ୍ଷ ପରେ ସରକାର ଖାପଚରେ ପଡ଼ିଲେ। ୨୦୧୫ ମସିହାର ନବ କଳେବର କେଳେଙ୍କାରୀ ଓ ବ୍ରହ୍ମ ବିଭ୍ରାଟ ଘଟଣାର ପାପ ଆହୁରି ଧୋଇ ନାହିଁ। ଜଗନ୍ନାଥଙ୍କୁ ମାରା କରି ଗୋଟାକ ଯାକ ସରକାର ଏବେ ମାରା।   ସେପଟେ ବିଜେପିର ଘନଘନ ଆକ୍ରମଣ। ଭାବିଥିଲେ ୨୦୦୪-୧୪ ମଧ୍ୟରେ ଯେମିତି ମାମୁଁଘର ଆଡ଼ିଆ ମନମୋହନ ସିଂହ ଓ ବାନ୍ଧବୀ ସୋନିଆଙ୍କୁ ଧରି ଉପା ସରକାରକୁ କବଳ କଲେ ଏଥର ମଧ୍ୟ ସେମିତି କରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତ ଅତ୍ୟନ୍ତ କଠୋରପନ୍ଥୀ, ନିଷ୍ଠୁର ରାଜନେତା ମଧ୍ୟ। ତାଙ୍କ ଆଗରେ ଏଘର ମାଉସୀ ସେ ଘର ପିଉସୀ ରାଜନୀତି ଖେଳ ଚଳିଲା ନାହିଁ। ତେଣୁ ବାଲେଶ୍ବରରେ ସେ ବାଣି ମାରିଲେ। ସେ ବାଣ ଏଯାଏଁ ବିନ୍ଧୁଛି। ବରଗଡ଼ରେ ଫୌରବି ଦେଖାଇବାକୁ ଯାଇଁ ପୁଲିସ ସହାୟତାରେ ବିଜେଡି ବିଧାୟକ କେନ୍ଦ୍ର ମନ୍ତ୍ରୀ ଗଙ୍ଗବାରଙ୍କୁ ଆକ୍ରମଣ କଲେ। କଳା ପତାକା ଦେଖାଇଲେ। ଗାଡ଼ି ଭାଙ୍ଗିଲେ। ଢେଲା ପଥର ଫୋଫାଡ଼ିଲେ।   ବୁମେରାଂ! ଫିଙ୍ଗିଥିବା ପଥର ଫେରିଲା। ଭାଙ୍ଗିଥିବା ବିଜେଡି ଯୋଡ଼ି ହୋଇଗଲା। କେନ୍ଦ୍ର ତାଗିଦ କଲା। ଲୋକେ ବି ଛିଃ ଛିଃ କଲେ। ଏ କୌଶଳ ଫେଲ୍ ମାରିଲା ପରେ ପୁଣି ଉଠିଲା କେନ୍ଦ୍ର ଅବହେଳା ନାରା। କ’ଣ ନା କେନ୍ଦ୍ର ସରକାର ବୁଣାକାରଙ୍କ ସ୍ବାସ୍ଥ୍ୟ ବୀମା କାଟିଦେଲା। ଧାନ ଉପରେ ବୋନସ ଦେଲା ନାହିଁ। ମରୁଡ଼ି ସହାୟତା ଯେତେ ମାଗିଥିଲୁ ମିଳିଲା ନାହିଁ। ତେଣୁ ବିଜେପି ଯେଉଁଦିନ ବରଗଡ଼ ଆକ୍ରମଣ ଘଟଣାର ପ୍ରତିବାଦ କରିବ ଠିକ ସେହିଦିନ ବିଜେଡି କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ।   କିନ୍ତୁ ଏସବୁ ଭିତରେ କଥା କିଛି ଲୁଚୁ ନାହିଁ। ଯେଉଁ କଥା ଆଗରୁ ଲୁଚିଥିଲା ସେସବୁ ବରଂ ପଦାକୁ ଆସୁଛି। ଲୋକେ ପଚାରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ହେଲାରୁ ୩୦୭ ଦଫା ଲାଗିଲା, ଯୁବ କଂଗ୍ରେସ ସଭାପତି ଜେଲ୍ ଗଲେ। କେନ୍ଦ୍ରମନ୍ତ୍ରୀଙ୍କୁ ପଥର ମାଡ଼ ହେଲା, ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଗିରଫ ହେଲେ କି? ତାଙ୍କ ବିରୋଧରେ ୩୦୭ ଲାଗିଲା କି? ଏଭଳି ଅପକୌଶଳ ଯୋଗୁଁ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ। ଆଉ ଏହା ପକ୍ଷପାତୀ ଶାସନର ମୁଖା ଖୋଲିବା ବି ଅନିବାର୍ଯ୍ୟ।   ଏଯାଏଁ ଏମିତି ଅଖାଡ଼ୁଆ ଅବସ୍ଥାର ସମ୍ମୁଖୀନ ହୋଇ ନଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସରକାରଙ୍କ ଦୁର୍ନୀତି ଓ କୁଶାସନ ଚରମ ସୀମା ଟପିବା ପରେ ତାହାର ସ୍ବାଭାବିକ ପ୍ରତିକ୍ରିୟାର ଛତୁ ଏବେ ଫୁଟୁଛି। ଚାରି ଆଡ଼େ ଦୁର୍ନୀତିର ଓ ପ୍ରିୟାପ୍ରୀତି ତୋଷଣର ଛତୁ ଫୁଟିବାରୁ ଅନୁଗତ ଗଣମାଧ୍ୟମ ବି ନିଜସ୍ଥିତି ବଜାୟ ରଖିବାକୁ ରିପୋର୍ଟ କରିବାକୁ ବାଧ୍ୟ ହେଉଛି। ଲୋକଲଜ୍ଜା ଓ ଭୋଟ ହରାଇବାର ଭୟରେ ଗଣମାଧ୍ୟମ ଓ ଗଣମାନସିକତାକୁ ମ୍ୟାନେଜ କରିବାକୁ ଯାଇଁ ଅନେକ ଉପାୟ କରାଯାଉଛି। କିନ୍ତୁ ଉପାୟଗୁଡ଼ିକ ମଳି ଛଡ଼େଇବା ବଦଳରେ ଆଉ କିଛି କଳା ବୋଳିଦେଉଛି। ଯେଉଁମାନଙ୍କୁ ସେ ନିଜ ଦଳର ବିଜୟ ତିଳକ ଭାବେ ମଥାରେ ଲଗାଇଥିଲେ ସେଇମାନେ ଏବ କଳଙ୍କର ଟିକା ହୋଇଛନ୍ତି। ବରିଷ୍ଠ ନୀରବ। କନିଷ୍ଠ ଚୁପ୍।

Share :