ଗୋରୀ ଅଣ୍ଡାରେ ଛୁଆ ଅଛି!

ଗୋରୀ ଅଣ୍ଡାରେ ଛୁଆ ଅଛି!

Share :

  ଚାରି ଦଶନ୍ଧିର ପ୍ରତୀକ୍ଷା ପରେ ବଉଳା କୁମ୍ଭୀର ଗୋରୀ ମା’ ହେବ। ଏକଥା ଶୁଣିଲା ପରେ ଲୋକେ ଭାବୁଛନ୍ତି ଏଥର ବି ବିନା ପୁରୁଷ କୁମ୍ଭୀର ସଂସ୍ପର୍ଶରେ ସେ ଯଦି ଅଣ୍ଡା ଦେଇଥାଏ ତେବେ ସେଥିରୁ ଛୁଆ ହେବ ନାହିଁ। କିନ୍ତୁ ସତ ହେଉଛି ପୋଖରୀ ଭିତରେ ଦୀର୍ଘଦିନ ପରେ ସାଥୀଟିଏ ପାଇ ତା ସଂସ୍ପର୍ଶରେ ଆସିଥିଲା ଗୋରୀ। ସେଇ ସଂସର୍ଗରୁ ଗୋରୀ ଅଣ୍ଡା ଦେଇଛି ଦୀର୍ଘ ୪୧ ବର୍ଷ ପରେ। ଏହି ଖବର ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର କର୍ମଚାରୀ ମହଲରେ ଆନନ୍ଦ ଉତ୍ସାହ ସୃଷ୍ଟି କରିଛି।   ବଉଳା କୁମ୍ଭୀର ଗୋରୀ ପୋଖରୀ ହୁଡ଼ାରେ ୪୦ରୁ ୪୨ଟି ଅଣ୍ଡା ଦେଇଥିବା ଜୁନ ୨୬ ତାରିଖରେ ଜାଣିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଗୋରୀ ଅଣ୍ଡା ଦେଇଥିଲା। ବନ୍ୟଜନ୍ତୁ ବିଭାଗର କର୍ମଚାରୀଙ୍କ ସୂଚନା ଅନୁଯାୟୀ ଗୋରୀ ପୂର୍ବରୁ ପ୍ରାୟ ୧୫ ଥର ଅଣ୍ଡା ଦେଇଛି। କିନ୍ତୁ ପୁରୁଷ କୁମ୍ଭୀର ସଂସର୍ଗ ବିନା ସେଥିରୁ ଛୁଆ ଫୁଟିନାହିଁ।   ଜାତୀୟ ଉଦ୍ୟାନ ଭିତରକନିକାର ପ୍ରମୁଖ ଆକର୍ଷଣ ବଉଳା କୁମ୍ଭୀର ଗୋରୀ। ଦେଶବିଦେଶର ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ପାଇଁ ଅନନ୍ୟ ଆକର୍ଷଣ। ଦୀର୍ଘ ୪୧ ବର୍ଷ ଧରି ସେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ ପ୍ରକଳ୍ପ ମଧ୍ୟରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଆସିଛି। ଏପରିକି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ଗୋରୀକୁ ମାସ୍କଟ ଭାବେ ବ୍ୟବହାର କରାଯାଇଥିଲା। ଏଯାଏ ମାତୃତ୍ୱରୁ ବଞ୍ଚିତ ଏହି ମାଈ କୁମ୍ଭୀର ଗୋରୀର ଲୋକପ୍ରିୟତା କେତେ ତାହା ଜଣାପଡେ।   ଏବେ ଚାଲିଛି କୁମ୍ଭୀର ପ୍ରଜନନ ଋତୁ। ଚଳିତବର୍ଷ ଗୋରୀ ରହୁଥିବା ପୋଖରୀ ହୁଡାରେ ଦେଇଛି ଅଣ୍ଡା। ଏହା ପୂର୍ବରୁ ୧୫ ଥର ଅଣ୍ଡା ଦେଇଥିଲେ ମଧ୍ୟ ପୁରୁଷ କୁମ୍ଭୀର ସହିତ ମିଳନ ହୋଇନଥିବାରୁ ଏହି ଅଣ୍ଡାଗୁଡିକରୁ ଛୁଆ ଫୁଟେ ନାହିଁ। ଯାହାକୁ ସାଧାରଣତଃ ବା’ ଅଣ୍ଡା କୁହାଯାଏ। ଗୋରୀକୁ ମା’ କରିବା ପାଇଁ ବନବିଭାଗ ଦୁଇଦୁଇ ଥର ଚେଷ୍ଟା କରି ବିଫଳ ହୋଇଛି। ସେ ପ୍ରାପ୍ତ ବୟସ୍କ ହେବା ପରେ ଦୁଇବର୍ଷ କାଳ ବା’ ଅଣ୍ଡା ଦେଇଥିଲା।   ସେ ରହୁଥିବା ପୋଖରୀ ମଧ୍ୟକୁ ୧୯୯୮ରେ ପ୍ରଥମ ଥର ପାଇଁ ବନବିଭାଗ ପକ୍ଷରୁ ଗୋଟିଏ ପୁରୁଷ କୁମ୍ଭୀରକୁ ତା ସହିତ ମିଳନ ପାଇଁ ଛଡ଼ାଯାଇଥିଲା। ମାତ୍ର ଗୋରୀ ସହିତ ପୁରୁଷ କୁମ୍ଭୀରର ସଂଘର୍ଷ ଫଳରେ ଉଭୟ ଆହତ ହୋଇଥିଲେ। ଗୋରୀ  ଗୁରୁତର ହେବା ସହ ସବୁଦିନ ପାଇଁ ଗୋଟିଏ ଆଖି ହରାଇଥିଲା। ଏପରିକି ତାକୁ ସୁସ୍ଥା କରିବା ପାଇଁ ଅନେକ ପ୍ରକାର ଚିକିତ୍ସା କରିବାକୁ ପଡ଼ିଥିଲା। ୧୯୯୯ରେ ପୁନର୍ବାର ବନବିଭାଗ ଗୋରୀ ସହ ମିଳନ ପାଇଁ ଗୋଟି, ଛୋଟ ପୁରୁଷ କୁମ୍ଭୀରକୁ ଛାଡିଥିଲା। ଏଥର ଗୋରୀ ସହ ସେହି ପୁରୁଷ କୁମ୍ଭୀରର ସଂଘର୍ଷ ଫଳରେ ପୁରୁଷ କୁମ୍ଭୀରଟି ପ୍ରାଣ ହରାଇଥିଲା। ଏହାପରେ ବନବିଭାଗ ତାର ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୁଷ କୁମ୍ଭୀର ସହିତ ମିଳନ ପାଇଁ ଚେଷ୍ଟା ନକରି କରି ସେ ରହୁଥିବା ପୋଖରୀକୁ ସଂପ୍ରସାରିତ କରିଦେଇଥିଲା। ପ୍ରାକୃତିକ ଭାବେ ସେ ପୁରୁଷ କୁମ୍ଭୀର ସହିତ ମିଳନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏଯାଏଁ ଏଥିରେ କେତେ ସଫଳତା ମିଳିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।   ସୂଚନାଯୋଗ୍ୟ ଯେ, ବିଶ୍ୱର ଅନ୍ୟପ୍ରାଣୀ ଭଳି ବଉଳା କୁମ୍ଭୀର (ଲୁଣିପାଣି କୁମ୍ଭୀର)ର ବଂଶ ବିଲୁପ୍ତ ପ୍ରାଣୀ ତାଲିକାରେ ରହିଥିଲା। ଯାହାକି ପ୍ରକୃତି ପ୍ରେମୀକୁ ବିଚଳିତ କରିଥିଲା। ଜାତିସଂଘ ଏବଂ ଭାରତ ସରକାରଙ୍କ ସହାୟତାରେ ବଉଳା କୁମ୍ଭୀରର ବଂଶ ବୃଦ୍ଧି ପାଇଁ ୧୯୭୫ରେ ରାଜନଗର ବ୍ଲକ ଡାଙ୍ଗମାଳ ଠାରେ ଆରମ୍ଭ ହେଲା କୁମ୍ଭୀର ପ୍ରଜନନ କେନ୍ଦ୍ର। ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ଏଚ. ଆର. ବଷ୍ଟାର୍ଡଙ୍କ ନେତୃତ୍ୱରେ କୁମ୍ଭୀର ବିଶାରଦ ଡଃ ସୁଧାକର କର ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହେଲା। ୧୯୭୫ ମସିହା ଜୁଲାଇ ୨୫ରେ ଭିତରକନିକା ଅଭୟାରଣ୍ୟର ବ୍ରାହ୍ମଣୀ ବୈତରଣୀ ନଦୀର ମିଳନ ସ୍ଥଳ କାଳିଭଂଜଡିଆ ଜଙ୍ଗଲ କୁମ୍ଭୀର ବସାରୁ ୪୮ଟି ଅଣ୍ଡା ସଂଗ୍ରହ କରାଯାଇଥିଲା। ସେହି ଅଣ୍ଡାଗୁଡିକୁ ଡାଙ୍ଗମାଳ ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା। ତେବେ ସେହି ଅଣ୍ଡାଗୁଡିକ ମଧ୍ୟରୁ ୨୪ଟି ଅଣ୍ଡା ନଷ୍ଟ ହୋଇଯାଇଥିଲା। ଅନ୍ୟ ୨୪ଟି ଅଣ୍ଡାରୁ ୨୩ଟି ସାଧାରଣ ବଉଳା କୁମ୍ଭୀର ପ୍ରଜାତିର ଛୁଆ ଥିବା ବେଳେ ମାତ୍ର ଗୋଟିଏ ଛୁଆ ଧଳା(ଶଙ୍ଖୁଆ) ଥିଲା। ଯାହାକି ସମଗ୍ର ବିଶ୍ୱରେ ସେ ସମୟରେ ଚହଳ ପକାଇଥିଲା। ସେହି ଧଳା ବା ଶଙ୍ଖୁଆ କୁମ୍ଭୀର ଗୋରୀ ନାମରେ ସମଗ୍ର ପୃଥିବୀରେ ପରିଚିତ ହୋଇଛି।   ଗୋରୀ ପ୍ରାପ୍ତ ବୟସ୍କ ହେବା ପରେ ପୁରୁଷ କୁମ୍ଭୀର ସଂସର୍ଗରେ ନଆସି ମଧ୍ୟ ପ୍ରତି ଦୁଇତିନି ବର୍ଷ ଅନ୍ତରରେ ଅଣ୍ଡା ଦେଇଚାଲିଛି। କିନ୍ତୁ ବିନା ପୁରୁଷ କୁମ୍ଭୀର ସଂସର୍ଗରେ ସେ ଦେଉଥିବା ଅଣ୍ଡାରୁ ଛୁଆ ହୋଇନଥାଏ। ଚଳିତ ବର୍ଷ ଗୋରୀ ରହୁଥିବା ପୋଖରୀ ନିକଟରେ ଏକ ଅଣ୍ଡିରା କୁମ୍ଭୀର ରହୁଥିବାରୁ ସେହି କୁମ୍ଭୀର ସଂସର୍ଗରେ ଆସି ଗୋରୀ ଅଣ୍ଡା ଦେଇଥିବା ବନ କର୍ମଚାରୀମାନେ ଆଶାପୋଷଣ କରୁଛନ୍ତି। ସେମାନଙ୍କର ଆଶା ଯଦି ଫଳବତୀ ହୁଏ ତେବେ ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷାର ଅବସାନ ଘଟିବ ଓ ଗୋରୀ ମା’ ହେବ। ଗୋରୀକୁ ଏବେ ୪୨ ବର୍ଷ ବୟସ।   ଗୋରୀକୁ ପ୍ରତିଦିନ ୩ କିଲୋ କଙ୍କଡ଼ା ଓ ଗୋଟେ କିଲୋ ମାଛ ଖାଇବାକୁ ଦିଆଯାଏ।   ଏଥର ଯଦି ଗୋରୀ ଅଣ୍ଡାରୁ ଛୁଆ ବାହାରେ ତେବେ ତାକୁ ମୁକ୍ତ କରିଦିଆଯାଇ ପାରେ। ନହେଲେ ମଧ୍ୟ ଗୋରୀକୁ ମୁକ୍ତ କରିବାକୁ ବହୁ ପୂର୍ବରୁ ଚିନ୍ତା କରାଯାଉଛି। ସେ ତା’ର ପୁରୁଷ ସାଥୀମାନଙ୍କୁ ଆକ୍ରମଣ କରିବାରୁ ତାକୁ ଗୋଟେ ଖୁଆଡ଼ରେ ରଖାଯାଇଛି। ପରେ ଚିନ୍ତା କରାଯାଇଛି ଯେ ସେ ଖୁଆଡ଼ ପୋଖରୀରେ ରହୁଥିବାରୁ ହିଂସ୍ର ହୋଇଯାଇଛି ବୋଧେ। ସେଥିପାଇଁ ତାକୁ ପ୍ରାକୃତିକ ଜଳାଶୟରେ ଛାଡ଼ିଦେବାକୁ ଚିନ୍ତା କରାଯାଇଥିଲା। ମାତ୍ର, ଏବେ ସେ ପୁଣି ଥରେ ଅଣ୍ଡା ଦେଇଥିବାରୁ ସେହି ଅଣ୍ଡାରୁ ଛୁଆ ଫୁଟିବା ଯାଏଁ ଅପେକ୍ଷା କରାଯାଇ ପାରେ।

Share :