ସୂର୍ଯ୍ୟମନ୍ଦିର ଦେଖିଲେ ସଂସଦୀୟ କମିଟି

ସୂର୍ଯ୍ୟମନ୍ଦିର ଦେଖିଲେ ସଂସଦୀୟ କମିଟି

Share :

  ଜୁନ ୨୬ ତାରିଖ ରବିବାର ଅପରାହ୍ନ ୪ଟାରେ ଶିଳ୍ପାୟନ ଅଭିବୃଦ୍ଧି ସଂପର୍କିତ ଏକ ୩୧ ଜଣିଆ ସଂସଦୀୟ କମିଟି କୋଣାର୍କ ଗସ୍ତରେ ଆସି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ସଂସଦୀୟ କମିଟିର ସଦସସ୍ୟମାନେ ଏଠାରେ ପହଞ୍ଚିବା ପରେ ସୂର୍ଯ୍ୟମନ୍ଦିର ପ୍ରବେଶ ଦ୍ୱାର ସମ୍ମୁଖରେ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟର ସହ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସାଂସଦମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ସଂସଦୀୟ କମିଟିର ଅଧ୍ୟକ୍ଷ ତଥା ବିହାରର ରାଜ୍ୟସଭା ସାଂସଦ କେ. ସି. ତ୍ୟାଗୀଙ୍କ ସହିତ କମିଟିର ଅନ୍ୟ ସଦସ୍ୟମାନେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି କରିଥିଲେ।   ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟରେ ମନ୍ଦିରର ପ୍ରାଚୀନ ଐତିହ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ସଂପର୍କରେ ସୂର୍ଯ୍ୟମନ୍ଦିରର ବରିଷ୍ଠ ଗାଇଡ଼ ଆଭାସ ମହାନ୍ତି ସାଂସଦମାନଙ୍କୁ ଅବଗତ କରିଥିଲେ। ସୂର୍ଯ୍ୟ ମନ୍ଦିର ପ୍ରସ୍ତରରେ ଖୋଦିତ ହୋଇଥିବା ସୁକ୍ଷ୍ମ କାରୁକାର୍ଯ୍ୟକୁ ଦେଖି ସାଂସଦମାନେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିବା ବେଳେ ଓଡ଼ିଶାର କଳା ସଂସ୍କୃତିକୁ ଭୂୟସୀ ପ୍ରଶଂସା କରିଥିଲେ। କମିଟିର ସଦସ୍ୟମାନେ ଗଣମାଧ୍ୟମକୁ କହିଥିଲେ ଯେ କୋଣାର୍କ ଖାଲି ଭାରତର ନୁହେଁ ସମଗ୍ର ବିଶ୍ୱରେ ପରିଚିତ। ହେଲେ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଏବେ ଲୁହା ପାଇପରେ ଆଚ୍ଛାଦିତ ହୋଇ ରହିଥିବାରୁ ସଂସଦୀୟ କମିଟିର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ।   ଆମ ପୂର୍ବଜମାନେ ଛାଡି ଯାଇଥିବା ଏହି ଅନ୍ୟନ୍ୟ କଳାକୃତିର ଉପଯୁକ୍ତ ସୁରକ୍ଷା ଓ ସୂର୍ଯ୍ୟମନ୍ଦିର ପରିସରକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ସୁରକ୍ଷିତ ଓ ଆକର୍ଷଣୀୟ କରିବା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମ ପରିମାଣରେ ଯତ୍ନବାନ ହେବା ଜରୁରୀ ବୋଲି ସଂସଦୀୟ କମିଟିର ଅଧ୍ୟକ୍ଷ ଶ୍ରୀ ତ୍ୟଗୀ ଗଣମାଧ୍ୟମକୁ କହିଥିଲେ। ଏହି ସଂସଦୀୟ କମିଟି ସହିତ ନାଲକୋର ବରିଷ୍ଠ ଅଧିକାରୀମାନେ ସାଂସଦମାନଙ୍କୁ ମନ୍ଦିର ପରିଭ୍ରମଣରେ ସହଯୋଗ କରିଥିଲେ।

Share :