ଅପରାଧି ଗୋଷ୍ଠୀ ବେଫିକର‌୍‍

ଅପରାଧି ଗୋଷ୍ଠୀ ବେଫିକର‌୍‍

Share :

ଗଂଜାମ ଏବଂ ବ୍ରହ୍ମପୁର ପୋଲିସ‌୍‍ ଜିଲ୍ଲାରେ ବାରମ୍ୱାର ଏନ‌୍‍କାଉଣ୍ଟର‌୍‍ ଚାଲିଥିବା ବେଳେ କିଛି ଦିନର ନୀରବତା ପରେ ପୁଣି ଜୁନ ୨୫ ତାରିଖ ସନ୍ଧ୍ୟାରେ ଗଂଜାମ ପୋଲିସ‌୍‍ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ଅଞ୍ଚଳରେ ଦୁର୍ଦ୍ଦାନ୍ତ ଡ଼କାୟତ ବୀରେନ୍ଦ୍ରକୁ ଏନ‌୍‍କାଉଣ୍ଟର‌୍‍ କରିଛି। ଦିନକୁ ଦିନ ଏନ‌୍‍କାଉଣ୍ଟର‌୍‍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଗତ କିଛି ମାସ ହେଲା ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ହୋଇଥିଲା। ଅପରାଧିମାନଙ୍କ ମନରେ ଛନକା ପଶିଥିଲା। ଯାହାଫଳରେ ଜିଲ୍ଲା ବାହାରେ ଅପରାଧିମାନେ ଲୁଚି ରହିଥିବା ଶୁଣିବାକୁ ମିଳୁଥିଲା। କିନ୍ତୁ ଗତ କିଛିଦିନ ହେଲା ପୁଣି ଜିଲ୍ଲାରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବ୍ରହ୍ମପୁର‌୍‍ ସହରରେ ଚୋରୀ, ଡ଼କାୟତି, ଲୁଟତ‌୍‍ରାଜ ଏବଂ ଦିନ ଦ୍ୱିପହରରେ ବୋମାମାଡ଼ ଘଟଣା ବଢ଼ିବାରେ ଲାଗିଛି।   ପୋଲିସ‌୍‍ ପେଟ୍ରୋଲିଂର ଘୋର ଅଭାବ ଯୋଗୁଁ ଅପରାଧ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ନୂଆ ଏସ‌୍‍ପିଙ୍କ ଦାୟିତ୍ୱ ଗ୍ରହଣ ପରେ ଦିନରେ ଏବଂ ରାତିରେ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା। ସନ୍ଦେହ ଜନକ ଅବସ୍ଥାରେ ଥିବା ଅସାମାଜିକ ବ୍ୟକ୍ତି ଏବଂ ଅପରାଧିମାନଙ୍କୁ ପୋଲିସ‌୍‍ ଥାନାରେ ଭର୍ତ୍ତି କରୁଥିଲା। ତେବେ ତାହା ବର୍ତ୍ତମାନ ଥମିଯାଇଥିବା ଅଭିଯୋଗ ହେଉଛି। ଯାହାଫଳରେ ପୁଣି ଅପରାଧିମାନେ କାୟା ବିସ୍ତା କରିବାରେ ଲାଗିଲାଣି। ଅପରାଧିମାନେ ପୁଣି ଜିଲ୍ଲାକୁ ଫେରୁଥିବା ଅଭିଯୋଗ ହେଉଛି।   ସେହିଭଳି ବାହାର ରାଜ୍ୟରୁ ବିଶେଷ କରି ବିହାର ଅଞ୍ଚଳରୁ ବେଆଇନ ବନ୍ଧୁକ ଆଣି ଏଠାରେ ବନ୍ଧୁକ କାରବାର କରୁଥିବା ବେଳେ ଏହାଦ୍ୱାରା ମଧ୍ୟ ଅପରାଧ ବୃଦ୍ଧି ପାଉଛି। କିନ୍ତୁ ପୋଲିସ ବେଆଇନ ବନ୍ଧୁକ ଚାଲାଣକୁ ରୋକିବାରେ ବିଫଳ ହୋଇଥିବା ମନେହୁଏ। କାରଣ ଗତ କିଛିଦିନ ମଧ୍ୟରେ ବହୁ ଡ଼କାୟତ ଏବଂ ଅସାମାଜିକ ବ୍ୟକ୍ତିଙ୍କୁ ପୋଲିସ ମାଉଜର‌୍‍ ସହ ଗିରଫ କରିଥିବା ନଜିର ରହିଛି। ବର୍ତ୍ତମାନ ମଧ୍ୟ ବହୁ ଅପରାଧିଙ୍କ ନିକଟରେ ବେଆଇନ ବନ୍ଧୁକ ରହିଥିବା ବେଳେ ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ ଜିଲ୍ଲାରେ ପୁଣି ହିଂସାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।   ତେଣୁ ପୋଲିସ ପ୍ରଶାସନ ସଜାଗ ହେବା ଦରକାର।

Share :