ବିଏମ‌୍‍ସିର ୩ କର୍ପୋରେଟର‌୍‍ଙ୍କ ପଦଯିବ?

ବିଏମ‌୍‍ସିର ୩ କର୍ପୋରେଟର‌୍‍ଙ୍କ ପଦଯିବ?

Share :

କିଛି ମାସ ହେଲା ବିଏମ‌୍‍ସି ସାଧାରଣ ବୈଠକକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଗାମୀ ବୈଠକରେ ୩ କର୍ପୋରେଟର‌୍‍ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଆଲୋଚନା ଜୋର‌୍‍ ଧରିଛି।  ନିୟମ ଅନୁଯାୟୀ କାଉନ‌୍‍ସିଲ‌୍‍ ବୈଠକରେ କ୍ରମାଗତ ୩ ଟି ବୈଠକରେ ଅନୁପସ୍ଥିତ ରହିଲେ ସଭ୍ୟପଦ ରଦ୍ଦ ହେବ। ଏହି ୩ କର୍ପୋରେଟର କ୍ରମାଗତ ଭାବ ଗତ ୩ଟି ବୈଠକରେ ଅନୁପସ୍ଥିତ ରହିଛନ୍ତି।   ପୂର୍ବତନ ବିଧାୟକ ରମେଶ ଜେନା ଲିଙ୍କ‌୍‍ରେ କର୍ପୋରେଟର‌୍‍ ଆର‌୍‍. ମୁରଲୀ ମୋହନ ଏବଂ କର୍ପୋରେଟର‌୍‍ ରଂଜିତ ନାୟକ ଗିରଫ ହୋଇ ଜେଲ‌୍‍ରେ ଥିବାରୁ ବିଏମ୍‍ସିର ଗତ ୩ ଟି ବୈଠକରେ ଅନୁପସ୍ଥିତ ରହିଛନ୍ତି। ସେହିଭଳି ପୂର୍ବତନ ମେୟର‌୍‍ ତଥା କର୍ପୋରେଟର‌୍‍ ଶିବଶଙ୍କର ଦାଶ ଅସୁସ୍ଥତା କାରଣ ଦର୍ଶାଇ ଦୀର୍ଘ ମାସ ଧରି ବୈଠକରେ ଅନୁପସ୍ଥିତ ରହିଛନ୍ତି। ତେବେ ଶିବଶଙ୍କର‌୍‍ଙ୍କ ବାରମ୍ୱାର ବୈଠକରେ ଅନୁପସ୍ଥିତକୁ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ମୁରଲୀ ମୋହନ ଏବଂ ରଂଜିତଙ୍କ ୩ ଟି ବୈଠକରେ ଅନୁପସ୍ଥିତ ପରେ ସଭ୍ୟପଦ ରଦ୍ଦ ହେବାନେଇ ଚର୍ଚ୍ଚା ଜୋର‌୍‍ ଧରିଛି।   ଜୁଲାଇ ୬ ତାରିଖରେ ଅନୁଷ୍ଠିତ ସାଧାରଣ କାଉନ‌୍‍ସିଲ‌୍‍ ବୈଠକରେ ଉକ୍ତ ୩ ଜଣ କର୍ପୋରେଟର‌୍‍ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ନୂଆ କମିଶନର‌୍‍ ଦାୟିତ୍ୱ ଗ୍ରହଣ କରିବା ପରେ ୬ ତାରିଖ ବୈଠକ କମିଶନର‌୍‍ଙ୍କ ପ୍ରଥମ ବୈଠକ ହୋଇଥିବାରୁ ଉକ୍ତ ୩ କର୍ପୋରେଟର‌୍‍ଙ୍କ ସଭ୍ୟପଦ ରଦ୍ଦ ନେଇ ନିଷ୍ପତ୍ତି ହେବା ସମ୍ଭାବନା ରହିଛି। ପୂର୍ବରୁ ଉକ୍ତ ପ୍ରସଙ୍ଗକୁ ନେଇ ବୈଠକରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗତ ବୈଠକରେ ହଟ୍ଟଗୋଳ ଆରମ୍ଭ ହେବା ପୂର୍ବରୁ କମିଶନର ହସ୍ତକ୍ଷେପ କରିବା ସହ ତାଗିଦ କରିଥିଲେ।   ତେବେ ଆଗାମୀ ବୈଠକରେ କମିଶନର‌୍‍ ୩ କର୍ପୋରେଟର‌୍‍ଙ୍କ ସଭ୍ୟପଦ ରଦ୍ଦ ନେଇ ଆଗାମୀ ବୈଠକରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଥିବାରୁ ଆଗାମୀ ବୈଠକରେ କମିଶନର‌୍‍ କିଭଳି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। 

Share :