କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ନିନ୍ଦନୀୟ-ନିରଞ୍ଜନ

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ନିନ୍ଦନୀୟ-ନିରଞ୍ଜନ

Share :

  କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କ ଉପରେ ବରଗଡ଼ଠାରେ ହୋଇଥିବା ଆକ୍ରମଣକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଶାସକ ଦଳର ଏଭଳି ଆଚରଣ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧାଚରଣ କରୁଛି ବୋଲି କହିଛନ୍ତି। ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ  କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେବା ସିଧାସଳଖ ରାଜ୍ୟ ସରକାରଙ୍କ ଦାୟିତ୍ୱ। ରାଜ୍ୟ ସରକାର ତାଙ୍କ ଦାୟିତ୍ୱପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ନବୀନବାବୁ ନିଜେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି, ତେଣୁ ପୁଲିସର ଏହି ଅବହେଳା ପାଇଁ ଗୃହମନ୍ତ୍ରୀ ଏବଂ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ସଂପୂର୍ଣ୍ଣ ଦାୟୀ ବୋଲି ଶ୍ରୀ ପଟ୍ଟନାୟକ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି।   ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ  ୫୦ ବର୍ଷର ରାଜନୈତିକ ଜୀବନ ମଧ୍ୟରେ କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ଆକ୍ରମଣ କରାଯାଇଥିବା ଘଟଣା ତାଙ୍କର ଦୃଷ୍ଟିଗୋଚର ହୋଇନାହିଁ। ଆଗରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ଼ ଘଟଣାକୁ ନେଇ କଂଗ୍ରେସ କର୍ମୀଙ୍କୁ  ୩୦୭ ଦଫା ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗରେ ଦେଢ଼ମାସ ଜେଲ୍ ଖଟିବାକୁ ପଡ଼ିଥିଲା। ବର୍ତ୍ତମାନ ବିଜେଡ଼ି କର୍ମୀମାନଙ୍କ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ସେ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଦରକାର। ବିଶେଷ କରି ଏଥିପାଇଁ ଦାୟୀ ଥିବା ପୁଲିସ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। କେବଳ ସେତିକି ନୁହେଁ, ସାଧାରଣ ଶିଷ୍ଟାଚାର ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ କ୍ଷମା ମାଗିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି

Share :