ମନ୍ତ୍ରୀ ମିଳୁ ନାହାନ୍ତି଼!

ମନ୍ତ୍ରୀ ମିଳୁ ନାହାନ୍ତି଼!

Share :

ଦେବେନ୍ଦ୍ର ପୃଷ୍ଟି   ଦୈନିକ ନବୀନଙ୍କ କାନରେ କହୁଥିବା ଅଫିସରଙ୍କ ପାଖରେ ଅଧିଆ ପଡ଼ୁଥିବା ସାମ୍ୱାଦିକମାନେ ଲେଖିଲେ, ଚତୁର୍ଥ ପାଳିକୁ ଦି’ ବର୍ଷ ପୂରିଲେ ମନ୍ତ୍ରିମଣ୍ଡଳରେ ହେବ ବହୁ ପ୍ରତିକ୍ଷୀତ ଅଦଳବଦଳ। ମେ ୨୨ ତାରିଖରେ ସେହି କଣ୍ଟ ପୂରିଗଲା। ଅଦଳବଦଳ ହେଲାନି।   ତା’ପରେ ଲେଖିଲେ, ରଜ ପୂର୍ବରୁ ନିଶ୍ଚୟ ଅଦଳବଦଳ ହେବ। ମୁଖ୍ୟମନ୍ତ୍ରୀ ବି ସେମିତି କିଛି ବାର୍ତ୍ତା ଛାଡ଼ିବା ପାଇଁ ନିଜେ ମାପିଥିିବା ମନ୍ତ୍ରିମାନଙ୍କ ଦକ୍ଷତାର ରିପୋର୍ଟ ଘୋଷଣା କଲେ। ଦଳୀୟ ନେତା ଓ ସାମ୍ୱାଦିକମାନେ ଧରିନେଲେ ଏବେ ନିଶ୍ଚୟ ହେବ। ସେମାନେ ଲେଖିଲେ ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଅଦଳବଦଳ। ହେଲାନି।   ରଜ ଗଲା। ଆସିଲା ସ୍ନାନପୂର୍ଣ୍ଣମୀ। ଗଣମାଧ୍ୟମରେ ପ୍ରକାଶ ପାଇଲା ସ୍ନାନପୂର୍ଣ୍ଣମୀ ପର ଦିନ କିମ୍ୱା ତା’ ପରଦିନ ଅଦଳବଦଳ କରିବାକୁ ମୁଖ୍ୟମନ୍ତ୍ରୀ ମନ ସ୍ଥିର କରିସାରିଛନ୍ତି। ତାଲିକା ଚୂଡ଼ାନ୍ତ ସରିଛି। ସ୍ନାନ ସରିଲା। ଜର ହେଲା। ଅଦଳବଦଳ ହେଲା ନାହିଁ। ଏବେ ରଥକୁ ଅପେକ୍ଷା।   କେତେ ମନ୍ତ୍ରୀ ମାସେ ହେଲାଣି ଛାନିଆ। କେତେ ବିଧାୟକ ଅନେଇ ଅନେଇ ହତାଶ। ମନ୍ତ୍ରିପଦ ବଜାୟ ରଖିବାକୁ କାହାର କେତେ ପୂଜାପାଠ, ଗୁଣିଗାରେଡ଼ି। ମନ୍ତ୍ରିପଦ ହାସଲ କରିବାକୁ କାହାର କେତେ ତେଲମାଲିସ।   କିନ୍ତୁ, ଏଯାଏଁ କିଛି ହେଇନି। କେବେ ହବ ନବୀନ ଓ ତାଙ୍କ ସଚିବ ପାଣ୍ଡିଆନଙ୍କ ବ୍ୟତିତ ଆଉ କେହି କହିପାରିବେନି। ପାଣ୍ଡିଆନ କାହାକୁ କିଛି କହନ୍ତିନି। ନବୀନ କାହା ପ୍ରଶ୍ନର ଉତ୍ତର ଦିଅନ୍ତିନି, ଯାହା କହନ୍ତି ଲେଖା କଥା।   ଏଭଳି ପରିସ୍ଥିତିରେ ଗଣମାଧ୍ୟମ ଆଉ ଥରେ ଭାଣ୍ଡିଆ। ସାମ୍ୱାଦିକମାନେ ନବୀନ ସରକାର ବିଷୟରେ କିଛି ଜାଣନ୍ତିନି ବା ଜାଣିପାରନ୍ତିନି ବୋଲି ଏବେ ଚାରିଆଡେ଼ ଚର୍ଚ୍ଚା। ବେଶୀ ଚର୍ଚ୍ଚା ରାଜନୀତିକ ମହଲରେ। ହେବା ସ୍ୱାଭାବିକ।   ତେବେ କ’ଣ ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରୁ ନାହାନ୍ତି ନବୀନ? କାହାକୁ କାଢ଼ିବେ, କାହାକୁ ପୂରେଇବେ କିଛି ଠିକଣା କରିପାରୁ ନାହାନ୍ତି କି? ସେ ନିଜେ ପରା ମନ୍ତ୍ରୀମାନଙ୍କ ଦକ୍ଷତା ମାପିଛନ୍ତି! ଆଉ ଜାଣିପାରୁ ନାହାନ୍ତି କେମିତି କିଏ ଦକ୍ଷ, କିଏ ସ୍ୱଚ୍ଛ, କିଏ ଅପାରଗ, କିଏ ଦୁନୀର୍ତିଗ୍ରସ୍ତ? ଆଉ କାହାକୁ ମନ୍ତ୍ରୀ କରିବେ ତାହା ବି ତ’ ସେ ଜାଣିବା କଥା। ଗତ ନିବାର୍ଚନରେ ସେ ହିଁ ତ ବାଛିବାଛି ଦକ୍ଷ, ଦୁର୍ନୀତିମୁକ୍ତ ଓ ନିରପରାଧ ନେତାମାନଙ୍କୁ ଦଳୀୟ ଟିକେଟ ଦେଇଥିଲେ! ୟା ଭିତରେ ସେମାନଙ୍କ ମଧ୍ୟରୁ ଅନେକ ତ ତାଙ୍କ ଗୁଣଗାନରେ ଶତମୁଖ। ଆଉ ଅନେକ ତାଙ୍କ ମେଣ୍ଢାାପଲ (ଓହୋ! ସେମାନଙ୍କ ଭିତରୁ କିଛି ମୂଷା ଓ ଭୂୂତ ପରିଚୟ ବି ଅର୍ଜନ କରିଛନ୍ତି ପରା!) ଚରଉଛନ୍ତି, ଜଗିଛନ୍ତି।   ତା’ହେଲେ କାହିଁକି ହେଉନି ମନ୍ତ୍ରିମଣ୍ଡଳ ଅଦଳବଦଳ?   ସେ କ’ଣ ଧରି ନେଇଛନ୍ତି ସବୁ ମନ୍ତ୍ରୀ ଦକ୍ଷ ଓ ଦୁନୀର୍ତିମୁକ୍ତ? ସବୁ ମନ୍ତ୍ରୀ ମନପ୍ରାଣ ଓ ଆତ୍ମା ଦେଇ ରାଜ୍ୟବାସୀଙ୍କର ନିଃସ୍ୱାର୍ଥପର ସେବା କରି ଚାଲିଛନ୍ତି? ବିରୋଧୀ ଦଳ ଓ କେତେକ ମୁତଫରକା ଗଣମାଧ୍ୟମ ଯାହା କିଛି ଖାସ‍୍‌ ମନ୍ତ୍ରୀଙ୍କ ବିଷୟରେ ଏଣୁତେଣୁ କଥା କହୁଛନ୍ତି ନା! ନବୀନ ପଟ୍ଟନାୟକର ମନ୍ତ୍ରୀ ପୁଣି ଚିଟ‍୍‌ ଫଣ୍ଡ ଠକେଇରୁ ଫାଇଦା ନେବେ? ଦୁନୀର୍ତିଗ୍ରସ୍ତ ବାବୁ ସହ ସେଲ‍୍‌ଫି ଉଠେଇବେ ଓ ମାଉଁସ ଖାଇବେ? ନବୀନ ପଟ୍ଟନାୟକର ବିଧାୟକ (ଓହୋ! ପୁଣି ଭୁଲ ହୋଇଗଲା! କିଏ କିଏ ନିଜକୁ ଚାକର ବୋଲି ବି ଭାବନ୍ତି!) ପୁଣି ଟେଣ୍ଡର ଫିକ୍ସର, ଗୁଣ୍ଡା, ହତ୍ୟାକାରୀ, ଡକାୟତଙ୍କ ସହ ସଂପର୍କ ରଖିବେ?   ଏଗୁଡ଼ା ସବୁ ବାଜ୍ୟେ କଥା! ବିଜୁ ଜନତା ଦଳରେ ସମସ୍ତେ ସାଧୁ ପୁରୁଷ!   ତା’ହେଲେ ‘ବହୁ ପ୍ରତିକ୍ଷୀତ’ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଉନି କାହିଁକି?   କାହାକୁ ଡରୁଛନ୍ତି କି ମୁଖିଆ?   ହେ! ଭଗବାନ! ପୁଣି ବାଜ୍ୟେ କଥା! ସାହସୀ ବିଜୁ ପଟ୍ଟନାୟକର ପୁଅ ପୁଣି ଡରିବ? ସେ କ’ଣ କେଇ ଜଣ ଚାଷୀଙ୍କୁ ଡରି ଭୁବନେଶ୍ୱର ଏଜି ଛକରୁ ଗାଡ଼ି ବୁଲେଇ ସଚିବାଳୟକୁ ପଛ ଗେଟ‍୍‌ରେ ପଶିଥିଲେ କି? ସେ କାହିଁକି କାହାକୁ ଡରିବେ? କଂଗ୍ରେସର କେଇଟା ବାତରା ଟୋକାଙ୍କ ଅଣ୍ଡାକୁ ସେ କ’ଣ ବୋମା ଭାବିଥିଲେ ନା ଗୁଇନ୍ଦା ମୁଖ୍ୟଙ୍କୁ ବଦଳି କରିଥିଲେ? ସେ କ’ଣ କାହାକୁ ଡରି ନିଜ ଚାରି ପଟେ ପୁଲିସ ସଂଖ୍ୟା ବଢ଼େଇଛନ୍ତି ନା ଗାଡ଼ିସଂଖ୍ୟା ବଢ଼େଇଛନ୍ତି? ସେ କାହିଁକି କାହାକୁ ଡରିବେ? ସେ ତ’ ଅତ୍ୟନ୍ତ ଲୋକପ୍ରିୟ! କୋଟିଏ ଭୋଟର ତାଙ୍କ ମନିପର୍ସରେ ଅଛନ୍ତି ଯେ! ସେ କାହିଁକି ଗଲାବେଳେ ରାସ୍ତାଘାଟ ବନ୍ଦ ହେବ?   ତା’ ହେଲେ ସେ ଡରୁଛନ୍ତି କାହାକୁ? ଗାଦିକୁ? ଗାଦି ପଳାଇବାର ଆଶଙ୍କା ତାଙ୍କୁ ଅସ୍ତବ୍ୟସ୍ତ କରୁଛି କି? ଦାମକୁ ବାହାର କଲେ ସେ ଯଦି ବୁଲିବୁଲି ଗୋଇ ଖୋଳିବ? ସଂଜୟକୁ ବାହାର କଲେ ଲୁଲୁ ଯଦି ଭିଟାମିନ‍୍‌ ଟାବଲେଟ‍୍‌ ପାଇଯିବ? ଅରୁଣକୁ ବାହାର କଲେ ଯଦି ସେ କେତେବେଳେ ଟ୍ରାଉଜର ଟାଣିଦେବ? ପ୍ରଦୀପକୁ ତ ବାହାର କରିହେବ ନାହିଁ! ଯୋଗେନ୍ଦ୍ରକୁ ବାହାର କଲେ ଅନଙ୍ଗ ଖୁସି ହୋଇପାରେ, କିନ୍ତୁ ପଦ୍ମନାଭ କେମିତି ସନ୍ତୁଷ୍ଟ ହେବ? ବିଜୟଶ୍ରୀକୁ ବିଦା କଲେ କ’ଣ ସରକାରଙ୍କ ସବୁ ଜମି ଦୁର୍ନୀତିର ଦାଗ ଲିଭିଯିବ? ସ୍ନେହାଙ୍ଗିନୀକୁ ବାଦ ଦେଇ ରାଜେଶ୍ୱରୀଙ୍କୁ ଆଣିଲେ ରୋହିତ ମନଊଣା କରିବ କି? ପ୍ରଫୁଲ୍ଲକୁ ହଟେଇ ମହେଶକୁ ଆଣିଲେ କ’ଣ ଅଧିକ ଭୋଟ ମିଳିବ?   ମନ୍ତ୍ରିପଦ ୨୧ଟା। ଲଡ଼ୁ ଖାଇଛନ୍ତି ତିନି ଗୁଣ। କାହାକୁ କେମିତି ବୁଝେଇବେ? ଆଉ କେତେ ନାଟକ ଓ ଡ୍ରାମା କରିବାକୁ ହେବ? ବଲିଉଡ଼ ଡ୍ରାମା ମାଷ୍ଟର ମନମୋହନ ଦେସାଇଙ୍କୁ ଡାକିଲେ କେଜାଣି ସେ ଆଉ ଗୋଟେ ଇମୋସନାଲ ପୋଜ୍‌ ଶିଖେଇ ଦିଅନ୍ତେ!

Share :