ଗୋପରେ ବଢ଼ୁଛି କଳା କହ୍ନେଇ!

ଗୋପରେ ବଢ଼ୁଛି କଳା କହ୍ନେଇ!

Share :

  ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବା ତାଙ୍କ ବିଜୁ ଜନତା ଦଳର କୌଣସି ବିକଳ୍ପ ନାହିଁ ବୋଲି କିଛି ଲୋକ ଧରି ନେଇଛନ୍ତି। ତେଣୁ ସେମାନେ ନବୀନ ଏକ ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରର ନେତୃତ୍ବ ନେଉଛନ୍ତି ବୋଲି ବିଶ୍ବାସ କରୁଥିଲେ ମଧ୍ୟ ବିକଳ୍ପ ନଥିବାରୁ ତାଙ୍କ ଭିନ୍ନ ଅନ୍ୟ କାହାକୁ ଭୋଟ ଦେବା କଥା ଚିନ୍ତା କରିପାରୁ ନାହାନ୍ତି। କଂଗ୍ରେସ ଓ ବିଜେପିକୁ ଓଡ଼ିଶାରେ ନବୀନଙ୍କ ବିକଳ୍ପ ବୋଲି କେହି ଭାବୁ ନାହାନ୍ତି।   ଓଡ଼ିଶା ରାଜନୀତିର ଏହି ଅଭାବ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିଜୁ ଜନତା ଦଳର ଏକ ଶକ୍ତିଶାଳୀ ବିକଳ୍ପ ଠିଆ କରାଇବାକୁ କେତେ ଜଣ ଅନୁଭବୀ ରାଜନେତା ଓ ରାଜନୀତିକ ପର୍ଯ୍ୟବେକ୍ଷକ ସହିତ ମିଶି କେତେକ ସ୍ବେଚ୍ଛାସେବୀ ସଂଗଠନ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ପରସ୍ପରର ଅହଂକାର ଓ ଅଭିମାନ ଭୁଲି ଏହି ଲୋକମାନେ ଏକଜୁଟ ହେଲେ ନବୀନଙ୍କର ଏକ ଶକ୍ତିଶାଳୀ ଓ ଗ୍ରହଣଯୋଗ୍ୟ ବିକଳ୍ପ ସୃଷ୍ଟି ହେବା ଅସମ୍ଭବ ନୁହେଁ।   ଏହି ଉଦ୍ୟମରେ ସାମିଲ ହୋଇଥିବା ନେତାଙ୍କ ଭିତରେ ଅଛନ୍ତି କଂଗ୍ରେସ, ବିଜେପି ଓ ବିଜେଡିରେ କୋଣଠେସା ହୋଇଥିବା କେତେକ ଅନୁଭବୀ ନେତା। ସେହିପରି ବିଭିନ୍ନ ସମୟରେ ସତ କଥା କହି ଦଳରୁ ବହିଷ୍କୃତ ହୋଇଥିବା କେତେକ ନେତା ମଧ୍ୟ ଏହି ଉଦ୍ୟମରେ ସାମିଲ ଅଛନ୍ତି। ଏମାନେ ଇତିମଧ୍ୟରେ ରାଜ୍ୟ ଓ ରାଜଧାନୀର ବିଭିନ୍ନ ଠିକଣାରେ ବସାଉଠା ଆରମ୍ଭ କରି ପରସ୍ପର ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର କରୁଛନ୍ତି। ଏକାଠି ବସି ରାଜନୀତି ଚର୍ଚ୍ଚା କରିବା ଦ୍ବାରା ସେମାନଙ୍କ ମଧ୍ୟରେ ପୂର୍ବରୁ ରହିଥିବା ବ୍ୟବଧାନ କମିବାରେ ଲାଗିଛି।   ଏହି ନେତାମାନେ ଲୋକଙ୍କ ସହିତ ସିଧାସଳଖ ସଂପର୍କ ରଖିଥିବା କେତେକ ସ୍ବେଚ୍ଛାସେବୀ ସଂସ୍ଥା ଓ ସାମାଜିକ କର୍ମୀଙ୍କ ସହାୟତାରେ ରାଜ୍ୟର ତୃଣମୂଳ ରାଜନୀତିକ ପରିସ୍ଥିତି ଆକଳନ କରୁଛନ୍ତି। ଖଣି, ପାଣି, ଜମି, ଜଙ୍ଗଲ, ଚିଟ ଫଣ୍ଡ ଆଦି ଅନେକ ଦୁର୍ନୀତି ପ୍ରଘଟ ହେବା ପରେ ଲୋକେ ନବୀନ ଶାସନର ଦୋଷଦୁର୍ବଳତା କଥା ଜାଣିଗଲେଣି। ତାଙ୍କର ଓଡ଼ିଆ ଭାଷା ନକହିବା, ଓଡ଼ିଶା ଶାସନ ଓଡ଼ିଆରେ ନଚାଲିବା, ନିଜ ଦଳର ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଅନୁଭବୀ ନେତାଙ୍କୁ ଛାଡ଼ି ବାତରା ଛୋକାର ଟୋକାଙ୍କୁ ଟିକଟ ଦେବା ଓ ଶାସନ ଓ ସଂଗଠନର ଦାୟିତ୍ବ ଦେବା ଅଦି କାର୍ଯ୍ୟଧାରାକୁ ଲୋକମାନେ ବୁଝିଗଲେଣି। ପୂର୍ବରୁ ନବୀନଙ୍କ ବିରୋଧରେ ପଦେ କହିଲେ ଯେଉଁଠି ଶହେ ପଦ ଗାଳି ଶୁଣିବାକୁ ପଡ଼ୁଥିଲା ସେଠି ଏବେ କଥାରେ କଥା ଯୋଡ଼ିବାକୁ ଲୋକେ ବାହାରିଲେଣି।   ଏଇ ପାଣିପାଗ ଠଉରେଇ କିଛି ଲୋକ ନବୀନଙ୍କ ବିକଳ୍ପ ଗଢ଼ିବାକୁ ଆରମ୍ଭ କରିଛନ୍ତି।   ଏଭଳି ଉଦ୍ୟମ ହଠାତ ରାଜନୀତିକ ଦଳର ରୂପ ନେବ ନାହିଁ। କିନ୍ତୁ ପଂଚାୟତ ନିର୍ବାଚନରେ ଏହି ଉଦ୍ୟମର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ରାଜ୍ୟର ୮୫୪ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବଛାବଛା ପ୍ରାୟ ୧୫୦ ଆସନରେ ବିକଳ୍ପ ପ୍ରାର୍ଥୀ ଦିଆଯିବ। ଏହି ୧୫୦ ଆସନରେ ୱାର୍ଡ଼ ମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ମୁତୟନ କରାଯାଇ ସେମାନଙ୍କ ସପକ୍ଷରେ ପାରମ୍ପାରିକ ଓ ଆଧୁନିକ କୌଶଳରେ ନିର୍ବାଚନ ପ୍ରଚାର କରାଯିବ। ନିର୍ବାଚନରେ ସଂପୃକ୍ତ ଆସନ ତଥା ସମଗ୍ର ରାଜ୍ୟ ପାଇଁ ଏକ ବିକଳ୍ପ ଇସ୍ତାହାର ପ୍ରକାଶ କରାଯିବ।   ଏହି ଇସ୍ତାହାର ଓ ପ୍ରତିଦ୍ବନ୍ଦ୍ବିତାର ସଫଳତା ଉପରେ ବିକଳ୍ପ ଦଳର ସାଙ୍ଗଠନିକ ରୂପରେଖ ନିର୍ମାଣ କରାଯିବ।   ଏହାକୁ ବିଜୁ ଜନତା ଦଳ ଭିତରେ ବିଭିନ୍ନ ସ୍ତରରେ ଅସନ୍ତୁଷ୍ଟ ହୋଇ ରହିଥିବା ଅନେକ ନେତା ଓ କର୍ମୀ ଭିତିରି ସମର୍ଥନ କରୁଥିବା ମଧ୍ୟ ଜଣାପଡ଼ିଛି।

Share :