ନବୀନଙ୍କ ନଟବରଲାଲ ଶାସନ!

ନବୀନଙ୍କ ନଟବରଲାଲ ଶାସନ!

Share :

  ଓଡ଼ିଶାରେ ମଝିରେ ମଝିରେ ଯାଦୁକର ହୀରାଲାଲଙ୍କ ନାମ ଗଣମାଧ୍ୟମରୁ ପଢ଼ିବାକୁ ମିଳେ। ଏ ବାବୁ ହେଲେ ଜଗତସିଂହପୁର ଜିଲ୍ଲାର ଜଣେ ସୌଖୀନ ଯାଦୁକର। ଲୋକଙ୍କୁ ଯାଦୁ ଖେଳ ଦେଖେଇ ମନ ମୋହିବା ହେଲା ଏହାଙ୍କ କାମ।   ଏବେ ଅନ୍ୟ ଜଣେ ହୀରାଲାଲଙ୍କ ନାଁ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। ତାଙ୍କ ପାଖରେ ମଧ୍ୟ କିଛି ଅନ୍ୟ ପ୍ରକାର ଯାଦୁଗରୀ କୌଶଳ ରହିଛି। ନହେଲେ ନବୀନ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପରିଚାଳିତ ଏତେ ଦକ୍ଷ ଓ ଦୁର୍ନୀତିମୁକ୍ତ ସରକାରଙ୍କୁ ବିମୋହିତ କରିପାରିଲେ କେମିତି? ଅବଶ୍ୟ ଫଟୋରୁ ଜଣାପଡ଼ୁଛି ଏ ହୀରାଲାଲ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ଆଖିରେ କଳା ଲଗାନ୍ତି। ଏମାନଙ୍କ କଳା ଯେ ଓଡ଼ିଶାବାସୀଙ୍କ ପାଇଁ ଧଳାଚୁନ ହୋଇଯାଇଛି ତାହା ଏହାଙ୍କ ଅସାଧୁ ମେଣ୍ଟର ସଦସ୍ୟମାନେ ବୁଝିବାବେଳକୁ ଆହୁରି ଅନେକ ଡେରି ହୋଇଯାଇଥିବ।   ଡାକ୍ତର ମୋତିଲାଲ ଗୌଡ଼। ସ୍ବାସ୍ଥ୍ୟ ବିଭାଗର ଡାକ୍ତର ଥିଲେ। ପ୍ରାଇଭେଟ ପ୍ରାକ୍ଟିସ କରି ଡାକ୍ତରଖାନା ଗଲେ ନାହିଁ। ଅନେକ ବର୍ଷ ଧରି ତାଙ୍କର ଖୋଜଖବର ନମିଳିବାରୁ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ଫେରାର ଘୋଷଣା କଲା। ବାବୁ କିନ୍ତୁ ତା’ରି ଭିତରେ ଓଡ଼ିଶା ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗରେ ଚାକିରି କଲେ। ସେଠାରେ ଥାଇ କଠନ କାମରେ ଶ୍ରମିକଙ୍କ ନିଯୁକ୍ତି ପୂର୍ବରୁ ନିର୍ଦ୍ଦିଷ୍ଟ କେତେକ କ୍ଲିନିକରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ନେଇ ଜାଲ ବିଜ୍ଞପ୍ତି ଜାରି କରି କୋଟିଏ ଟଙ୍କାର ଦୁର୍ନୀତି କଲେ। ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ନବୀନ ସରକାର ତତ୍ପର ହୋଇ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ, ଠିକ ଯେମିତି ୨୦୦୯ ମସିହାରେ ଖଣି ଦୁର୍ନୀତି ବିଷୟ ପଦାକୁ ଆସିବା ପରେ ନବୀନ ପଟ୍ଟନାୟକ ନିଜର ସ୍ବଚ୍ଛତା ପ୍ରତିପାଦନ କରିବାକୁ ତୁରନ୍ତ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ!   ଡାକ୍ତର ହୀରାଲାଲଙ୍କ କାରବାରରୁ ନବୀନ ସରକାରର ଅସଲ ଚେହେରା ଫୁଟିଆରା ହୋଇଛି। ଏ ସରକାର କେମିତି ଚାଲିଛି ସେ ସଂପର୍କର ଏହା ହେଉଛି ସଦ୍ୟତମ ପ୍ରମାଣ। ଡାକ୍ତର ହୀରାଲାଲ ସ୍ବାସ୍ଥ୍ୟ ବିଭାଗର ଚାକିରିରୁ ଫେରାର ହୋଇ ଶ୍ରମ ବିଭାଗରେ ଚାକିରି କରିବା ଯେପରି ବେଆଇନ, ସେହିପରି ବେଆଇନ ହେଉଛି ତାଙ୍କର ଜାଲ ବିଜ୍ଞପ୍ତି। ପୁଣି ସରକାରୀ ଚାକିରିରେ ଥାଇ ମଧ୍ୟ ତାଙ୍କ ନାଁରେ ନୟାଗଡ଼ରେ କ୍ଲିନିକ ପଂଜୀକରଣ କରିବା ଅନ୍ୟ ଏକ ଧର୍ତ୍ତବ୍ୟ ଅପରାଧ। ଏତେସବୁ ଅପରାଧ କରିଥିବା ବ୍ୟକ୍ତିଟି କିନ୍ତୁ ନବୀନ ପଟ୍ଟନାୟକଙ୍କ କେତେ ଜଣ ଖାସ୍ ଲୋକଙ୍କର ଅତି ଖାସ୍ ଲୋକ।   ନିୟମ କହୁଛି, ସରକାରୀ ଚାକିରୀ କରୁ ନ ଥିବା ଡାକ୍ତର ହିଁ ପ୍ରାଇଭେଟ୍‌ ପ୍ରାକ୍ଟିସ୍‌ କରିପାରିବେ ଏବଂ ତାଙ୍କ ନାଁରେ କ୍ଲିନିକ୍‌ ରେଜିଷ୍ଟ୍ରେସନ୍‌ ଅନୁମତି ମିଳିବ। ମାତ୍ର ଡାକ୍ତର ମୋତିଲାଲ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସରେ ସହକାରୀ ନିର୍ଦ୍ଦେଶକ ପଦରେ ଥାଇ ଏକ ଘରୋଇ କ୍ଲିନିକ୍‌ରେ ନିଜକୁ ରେଜିଷ୍ଟ୍ରି କରାଇବାର ସମର୍ଥ ହୋଇଛନ୍ତି। ଏହି କ୍ଲିନିକର ମାଲିକାଣୀ ହେଲେ ସବିତା ସାହୁ, ବିଜୁ ଜନତା ଦଳର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଖାସ୍ ଲୋକ। ଡାକ୍ତର ମୋତିଲାଲ ଗୌଡ଼ ବି ମନ୍ତ୍ରୀଙ୍କର ଖାସ୍‌ ଲୋକ। ମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀଙ୍କର ଖାସ୍ ଲୋକ।   ଡିଏମ୍‌ଇଟିର କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଇନ୍‌ ନୟାଗଡ ତାଲିକାର ଦୁଇ ନମ୍ବରରେ ରହିଛି କ୍ରିଷ୍ଣା କ୍ଲିନିକ୍‌। ସେଥିରେ ମୋତିଲାଲ ଗୌଡ଼ ଇନ୍‌ଚାର୍ଜ ଡାକ୍ତର ବୋଲି ଉଲ୍ଲେଖ ଅଛି। ଯାହାର ଭାଲିଡିଟି ପିରିୟର୍ଡ ବା ଅବଧି ସମୟ ରହିଛି ୯.୧.୨୦୧୪ ରୁ ୮.୧.୨୦୧୬। ନିକଟରେ ଏହି ଅବଧି ସମୟ ଆଉ ଦୁଇବର୍ଷ ବଢ଼ିଥିବା ଜଣାପଡ଼ିଛି। ଶେଷ ହୋଇଥିବା ଅବଧି ସମୟରେ ଡାକ୍ତର ମୋତିଲାଲ୍‌ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ରେଜିଷ୍ଟ୍ରେସନ୍‌ ନମ୍ବର ଏମବିବିଏସ୍‌ ୬୧୩/୨୦୦୭ରେ ଡାକ୍ତର ମୋତିଲାଲଙ୍କ ନାଁରେ କ୍ଲିନିକ୍‌ ପଞ୍ଜୀକୃତ ହୋଇଛି। ଏମିତି ଜଣେ ମିଷ୍ଟର ନଟବରଲାଲ ହୀରାଲାଲଙ୍କ ଦୁର୍ନୀତି ଓ ଜାଲିଆତି ସହ ନବୀନ ସରକାର ଜଡ଼ିତ ଥିବା ଅଭିଯୋଗ ଆସିବା ପରେ ବିଜୁ ଜନତା ଦଳର ଜଣେ ମୁଖପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଦୁର୍ନୀତିଗ୍ରସ୍ତ ଓ ଜାଲିଆତଙ୍କୁ ଘଣ୍ଟଘୋଡ଼ାନ୍ତି ନାହିଁ। ପ୍ରମାଣ ମିଳିଲା ମାନେ ସେ କାର୍ଯାନୁଷ୍ଠାନ ଗ୍ରହଣ କରନ୍ତି। ଏଇ ଯେମିତି ହୀରାଲାଲଙ୍କୁ ସସ୍‌ପେଣ୍ଡ କରିବା ସହିତ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।   ଏକଥା ଅବଶ୍ୟ ସତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ସ୍ବଚ୍ଛ ଓ ଦକ୍ଷ ଯେ ବିଲେଇମାନେ ଆଖିବୁଜି ଦୁଧ ପିଉଥିବାବେଳେ ସେ ବି ଆଖି ବୁଜିଦେଇଥାନ୍ତି। ବିଲେଇ ଦୁଧ ପିଇ ପଳାଇଲାବେଳେ ଯଦି କୋଉଠି ଝୁଣ୍ଟିପଡ଼ି ଧରାପଡ଼ିଯାଏ ତେବେ ସେ ଆବାଜରେ ନବୀନଙ୍କ ଆଖି ବି ଫିଟିଯାଏ ଓ ସେ ନିଜ ସଂପୃକ୍ତି ଖଣ୍ଡନ କରିବାକୁ ଯାଇ ଧୁଆଁବାଣିଆ କାର୍ଯାନୁଷ୍ଠାନ ଗ୍ରହଣ କରିଥାନ୍ତି। ତାଙ୍କର ଏଭଳି ବିଲେଇ ବନ୍ଧୁତ୍ବ ନେଇ ଅନେକ ଉଦାହରଣ ଅଛି। ତାଙ୍କରି ଅଧୀନରେ ଥିବା ଭିଜିଲାନ୍ସ ବିଭାଗରେ ନିଇତି ଧରା ପଡ଼ୁଥିବା ସରକାରୀ ଅଧିକାରୀମାନଙ୍କର ଦୁର୍ନୀତି ନବୀନଙ୍କ ନଟବରଲାଲ ଶାସନରେ ହୋଇଛି କି ନା ନେହରୁ ଅମଳରେ ହୋଇଥିଲା?   ଭିଜିଲାନ୍ସ ବିଭାଗ ନିୟମିତ ଦୁର୍ନୀତିଗ୍ରସ୍ତମାନଙ୍କୁ ଧରୁଛି। କିଏ ଦୋଷୀ ସାବ୍ୟସ୍ତ ହେଉଛି ଓ କେବେ ତାହା ଅଲଗା କଥା। କିନ୍ତୁ ନବୀନଙ୍କ ନିଜ ଅଧୀନରେ ଥିବା ଏହି ବିଭାଗ ଇତିମଧ୍ୟରେ ଅନେକ କୋଟିପତି ଅଫିସର, କିରାଣୀ, ଖଲାସୀ, ଜମାଦାର ଆଦିଙ୍କୁ ଧରିସାରିଲାଣି। ସେମାନେ କାହା ଅମଳରେ ଏପରି ବିପୁଳ ଆୟ ବହିର୍ଭୂତ ସଂପତ୍ତିର ମାଲିକ ହେଲେ। ସେମାନେ ଦୁର୍ନୀତି କରୁଥିବାବେଳେ ନବୀନ ସରକାର ଆଖିବୁଜିଥିଲେ କାହିଁକି? ନବୀନ ଶାସନରେ ଦୁର୍ନୀତି ପାଇଁ ସାହାଣ ମେଲା କରାଯାଇଛି ବୋଲି ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପଂଚାୟତରୁ ଆରମ୍ଭ କରି ସଚିବାଳୟ ଯାଏଁ ଦୁର୍ନୀତିର ଜାଲ ମେଲାଇ ହୋଇ ରହିଛି।   ଏବେ ଜଣେ ଆପିଏସ ଅଫିସର ଜୟଦୀପ ନାୟକଙ୍କ କଳା କାରନାମା କଥା ପଦାକୁ ଆସିଛି। ସେ ତ୍ରିପୁରା କ୍ୟାଡରର ଅଫିସର। ଘର ଓଡ଼ିଶାରେ। ନବୀନ ସରକାରଙ୍କର କୌଣସି ମୁଣ୍ଡିଙ୍କୁ ଧରି ଓଡ଼ିଶା ଆସିଲେ, ପୁଲିସ ବିଭାଗର ମାନବାଧିକାର ପ୍ରକୋଷ୍ଠ ଅଧୀନସ୍ଥ ଏସସିଏସଟି ଛାତ୍ରଛାତ୍ରୀ ତାଲିମ ଦାୟିତ୍ବରେ ରହିଲେ। ଆଉ କେତେ ଜଣଙ୍କ ସହିତ ମିଶି ୮୮ ଲକ୍ଷ ଟଙ୍କା ହଡ଼ପ କରି ତ୍ରିପୁରା ଫେରିଗଲେ। ଏକଥା ସେ ଟଙ୍କା ହଜମ କରିସାରିବା ପରେ ପଦାକୁ ଆସିଲା ଓ ନବୀନ ସରକାର ତଦନ୍ତ ଘୋଷଣା କଲେ। ନବୀନଙ୍କ ବୋଲକରା ଅଫିସରମାନେ ପୁଣି ତାଙ୍କ ଟେର୍ ପାଉ ନାହାନ୍ତି।   ନଟବରଲାଲ ଶାସନର ଆଉ ଏକ କୀର୍ତ୍ତି ହେଲେ ଆତଙ୍କବାଦୀ ଅବ୍ଦୁର ରହମାନ। ତାଙ୍କର ଲସ୍କାର ଇ ତଇବା ଓ ଅନ୍ୟ କେତେକ ଆତଙ୍କବାଦୀ ସଂସ୍ଥା ସହିତ ସଂପର୍କ ଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ଓ ଦିଲ୍ଲୀ ପୁଲିସ ଆଗ ଜାଣିଲେ। ଓଡ଼ିଶା ପୁଲିସ କାଳେ କଥାଟା ପ୍ରଘଟ କରିଦେବ ସେଥିପାଇଁ ଶେଷ ମୁହୂର୍ତ୍ତରେ ଜଣାଇ ସାଙ୍ଗରେ ଆସ ବୋଲି କୁହାଗଲା ଓ ରହମାନକୁ ଗିରଫ କରାଗଲା। ରହମାନକୁ ସେମାନେ ଦିଲ୍ଲୀ ନେଇ ସେଠାରେ ସବୁ କଥା ବାହାର କରିବା ପରେ ଏବେ କ୍ରାଇମ ବ୍ରାଞ୍ଚ ତାକୁ ରିମାଣ୍ଡରେ ଆଣି ନାଁ ନେବାକୁ କାନ୍ଦାହାର ବିମାନ ଅପହରଣର ଆତଙ୍କବାଦୀ କଥା ପଦାକୁ ଆଣିଛି ବୋଲି ପ୍ରଚାର ଚଳାଇଛି। କ୍ରାଇମ ବ୍ରାଞ୍ଚ ଯେଉଁ ତଥ୍ୟ ପଦାକୁ ଛାଡ଼ିଛି ତାହା ମିଛ ହୋଇ ନଥାଇପାରେ। ଆତଙ୍କବାଦୀଙ୍କର ନେଟୱାର୍କ ଅନେକ ବ୍ୟାପକ।   କିନ୍ତୁ ନଟବରଲାଲଙ୍କ ଦକ୍ଷ ଓ ସ୍ବଚ୍ଛ ଶାସନ ସତ୍ତ୍ବେ କାନ୍ଦାହାର ଆତଙ୍କବାଦୀ ଓଡ଼ିଶାର କଟକରେ ଆସି ରହିଲା କେମିତି। ତାଙ୍କ ପୁଲିସ ଗୁଇନ୍ଦା କ’ଣ କରୁଥିଲା? କାନ୍ଦାହାର ବିମାନ ଅପହରଣ ଘଟଣା ଘଟିଥିଲା ୧୯୯ ଢିସେମ୍ବର ୨୪ ତାରିଖରେ। ସଲିମ ନାମକ ଆତଙ୍କବାଦୀ ତା’ ପରେ ଓଡ଼ିଶା ଆସିଥିବ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ ଆରମ୍ଭ ହେଲା ୨୦୦୦ ମାର୍ଚ୍ଚ ୫ ତାରିଖରେ। ସେବେଠାରୁ ତାଙ୍କ ପୁଲିସ ଏ ବିଷୟରେ କିଛି ଜାଣ ନଥିଲେ। ଜାତୀୟ ରାଜପଥ କଡ଼ରେ ଟାଙ୍ଗି-ଚୌଦ୍ବାରରେ ଜଣେ ଆତଙ୍କବାଦୀ ଆଡ୍ଡା ଚଳାଇବା କଥା ମଧ୍ୟ ନଟବରଲାଲ ଶାସନରେ ଜଣାପଡ଼ିଲା ନାହିଁ। ଦିଲ୍ଲୀ ପୁଲିସ ଜାଣିବା ପରେ ଏମାନେ କଠୋରା କାର୍ଯାନୁଷ୍ଠାନ ଗ୍ରହଣ କଲେ।   ଚିଟ୍ ଫଣ୍ଡ ଦୁର୍ନୀତି ନେଇ କେନ୍ଦ୍ରରୁ ଏକାଧିକ ସ୍ମାରକ ଆସିଥିଲେ ମଧ୍ୟ ନଟବରଲାଲ ଶାସନ କିଛି କରୁ ନଥିଲେ। ଲୋକେ ଅଭିଯୋଗ କଲା ପରେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ହେଲା ଏବଂ ସଫେଇ ଦିଆଗଲା ନବୀନ ପଟ୍ଟନାୟକ କୌଣସି ଦୋଷୀକୁ ଛାଡ଼ନ୍ତି ନାହିଁ! କ୍ରାଇମ ବ୍ରାଞ୍ଚ ଢିଲା ତଦନ୍ତ କରିବାରୁ ଲୋକେ ସୁପ୍ରିମ କୋର୍ଟରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଜାରି କଲେ। ତା’ପରେ ଭାବମୂର୍ତ୍ତି ରକ୍ଷା ପାଇଁ କ୍ରାଇମ ବ୍ରାଞ୍ଚ ତତ୍ପର ହେଲା। ତଥାପି ଚିଟ୍ ଫଣ୍ଡ ସଂପୃକ୍ତ ନେତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ଶୂନ।

Share :